Advertisment

ମିଡିଆ ଟ୍ରାଏଲକୁ ନେଇ ବିଗିଡ଼ିଲେ ସୁପ୍ରିମକୋର୍ଟ, ଗାଇଡଲାଇନ ପାଇଁ କେନ୍ଦ୍ରକୁ ନିର୍ଦ୍ଦେଶ

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପୁଲିସ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

author-image
Hemant Lenka
SC

SC

ଅପରାଧିକ ମାମଲାରେ ଦେଶର ଗଣାମାଧ୍ୟମ ନିଜ ଇଚ୍ଛାର କରୁଥିବା ଖବର ପ୍ରସାରଣ ବା ମିଡିଆ ଟ୍ରାଏଲକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକପାଖିଆ ରିପୋର୍ଟିଂ ଯୋଗୁ ଲୋକଙ୍କ ମନରେ ଜଣେ ଅଭିଯୁକ୍ତ ହିଁ ଅପରାଧୀ ବୋଲି ଲୋକମାନେ ଭାବି ନେଉଛନ୍ତି। ତେଣୁ ଏହାକୁ ଅନୁମତି ଦେବା କଥା ନୁହେଁ ବୋଲି ସର୍ବୋଚ୍ଚ ଅଦଲତ କହିଛନ୍ତି।

Advertisment

ଏଥିସହ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପୁଲିସ ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମିଡିଆକୁ ସୂଚନା ଦେବା ବେଳେ ପୁଲିସ୍‌ କେଉଁ ସବୁ ନିୟମ ପାଳନ କରିବ, ସେ ବିଷୟରେ ଗାଇଡଲାଇନରେ ଉଲ୍ଲେଖ ରହିବ। ଏଥିପାଇଁ ମନ୍ତ୍ରଣାଳୟକୁ ସୁପ୍ରିମକୋର୍ଟ ୩ ମାସ ସମୟ ଦେଇଛନ୍ତି।

ଗାଇଡଲାଇନରେ କ’ଣ ସବୁ ବିଷୟବସ୍ତୁ ରହିବ, ସେବାବଦରେ ସବୁ ରାଜ୍ୟର ଡିଜିପି ଓ ଜାତୀୟ ମାନବାଧିକାର କମିଶନ ଗୋଟିଏ ମାସ ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରସ୍ତାବ ଦେଇ ପାରିବେ। ଏବେ ମାମଲା ପରବର୍ତ୍ତୀ ଶୁଣାଣି ୨୦୨୪ ମସିହା ଜାନୁଆରୀ ଦ୍ୱିତୀୟ ସପ୍ତାହରେ ହେବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କହିଛନ୍ତି।

Advertisment

ଖଣ୍ଡପୀଠ କହିଛନ୍ତି, ମିଡିଆ ଟ୍ରାଏଲ ଦ୍ୱାରା ନ୍ୟାୟ ପ୍ରଦାନ ପ୍ରଭାବିତ ହେଉଛି। ପୁଲିସ ପାଖରେ ସମ୍ବେଦନଶୀଳତା ରହିବା ଦରକାର। କେଉଁ ପର୍ଯ୍ୟାୟରେ ଅନୁସନ୍ଧାନର ସବିଶେଷ ତଥ୍ୟ ପ୍ରକାଶ କରାଯିବାର ଆବଶ୍ୟକ ରହିଛି, ତା’ର ନିଷ୍ପତ୍ତି ନେବା ଉଚିତ। ଏହା ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ କାରଣ ଏଥିରେ ପୀଡ଼ିତ ଓ ଅଭିଯୁକ୍ତଙ୍କ ସ୍ୱାର୍ଥ ଜଡ଼ିତ ହୋଇ ରହିଛି। ଏହାବାଦ ଜନସାଧାରଣଙ୍କ ସ୍ୱାର୍ଥ ସହ ମଧ୍ୟ ଏହାର ସମ୍ପର୍କ ଅଛି। ଅପରାଧ ସମ୍ପର୍କିତ ମିଡିଆ ରିପୋର୍ଟ ସହ ସାର୍ବଜନୀନ ହିତର ଅନେକ ସ୍ୱାର୍ଥ ରହିଛି।

ମୌଳିକ ଭାବରେ ଦେଖିଲେ, ବାକ ସ୍ୱାଧୀନତା ମଧ୍ୟରେ ଗଣମାଧ୍ୟମର ଖବର ଚିତ୍ରଣ ଓ ପ୍ରସାରଣ ଅଧିକାର ଅନ୍ତର୍ଭୁକ୍ତ। କିନ୍ତୁ ଆମକୁ ମିଡିଆ ଟ୍ରାଏଲ ପାଇଁ ଅନୁମତି ଦେବା କଥା ନୁହେଁ। ସୂଚନା ହାସଲ କରିବା ଲୋକଙ୍କ ଅଧିକାର। କିନ୍ତୁ ତଦନ୍ତ ବେଳେ ଯଦି ଗୁରୁତ୍ୱପୂର୍ଣ୍ଣ ପ୍ରମାଣ ବା ତଥ୍ୟ ସାର୍ବଜନୀନ ହୋଇଯାଏ, ତା’ହେଲେ ଏହାର ପୂରା ମାମଲାକୁ ମଧ୍ୟ ପ୍ରଭାବିତ କରିପାରେ ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠ ଆହୁରି କହିଛନ୍ତି, “ଗୋଟିଏ ଅପରାଧିକ ମାମଲାର ଅଭିଯୁକ୍ତ ମଧ୍ୟ ନିରପେକ୍ଷ ତଦନ୍ତର ହକଦାର। ପ୍ରତିଟି ପର୍ଯ୍ୟାୟରେ ଓ ପ୍ରତିଟି ଅଭିଯୁକ୍ତକୁ ନିରୀହ ଭାବି ତଦନ୍ତ କରାଯିବା ଦରକାର। ମିଡିଆ ରିପୋର୍ଟରେ ଅଭିଯୁକ୍ତଙ୍କୁ ଦୋଷୀ ଭାବେ ବିବେଚନା କରିବା ଆଦୌ ଠିକ ନୁହେଁ। ଏକପାଖିଆ ରିପୋର୍ଟ ମଧ୍ୟ ଜନସାଧାରଣଙ୍କ ମନରେ ସନ୍ଦେହ ସୃଷ୍ଟି କରେ ଯେ ଅଭିଯୁକ୍ତ ଜଣଙ୍କ ହିଁ ଅପରାଧ କରିଛନ୍ତି।

ମିଡିଆ ରିପୋର୍ଟ ମଧ୍ୟ ପୀଡ଼ିତଙ୍କ ଗୋପନୀୟତାକୁ ଉଲ୍ଲଂଘନ କରିପାରେ। କେତେକ କ୍ଷେତ୍ରରେ ପୀଡ଼ିତ/ପୀଡ଼ିତା ନାବାଳକ ହୋଇପାରନ୍ତି। ତେଣୁ ସେମାନଙ୍କର ଗୋପନୀୟତା ପ୍ରଭାବିତ ହେବା ଉଚିତ ନୁହେଁ। ଗଣମାଧ୍ୟମକୁ ପୁଲିସ୍‌ କେମିତି ସୂଚନା ଦେବ? ଏ ସମ୍ପର୍କରେ ପୁଲିସ୍‌କୁ କେମିତି ପରାମର୍ଶ ଦିଆଯିବ? ୨୦୧୪ରେ ଆମେ ଦେଇଥିବା ନିର୍ଦ୍ଦେଶ ଉପରେ ଭାରତ ସରକାର କ’ଣ ସବୁ ପଦକ୍ଷେପ ନେଇଛନ୍ତି?” ଏହା ଶୁଣି ଖୁବଶୀଘ୍ର ଗାଇଡଲାଇନ ପ୍ରସ୍ତୁତ ହେବ ଓ ଏ ବିଷୟରେ କୋର୍ଟଙ୍କୁ ଅବଗତ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି।

Supreme Court