Advertisment

ଏନ୍‌ସିପି ବନାମ ଏନ୍‌ସିପି: ଶରଦ ପାଓ୍ୱାରଙ୍କୁ ସୁପ୍ରିମ ଝଟ୍‌କା

ଏନ୍‌ସିପି ନେତା ଶରଦ ପାଓ୍ୱାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟ୍‌କା। ଏନ୍‌ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'କୁ ବ୍ୟବହାର କରିବାକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

author-image
Madhupriya Mistry
sharad-pawar

sharad-pawar

ଏନ୍‌ସିପି ବନାମ ଏନ୍‌ସିପି। କିଏ ପ୍ରକୃତ ତାକୁ ନେଇ ମହାରାଷ୍ଟ୍ରରେ ଦାଦା ପୁତୁରାଙ୍କ ମଧ୍ୟରେ ଜାରି ରହିଛି ଲଢ଼େଇ। ଏହାର ଭିତରେ ବରିଷ୍ଠ ଏନ୍‌ସିପି ନେତା ଶରଦ ପାଓ୍ୱାରଙ୍କୁ ସୁପ୍ରିମକୋର୍ଟରୁ ଲାଗିଛି ଝଟ୍‌କା। ମଙ୍ଗଳବାର ଏନ୍‌ସିପିର ନିର୍ବାଚନୀ ଚିହ୍ନ 'ଘଣ୍ଟା'କୁ ବ୍ୟବହାର କରିବାକୁ ନେଇ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି।

Advertisment

ସୁପ୍ରିମକୋର୍ଟଙ୍କ କହିବା ମୁତାବକ, 'ଘଣ୍ଟା' ଚିହ୍ନକୁ କେବଳ ଅଜିତ ପାଓ୍ୱାରଙ୍କ ଦଳ ହିଁ ବ୍ୟବହାର କରିପାରିବେ। ଏନସିପି ଶରଦଚନ୍ଦ୍ର ପାୱାର ନାମରେ ୨୦୨୪ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ସୁପ୍ରିମକୋର୍ଟ ଶରଦ ଦଳକୁ ଅନୁମତି ଦେଇଛନ୍ତି। ଏଥିସହ ନିର୍ବାଚନୀ ଚିହ୍ନ ରୂପେ ଟ୍ରମ୍ପେଟ୍‌ ତଥା ତୂରୀ ବ୍ୟବହାର କରିବାକୁ କୋର୍ଟ ସ୍ୱୀକୃତି ଦେଇଛନ୍ତି।

ଲୋକସଭା-ବିଧାନସଭା ନିର୍ବାଚନ ପାଇଁ ଅନ୍ୟ କାହାକୁ 'ତୂରୀ' ଚିହ୍ନ ନଦେବାକୁ ନିର୍ବାଚନ ଆୟୋଗଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ସେତିକି ନୁହେଁ ନିର୍ବାଚନ ପ୍ରଚାରରେ କୌଣସି ବି ପ୍ରଚାର ସାମଗ୍ରୀରେ ଶରଦ ପାଓ୍ୱାରଙ୍କ ନାଁ କିମ୍ବା ଫଟୋକୁ ଅଜିତ ପାଓ୍ୱାରଙ୍କ ଦଳ ବ୍ୟବହାର କରିପାରିବେ ନାହିଁ ବୋଲି କହିଛନ୍ତି।

Advertisment

ଏହାପୂର୍ବରୁ ମାର୍ଚ୍ଚ ୧୪ରେ ମହାରାଷ୍ଟ୍ର ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଅଜିତ ପାୱାରଙ୍କ ଦଳକୁ ତାଗିଦ କରାଯାଇଥିଲା। ଅଜିତଙ୍କ ଗୋଷ୍ଠୀ ଶରଦ ପାୱାରଙ୍କ ଫଟୋ ବ୍ୟବହାର କରିବେ ନାହିଁ ବୋଲି ବିନା କୌଣସି ସର୍ତ୍ତରେ ଲଖିତ ଭାବେ ଗ୍ୟାରେଣ୍ଟି ଦେବାକୁ କହିଥିଲେ ସୁପ୍ରିମକୋର୍ଟ। ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ବେଞ୍ଚ ଅଜିତ ପାୱାର ଦଳକୁ ମାର୍ଚ୍ଚ ୧୮ ସୁଦ୍ଧା ଜବାବ ଦାଖଲ କରିବାକୁ କହିଥିଲେ।

ଫେବୃଆରୀ ୬ରେ ନିର୍ବାଚନ ଆୟୋଗ ଅଜିତ ପାୱାରଙ୍କ ଦଳକୁ ପ୍ରକୃତ ଏନସିପିର ମାନ୍ୟତା ଦେଇଥିଲେ । ସଂଖ୍ୟାଗରିଷ୍ଠତା ଆଧାରରେ ନିର୍ବାଚନ ଆୟୋଗ ଏହି ନିଷ୍ପତ୍ତି ନେଇଥିଲେ।  ଅଜିତ ପାୱାର ଗୋଷ୍ଠୀ ଏନସିପିର ନାଁ ଏବଂ ନିର୍ବାଚନ ଚିହ୍ନ ବ୍ୟବହାର କରିପାରିବେ ବୋଲି କହିଥିଲେ। ଏହାର ଗୋଟିଏ ଦିନ ପରେ ନିର୍ବାଚନ ଆୟୋଗ ଶରଦ ପାୱାର ଦଳକୁ 'ଏନସିପି ଶରଦ ଚନ୍ଦ୍ର ପାୱାର' ନାମରେ ନାମିତ କରିଥିଲେ। ତେବେ ତାଙ୍କୁ ନିର୍ବାଚନ ପ୍ରତୀକ ଦିଆଯାଇ ନଥିଲା।

Supreme Court Sharad Pawar NCP Ajit Pawar