ଇଭିଏମ ବା ବୈଦ୍ୟୁତିକ ମତଦାନ ଯନ୍ତ୍ର ଦ୍ୱାରା ହେଉଥିବା ଭୋଟ ସହ ଭିଭିପ୍ୟାଟ ସିଷ୍ଟମ ଦ୍ୱାରା ଦୃଶ୍ୟମାନ ହେଉଥିବା କାଗଜ ଖଣ୍ଡର ପୁନଃ ଯାଞ୍ଚ କରି ନିର୍ବାଚନ ରେଜଲ୍ଟ ପ୍ରକାଶ କରିବା ପାଇଁ ହୋଇଥିବା ଏକାଧିକ ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ ପୂର୍ବରୁ ହେଉଥିବା ଗୁପ୍ତ ବାଲାଟ ଭୋଟିଂ ବ୍ୟବସ୍ଥା ବିରୋଧରେ ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି।
ଆବେଦନକାରୀ ଏଡିଆରର ଓକିଲ ପ୍ରଶାନ୍ତ ଭୂଷଣଙ୍କୁ ଜଷ୍ଟିସ ସଞ୍ଜୀବ ଖାନ୍ନା କହିଛନ୍ତି, “ଆମେମାନେ ଏବେ ୬୦ ବର୍ଷ ବୟସରେ ପହଞ୍ଚିବାକୁ ଯାଉଛୁ। ବାଲାଟ ପେପର ଥିବା ବେଳେ କ’ଣ ସବୁ ଘଟୁଥିଲା ଆମେ ସମସ୍ତେ ଜାଣିଛେ। ଆପଣ ସେସବୁ ଭୁଲି ଯାଇଥିବେ କିନ୍ତୁ ଆମେ ଆଦୌ ଭୁଲି ନାହୁଁ।”
ଶ୍ରୀ ଭୂଷଣ ନିଜର ପକ୍ଷ ରଖିବା ସହ କହିଥିଲେ ଯେ ଅଧିକାଂଶ ୟୁରୋପୀୟ ଦେଶ ଇଭିଏମ ଛାଡ଼ି ପେପର ବାଲାଟ ଭୋଟିଂ ବ୍ୟବସ୍ଥାକୁ ଆପଣାଇଛନ୍ତି। ଆମେ ମଧ୍ୟ ପେପର ବାଲାଟକୁ ଯାଇ ପାରିବା। ଆଉ ଗୋଟିଏ ବିକଳ୍ପ ହେଲା ଭିଭିପ୍ୟାଟ ସ୍ଲିପ ଭୋଟରଙ୍କ ହାତକୁ ଦେଇ ହେବ।
ଏହାବାଦ ମେସିନରେ ସ୍ଲିପ ପଡ଼ିବ ଓ ଏହି ସ୍ଲିପକୁ ଭୋଟରଙ୍କୁ ଦିଆଯିବ। ସେମାନେ ଏହାକୁ ବାଲଟ ବକ୍ସରେ ରଖିବେ। ଭିଭିପ୍ୟାଟ ଡିଜାଇନକୁ ପରିବର୍ତ୍ତନ କରାଯାଇପାରିବ। ଏଥିରେ ନିଶ୍ଚିତ ଭାବେ ସ୍ୱଚ୍ଛତା ରହିବାର ଥିଲା। କିନ୍ତୁ ସବୁ କିଛି ଅସ୍ପଷ୍ଟ ରହୁଛି। ଭିଭିପ୍ୟାଟ୍ ମେସିନରେ କେବଳ ୭ ସେକେଣ୍ଡର ଲାଇଟ୍ ଜଳୁଛି ବୋଲି ଭୂଷଣ କହିଥିଲେ।
ଯେତେବେଳେ ଶ୍ରୀ ଭୂଷଣ ଜର୍ମାନୀର ଉଦାହରଣ ଦେଇଥିଲେ ସେତେବେଳେ ଜଷ୍ଟିସ ଦୀପଙ୍କର ଦତ୍ତ ପ୍ରଶ୍ନ କରିଥିଲେ ଯେ ଜର୍ମାନୀର ଜନସଂଖ୍ୟା କେତେ? ଭୂଷଣ ଜବାବ ଦେଇଥିଲେ ୬ କୋଟି।
ଏହା ଶୁଣି ଜଷ୍ଟିସ ଖାନ୍ନା କହିଥିଲେ, “ଭାରତରେ ୯୭ କୋଟି ଭୋଟର ପଞ୍ଜିକୃତ ରହିଛନ୍ତି। ଆମେ ଜାଣିଛୁ ଯେ ବାଲାଟ ପେପର ଥିବା ବେଳେ କ’ଣ ସବୁ ହେଉଥିଲା।”
ବରିଷ୍ଠ ଆଇନଜୀବୀ ସଞ୍ଜୟ ହେଗଡେ କହିଥିଲେ, “ଇଭିଏମଗୁଡ଼ିକ ଭିଭିପ୍ୟାଟ ସ୍ଲିପ ସହ ମେଳ କରାଯାଉ।” ଜଷ୍ଟିସ ଖାନ୍ନା କହିଥିଲେ, “ହଁ, ୬୦ କୋଟି ଭିଭିପ୍ୟାଟ ଗଣତି କରାଯିବ? ଠିକ ନା?”
ସୁପ୍ରିମକୋର୍ଟ କହିଛନ୍ତି, ମାନବ ହସ୍ତକ୍ଷେପ ସମସ୍ୟା ସୃଷ୍ଟି କରୁଛି ଓ ସେଠାରେ ମାନବିକ ଦୁର୍ବଳତା ରହିଛି। ଏହା ମଧ୍ୟରେ ପକ୍ଷପାତିତା ବି ରହୁଛି। ବିନା ହସ୍ତକ୍ଷେପରେ ମେସିନ ସାଧାରଣତଃ ୧୦୦% ଠିକ ଫଳାଫଳ ଦେଇଥାଏ। ହଁ, ସମସ୍ୟା ସେତେବେଳେ ଆସେ ଯେତେବେଳେ ମାନବିକ ହସ୍ତକ୍ଷେପ ବଢ଼େ।
ଏଥିସହ ବିନା ଅଧିକାରରେ ବା ବେଆଇନ ଭାବେ ମେସିନ କିମ୍ବା ସଫ୍ଟୱେୟାରରେ ପରିବର୍ତ୍ତନ କଲେ ସମସ୍ୟା ଆସେ। ଏହାକୁ ରୋକିବା ପାଇଁ ଯଦି ଆପଣଙ୍କ ପାଖରେ କିଛି ପ୍ରସ୍ତାବ ରହିଛି, ତା’ହେଲେ ସେସବୁ ଆମକୁ ଦେଇ ପାରିବେ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।
ଭୂଷଣ ଇଭିଏମ ଟାମ୍ପରିଂ କରାଯାଇପାରିବ ବୋଲି ପ୍ରକାଶିତ ରିସର୍ଚ୍ଚ ପେପର କୋର୍ଟ ଭିତରେ ପଢ଼ିଥିଲେ। ସେ କହିଛନ୍ତି, “ଗୋଟିଏ ବିଧାନସଭା ଆସନ ପିଛା ମାତ୍ର ୫ଟି ଭିଭିପ୍ୟାଟ ଗଣନା କରାଯାଉଛି। କିନ୍ତୁ ବିଧାନସଭାରେ ସେଭଳି ୨୦୦ ମେସିନ ବିନା ଗଣତିରେ ଚାଲିଛି। ଏହା କେବଳ ୫% ଓ ଏହା ପଛରେ କୌଣସି ନିର୍ଦ୍ଦିଷ୍ଟ ଯୁକ୍ତିଯୁକ୍ତ କାରଣ ନାହିଁ। ୭ ସେକେଣ୍ଡର ଲାଇଟ୍ରୁ ହେରଫେର ସୃଷ୍ଟି ହୋଇପାରେ। ଭୋଟରଙ୍କୁ ଭିଭିପ୍ୟାଟ ସ୍ଲିପକୁ ନେଇ ବାଲାଟ ବକ୍ସରେ ପକାଇବା ପାଇଁ ଅନୁମତି ଦିଆଯାଉ।”
ଜଣେ ଭୋଟର ଇଭିଏମରେ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥାଏ। ଏହାପରେ ଭିଭିପ୍ୟାଟ ମେସିନରେ ୭ ସେକେଣ୍ତର ଲାଇଟ ଜଳିବା ସହ ଗୋଟିଏ ସ୍ଲିପ ବାହାରି ଥାଏ। ଏହାକୁ ଦେଖି ଭୋଟର ଜଣଙ୍କ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ତାଙ୍କ ଭୋଟ ଯାଇଛି କି ନାହିଁ ଜାଣିପାରନ୍ତି। ହେଲେ ଉକ୍ତ ସ୍ଲିପକୁ ସେ ଛୁଇଁ ପାରନ୍ତି ନାହିଁ, କେବଳ ଦେଖିପାରନ୍ତି। ଏହା ସିଲ୍ଡ କଭରରେ ରହିଥାଏ।
ଯଦି କୌଣସି ତ୍ରୁଟି ଦେଖାଯାଏ ତା’ହେଲେ ନିର୍ବାଚନ ପରିଚାଳନା କରୁଥିବା ଅଧିକାରୀ ଏହାକୁ ଖୋଲି ଯାଞ୍ଚ କରିପାରିବେ। ସେହିପରି ପୁନଃ ଭୋଟର ବ୍ୟବସ୍ଥା ମଧ୍ୟ କରିପାରିବେ।