Advertisment

ସୁପ୍ରିମକୋର୍ଟଙ୍କୁ ମିଳିଲେ ଆଉ ୨ ବିଚାରପତି, ସଂଖ୍ୟା ୩୪ ଛୁଇଁଲା

ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।

author-image
Hemant Lenka
Supreme Court

Supreme Court

ସୁପ୍ରିମକୋର୍ଟଙ୍କୁ ମିଳିଛନ୍ତି ଆଉ ୨ ବିଚାରପତି। ଆଜି ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ବରିଷ୍ଠ ଆଇନଜୀବୀ ଭେଙ୍କଟରମଣ ବିଶ୍ୱନାଥନ ସୁପ୍ରିମକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ ଉଭୟଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି।

Advertisment

ବିଶ୍ୱନାଥନ ଆଇନଜୀବୀରୁ ସିଧାସଳଖ ବିଚାରପତି ହୋଇଥିବା ବେଳେ ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଆନ୍ଧ୍ର ପ୍ରଦେଶ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଏହି ଦୁଇ ଜଣଙ୍କୁ ମିଶାଇ ସୁପ୍ରିମକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି। ସର୍ବୋଚ୍ଚ ଅଦାଲତରେ ସର୍ବାଧିକ ୩୪ ଜଣ ବିଚାରପତି ରହି ପାରିବେ। ଏବେ ସବୁ ପଦବୀ ପୂରଣ ହୋଇ ସାରିଛି।

ମେ’ ୧୬ ତାରିଖରେ ପ୍ରଧାନ ବିଚାରପତି ଜଷ୍ଟିସ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ବସିଥିବା ସୁପ୍ରିମକୋର୍ଟ କଲେଜିୟମ ଜଷ୍ଟିସ ମିଶ୍ର ଓ ବିଶ୍ୱନାଥନଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ କରିଥିଲେ। ଗୁରୁବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ନିଯୁକ୍ତି ଉପରେ ମୋହର ମାରିଥିଲେ। ନୂଆ ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲା ଟ୍ୱିଟ କରି ଏ ସମ୍ପର୍କରେ ସୂଚନା ଦେଇଥିଲେ। ଆଜି ଉଭୟ ବିଚାରପତି ଭାବେ ଶପଥ ନେଇଛନ୍ତି।

Advertisment

ଆଇନଜୀବୀରୁ ବିଚାରପତି ହୋଇଥିବା ବିଶ୍ୱନାଥନ ଜଷ୍ଟିସ ଜେବି ପାରଡିୱାଲାଙ୍କ ଅବସର ପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ହେବେ। ଜଷ୍ଟିସ ପାରଡିୱାଲା ୨୦୩୦ ଅଗଷ୍ଟ ୧୧ରେ ଅବସର ନେବେ। ସେତେବେଳକୁ ବରିଷ୍ଠତା ଦୃଷ୍ଟିରୁ ବିଶ୍ୱନାଥନ ହିଁ ସିଜେଆଇ ହେବେ। ସେ ଏହି ପଦରେ ୨୦୩୧ ମସିହା ମେ’ ୨୫ ଯାଏ କାର୍ଯ୍ୟ କରିପାରିବେ। ସେହିପରି ବିଶ୍ୱନାଥନ ୧୦ମ ବ୍ୟକ୍ତି ଭାବେ ଓକିଲରୁ ସିଧାସଳଖ ସୁପ୍ରିମକୋର୍ଟର ବିଚାରପତି ହୋଇଛନ୍ତି।

୫ ଜଣ ବିଚାରପତିଙ୍କୁ ନେଇ ଗଠିତ କଲେଜିୟମ ଦୁଇ ଜଣଙ୍କ ନାଁ ସୁପାରିସ କରିବା ବେଳେ କହିଥିଲେ ଯେ ସୁପ୍ରିମକୋର୍ଟରେ ବିଚାରପତି ପଦବୀ ସଂଖ୍ୟା ୩୪। କିନ୍ତୁ ବର୍ତ୍ତମାନ ସର୍ବୋଚ୍ଚ ଅଦାଲତରେ ୩୨ ଜଣ ବିଚାରପତି ରହିଛନ୍ତି। ୨ ଦିନ ଭିତରେ ଜଷ୍ଟିସ ଦିନେଶ ମାହେଶ୍ୱରୀ ଓ ଜଷ୍ଟିସ ଏମଆର ଶାହ ସୁପ୍ରିମକୋର୍ଟରୁ ଅବସର ନେଇଛନ୍ତି।

ସିଜେଆଇଙ୍କ ବ୍ୟତୀତ କଲେଜିୟମରେ ଜଷ୍ଟିସ ସଞ୍ଜୟ କିଶନ କୌଲ, ଜଷ୍ଟିସ କେଏମ ଯୋଶେଫ, ଜଷ୍ଟିସ ଅଜୟ ରସ୍ତୋଗୀ ଓ ଜଷ୍ଟିସ ସଞ୍ଜୀବ ଖାନ୍ନା ରହିଛନ୍ତି।

Supreme Court