Advertisment

ଦିଦିଙ୍କୁ ଝଟକା; ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନରେ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ

ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନିରପେକ୍ଷ ଭାବେ କରିବା ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ। ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

author-image
Niharika Rout
Supreme Court Of India

Supreme Court Of India

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଲାଗିଛି ଶକ୍ତ ଝଟକା। ଆସନ୍ତା ୮ ତାରିଖରେ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ହେବାକୁ ଥିବା ବେଳେ ଏହାକୁ ନିରପେକ୍ଷ ଭାବେ କରିବା ପାଇଁ ମୁତୟନ ହେବେ କେନ୍ଦ୍ରୀୟ ସୁରକ୍ଷା ବଳ। ଏପରି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଏହି ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏଥିସହ କହିଛନ୍ତି, ନିର୍ବାଚନ ଅର୍ଥ ହିଂସା କରିବା ପାଇଁ ଲାଇସେନ୍ସ ପାଇବା ନୁହେଁ। ନିର୍ବାଚନ ଅର୍ଥ ନିର୍ଭୟରେ ନିରପେକ୍ଷ ଭାବେ ନିଜ ମତାଧିକାର ସାବ୍ୟସ୍ତ କରିବା। ହିଂସାକାଣ୍ଡ ଘଟୁଥିବା ସ୍ଥାନରେ ନିରପେକ୍ଷ ଓ ଅବାଧ ନିର୍ବାଚନ ସମ୍ଭବ ନୁହେଁ।

ଗତ ୧୩ ତାରିଖରେ କଲିକତା ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନିର୍ବାଚନ ପାଖେଇ ଆସୁଥିବାରୁ ରାଜ୍ୟ ସରକାର ତୁରନ୍ତ କେନ୍ଦ୍ରୀୟ ସୁରକ୍ଷା ବଳ ପାଇଁ ଆବେଦନ କରିବା ଉଚିତ ବୋଲି କହିଥିଲେ। ମାତ୍ର ରାଜ୍ୟ ସରକାର ଏନେଇ ତତ୍ପରତା ପ୍ରକାଶ କରି ନ ଥିଲେ। ଫଳରେ ୧୫ ତାରିଖରେ ହାଇକୋର୍ଟ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭର୍ତ୍ସନା କରି ଆସନ୍ତା ୪୮ ଘଣ୍ଟାରେ ସମ୍ବେଦନଶୀଳ ବୁଥ୍‌ରେ ଅର୍ଦ୍ଧ ସାମରିକ ବଳ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Advertisment

ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କ ଆବେଦନକୁ ବିଚାର କରି ହାଇକୋର୍ଟ ଏହି ରାୟ ଦେଇଥିଲେ। ମାତ୍ର ରାଜ୍ୟ ସରକାର ତଥା ନିର୍ବାଚନ ଆୟୋଗ ଏହାକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଜଷ୍ଟିସ୍‌ ବିବି ନାଗରତ୍ନା ଓ ଜଷ୍ଟିସ୍‌ ମନୋଜ ମିଶ୍ରାଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରିଛନ୍ତି। ଏଥିସହ ଅର୍ଦ୍ଧସୈନିକ ବଳ ମୁତୟନ ହେଲେ ରାଜ୍ୟ ନିର୍ବାଚନ ଆୟୋଗ କିପରି ପ୍ରଭାବିତ ହେବେ ବୋଲି ପଚାରିଥିଲେ। ସୁରକ୍ଷା ବଳ କେନ୍ଦ୍ରରୁ ଆସନ୍ତୁ ବା ଅନ୍ୟ ରାଜ୍ୟରୁ ଆସନ୍ତୁ ତାହାକୁ ନେଇ ରାଜ୍ୟ ନିର୍ବାଚନ ଆୟୋଗଙ୍କର କିଛି ଅସୁବିଧା ହେବା ଉଚିତ ନୁହେଁ ବୋଲି ଶୁଣାଇ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏଥିସହ ରାଜ୍ୟ ସରକାରଙ୍କୁ ଜଷ୍ଟିସ୍‌ ନାଗରତ୍ନା କହିଛନ୍ତି, ଆପଣ ନିଜେ ସୁରକ୍ଷା ବଳ ପାଇଁ ଆବେଦନ କରିଛନ୍ତି। ତେଣୁ ଏହି ସୁରକ୍ଷା ବଳ କେଉଁଠୁ ଆସିବେ ସେ ଚିନ୍ତା ଆପଣ କରିବା ଉଚିତ ନୁହେଁ। କାରଣ ରାଜ୍ୟରେ ୭୫ ହଜାର ବୁଥ୍‌ରେ ଗୋଟିଏ ଦିନରେ ନିର୍ବାଚନ ଅନୁଷ୍ଠିତ ହେବ । ସେଥିମଧ୍ୟରେ ୧୮୯ ସମ୍ବେଦନଶୀଳ ବୁଥ୍‌ ରହିଛି। ଏହି ସବୁ ସ୍ଥାନରେ ନିରପେକ୍ଷ ନିର୍ବାଚନ ନିମନ୍ତେ ବହୁ ସଂଖ୍ୟାରେ ପୁଲିସ୍‌ କର୍ମୀ ମୁତୟନ ହେବା ଆବଶ୍ୟକ ବୋଲି ସେ କହିଛନ୍ତି। ଏପରି ସ୍ଥିତିରେ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ ହେଲେ ରାଜ୍ୟ ସରକାରଙ୍କର କିଛି ଅସୁବିଧା ହେବା ଉଚିତ ନୁହେଁ ବୋଲି ଜଷ୍ଟିସ୍‌ ବି.ଭି ନାଗାରତ୍ନା କହିଛନ୍ତି।

West Bengal Supreme Court Election Judgement