/odisha-reporter/media/post_attachments/uploadimage/library/16_9/16_9_0/Suicide__1753516776.jpg)
Suicide
ଭାରତର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଏବେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଅଧ୍ୟାପକଙ୍କ ନିର୍ଯାତନା ସହି ନ ପାରି ବାଲେଶ୍ୱର ଏଫଏମ କଲେଜର ଜଣେ ଛାତ୍ରୀ ଆତ୍ମାହୁତି ଭଳି ଭୟଙ୍କର ପଦକ୍ଷେପ ନେଇଥିଲେ। ସେହିପରି ବିଭିନ୍ନ ଆଇଆଇଟି ଓ ବିଶ୍ୱବିଦ୍ୟାଳୟରେ ମଧ୍ୟ ଛାତ୍ରଛାତ୍ରୀମାନେ ଜୀବନ ହାରି ଦେଉଛନ୍ତି। ବାଲେଶ୍ୱର ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ଏହାକୁ ନେଇ ଚିନ୍ତା ପ୍ରକଟ କରିଥିଲେ।
ଏବେ ଶିକ୍ଷାନୁଷ୍ଠାନରେ ଶିକ୍ଷାର୍ଥୀଙ୍କ ଆତ୍ମହତ୍ୟା ଘଟଣାକୁ ହ୍ରାସ କରିବା ପାଇଁ ସର୍ବୋଚ୍ଚ ଅଦାଲତ ଗାଇଡଲାଇନ ଜାରି କରିଛନ୍ତି। ସ୍କୁଲ, କଲେଜ, କୋଚିଂ ସେଣ୍ଟର, ବିଶ୍ୱବିଦ୍ୟାଳୟ, ତାଲିମ ଶିବିର ଓ ହଷ୍ଟେଲ ପାଇଁ ଏହି ଗାଇଡଲାଇନ କଡ଼ାକଡ଼ି ଭାବେ ପାଳନ କରାଯିବ।
ପାଠପଢ଼ାର ଚାପ, ପରୀକ୍ଷା ଚିନ୍ତା ଓ ଶିକ୍ଷାନୁଷ୍ଠାନ ପକ୍ଷରୁ ଆବଶ୍ୟକ ସମର୍ଥନ ମିଳୁ ନଥିବାରୁ ଶିକ୍ଷାର୍ଥୀମାନେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଥିବା ସୁପ୍ରିମକୋର୍ଟ କହିଛନ୍ତି। ଏହାକୁ ସର୍ବୋଚ୍ଚ ଅଦାଲତନ ଅତ୍ୟନ୍ତ ଯନ୍ତ୍ରଣାଦାୟକ ଭାବେ ବର୍ଣ୍ଣନା କରିଛନ୍ତି। ଗାଇଡଲାଇନରେ ସବୁ ଶିକ୍ଷାନୁଷ୍ଠାନରେ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ କେନ୍ଦ୍ର, ଅଭିଯୋଗ ପ୍ରକୋଷ୍ଠ କେନ୍ଦ୍ର ଓ ନିୟମକୁ କାର୍ଯ୍ୟକାରୀ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ବାଧ୍ୟତାମୂଳକ କରାଯାଇଛି।
ଏଥିରେ କୁହାଯାଇଛି ଯେ “ ଅଳ୍ପ ସଂଖ୍ୟକ ପିଲାଙ୍କୁ ନେଇ ଗ୍ରୁପ କରାଯିବ। ଏହା ପାଇଁ ଉତ୍ସର୍ଗୀକୃତ ମେଣ୍ଟୋର କିମ୍ବା କାଉନସିଲର୍ସ ନିଯୁକ୍ତ ହେବ। ବିଶେଷ କରି ପରୀକ୍ଷା ଓ ଏକେଡେମିକ ଟ୍ରାଞ୍ଜିସନ ବେଳେ ଏମାନେ କାମ କରିବେ। ମେଣ୍ଟୋରମାନେ ପିଲାମାପଙ୍କୁ ନିୟମିତ, ଅନଔପଚାରିକ ଓ ଆତ୍ମବିଶ୍ୱାସ ସୃଷ୍ଟି କରିବା ଭଳି ସମର୍ଥନ ଯୋଗାଇ ଦେବେ।”
ନିର୍ଦ୍ଦେଶନାମାରେ ଶିକ୍ଷାନୁଷ୍ଠାନର ସମସ୍ତ ଶୈକ୍ଷିକ ଓ ଅଣ ଶୈକ୍ଷିକ କର୍ମଚାରୀମାନଙ୍କ ମାନସିକ ସ୍ୱାସ୍ଥ୍ୟ ତାଲିମକୁ ବାଧ୍ୟତାମୂଳକ ଭାବେ ବର୍ଷକୁ ଅତିକମରେ ଦୁଇ ଥର କରିବାକୁ କୁହାଯାଇଛି। ଏହି ତାଲିମ ସ୍ୱୀକୃତିପ୍ରାପ୍ତ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଦ୍ୱାରା କରାଯିବ। ଅତିରକ୍ତ ଭାବେ କର୍ମଚାରୀମାନେ ଅତ୍ୟନ୍ତ ସମ୍ବେଦନଶୀଳ ଭାବେ ଓ ସତର୍କତାର ସହ ସମସ୍ତ ଶିକ୍ଷାର୍ଥୀଙ୍କ ସହ ପାତରଅନ୍ତର ନୀତି ନ ଆପଣାଇ ସମାନ ମନୋଭାବ ଦେଖାଇବେ।
ଏହାକୁ ଉଚ୍ଚପଦସ୍ଥ କର୍ତ୍ତୃପକ୍ଷ ନିଶ୍ଚିତ କରିବେ। ଯୌନ ଶୋଷଣ, ରାଗିଂ ଓ ଅନ୍ୟ ଅଭିଯୋଗର ବିଚାର କରିବା ପାଇଁ ତଥା ପ୍ରଭାବିତ ଶିକ୍ଷାର୍ଥୀଙ୍କୁ ମାନସିକ ସ୍ତରରେ ଦୃଢ଼ କରିବା ପାଇଁ ସମସ୍ତ ଶିକ୍ଷାନୁଷ୍ଠାନରେ ଆଭ୍ୟନ୍ତରୀଣ କମିଟି କରାଯିବାର ଆବଶ୍ୟକତା ରହିଛି।
ହଷ୍ଟେଲ, କ୍ଲାସରୁମ, ସର୍ବସାଧାରଣ ସ୍ଥାନ ଓ ୱେବସାଇଟରେ ସୁଇସାଇଡ ହେଲପଲାଇନ ନମ୍ବର ସମେତ ଭାରତ ସରକାର ୨୪ ଘଣ୍ଟିଆ ମାନସିକ ସ୍ୱାସ୍ଥ୍ୟ ପରାମର୍ଶ ଯୋଜନା Tele-MANAS ଭଳି ସହାୟତାକୁ ବଡ଼ବଡ଼ ଅକ୍ଷରରେ ପ୍ରଦର୍ଶନ କରାଯିବ ବୋଲି କୋର୍ଟ କହିଛନ୍ତି।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ(ଏନସିଆରବି)ର ତଥ୍ୟ ଅନୁସାରେ ୨୦୨୨ରେ ସାରା ଦେଶରେ ମୋଟ ୧,୭୦,୯୨୪ ଜଣ ଜୀବନ ହାରିଥିବା ବେଳେ ଏମାନଙ୍କ ମଧ୍ୟରେ ଶିକ୍ଷାର୍ଥୀଙ୍କ ସଂଖ୍ୟା ୧୩,୦୪୪। ୨୦୦୧ରେ ଏହି ସଂଖ୍ୟା ୫,୪୨୫ ରହିଥିଲା। ରିପୋର୍ଟ ଅନୁସାରେ, ପ୍ରତି ୧୦୦ ଆତ୍ମହତ୍ୟା ଘଟଣାରେ ୮ ଜଣ ହେଉଛନ୍ତି ଛାତ୍ରଛାତ୍ରୀ। ପରୀକ୍ଷାରେ ବିଫଳତା ଯୋଗୁ କେବଳ ୨୨୪୮ ଜଣ ପିଲା ଆତ୍ମହତ୍ୟା କରିଥିବା ରିପୋର୍ଟରେ କୁହାଯାଇଛି।
ଏହି ସଂଖ୍ୟାକୁ ନେଇ ସୁପ୍ରିମକୋର୍ଟ ଚିନ୍ତା ପ୍ରକଟ କରିଥିବା ବେଳେ ଏହାର ନିରାକରଣ ଆବଶ୍ୟକ ବୋଲି ମତ ରଖିଛନ୍ତି। ଜଷ୍ଟିସ ବିକ୍ରମ ନାଥ ଓ ଜଷ୍ଟିସ ସନ୍ଦୀପ ମେହେତାଙ୍କ ଖଣ୍ଡପୀଠ କହିଛନ୍ତି, ପିଲାମାନଙ୍କୁ ମାନସିକ ଚାପ, ଶିକ୍ଷାଗତ ଚିନ୍ତା ଓ ସମର୍ଥନ ଅଭାବକୁ ଶିକ୍ଷାନୁଷ୍ଠାନରେ ଦୂର କରାଯିବାର ଆବଶ୍ୟକତା ରହିଛି।
ସୁପ୍ରିମକୋର୍ଟ ସମ୍ବିଧାନର ଧାରା ୩୨ ବ୍ୟବହାର କରି ଏପରି ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ସଂସଦ କିମ୍ବା ରାଜ୍ୟ ବିଧାନସଭାରେ ଏନେଇ କୌଣସି ଆଇନ ଆସି ନାହିଁ, ସେଯାଏ ଧାରା ୧୪୧ ଅଧୀନରେ ଏହି ନିୟମ ବଳବତ୍ତର ରହିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
