Advertisment

ED Raids: ମମତାଙ୍କୁ ଝଟକା: ଇଡି ବିରୋଧୀ ଏଫଆଇଆର ଉପରେ ରୋକ ଲଗାଇଲେ ସୁପ୍ରିମକୋର୍ଟ

ଜାନୁଆରୀ ୮ ତାରିଖରେ ଇଡି ପକ୍ଷରୁ ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିର ଅଫିସ ଓ ଏହାର ନିର୍ଦ୍ଦେଶକ ପ୍ରତୀପ ଜୈନଙ୍କ ବିଭିନ୍ନ ଠିକଣାରେ ରେଡ କରାଯାଇଥିଲା। ଏଥିରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଧା ସୃଷ୍ଟି କରିଥିବା ଇଡି ଅଭିଯୋଗ କରି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲା।

author-image
Hemant Lenka
Mamata

ମମତା ବାନାର୍ଜୀ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଇଡି ମଧ୍ୟରେ ଚାଲିଥିବା ବିବାଦରେ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ମମତା ବାନାର୍ଜୀଙ୍କୁ ସୁପ୍ରିମକୋର୍ଟରେ ଲାଗିଛି ବଡ଼ ଝଟକା। ଇଡି ଅଧିକାରୀଙ୍କ ବିରୋଧରେ ବେଙ୍ଗଲ ପୁଲିସ୍‌ ରୁଜୁ କରିଥିବା ୩ଟି ଯାକ ଏଫଆଇଆର ଉପରେ ରୋକ ଲଗାଇ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ। ଏଥିସହ ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସି ଅଫିସରେ ଇଡି କରିଥିବା ରେଡର ସମସ୍ତ ସିସିଟିଭି ଫୁଟେଜକୁ ସଂରକ୍ଷିତ ରଖିବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ଜାନୁଆରୀ ୮ ତାରିଖରେ ଇଡି ପକ୍ଷରୁ ରାଜନୀତିକ ପରାମର୍ଶଦାତା ଫାର୍ମ ଆଇ-ପିଏସିର ଅଫିସ ଓ ଏହାର ନିର୍ଦ୍ଦେଶକ ପ୍ରତୀପ ଜୈନଙ୍କ ବିଭିନ୍ନ ଠିକଣାରେ ରେଡ(ED Raid) କରାଯାଇଥିଲା। ଏଥିରେ ଟିଏମସି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଧା ସୃଷ୍ଟି କରିଥିବା ଇଡି ଅଭିଯୋଗ କରି ସୁପ୍ରିମକୋର୍ଟ ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ବେଙ୍ଗଲ ସରକାରଙ୍କୁ ନୋଟିସ କରିଛନ୍ତି। ୩ ଦିନ ମଧ୍ୟରେ ବେଙ୍ଗଲ ସରକାର ନୋଟିସର ଜବାବ ଦେବେ। ସେହିପରି ମାମଲାର ପରବର୍ତ୍ତୀ ଶୁଣାଣି ଫେବୃଆରୀ ୩ ଯାଏ ସର୍ବୋଚ୍ଚ ଅଦାଲତ ଘୁଞ୍ଚାଇ ଦେଇଛନ୍ତି। 

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ରା ଓ ଜଷ୍ଟିସ ବିପୁଲ ଏମ ପାଞ୍ଚୋଲି ମାମଲାର ଶୁଶାଣି କରି ବେଙ୍ଗଲ ସରକାରଙ୍କୁ ଜବାବ ତଲବ କରିଛନ୍ତି। ଜାନୁଆରୀ ୮ରେ ମମତା ବାନାର୍ଜୀ ଓ କିଛି ନିର୍ଦ୍ଦିଷ୍ଟ ପୁଲିସ୍‌ ଅଧିକାରୀ ମିଳିତ ଭାବେ ଇଡି କାର୍ଯ୍ୟରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଥିବାରୁ ସର୍ବୋଚ୍ଚ ଅଦାଲତ ଏପରି ନୋଟିସ କରିଛନ୍ତି।

Advertisment

ଖଣ୍ଡପୀଠ ପୂର୍ବରୁ ଘଟଣାକୁ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ ବୋଲି କହିବା ସହ ଏହା ଉପରେ ଗଭୀର ନ୍ୟାୟିକ ଯାଞ୍ଚର ଆବଶ୍ୟକତା ରହିଥିବା କହିଥିଲେ। ଖଣ୍ଡପୀଠ ଇଡିର ଆବେଦନ ଉପରେ ବେଙ୍ଗଲ ସରକାରଙ୍କ ପକ୍ଷ ଜାଣିବାକୁ ଚାହିଁଛନ୍ତି। ଜାନୁଆରୀ ୮ ତାରିଖ ଘଟଣାର ସିବିଆଇ ତଦନ୍ତ ପାଇଁ ଇଡି ଦାବି କରିଥିବାରୁ କୋର୍ଟ ବେଙ୍ଗଲ ସରକାରଙ୍କୁ ଜବାବ ତଲବ କରିଛନ୍ତି। 

ଜାନୁଆରୀ ୮ ରେଡ ଘଟଣାରେ ବେଙ୍ଗଲ ପୁଲିସ ଇଡିର ଅଧିକାରୀମାନଙ୍କ ବିରୋଧରେ ୩ଟି ଏଫଆଇଆର ରୁଜୁ କରିଥିଲା। କିନ୍ତୁ ଫେବୃଆରୀ ୩ ତାରିଖ ପରବର୍ତ୍ତୀ ଶୁଣାଣି ଯାଏ ସୁପ୍ରିମକୋର୍ଟ ସମସ୍ତ ଏଫଆଇଆର ଉପରେ ରୋକ ଲଗାଇ ଦେଇଛନ୍ତି। ପରବର୍ତ୍ତୀ ଶୁଣାଣି ଯାଏ ରାଜ୍ୟ ସରକାର ଜାନୁଆରୀ ୮ ତାରିଖ ଘଟଣା ସହ ଜଡ଼ିତ ସମସ୍ତ ସିସିଟିଭି ଫୁଟେଜକୁ ସଂରକ୍ଷିତ କରି ରଖିବାକୁ ମଧ୍ୟ କୋର୍ଟ ବେଙ୍ଗଲ ସରକାରଙ୍କୁ କହିଛନ୍ତି। 

ଇଡି ଅଭିଯୋଗ ଉପରେ ଜବାବ ରଖିବାକୁ ସୁପ୍ରିମକୋର୍ଟ ବେଙ୍ଗଲ ସରକାରଙ୍କୁ ୩ ଦିନର ସମୟ ଦେଇଛନ୍ତି। ଆଇପିଏସି ପରିସରରେ ଆଇନଗତ ଉପାୟରେ ଯାଞ୍ଚ ଚାଲିଥିବା ବେଳେ ଏଥିରେ ବେଙ୍ଗଲର ବରିଷ୍ଠ ଅଧିକାରୀମାନେ ହସ୍ତକ୍ଷେପ କରିଥିଲେ ବୋଲି ଏଜେନ୍ସି ଅଭିଯୋଗ କରିଛି।

ଇଡି ରେଡ ସହ ଜଡ଼ିତ ଆବେଦନର ଶୁଶାଣି ବେଳେ କ୍ୟାଲକାଟ ହାଇକୋର୍ଟରେ ବଡ଼ଧରଣର ବିଭ୍ରାଟ ଦେଖାଯାଇଥିଲା। ଏହାକୁ ନେଇ ସର୍ବୋଚ୍ଚ ଅଦାଲତ ଚିନ୍ତା ପ୍ରକଟ କରିଛନ୍ତି। ଶୁଣାଣି ପୂର୍ବରୁ କୋର୍ଟରେ ପ୍ରବଳ ଭିଡ଼ ହେବାରୁ ଏହାକୁ ଜାନୁଆରୀ ୧୪ ଯାଏ ଟାଳି ଦିଆଯାଇଥିଲା।

ଏହି ପ୍ରସଙ୍ଗରେ ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହତା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବିରୋଧରେ ତଥ୍ୟ ଚୋରିର ଅଭିଯୋଗ ଆଣିଛନ୍ତି ଓ ସେ ଆଇ-ପିଏସି ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘରୁ ଦୁର୍ନୀତି ସହ ଜଡ଼ିତ ପ୍ରମାଣ ଚୋରି କରିଛନ୍ତି।

ସେ ସୁପ୍ରିକୋର୍ଟଙ୍କୁ କହିଛନ୍ତି ଯେ “ଏପରି କାମ ରାଜ୍ୟ ପୁଲିସ୍‌ ଅଧିକାରୀମାନଙ୍କୁ ଏଭଳି ମାମଲାରେ ସହାୟତା କରିବାକୁ ପ୍ରୋତ୍ସାହିତ କରି। ତେଣୁ ବେଙ୍ଗଲର ବରିଷ୍ଠ ପୁଲିସ୍‌ ଅଧିକାରୀମାନଙ୍କୁ ନିଲମ୍ବନ କରାଯାଉ। ଏହା ଗୋଟିଏ ଭିଡ଼ତନ୍ତ୍ର। ଜାନୁଆରୀ ୯ ତାରିଖରେ କ୍ୟାଲକାଟା ହାଇକୋର୍ଟରେ ଘଟିଥିବା ଅରାଜକତା ଏହାର ପ୍ରମାଣ। ମାମଲା ସହ ଜଡ଼ିତ ନଥିବା ଗୋଟିଏ ଆଇନଜୀବୀ ଗୋଷ୍ଠୀ କୋର୍ଟ ରୁମରେ ଭିଡ଼ ଜମାଇଥିଲେ। ଏଥିପାଇଁ ବିଚାରପତିଙ୍କୁ ଶୁଣାଣି ସ୍ଥଗିତ କରିବାକୁ ପଡ଼ିଥିଲା।”

ଏହା ଶୁଣି ଖଣ୍ଡପୀଠ ପ୍ରଶ୍ନ କରିଥିଲେ ଯେ କ’ଣ ହାଇକୋର୍ଟ ଯନ୍ତରମନ୍ତରରେ ପରିଣତ ହୋଇଥିଲା? ଜବାବରେ ମେହତା କହିଛନ୍ତି ଯେ ହ୍ୱାଟସଆପ ମେସେଜ ଜରିଆରେ ଗୋଟିଏ ଗୋଷ୍ଠୀର ଓକିଲମାନଙ୍କୁ ନିର୍ଦ୍ଦିଷ୍ଟ ସମୟରେ କୋର୍ଟରେ ଉପସ୍ଥିତ ରହିବେକୁ କୁହାଯାଇଥିଲା। ଏଥିପାଇଁ କୋର୍ଟରେ ପ୍ରବଳ ଭିଡ଼ ଜମିଥିଲା ବୋଲି ସେ କହିଛନ୍ତି। 

ସଲିସିଟର ଜେନେରାଲ ମେହତାଙ୍କ କହିବା କଥା ଯେ ମମତା ବାନାର୍ଜୀ ପୂର୍ବରୁ ମଧ୍ୟ ଏପରି କରି ସାରିଛନ୍ତି। ତେଣୁ ସର୍ବୋଚ୍ଚ ଅଦାଲତ ଏପରି ମାମଲାର ସାମାଧାନ ସବୁ ଦିନ ପାଇଁ କରନ୍ତୁ। କୋର୍ଟ ଇଡିର ମୌଳିକ ଅଧିକାରକୁ ଅକ୍ଷୁଣ୍ଣ ରଖିବା ପାଇଁ ହସ୍ତକ୍ଷେପ କରନ୍ତୁ ବୋଲି ସେ କହିଛନ୍ତି। 

ଇଡିର ଆବେଦନକୁ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଜୋରଦାର ବିରୋଧ କରିଛନ୍ତି। ମାମଲା ପ୍ରଥମେ କ୍ୟାଲକାଟା ହାଇକୋର୍ଟରେ ଶୁଣାଣି ହେବାର ଥିଲା। ନ୍ୟାୟିକ ନିୟମକୁ ଅତୁଟ ରଖିବା ଅତ୍ୟନ୍ତ ଜରୁରୀ। ଇଡି ଗୋଟିଏ ସମୟରେ ବିଭିନ୍ନ ଫୋରମରେ ମାମଲା ଚଳାଇବାକୁ ଚାହୁଁଛି। 

ଶିବଲ ରେଡର ସମୟ ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ଶେଷଥର ପାଇଁ କୋଇଲା ଦୁର୍ନୀତିର ତଦନ୍ତ ୨୦୨୪ ଫେବୃଆରୀ ମାସରେ ହୋଇଥିଲା। ସେବେଠାରୁ ଇଡି କ’ଣ କରୁଥିଲା? ନିର୍ବାଚନ ମଧ୍ୟରେ କାହିଁକି ରେଡ କରିବାର ଆବଶ୍ୟକତା ପଡ଼ିଲା? ସମସ୍ତଙ୍କୁ ଜଣା ଅଛି ଯେ ଆଇପିଏସି ବେଙ୍ଗଲ ନିର୍ବାଚନର ଦାୟିତ୍ୱ ପାଇଛି। ଆଇପିସି ଓ ଟିଏମସି ମଧ୍ୟ ନିର୍ବାଚନ ପରିଚାଳନା ପାଇଁ ଗୋଟିଏ ଚୁକ୍ତି ହୋଇଛି। 

ନିର୍ବାଚନ ତଥ୍ୟ ଅତ୍ୟନ୍ତ ଗୋପନୀୟ ଓ ଏହାକୁ ଆଇପିସି ଅଫିସରେ ରଖାଯାଇଥିଲା। ସେଠାରେ ପ୍ରାର୍ଥୀଙ୍କ ଠାରୁ ବିଭିନ୍ନ ତଥ୍ୟ ରହିଥାଏ। ଯଦି ସୂଚନା ନାହିଁ, ତା’ହେଲେ ଆପଣ କେମିତି ନିର୍ବାଚନ ଲଢ଼ିବେ? ଅଧ୍ୟକ୍ଷ (ବାନାର୍ଜୀ) ସୂଚନାର ସୁରକ୍ଷା କରିବାର ଅଧିକାରୀ। ତେଣୁ ସେ ସେଠାକୁ ଯାଇଥିଲେ ବୋଲି ଶିବଲ ଯୁକ୍ତି ଉପସ୍ଥାପନ କରିଛନ୍ତି। 

ED Raid