Advertisment

ବିଲକିସ୍‌ ବାନୋ ମାମଲା: ଦୋଷୀଙ୍କ ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ

ସୁପ୍ରିମକୋର୍ଟ ନୂତନ କ୍ଷମା ଆବେଦନ ଉପରେ ନିର୍ଦ୍ଦେଶ ଦେବା ଯାଏ ଉଭୟ ଜାମିନରେ ମୁକୁଳିବାକୁ ଚାହୁଁଥିଲେ। ୨୦୨୨ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରୀ ଦଣ୍ଡାଦେଶ ବିରୋଧରେ ଯାଇ ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରି ଦେଇଥିଲେ।

author-image
Hemant Lenka
Bilkis Bano

Bilkis Bano

ବହୁ ଚର୍ଚ୍ଚିତ ୨୦୦୨ ମସିହା ଗୁଜରାଟ ଦଙ୍ଗା ପୀଡ଼ିତ ବିଲକିସ୍‌ ବାନୋ ମାମଲାର ଦୁଇ ଦୋଷୀ ରାଧେଶ୍ୟାମ ଓ ରାଜୁ ଭାଇକୁ ବଡ଼ ଝଟକା ଦେଇଛନ୍ତି ସୁପ୍ରିମକୋର୍ଟ। ଉଭୟ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ ହେଁ ସର୍ବୋଚ୍ଚ ଅଦାଲତ ଏହାକୁ ଖାରଜ କରି ଦେଇଛନ୍ତି।

Advertisment

ସୁପ୍ରିମକୋର୍ଟ ନୂତନ କ୍ଷମା ଆବେଦନ ଉପରେ ନିର୍ଦ୍ଦେଶ ଦେବା ଯାଏ ଉଭୟ ଜାମିନରେ ମୁକୁଳିବାକୁ ଚାହୁଁଥିଲେ। ୨୦୨୨ ସ୍ୱାଧୀନତା ଦିବସରେ ଗୁଜରାଟ ସରକାରୀ ଦଣ୍ଡାଦେଶ ବିରୋଧରେ ଯାଇ ବିଲକିସ୍‌ ବାନୋଙ୍କ ଦୁଷ୍କର୍ମକାରୀଙ୍କୁ ଜେଲରୁ ଖଲାସ କରି ଦେଇଥିଲେ।

ହେଲେ ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଗୁଜରାଟ ସରକାରଙ୍କ ନିର୍ଦ୍ଦେଶକୁ ଖାରଜ କରିଥିଲେ। ଏହାକୁ ରାଧେଶ୍ୟାମ ଓ ରାଜୁ ଭାଇ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି।

Advertisment

ଚଳିତ ବର୍ଷ ମାର୍ଚ୍ଚ ମାସରେ ରାଧେଶ୍ୟାମ ଓ ରାଜୁ ଭାଇ କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ଜାନୁଆରୀ ମାସରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ ସେମାନେ ଚ୍ୟାଲେଞ୍ଜ କରିଥିଲେ। ଏଥିସହ ବୃହତ୍ତର ବେଞ୍ଚରେ ସେମାନଙ୍କ କ୍ଷମା ଆବେଦନର ବିଚାର କରିବାକୁ କହିଥିଲେ।

ସେମାନେ କହିଥିଲେ ଯେ ସୁପ୍ରିମକୋର୍ଟର ଦୁଇଟି ପୃଥକ ବେଞ୍ଚ ସରକାରଙ୍କ ନୀତି ବିରୋଧରେ ପରସ୍ପର ବିରୋଧୀ ରାୟ ଦେଇଥିଲେ। ୨୦୨୨ ମେ’ ମାସରେ ଗୋଟିଏ ଖଣ୍ଡପୀଠ ରାଧେଶ୍ୟାମଙ୍କ ଶୀଘ୍ର ରିଲିଜକୁ ବିଚାର କରିବା ପାଇଁ ରାଜ୍ୟକୁ କହିଥିଲେ।

କିନ୍ତୁ ଆଉ ଗୋଟିଏ ବେଞ୍ଚ କହିଥିଲେ ଯେ ଗୁଜରାଟ ନୁହେଁ, ବରଂ ମହାରାଷ୍ଟ୍ର ସରକାର କ୍ଷମା ଦେବାକୁ ହକଦାର। ତେଣୁ ପୁନଃ କ୍ଷମା ଆବେଦନ ଉପରେ ବିଚାର ଶେଷ ହେବା ଯାଏ ଉଭୟ ଜାମିନରେ ଯିବାକୁ ଚାହିଁଥିଲେ।

ତେବେ ସୁପ୍ରିମକୋର୍ଟ କହିଛନ୍ତି, “ଏସବୁ କ’ଣ? ଏହା କେଉଁ ପ୍ରକାରର ଆବେଦନ? ଏହା କେମିତି ବିଚାର ହେବ? ଆଦୌ ସନ୍ତୋଷଜନକ ନୁହେଁ। ଆମେ କେମିତି ପିଆଇଏଲ ଆବେଦନକୁ ପକାଇ ରଖିପାରିବୁ? ଦୁଇଟି ରାୟ ଥିଲା। ପୂର୍ବ ରାୟ(ମେ’ ମାସ) ଦ୍ୱିତୀୟ ରାୟ(ଜାନୁଆରୀ) ବେଳେ ବିଚାରକୁ ନିଆଯାଇଥିଲା। ଆମେ ଆବେଦନକୁ ପକାଇ ରଖିନାହୁଁ।”

ଅଗଷ୍ଟ ୨୦୨୨ରେ ଗୁଜରାଟ ସରକାର ବିଲକିସ୍‌ ବାନୋ ଗଣଦୁଷ୍କର୍ମ ମାମଲାରେ ଆଜୀବନ କାରା ଦଣ୍ଡାଦେଶରେ ଦଣ୍ଡିତ ହୋଇଥିବା ୧୧ ଦୋଷୀଙ୍କୁ ମୁକ୍ତ କରିଥିଲେ। ତେବେ ସମୟ ପୂର୍ବରୁ ଦୋଷୀମାନଙ୍କୁ ମୁକ୍ତ କରିବାକୁ ନେଇ ୩୦ ନଭେମ୍ବର ୨୦୨୨ରେ ସୁପ୍ରିମକୋର୍ଟରେ ଦୁଇଟି ଆବେଦନ କରାଯାଇଥିଲା।

ପ୍ରଥମ ଆବେଦନରେ ଦୋଷୀଙ୍କୁ ମୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ସେମାନଙ୍କୁ ଜେଲ ପଠାଇବାକୁ ଦାବି କରାଯାଇଥିଲା। ଦ୍ୱିତୀୟଟିରେ ସୁପ୍ରିମକୋର୍ଟଙ୍କ ଆଦେଶର ପୁନର୍ବିଚାର କରିବାକୁ ଦାବି କରାଯାଇଥିଲା। ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି କରି ଖଲାସ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କୁ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

୨୦୦୨ ଗୁଜୁରାଟ ଦଙ୍ଗା ସମୟରେ ବିଲକିସ ବାନୋଙ୍କୁ ଗଣଦୁଷ୍କର୍ମ କରିବା ସହ ତାଙ୍କ ପରିବାର ସାତ ଜଣ ସଦସ୍ୟଙ୍କୁ ଅତି ନିର୍ମମ ଭାବେ ନିର୍ଯାତନା ଦିଆଯାଇ ହତ୍ୟା କରାଯାଇଥିଲା। ସେହି ସମୟରେ ବିଲକିସ ବାନୋଙ୍କ ବୟସ ୨୧ ବର୍ଷ ଥିଲା ଓ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ।

ଏହି ମାମଲାରେ ମୁମ୍ବାଇର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ୨୧ ଜାନୁଆରୀ ୨୦୦୮ରେ ସମସ୍ତ ୧୧ ଜଣ ଦୋଷୀଙ୍କୁ ଆଜୀବନ କାରାଦଣ୍ଡାଦେଶରେ ଦଣ୍ଡିତ କରିଥିଲେ। ଏହି ନିଷ୍ପତ୍ତିକୁ ବମ୍ବେ ହାଇକୋର୍ଟ ମଧ୍ୟ ସମର୍ଥନ ଜଣାଇଥିଲେ।

Bilkis Bano Bilkis Bano Case