Advertisment

ଜଜଙ୍କ ଘରୁ ଟଙ୍କା ମିଳିବା ଘଟଣା: ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ପାଖକୁ ଯିବା ପାଇଁ କାହିଁକି କହିଲେ ସୁପ୍ରିମକୋର୍ଟ?

ଜଷ୍ଟିସ ଅଭୟ ଏସ୍‌ ଓକା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଆଜି ଆବେଦନର ଶୁଣାଣି ବେଳେ ଉଲ୍ଲେଖ କରିଛନ୍ତି ଯେ ଏ ସଂକ୍ରାନ୍ତରେ ଗୋଟିଏ ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି।

ଅଦ୍ୟତନ ହୋଇଛି
Verma

Verma

Advertisment

ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଯଶବନ୍ତ ବର୍ମାଙ୍କ ବିରୋଧରେ ପୁଲିସ୍‌ କେସ୍‌ ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ ଆଜି ଖାରଜ କରି ଦେଇଛନ୍ତି। ମାର୍ଚ୍ଚ ମାସରେ ଜଷ୍ଟିସ ବର୍ମାଙ୍କ ଘରୁ ଅଧା ପୋଡ଼ା ବିଡ଼ା ବିଡ଼ା ଟଙ୍କା ମିଳିଥିଲା। ଘରେ ନିଆଁ ଲିଭା କାର୍ଯ୍ୟ ଚାଲିଥିବା ବେଳେ ନଗଦ ଟଙ୍କା ମିଳିବା ପୂରା ଦେଶରେ ହଇଚଇ ସୃଷ୍ଟି କରିଥିଲା।

Advertisment

ଜଷ୍ଟିସ ଅଭୟ ଏସ୍‌ ଓକା ଓ ଜଷ୍ଟିସ ଉଜ୍ଜ୍ୱଳ ଭୂୟାଁ ଆଜି ଆବେଦନର ଶୁଣାଣି ବେଳେ ଉଲ୍ଲେଖ କରିଛନ୍ତି ଯେ ଏ ସଂକ୍ରାନ୍ତରେ ଗୋଟିଏ ରିପୋର୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟରେ ଦାଖଲ କରାଯାଇଛି। ଯେହେତୁ ଆବେଦନକାରୀ ଉପରୋକ୍ତ ଦୁଇ ଜଣଙ୍କ ଆଗରେ ଜବାବ ଦାଖଲ କରି ନାହାନ୍ତି କିମ୍ବା ନିଜର ପକ୍ଷ ରଖିନାହାନ୍ତି, ତେଣୁ କୋର୍ଟ ତାଙ୍କ ଆବେଦନର ଶୁଣାଣି କରିପାରିବେ ନାହିଁ।

ଖଣ୍ଡପୀଠ କହିଛନ୍ତି, “ତଳ କୋର୍ଟ କିମ୍ବା ସରକାରୀ ଅଧିକାରୀଙ୍କୁ କୌଣସି ନ୍ୟାୟିକ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିବା ପୂର୍ବରୁ ଆବେଦନକାରୀଙ୍କୁ ଉପଯୁକ୍ତ ଅଧିକାରୀଙ୍କ ନିକଟରେ ଆପତ୍ତି ଉପସ୍ଥାପନ କରିବା ଉଚିତ। ଆମେ ଏହି ଆବେଦନରେ ହସ୍ତକ୍ଷେପ କରିବାକୁ ଚାହୁଁ ନାହୁଁ।”

Advertisment

ଆବେଦନକାରୀମାନଙ୍କ ପକ୍ଷରୁ ଓକିଲ ମାଥ୍ୟୁ ନେଦୁମ୍ପାରା ଓ ଅନ୍ୟ ୩ ଜଣ ଯୁକ୍ତି ଉପସ୍ଥାପନ କରି ଜଷ୍ଟିସ ବର୍ମାଙ୍କ ବିରୋଧରେ ତୁରନ୍ତ ଅପରାଧିକ ମାମଲା ଚାଲୁ କରିବାକୁ ନିବେଦନ କରିଥିଲେ। ନଗଦ ଟଙ୍କା ମିଳିବା ପରେ ତଦନ୍ତ କରିବା ପାଇଁ ସୁପ୍ରିମକୋର୍ଟ ଆଭ୍ୟନ୍ତରୀଣ କମିଟି ଗଠନ କରିଥିଲେ। କମିଟି ତଦନ୍ତ କରି ଅଭିଯୋଗରେ ସତ୍ୟତା ଥିବା ଜାଣିବାକୁ ପାଇଥିଲା। ଏହାକୁ ଆଧାର କରି ଆବେଦନକାରୀ ତୁରନ୍ତ ଅପରାଧିକ ମାମଲା ଆରମ୍ଭ କରିବାକୁ ନିବେଦନ କରିଥିଲେ।

ଲାଇଭ ଲରେ ପ୍ରକାଶିତ ରିପୋର୍ଟ ଅନୁସାରେ, କୋର୍ଟ ଯେତେବେଳେ ଆବେଦନର ଶୁଣାଣି ଆରମ୍ଭ କରିଥିଲେ ସେତେବେଳେ ଆବେଦନକାରୀଙ୍କ ଓକିଲ ମାଥ୍ୟୁଙ୍କୁ କହିଥିଲେ ଯେ “ଆମେ ଆପଣଙ୍କୁ ଆବେଦନ ଦାଖଲ କରିପାରିବେ ନାହିଁ ବୋଲି କହୁନାହୁଁ। ଆପଣ ଇନ ହାଉସ କମିଟିର ରିପୋର୍ଟରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜାଣି ନାହାନ୍ତି। ଆମେ ମଧ୍ୟ ରିପୋର୍ଟର ବିଷୟବସ୍ତୁ ସମ୍ପର୍କରେ ଜାଣିନୁ। ଆପଣ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଆଗରେ ନିଜର ଅଭିଯୋଗ ଉପସ୍ଥାପନ କରନ୍ତୁ। ସେମାନଙ୍କୁ ପଦକ୍ଷେପ ନେବାକୁ କୁହନ୍ତୁ। ଯଦି ସେମାନେ ପଦକ୍ଷେପ ନେବେ ନାହିଁ, ତା’ହେଲେ ଆପଣ ଏଠାକୁ ଆସିପାରିବେ।”

ମାର୍ଚ୍ଚ ମାସରେ ସମାନ ଆବେଦନକାରୀ ସୁପ୍ରିମକୋର୍ଟରେ ଇନ ହାଉସ ତଦନ୍ତକୁ ଚ୍ୟାଲେଞ୍ଜ କରିଥିଲେ ଓ ପୁଲିସ୍‌ ତଦନ୍ତ ପାଇଁ ଦାବି କରିଥିଲେ। ସେତେବେଳେ ମଧ୍ୟ କୋର୍ଟ ଆବେଦନକୁ ଖାରଜ କରିଦେଇଥିଲେ। ଜଷ୍ଟିସ ବର୍ମାଙ୍କ ବିରୋଧରେ ଆଭ୍ୟନ୍ତରୀଣ ପ୍ରୋସେଡିଂ ପଡ଼ି ରହିଥିବା କୋର୍ଟ କହିଥିଲେ।

ମାର୍ଚ୍ଚ ୧୪ ଅର୍ଥାତ ହୋଲି ଦିନ କେନ୍ଦ୍ରୀୟ ଦିଲ୍ଲୀରେ ଥିବା ଜଷ୍ଟିସ ବର୍ମାଙ୍କ ବଙ୍ଗଳାରେ ନିଆଁ ଲାଗି ଯାଇଥିଲା। ଏହାକୁ ଲିଭାଇବା ପାଇଁ ଅଗ୍ନିଶମ କର୍ମଚାରୀମାନେ ଆସିଥିଲେ। ନିଆଁ ଲିଭା କାମ ବେଳେ ବର୍ମାଙ୍କ ଆଉଟ ହାଉସରୁ ବିଡ଼ାବିଡ଼ା ନଗଦ ଟଙ୍କା ମିଳିଥିଲା। ପରବର୍ତ୍ତୀ ସମୟରେ ୩ଟି ରାଜ୍ୟର ହାଇକୋର୍ଟ ବିଚାରପତି ଘଟଣାର ତଦନ୍ତ କରିଥିଲେ। ଜଷ୍ଟିସ ବର୍ମାଙ୍କୁ ମଧ୍ୟ ସର୍ବୋଚ୍ଚ ଅଦାଲତ ନ୍ୟାୟିକ କାର୍ଯ୍ୟରୁ ଦୂରେଇ ରଖିଛନ୍ତି।

Delhi Supreme Court Justice Yashwant Varma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe