Advertisment

ଭାରତ ଧର୍ମଶାଳା ନୁହେଁ: କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?

ଆବେଦନକାରୀ ଜଣଙ୍କ ଶ୍ରୀଲଙ୍କାର ନାଗରିକ ହୋଇଥିବା ବେଳେ ପ୍ରତ୍ୟର୍ପଣରୁ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଶ୍ରୀଲଙ୍କାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ବାରମ୍ବାର କହିଥିଲେ ହେଁ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରି ନାହାନ୍ତି।

author-image
Hemant Lenka
SC

SC

ଭାରତ ଗୋଟିଏ ଧର୍ମଶାଳ ନୁହେଁ। ଯାହା ବିଶ୍ୱର ବିଭିନ୍ନ ସ୍ଥାନରୁ ଆସୁଥିବା ଶରଣାର୍ଥୀଙ୍କ କଥା ବୁଝିବ। ଏମିତି କିଛି କହି ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରି ଦେଇଛନ୍ତି। ଶ୍ରୀଲଙ୍କାର ନାଗରିକ ଜଣଙ୍କ ଭାରତରେ ଶରଣାର୍ଥୀ ଭାବେ ରହିବାକୁ ଆବେଦନ କରିଥିଲେ। କିନ୍ତୁ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରି ନାହାନ୍ତି।

Advertisment

ଜଷ୍ଟିସ ଦୀପଙ୍କର ଦତ୍ତା ଓ ଜଷ୍ଟିସ କେ ବିନୋଦ ଚନ୍ଦ୍ରନ ୨୦୧୫ରେ ଗିରଫ ହୋଇଥିବା ଜଣେ ଶ୍ରୀଲଙ୍କା ନାଗରିକଙ୍କ ଆବେଦନର ଶୁଣାଣି କରିଥିଲେ। ଏକଦା ଶ୍ରୀଲଙ୍କାରେ ସକ୍ରିୟ ରହିଥିବା ଆତଙ୍କବାଦୀ ସଂଗଠନ ଏଲଟିଟିଇ ସହ ତାଙ୍କର ସମ୍ପର୍କ ଥିବା ସନ୍ଦେହରେ ଗିରଫଦାରୀ ହୋଇଥିଲା। ୨୦୧୮ରେ ନିମ୍ନ ଅଦାଲତ ୟୁଏପିଏ ବଳରେ ତାଙ୍କୁ ୧୦ ବର୍ଷର ଜେଲ ଦଣ୍ଡରେ ଦଣ୍ଡିତ କରିଥିଲେ।

ହେଲେ ୨୦୨୨ରେ ମାଡ୍ରାସ ହାଇକୋର୍ଟ ଦଣ୍ଡାଦେଶକୁ ୭ ବର୍ଷକୁ ଖସାଇ ଦେଇଥିଲେ। କିନ୍ତୁ ଦଣ୍ଡାଦେଶ ଶେଷ ହେବା ମାତ୍ରେ ତାଙ୍କୁ ତୁରନ୍ତ ଦେଶ ଛାଡ଼ି ଚାଲି ଯିବାକୁ ନିର୍ଦ୍ଦେଶ ମିଳିଥିଲା। ସେହିପରି ପ୍ରତ୍ୟର୍ପଣ ପ୍ରକ୍ରିୟା ଶେଷ ହେବା ଯାଏ ଶରଣାର୍ଥୀ କ୍ୟାମ୍ପରେ ରହିବାକୁ କହିଥିଲେ।

Advertisment

ଆବେଦନକାରୀ ହେଉଛନ୍ତି ଜଣେ ଶ୍ରୀଲଙ୍କା ତାମିଲ। ନିଜର ଆବେଦନ ଜରିଆରେ ସେ ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଭାରତକୁ ସେ ଭିସା ନେଇ ଆସିଥିଲେ ଓ ନିଜ ଦେଶରେ ତାଙ୍କ ଜୀବନ ପ୍ରତି ବିପଦ ରହିଥିଲା। ଭାରତରେ ତାଙ୍କ ପତ୍ନୀ ଓ ପିଲାମାନେ ଥଇଥାନ ହୋଇ ରହିଛନ୍ତି। ୩ ବର୍ଷ ହେଲା ସେ ଅଟକ କେନ୍ଦ୍ରରେ ରହିଛନ୍ତି।  ଏବେ ତାଙ୍କୁ ଭାରତରୁ ପ୍ରତ୍ୟର୍ପଣ ପାଇଁ ବ୍ୟବସ୍ଥା କରାଯାଉଛି। ଏହା ଆଦୌ ଠିକ ନୁହେଁ ବୋଲି ସେ କହିଥିଲେ। 

ଏହାର ଜବାବରେ ଜଷ୍ଟିସ ଦତ୍ତା କହିଛନ୍ତି, “କ’ଣ ଭାରତ ସମଗ୍ର ବିଶ୍ୱର ଶରଣାର୍ଥୀଙ୍କ କଥା ବୁଝିବ? ଆମେ ୧୪୦ କୋଟି ଲୋକଙ୍କୁ ନେଇ ସଂଘର୍ଷ କରୁଛୁ। ଏହା ଗୋଟିଏ ଧର୍ମଶାଳା ନୁହେଁ, ଯାହା ବିଦେଶୀ ନାଗରିକଙ୍କ କଥା ବୁଝିବ।”

ଆବେଦନକାରୀଙ୍କ ଓକିଲ ସମ୍ବିଧାନର ଧାରା ୨୧(ଜୀବର ସୁରକ୍ଷା ଓ ସ୍ୱତନ୍ତ୍ରତା) ଓ ବାକ ସ୍ୱାଧୀନତା ଓ ମୁକ୍ତ ବିଚରରଣ ମୌଳିକ ଅଧିକାର ଦେଉଥିବା ଧାରା ୧୯ କଥା କହି ମାମଲାରେ ଯୁକ୍ତି ରଖିଥିଲେ। ଏହା ଶୁଣି ଜଷ୍ଟିସ ଦତ୍ତା କହିଥିଲେ ଆବେଦନକାରୀଙ୍କୁ ଅଟକ ରଖିବା ଧାରା ୨୧କୁ ଉଲ୍ଲଙ୍ଘପ କରୁ ନାହିଁ। କାରଣ ତାଙ୍କୁ ଆଇନ ଅନୁସାରେ ହେପାଜତକୁ ନିଆଯାଇଛି।

ସେହିପରି ଧାରା ୧୯ କେବଳ ଭାରତୀୟଙ୍କ ପାଇଁ ଉପଲବ୍ଧ। କୋର୍ଟ କହିଛନ୍ତି, “ଏଠାରେ ଥଇଥାନ ହେବାକୁ ଆପଣଙ୍କର କି ଅଧିକାର ରହିଛି?” ଆବେଦନକାରୀଙ୍କ ଓକିଲ ଯେତେବେଳେ କହିଥିଲେ ଯେ ସେ ଜଣେ ଶରଣାର୍ଥୀ ଓ ଶ୍ରୀଲଙ୍କାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ସେତେବେଳେ କୋର୍ଟ ତାଙ୍କୁ ଅନ୍ୟ କୌଣସି ଦେଶକୁ ଚାଲିଯିବାକୁ ପରାମର୍ଶ ଦେଇଥିଲେ।

ଆବେଦନକାରୀ ଜଣଙ୍କ ଶ୍ରୀଲଙ୍କାର ନାଗରିକ ହୋଇଥିବା ବେଳେ ପ୍ରତ୍ୟର୍ପଣରୁ ସୁରକ୍ଷା ପାଇଁ ଆବେଦନ କରିଥିଲେ। ଶ୍ରୀଲଙ୍କାରେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ ବାରମ୍ବାର କହିଥିଲେ ହେଁ ଏହାକୁ ସର୍ବୋଚ୍ଚ ଅଦାଲତ ଗ୍ରହଣ କରି ନାହାନ୍ତି।

Supreme Court Srilanka