Advertisment

ଦିଲ୍ଲୀ ପ୍ରଦୂଷଣ: ସ୍କୁଲ ଖୋଲିବା ଉପରେ CAQM ନେବ ନିଷ୍ପତ୍ତି, ଶ୍ରମିକଙ୍କୁ ମିଳୁ ଭତ୍ତା

ବାୟୁ ପ୍ରଦୂଷଣ ଭିତରେ ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ।

author-image
Debadatta Aryashrestha
Delhi Pollution (File Photo)

Delhi Pollution (File Photo)

ଦିଲ୍ଲୀରେ ବାୟୁ ପ୍ରଦୂଷଣ ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକାଧିକ ଗୁରୁତ୍ୱପୂର୍ଣ୍ଣ ମାମଲାର ଶୁଣାଣି କରିଛନ୍ତି। ସବୁଠାରୁ ବଡ଼ କଥା ହେଉଛି, ଦିଲ୍ଲୀରେ ସ୍କୁଲ ଖୋଲିବା ନିଷ୍ପତ୍ତି ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ଉପରେ ଛାଡ଼ିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଏହା ସହିତ ସହରରେ ନିର୍ମାଣ କାର୍ଯ୍ୟ ବନ୍ଦ ଥିବାରୁ ଗ୍ରେଡେଡ୍ ରେସପନ୍ସ ଆକ୍ସନ ପ୍ଲାନ ଚତୁର୍ଥ ଚରଣ (GRAP-4) କୋହଳ ନହେବା ପର୍ଯ୍ୟନ୍ତ ରାଜ୍ୟ ସରକାର ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

କୋର୍ଟ କହିଛନ୍ତି, 'ସ୍କୁଲ ଏବେ ଖୋଲିବ କି ନାହିଁ ସେନେଇ ମଙ୍ଗଳବାର ସୁଦ୍ଧା ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ (CAQM) ନିଷ୍ପତ୍ତି ନେବା ଉଚିତ। ସ୍କୁଲ ଏବଂ ଶିକ୍ଷା ପ୍ରତିଷ୍ଠାନଗୁଡିକ ପାଇଁ CAQM ରିଲିଫକୁ ବିଚାର କରିବା ଉଚିତ, କାରଣ ସ୍କୁଲ ଏବଂ ଅଙ୍ଗନୱାଡି ବନ୍ଦ ହେତୁ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ମିଳୁନାହିଁ। ଅନେକ ବିଦ୍ୟାଳୟରେ ଅନଲାଇନ୍ କ୍ଲାସ ପାଇଁ ମଧ୍ୟ କୌଣସି ସୁବିଧା ନାହିଁ।' କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ, GRAP-4 ପ୍ରତିବନ୍ଧକ ଯୋଗୁଁ ସମାଜର ଅନେକ ବର୍ଗ ପ୍ରତିକୂଳ ଭାବେ ପ୍ରଭାବିତ ହୋଇଛି। ତେଣୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ରାଜ୍ୟ ଲେବର୍ ସେସ୍ ପାଣ୍ଠିରୁ ନିର୍ମାଣ କାର୍ଯ୍ୟ ବନ୍ଦ ଥିବା ସମୟ ପାଇଁ ନିର୍ମାଣ ଶ୍ରମିକମାନଙ୍କୁ ଭତ୍ତା ପ୍ରଦାନ କରନ୍ତୁ ରାଜ୍ୟ ସରକାର।

ସୁପ୍ରିମକୋର୍ଟ କହିଛନ୍ତି ଯେ ଯେପର୍ଯ୍ୟନ୍ତ AQIରେ କ୍ରମାଗତ ଅବନତି ଘଟୁଛି, ସେ ପର୍ଯ୍ୟନ୍ତ ଆମେ GRAPର ତୃତୀୟ କିମ୍ବା ଦ୍ୱିତୀୟ ପର୍ଯ୍ୟାୟରୁ ଅଧିକ କୋହଳ କରିବାକୁ ନିର୍ଦ୍ଦେଶ ଦେଇ ପାରିବୁ ନାହିଁ। ୨୮ ତାରିଖରେ ପରବର୍ତ୍ତୀ ଶୁଣାଣିରେ AQI ତଥ୍ୟ ଉପସ୍ଥାପନ କରିବାକୁ କୋର୍ଟ CAQMକୁ କହିଛନ୍ତି।  GRAP-4ର ବ୍ୟବସ୍ଥା କୋହଳ ହେବ କି ନାହିଁ, ତାହା ପରବର୍ତ୍ତୀ ଶୁଣାଣିରେ କୋର୍ଟ ନିଷ୍ପତ୍ତି ନେବେ। ଜଷ୍ଟିସ ଅଭୟ ଏସ୍ ଓକା ଏବଂ ଅଗଷ୍ଟିନ୍ ଜର୍ଜଙ୍କ ଏକ ଖଣ୍ଡପୀଠ କହିଛନ୍ତି, "କେବଳ ଟେକ୍ନୋଲୋଜିର ବ୍ୟବହାରରେ ଉନ୍ନତି ହେଲେ ବାୟୁ ଗୁଣରେ ଉନ୍ନତି ହେବ ନାହିଁ। ଆମକୁ ଏହି ସମସ୍ୟାର ସ୍ଥାୟୀ ସମାଧାନ ଖୋଜିବାକୁ ପଡିବ।"

Advertisment
Supreme Court Delhi Pollution Delhi Air Pollution CAQM GRAP-4