Advertisment

ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତାଙ୍କୁ ମୁକ୍ତ କରିବାକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ, କହିଲେ- ତାଙ୍କ ଗିରଫଦାରୀ ବେଆଇନ ଥିଲା

ଗତ ବର୍ଷ ଅକ୍ଟୋବର ୩ ତାରିଖରେ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରାଯାଇଥିଲା।

author-image
Jitendra Garnayak
Prabir Purkayastha

Prabir Purkayastha

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ସଂପାଦକ ପ୍ରବୀର ପୁରକାୟସ୍ଥଙ୍କୁ ମିଳିଛି ଆଶ୍ୱସ୍ତି। ତାଙ୍କୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରିବା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତାଙ୍କ ଗିରଫଦାରୀକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆତଙ୍କବାଦ ନିରୋଧ ଆଇନ ୟୁଏପିଏ ବଳରେ ଦିଲ୍ଲୀ ପୁଲିସ ତାଙ୍କୁ ଗତ ବର୍ଷ ଅକ୍ଟୋବର ମାସରେ ଗିରଫ କରିଥିଲା।

Advertisment

ଏହି ମାମଲାରେ ଚାର୍ଜଶିଟ୍ ଦାଖଲ ହୋଇସାରିଥିବାରୁ ପ୍ରବୀର ପୁରକାୟସ୍ଥଙ୍କୁ ବେଲ୍‌ରେ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ତଳ କୋର୍ଟ ଜାମିନର ସର୍ତ୍ତ ରଖିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ପ୍ରବୀର ପୁରକାୟସ୍ଥଙ୍କ ଆବେଦନ ଉପରେ ଶୁଣାଣି କରି ଜଷ୍ଟିସ୍ ବି.ଆର ଗବଇ ଓ ସନ୍ଦୀପ ମେହତାଙ୍କ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲାରେ ରିମାଣ୍ଡ କପି ଯୋଗାଇ ଦିଆଯାଇ ନଥିଲା। ଆଉ ଏହା ପ୍ରମାଣିତ କରୁଛି ଯେ ତାଙ୍କୁ ବିନା କାରଣରେ ଗିରଫ କରାଯାଇଥିଲା।

Advertisment

ଜଷ୍ଟିସ୍ ମେହତା କହିଥିଲେ, କୋର୍ଟ ଏହା କହିବାରେ ଆଦୌ ସଙ୍କୋଚ କରୁ ନାହାନ୍ତି ଯେ ଗିରଫର ଆଧାର ସଂପର୍କରେ କୌଣସି ସୂଚନା ଦିଆଯାଇ ନଥିଲା, ଯାହା ତାଙ୍କ ଗିରଫଦାରୀକୁ ବେଆଇନ ବୋଲି ଦର୍ଶାଉଛି। ରିମାଣ୍ଡ ନିର୍ଦ୍ଦେଶ ଅବୈଧ ଥିଲା।

ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରିବା ପରେ ତାଙ୍କ ଓକିଲଙ୍କୁ ସୂଚନା ନଦିଆଯାଇ କାହିଁକି ତରବରିଆ ଭାବେ ତାଙ୍କୁ ମାଜିଷ୍ଟ୍ରେଟ୍‌ଙ୍କ ନିକଟରେ ହାଜର କରାଯାଇଥିଲା ବୋଲି ଏପ୍ରିଲ ୩୦ ତାରିଖରେ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଥିଲେ। କୋର୍ଟ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଯେ ପ୍ରବୀର ପୁରକାୟସ୍ଥଙ୍କ ଓକିଲ ତାଙ୍କ ରିମାଣ୍ଡ ଦରଖାସ୍ତ ପାଇବା ପୂର୍ବରୁ ରିମାଣ୍ଡ ନିର୍ଦ୍ଦେଶ ପାରିତ ହୋଇଯାଇଥିଲା।

ଗତ ବର୍ଷ ଅକ୍ଟୋବର ୩ ତାରିଖରେ ପ୍ରବୀର ପୁରକାୟସ୍ଥଙ୍କୁ ଗିରଫ କରାଯାଇଥିଲା। ନ୍ୟୁୟର୍କ ଟାଇମ୍ସରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶ ପାଇବାର କିଛି ଦିନ ପରେ ଦିଲ୍ଲୀ ପୁଲିସ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା। ନ୍ୟୁଜ୍‌କ୍ଲିକ୍ ଚାଇନାର ପ୍ରଚାର ପ୍ରସାର କରିବା ପାଇଁ ଏକ ନେଟୱର୍କରୁ ପାଣ୍ଠି ପାଉଛି ବୋଲି ଏଥିରେ କୁହାଯାଇଥିଲା। 

ଗତ ମାର୍ଚ୍ଚ ମାସରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ୍‌ ସେଲ୍ ଏହି ମାମଲାରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଏଥିରେ ଉଲ୍ଲେଖ କରାଯାଇଥିଲା ଯେ ପ୍ରବୀର ପୁରକାୟସ୍ଥ ଆତଙ୍କବାଦୀ ଓ ବେଆଇନ କାର୍ଯ୍ୟକଳାପରେ ଲିପ୍ତ ରହିବା ସହିତ ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ପାଣ୍ଠି ସଂଗ୍ରହ କରିବା ଓ ଷଡ଼ଯନ୍ତ୍ରରେ ସାମିଲ ଅଛନ୍ତି।

Supreme Court Prabir Purkayastha