Advertisment

ଅମାନବିକତା; ହାଇକୋର୍ଟଙ୍କ କେଉଁ ରାୟ ଉପରେ ରୋକ ଲଗାଇ ସୁପ୍ରିମକୋର୍ଟ ଏମିତି ଶବ୍ଦ ପ୍ରୟୋଗ କଲେ

ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବା ବୋଲି ଘୋଷଣା କରିଥିଲେ।

ଅଦ୍ୟତନ ହୋଇଛି
Supreme Court of India (File Photo)

Supreme Court of India

Advertisment

ସ୍ତନକୁ ଧରିବା ଓ ପାଇଜାମାର ଡୋର ଖୋଲିବା ଦୁଷ୍କର୍ମ ଉଦ୍ୟମରେ ଯାଉନାହିଁ। ଏକ ମାମଲାର ବିଚାର କରି ସପ୍ତାହେ ତଳେ ଆହ୍ଲାବାଦ ହାଇକୋର୍ଟ ଦେଇଥିବା ଏହି ରାୟ ଉପରେ ଆଜି ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ‘ସମ୍ବେଦନଶୀଳତାର ଅଭାବ’ ଦର୍ଶାଇ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇଛନ୍ତି ସର୍ବୋଚ୍ଚ କୋର୍ଟ। ତା’ ସହିତ କୋର୍ଟ ଏହି ଘଟଣାରେ କେନ୍ଦ୍ର ଓ ଉତ୍ତର ପ୍ରଦେଶ ସରକାରଙ୍କୁ ଜବାବ ମାଗିଛନ୍ତି।

Advertisment

ଜଷ୍ଟିସ ବି.ଆର ଗବାଇ ଓ ଜଷ୍ଟିସ ଅଗଷ୍ଟିନ ଜର୍ଜ ମସୀହଙ୍କ ବେଞ୍ଚ ଏହି ନିର୍ଦ୍ଦେଶ ଦେବା ବେଳେ କହିଥିଲେ, ଆମକୁ କହିଲା ବେଳକୁ ଦୁଃଖ ଲାଗୁଛି ଯେ ଯିଏ ଏହି ରାୟ ଦେଇଛନ୍ତି, ତାଙ୍କଠାରେ ସମ୍ବେଦନଶୀଳତାର ଘୋର ଅଭାବ ରହିଛି। ଏହି ରାୟକୁ ତରବରିଆ ଭାବେ ଶୁଣାଯାଇନାହିଁ। ଏହାକୁ ସଂରକ୍ଷିତ କରି ରଖିବାର ୪ ମାସ ପରେ ଶୁଣାଯାଇଛି। ଆମେ ସାଧାରଣତଃ ଏଭଳି ସ୍ତରରେ କୌଣସି ରାୟ ଉପରେ ରୋକ ଲଗାଇବାକୁ କୁନ୍ଥକୁନ୍ଥ ହେଉ। କିନ୍ତୁ ପ୍ରଦତ୍ତ ରାୟର ୨୧, ୨୪ ଓ ୨୬ ନମ୍ବର ପାରାଗ୍ରାଫରେ ଯେଉଁ ଟିପ୍ପଣୀ କରାଯାଇଛି, ତାହା ଆଇନ ବିରୋଧୀ ଓ ଅମାନବିକତା ଦୃଷ୍ଟିକୋଣକୁ ଦର୍ଶାଉଛି। ତେଣୁ ଆମେ ଉକ୍ତ ପାରାଗ୍ରାଫ ଗୁଡ଼ିକରେ କରାଯାଇଥିବା ଟିପ୍ପଣୀ ଉପରେ ରୋକ ଲଗାଉଛୁ।

ବେଞ୍ଚଙ୍କ ଏହି ରାୟ ସହିତ ଏକମତ ହୋଇଥିଲେ ସୋଲିସିଟର ଜେନେରାଲ ତୁଷାର ମେହତା। ସେ କହିଥିଲେ, କିଛି ରାୟରେ ଏମିତି ଟିପ୍ପଣୀ ଥାଏ ଯେ, ସେଗୁଡ଼ିକ ଉପରେ ରୋକ ଲଗାଇବାକୁ ପଡ଼ିଥାଏ। ଏହା ଏକ ଗୁରୁତ୍ୱପୁର୍ଣ୍ଣ ମାମଲା। ଏହି ମାମଲାରେ ବିଚାରପତି (ହାଇକୋର୍ଟର ବିଚାରପତି) ସଂପୂର୍ଣ୍ଣ ଅସମ୍ବେଦନଶୀଳତା ଦେଖାଇଛନ୍ତି। ସମନ ଜାରି କରିବା ସ୍ତରରେ ଏହା ଘଟିଛି। ବିଚାରପତିଙ୍କ ବିରୋଧରେ ଏଭଳି କଠିନ ଶବ୍ଦର ପ୍ରୟୋଗ କରୁଥିବାରୁ ଆମକୁ ଦୁଃଖ ଲାଗୁଛି।

Advertisment

ଆହ୍ଲାବାଦ ହାଇକୋର୍ଟଙ୍କ ରାୟକୁ ‘ଉଇ ଦ ଓମେନ ଅଫ୍ ଇଣ୍ଡିଆ’ ନାମକ ଏକ ସଂଗଠନ ବିରୋଧ କରିବା ପରେ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିଛନ୍ତି। ପୀଡ଼ିତାଙ୍କ ମା’ ମଧ୍ୟ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ତାଙ୍କ ଆବେଦନକୁ ମିଶାଇ କୋର୍ଟ ଶୁଣାଣି କରିଛନ୍ତି।

ଏହି ମାମଲାରେ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଗତ ୧୭ ତାରିଖରେ ଆସିଥିଲା। ଜଷ୍ଟିସ ରାମ ମନୋହର ନାରାୟଣ ମିଶ୍ରା ଏହି ରାୟ ଶୁଣାଇଥିଲେ। ସେ ତାଙ୍କ ରାୟର ପାରାଗ୍ରାଫ ନମ୍ବର ୨୧ରେ କହିଥିଲେ, ଅଭିଯୁକ୍ତ ପବନ ଓ ଆକାଶଙ୍କ ବିରୋଧରେ ଅଭିଯୋଗ ହୋଇଛି ଯେ ସେମାନେ ପୀଡ଼ିତାଙ୍କ ସ୍ତନକୁ ଧରିଥିଲେ। ଆକାଶ ପୀଡ଼ିତାଙ୍କ ପାଇଜାମାର ଡୋର ଟାଣି ତାହାକୁ ତଳକୁ ଖସାଇ ଦେବାକୁ ପ୍ରୟାସ କରିଥିଲେ। ତା’ ସହିତ ସେମାନେ ପୀଡ଼ିତାଙ୍କୁ ଏକ କଲଭର୍ଟ ତଳକୁ ଟାଣି ନେବାକୁ ଚେଷ୍ଟା କରିଥିଲେ। କିନ୍ତୁ ସେହି ସମୟରେ ସାକ୍ଷୀମାନେ ସେଠାରେ ପହଞ୍ଚିଯିବାରୁ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଛାଡ଼ି ଫେରାର ହୋଇଯାଇଥିଲେ। ଯେତିକି ତଥ୍ୟ ଏଠାରେ ଦିଆଯାଇଛି, ତାହା ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ଦେଶ୍ୟ ରଖିଥିଲେ ବୋଲି ପ୍ରମାଣିତ କରିବାକୁ ଯଥେଷ୍ଟ ନୁହେଁ।

ହାଇକୋର୍ଟଙ୍କ ଏହି ରାୟକୁ ବିଭିନ୍ନ ବର୍ଗର ଲୋକେ ସମାଲୋଚନା କରିଥିଲେ। ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହି ମାମଲାର ଶୁଣାଣି କରିବା ଉଚିତ ବୋଲି ମଧ୍ୟ ଦାବି ଉଠିଥିଲା। ଲୋକେ କହିଥିଲେ ଯେ ଜଣେ ଝିଅ ବା ମହିଳାଙ୍କୁ ତାଙ୍କ ଇଚ୍ଛା ବିରୋଧରେ ଉଲଗ୍ନ କରିବାକୁ ଉଦ୍ୟମ କରିବା ଯଦି ‘ଦୁଷ୍କର୍ମ ଉଦ୍ୟମ’ରେ ଯାଉ ନାହିଁ, ତା’ହେଲେ ତାକୁ କ’ଣ କୁହାଯିବ।

ଅଭିଯୋଗ

ପୀଡ଼ିତା ଜଣେ ନାବାଳିକା। ତାଙ୍କ ମା’ କରିଥିବା ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତମାନେ ତାଙ୍କୁ (ନାବାଳିକାଙ୍କୁ) ବାଇକରେ ଲିଫ୍‌ଟ ଦେଇଥିଲେ ଓ ଘରେ ନେଇ ଛାଡ଼ି ଦେବେ ବୋଲି କହିଥିଲେ। କିନ୍ତୁ ଗାଁକୁ ଯାଉଥିବା ବେଳେ ଏକ କାଦୁଅ ରାସ୍ତାରେ ସେମାନେ ଅଟକି ଥିଲେ। ବାଇକ ରଖି ଅଭିଯୁକ୍ତ ଦ୍ୱୟ ପୀଡ଼ିତାଙ୍କ ସ୍ତନକୁ ଧରିଥିଲେ। ଆକାଶ ନାବାଳିକାଙ୍କ ପାଇଜାମାର ଡୋର ଖୋଲିବାକୁ ଚେଷ୍ଟା କରିଥିଲେ। ଏମିତିକି ସେମାନେ ତାଙ୍କୁ ଟାଣି ଟାଣି ପାଖରେ ଥିବା ଏକ କଲଭର୍ଟ ତଳକୁ ନେଇ ଯିବାକୁ ପ୍ରୟାସ କରିଥିଲେ। ଝିଅଟି ଚିତ୍କାର କରୁଥିବା ବେଳେ ଦୁଇ ସାକ୍ଷୀ- ସତୀଶ ଓ ଭୁରେ ଏକ ଟ୍ରାକ୍ଟରରେ ସେଠାରେ ପହଞ୍ଚିଥିଲେ। ଅଭିଯୁକ୍ତ ଦ୍ୱୟ ସେମାନଙ୍କୁ ଏକ ଦେଶୀ ପିସ୍ତଲ ଦେଖାଇ ଧମକ ଦେଇଥିଲେ। ଏହା ପରେ ସେମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Rape Allahabad High Court SupremeCourt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe