Train
ବହୁ ଚର୍ଚ୍ଚିତ ୨୦୦୬ ମସିହା ମୁମ୍ବାଇ ଟ୍ରେନ ବିସ୍ଫୋରଣ ଘଟଣାରେ ସୁପ୍ରିମକୋର୍ଟ ବଡ଼ ରାୟ ଦେଇଛନ୍ତି। ବମ୍ବେ ହାଇକୋର୍ଟ ସମସ୍ତ ୧୨ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବା ବେଳେ ଏବେ ସର୍ବୋଚ୍ଚ ଅଦାଲତ ଏହା ଉପରେ ରୋକ ଲଗାଇ ଦେଇଛନ୍ତି। ତେବେ ଅଭିଯୁକ୍ତଙ୍କୁ ଜେଲରୁ ଖଲାସ ଉପରେ ସୁପ୍ରିମକୋର୍ଟ ରୋକ ଲଗାଇ ନାହାନ୍ତି ଓ ପୂର୍ବରୁ ରିଲିଜ ହୋଇଥିବା ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରିବ ନାହିଁ ବୋଲି କହିଛନ୍ତି।
ଜଷ୍ଟିସ ଏମଏମ ସୁନ୍ଦ୍ରେଶ ଓ ଜଷ୍ଟିସ ଏନ କୋଟିଶ୍ୱର ସିଂହଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ରାୟକୁ ଗୋଟିଏ ଅଦ୍ଭୂତପୂର୍ବ ଘଟଣା ବେଳେ ବିବେଚନା କରାଯାଇ ପାରିବ ନାହିଁ ବୋଲି କହିଛନ୍ତି ଓ ସମସ୍ତ ଅଭିଯୁକ୍ତଙ୍କୁ ନୋଟିସ କରିଛନ୍ତି। ତେବେ ସେମାନଙ୍କ ଖଲାସ ଉପରେ ସୁପ୍ରିମକୋର୍ଟ କୌଣସି ରୋକ ଲଗାଇ ନାହାନ୍ତି।
ବମ୍ବେ ହାଇକୋର୍ଟ ସମସ୍ତ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରିଥିବାରୁ ଏହା ବିରୋଧୀ ମହାରାଷ୍ଟ୍ର ଏଟିଏସ୍ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲା। ସୁପ୍ରିମକୋର୍ଟ ଏହାର ଶୁଣାଣି କରି ଏପରି ପଦକ୍ଷେପ ନେଇଛନ୍ତି।
ସୋମବାର ବମ୍ବେ ହାଇକୋର୍ଟ ୨୦୦୯ ତଳ ଅଦାଲତ ଦେଇଥିବା ରାୟକୁ ଖାରଜ କରି ଦେଇଥିଲେ। ତଳ କୋର୍ଟ ୧୨ ଅଭିଯୁକ୍ତଙ୍କ ମଧ୍ୟରୁ ୫ ଜଣଙ୍କୁ ମୃତ୍ୟୁଦଣ୍ଡ ଓ ୭ ଜଣଙ୍କୁ ଆଜୀବନ ଜେଲଦଣ୍ଡରେ ଦଣ୍ଡିତ କରିଥିଲେ। କିନ୍ତୁ ଦୋଷୀ ସାବ୍ୟସ୍ତ ହୋଇଥିବା ସମସ୍ତ ୧୨ ଜଣଙ୍କୁ ବମ୍ବେ ହାଇକୋର୍ଟ ଦୋଷମୁକ୍ତ କରିଥିଲେ। ୨୦୦୬ ମୁମ୍ବାଇ ସମେତ ପୂରା ଦେଶକୁ ଦୋହଲାଇ ଦେଇଥିବା ଟ୍ରେନ ବିସ୍ଫୋରଣରେ ୧୮୯ ଜଣଙ୍କ ମୃତ୍ୟୁ ହୋଇଥିଲା ଓ ୮୦୦ରୁ ଅଧିକ ଲୋକ ଆହତ ହୋଇଥିଲେ।
ବମ୍ବେ ହାଇକୋର୍ଟର ସ୍ୱତନ୍ତ୍ର ବେଞ୍ଚ ବିଚାରପତି ଜଷ୍ଟିସ ଅନୀଲ କିଲୋର ଓ ଜଷ୍ଟିସ ଶ୍ୟାମ ଚନ୍ଦକ ମାମଲାର ଶୁଣାଣି କରି ଏପରି ରାୟ ଦେଇଥିଲେ। ଉପଯୁକ୍ତ ପ୍ରମାଣ ଦେବାରେ ସରକାରୀ ଓକିଲ ବିଫଳ ହୋଇଛନ୍ତି। କେବଳ ସନ୍ଦେହ ଛଡ଼ା ସରକାରୀ ଓକଲି କୌଣସି ପ୍ରକାରର ଠୋସ ପ୍ରମାଣ ଉପସ୍ଥାପନ କରି ପାରି ନାହାନ୍ତି।
ମୁଖ୍ୟ ସାକ୍ଷୀମାନଙ୍କ ବୟାନ ବିଶ୍ୱାସଯୋଗ୍ୟ ନୁହେଁ। ସେମାନେ ଯେଉଁଭଳି ଭାବେ ଅଭିଯୁକ୍ତମାନଙ୍କୁ ପ୍ୟାରେଡ ଜରିଆରେ ଚିହ୍ନଟ କଲେ, ତା’ ଉପରେ ଅନେକ ପ୍ରଶ୍ନବାଚୀ ରହିଛି। ସେହିପରି ସ୍ୱୀକାରୋକ୍ତି ଏଟିଏସ ଅଧିକାରୀଙ୍କ ଅତ୍ୟନ୍ତ ନିର୍ଯାତନା ବଳରେ ହାସଲ କରାଯାଇ ଯାଇଥିଲାୟ ବୋଲି ବମ୍ୱେ ହାଇକୋର୍ଟ ତାଙ୍କ ରାୟରେ କହିଥିଲେ।
ବମ୍ବେ ହାଇକୋର୍ଟର ରାୟ ମହାରାଷ୍ଟ୍ର ଏଟିଏସ୍ ପାଇଁ ଶକ୍ତ ଝଟକା ସଦୃଶ ରହିଥିଲା। ଏହାର ତଦନ୍ତ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ନିଜର ଭାବମୂର୍ତ୍ତିକୁ ସୁଧାରିବା ପାଇଁ ଏଟିଏସ ସୁପ୍ରିମକୋର୍ଟଙ୍କ ଆଗରେ ହାଜର ହୋଇଥିଲା। ସୁପ୍ରିମକୋର୍ଟରେ ଶୁଣାଣି ବେଳେ ମହାରାଷ୍ଟ୍ର ଏଟିଏସ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ରାୟ ଉପରେ ରୋକ ଲଗାଇବାକୁ ଯୁକ୍ତି କରିଥିଲେ। କିନ୍ତୁ ଦୋଷମୁକ୍ତ ହୋଇଥିବା ଲୋକଙ୍କ ରିଲିଜ ଉପରେ ରୋକ ଲଗାଇବାକୁ ସେ କୌଣସି ପ୍ରକାରର ଚାପ ପକାଇ ନଥିଲେ।
ସେ କହିଥିଲେ, “ମୁଁ ରାୟ ଉପରେ ରୋକ ଲଗାଇବାକୁ ଚାହୁଁଛି। ସେମାନଙ୍କୁ ଜେଲକୁ ଫେରାଇ ଆଣିବାକୁ କହୁ ନାହିଁ। କିଛି ନିର୍ଦ୍ଦିଷ୍ଟ ତଥ୍ୟ ଅନ୍ୟ ମୋକା(ମହାରାଷ୍ଟ୍ର କଣ୍ଟ୍ରୋଲ ଅଫ ଅର୍ଗାନାଇଜଡ କ୍ରାଇମ୍ସ) ଶୁଣାଣିକୁ ପ୍ରଭାବିତ କରିବ।”
କୋର୍ଟ କହିଥିଲେ ଯେ ସମସ୍ତ ଅଭିଯୁକ୍ତ ଖଲାସ ହୋଇ ସାରିଛନ୍ତି। ସେମାନଙ୍କୁ ଜେଲକୁ ପଠାଇବାର କୌଣସି ପ୍ରଶ୍ନ ଉଠୁନାହିଁ। ତେବେ ହାଇକୋର୍ଟଙ୍କ ରାୟକୁ କୌଣସି ପ୍ରକାରର ଅଦ୍ଭୂତପୂର୍ବ ଘଟଣା ବେଳେ ବିବେଚନା କରାଯାଇ ପାରିବ ନାହିଁ। ଏହାକୁ ଅନ୍ୟ ମାମଲାର ଶୁଣାଣି ବେଳେ ବିଚାରକୁ ନିଆଯିବ ନାହିଁ। ତେଣୁ ରାୟ ଉପରେ କେବଳ ରୋକ ଲଗାଯାଉଛି। କେସ୍ ଫାଇଲ ପଢ଼ିବା ପରେ କିଛି ଅଭିଯୁକ୍ତ ପାକିସ୍ତାନ ନାଗରିକ ବୋଲି ଜଣାପଡ଼ିଥିବା ଜଷ୍ଟିସ ସୁନ୍ଦ୍ରେଶ କହିଛନ୍ତି।
ବୁଧବାର ଏହି ମାମଲାରେ ସୁପ୍ରିମକୋର୍ଟ କହିଥିଲେ ଯେ ରାୟ ଉପରେ ରୋକ ଲଗାଇବା ଗୋଟିଏ ବିରଳରୁ ଅତି ବିରଳ ଘଟଣା ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Train_1753345541.jpg)