Advertisment

ହସ୍ପିଟାଲ ସୁରକ୍ଷାକୁ ନେଇ ଏତେ ମାନ୍ଦା କାହିଁକି? ବେଙ୍ଗଲକୁ ପ୍ରଶ୍ନ କଲେ ସୁପ୍ରିମକୋର୍ଟ

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବାରେ ବିଳମ୍ବ ହେଉଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି।

author-image
Hemant Lenka
RG Kar

RG Kar

ପଶ୍ଚିମବଙ୍ଗରେ ଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଅନ୍ୟ ସରକାରୀ ମେଡିକାଲର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ପଶ୍ଚିମବଙ୍ଗ ସରକାର ହସ୍ପିଟାଲରେ ସିସିଟିଭି ଲଗାଇବା ଓ ଅନ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାରେ ଅତ୍ୟନ୍ତ ବିଳମ୍ବ କରୁଥିବାରୁ ସୁପ୍ରିମକୋର୍ଟ ଏହା ଉପରେ ପ୍ରଶ୍ନ ଉଠାଇଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ଅଧ୍ୟକ୍ଷତାରେ ଗଠିତ ୩ ଜଣିଆ ଖଣ୍ଡପୀଠ ସୁରକ୍ଷା ଆବଶ୍ୟକତାକୁ ପୂରଣ କରିବାରେ ବିଳମ୍ବ ହେଉଥିବାରୁ ପଶ୍ଚିମବଙ୍ଗ ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷ ରଖୁଥିବା ବରିଷ୍ଠ ଆଇନଜୀବୀ ରାକେଶ ଦ୍ୱିବେଦୀ କୋର୍ଟଙ୍କୁ ବନ୍ୟା ଯୋଗୁ ଜିନିଷ ଆସିବାରେ ବିଳମ୍ବ ହେଉଥିବା କହିଥିଲେ। ୬,୧୭୮ଟି ସିସିଟିଭି କ୍ୟାମେରା ଲଗାଇବାକୁ ଯୋଜନା ହୋଇଥିବା ବେଳେ କେବଳ ୨୨% ଲାଗି ଥିବା ସେ କହିଥିଲେ।

ତେବେ ଏହା ଶୁଣି ସିଜେଆଇ ସନ୍ତୁଷ୍ଟ ହୋଇ ନଥିଲେ। ସେ କହିଥିଲେ, “ପ୍ରକ୍ରିୟାରେ ଏତେ ମାନ୍ଦା ପଣ କାହିଁକି? କୌଣସି ସୁରକ୍ଷା କ୍ଷେତ୍ର ୫୦% ପାର କରିନି।” ଏହା ଉପରେ ଦ୍ୱିବେଦୀ ଖଣ୍ଡପୀଠକୁ ପ୍ରତିଶ୍ରୁତି ଦେଇଥିଲେ ଯେ ଅକ୍ଟୋବର ୩୧ ଯାଏ ସମୟ ଦିଆଯାଇଛି। କିନ୍ତୁ ଆମେ ଅକ୍ଟୋବର ୧୫ ସୁଦ୍ଧା ସବୁ କାମ ସାରିଦେବୁ।

Advertisment

ରାଜ୍ୟର ପ୍ରତିଶ୍ରୁତିକୁ କୋର୍ଟ ଗ୍ରହଣ କରିଥିଲେ। କିନ୍ତୁ ତୁରନ୍ତ ପଦକ୍ଷେପ ନେବା ଉପରେ ଗୁରୁତ୍ୱ ଦେଇଥିଲେ। ବିଶେଷ କରି ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଦୃଷ୍ଟିରେ ରଖି କୋର୍ଟ ତୁରନ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ କହିଛନ୍ତି।

ଅନ୍ୟପକ୍ଷରେ କୋର୍ଟ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣାରେ ସିବିଆଇ ଦାଖଲ କରିଥିବା ୪ର୍ଥ ଷ୍ଟାଟସ ରିପୋର୍ଟର ସମୀକ୍ଷା କରିଛନ୍ତି। ଏଥିରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଆର୍ଥିକ ଅନିୟମିତତା ଅଭିଯୋଗ ମଧ୍ୟ ରହିଛି।

ସିବିଆଇ ଉଭୟ ଘଟଣାର ତଦନ୍ତ କରୁଥିବା ବେଳେ କ’ଣ ସବୁ ମିଳିଛି, ସେସକୁ କୋର୍ଟ ଗୁପ୍ତ ରଖିଛନ୍ତି। ଏହା ଏକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବାରୁ କୋର୍ଟ ଏପରି ପଦକ୍ଷେପ ଗ୍ରହଣ କରିଛନ୍ତି।

RG Kar Medical College RG Kar Rape Case