Advertisment

ଇଡି ସବୁ ସୀମା ଅତିକ୍ରମ କରି ଯାଇଛି: କାହିଁକି ରେଡ୍‌କୁ ନେଇ ବର୍ଷିଲେ ସୁପ୍ରିମକୋର୍ଟ?

ମଦ ପରିବହନ, ବାର ପାଇଁ ଲାଇସେନ୍ସ ପ୍ରଦାନରେ ଅନିୟମିତତା ଓ ବୋତଲ ତିଆରି କରୁଥିବା କମ୍ପାନୀ ସହ ମିଶି ଆର୍ଥିକ ହେରଫେରର ଅଭିଯୋଗ ହୋଇଥିଲା।

author-image
Hemant Lenka
ED

ED

ସବୁ ସୀମା ପାର କରି ଯାଇଥିବା କଥା କହି ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ସଂଘୀୟ ନୀତିକୁ ଇଡି ଉଲ୍ଲଙ୍ଘନ କରିଥିବା କଥା ମଧ୍ୟ ସୁପ୍ରିମକୋର୍ଟ କହିଛନ୍ତି। ଚଳିତ ବର୍ଷ ମାର୍ଚ୍ଚ ଓ ଗତ ସପ୍ତାହରେ ଇଡି ପକ୍ଷରୁ ତାମିଲନାଡୁରେ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚଳିତ ମଦ ଦୋକାନ ଓ ସଂସ୍ଥା ଉପରେ ଇଡି ରେଡ କରିଥିଲା। ଏହାକୁ ସୁପ୍ରିମକୋର୍ଟ ନାପସନ୍ଦ କରିବା ସହ ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଇଡିକୁ ନିଜ ତୋଡ଼ ଦେଖାଇବା ଆଭିମୁଖ୍ୟକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମଦ ପରିବହନ, ବାର ପାଇଁ ଲାଇସେନ୍ସ ପ୍ରଦାନରେ ଅନିୟମିତତା ଓ ବୋତଲ ତିଆରି କରୁଥିବା କମ୍ପାନୀ ଏବଂ ଡିଷ୍ଟିଲର୍ସ ସହ ମିଶି ଆର୍ଥିକ ହେରଫେର ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବା ପରେ ତାମିଲନାଡୁ ସରକାରଙ୍କ ଦ୍ୱାରା ପରିଚାଳିତ ମଦ ଦୋକାନ ଓ ବିଭିନ୍ନ ଠିକଣାରେ ଇଡି ରେଡ କରିଥିଲା।

ଏପରି ରେଡକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା। ଏହାର ଶୁଣାଣି ଆଜି ପ୍ରଧାନ ବିଚାରପତି ଜଷ୍ଟିସ ବିଆର ଗବାଇଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ କରିଛନ୍ତି। ଶୁଣାଣି ସମୟରେ ଖଣ୍ଡପୀଠ କହିଛନ୍ତି, “ଆପଣ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ବିରୋଧରେ ମାମଲା କରିପାରିବେ। କିନ୍ତୁ ଆପଣ ସିଧା କର୍ପୋରେସନ ବିରୋଧରେ ମାମଲା କରୁଛନ୍ତି? ଆପଣଙ୍କ(ଓକିଲଙ୍କୁ) ଇଡି ସବୁ ସୀମା ପାର କରି ଯାଇଛି। ନୋଟିସ ଦିଅନ୍ତୁ। ଛୁଟି ପରେ ଆସିବେ। ସେହିପରି ସେଯାଏ ଅଧିକ ସମସ୍ତ ତଦନ୍ତ ଉପରେ ରୋକ ଲଗାଯାଉଛି।”

Advertisment

ଇଡି ଗ୍ରହଣ କରୁଥିବା ପଦକ୍ଷେପକୁ ନେଇ ଜଷ୍ଟିସ ଗବାଇ ଓ ଜଷ୍ଟିସ ଏଜି ମାସିହ ଅତ୍ୟନ୍ତ ଚିନ୍ତା ପ୍ରକଟ କରିଛନ୍ତି। ଏଥିପାଇଁ ଶୁଣାଣି ବେଳେ ଖଣ୍ଡପୀଠ ୩ ଥର ଇଡି ନିଜ ସୀମା ପାର କରିଥିବା କଥା କହିଛନ୍ତି। ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳି ମଦ ଦୋକାନ ଉପରେ ରେଡ ପରେ ଇଡି ନେଉଥିବା ସମସ୍ତ ପଦକ୍ଷେପ ଉପରେ ଲାଗିଛି। କିନ୍ତୁ ସରକାରୀ ଓକିଲ ନିର୍ଦ୍ଦେଶକୁ ବିରୋଧ କରିଥିଲେ। ସେ କହିଥିଲେ ଯେ ପୂରା ଘଟଣାରେ ୧ ହଜାର କୋଟିର ଦୁର୍ନୀତି ହୋଇଛି ଓ ଇଡି କୌଣସି ସୀମା ଅତିକ୍ରମ କରି ନାହିଁ।

ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ କପିଲ ଶିବଲ ଓ ଅମିତ ନନ୍ଦ ତିୱାରୀଙ୍କ ପକ୍ଷରୁ ଇଡି ରେଡ ବିରୋଧରେ ଦାଖଲ କରିଥିବା ନିଥିପତ୍ରକୁ ଗ୍ରହଣ କରିଛନ୍ତି। ସେମାନେ କହିଛନ୍ତି ଯେ ରାଜ୍ୟ ସରକାର ନିଜ ଆଡ଼କୁ ହିଁ ଏହି ମାମଲାରେ ୪୦ରୁ ଅଧିକ ଏଫଆଇଆର ରୁଜୁ କରିଛନ୍ତି। ୨୦୧୪ରୁ ମଦ ଦୋକାନ ପାଇଁ ଦିଆଯାଇଥିବା ସମସ୍ତ ଲାଇସେନ୍ସର ଯାଞ୍ଚ କରାଯାଉଛି। ହେଲେ ହଠାତ୍‌ ଏବେ ଇଡି ମାମଲାରେ ହସ୍ତକ୍ଷେପ କରିଛି ଓ Tamil Nadu State Marketing Corporation (Tasmac)ରେ ରେଡ କରୁଛି।

ସୁପ୍ରିମକୋର୍ଟ କହିଛନ୍ତି ଯେ ଇଡି ସଂଘୀୟ ବ୍ୟବସ୍ଥାର ନୀତିକୁ ଉଲ୍ଲଙ୍ଘନ କରିଛି। ଇଡି କେମିତି Tasmacରେ ରେଡ କରିବ? ସର୍ବୋଚ୍ଚ ଅଦାଲତ ଇଡିକୁ ନିଜର ଜବାବ ରଖିବାକୁ ୧୪ ଦିନର ସମୟ ଦେଇଛନ୍ତି।

ସୁପ୍ରିମକୋର୍ଟଙ୍କ ଏପରି ନିର୍ଦ୍ଦେଶକୁ ତାମିଲନାଡୁର କ୍ଷମତାସୀନ ଡିଏମକେ ସ୍ୱାଗତ କରିଛି। ପୂର୍ବତନ ରାଜ୍ୟସଭା ସାଂସଦ ଆରଏସ୍‌ ଭାରତୀ କହିଛନ୍ତି, ରାଜ୍ୟ ସରକାରଙ୍କୁ ବଦନାମ କରିବେ ପାଇଁ ବିଜେପି କରୁଥିବା ଉଦ୍ୟମକୁ ଶକ୍ତ ଝଟକା ଲାଗିଛି।

Tasmac ବିବାଦ କ’ଣ?

ଗତ ସପ୍ତାହରେ ଇଡି ବିଭିନ୍ନ ସ୍ଥାନରେ ରେଡ କରିଥିଲା ଓ ଆଇଏଏସ ଅଫିସର ଏସ୍‌ ବିସାକନଙ୍କୁ ଜେରା କରିଥିଲା। ବିସାକନ ହେଉଛନ୍ତି Tasmacର ନିର୍ଦ୍ଦେଶକ। Tasmacରେ ସନ୍ଦିଗ୍ଧ ଆର୍ଥିକ ହେରଫର ଘଟଣାରେ ଇଡି ଏପରି ପଦକ୍ଷେପ ନେଇଥିଲା। ତଦନ୍ତ ସକାଳ ୬ଟାରେ ଆରମ୍ଭ ହୋଇଥିଲା। ବିସାକନଙ୍କ ମାନାପାକ୍କମ ସ୍ଥିତ ବାସଭବନ ଠାରୁ ଆରମ୍ଭ କରି ଚେନ୍ନାଇର ବିଭିନ୍ନ ଠିକଣାରେ ରେଡ ହୋଇଥିଲା। ଇଡି ଅଧିକାରୀଙ୍କ ସହ ସିଆରପିଏଫ ଯବାନମାନେ ରେଡରେ ସାମିଲ ହୋଇଥିଲେ। ଫିଲ୍ମ ପ୍ରଯୋଜକ ଆକାଶଙ୍କ ତେୟନାମପେଟ ସ୍ଥିତ ଘରେ ବି ଇଡି ପଶିଥିଲା। କିନ୍ତୁ ରେଡ କ’ଣ ପାଇଁ କରାଯାଇଥିଲା, ସେକଥା ଇଡି କହି ନଥିଲା।

ଦୀର୍ଘ ୮ ଘଟଣାର ସର୍ଚ୍ଚ ଅପରେସନ ପରେ ଇଡି ଅଧିକାରୀମାନେ ବିସାକନ ଓ ତାଙ୍କ ପତ୍ନୀଙ୍କୁ ଜେରା କରିବା ପାଇଁ ନେଇ ଯାଇଥିଲେ। ସେଦିନ ରାତି ପ୍ରାୟ ୯ଟା ବେଳକୁ ବିସାକନ ଇଡି ଅଫିସରୁ ନିଜ ଘରକୁ ପତ୍ନୀଙ୍କ ସହ ଫେରିଥିଲେ।

ମାର୍ଚ୍ଚ ମାସରେ ଇଡି ପକ୍ଷରୁ Tasmacର ମୁଖ୍ୟ ଅଫିସ ସମେତ ବିଭିନ୍ନ ମଦ ଦୋକାନ ଓ କମ୍ପାନୀରେ ରେଡ କରିଥିଲା। ଅନିୟମିତତା କରି ୧ ହଜାର କୋଟି ଟଙ୍କାର ଠକେଇ ହୋଇଥିବା ଅଭିଯୋଗରେ ଇଡି ପକ୍ଷରୁ ଏପରି ରେଡ ହୋଇଥିଲା। ଏହି ସମୟରେ ଏକାଧିକ ଫୋନକୁ ଇଡି ଜବତ କରିଥିଲା। ଏହାକୁ ଆଜି ଶୁଣାଣି ବେଳେ କପିଲ ଶିବଲ ବିରୋଧ କରିଥିଲେ। 

ED Raid Tamilnadu Supreme Court