Advertisment

ନୂଆ ନିର୍ବାଚନ କମିଶନର ନିଯୁକ୍ତି: ସ୍ଥଗିତ ରଖିବାକୁ ମନା କଲେ ସୁପ୍ରିମକୋର୍ଟ

୨୦୨୩ ଆଇନ ଅନୁଯାୟୀ ଦୁଇ ନିର୍ବାଚନ କମିଶନରଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିଲା।

author-image
Debibandita Barick
ଅଦ୍ୟତନ ହୋଇଛି
Sukhbir Singh Sandhu & Gyanesh Kumar

Sukhbir Singh Sandhu & Gyanesh Kumar

ଦୁଇ ଜଣ ନୂଆ ନିର୍ବାଚନ କମିଶନରଙ୍କ ନିଯୁକ୍ତି ସ୍ଥଗିତ ରଖିବାକୁ ମନା କରିଦେଇଛନ୍ତି ସୁପ୍ରିମକୋର୍ଟ। ୨୦୨୩ ଆଇନ ଅନୁଯାୟୀ ଦୁଇ ନିର୍ବାଚନ କମିଶନର - ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କୁ ନିଯୁକ୍ତି ଦିଆଯାଉଥିବାରୁ ଏହା ଉପରେ ରୋକ୍ ଲଗାଇବାକୁ ଆବେଦନ ହୋଇଥିଲା, ଯାହାକୁ ଆଜି ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଜଣେ ବିରୋଧୀ ଦଳର ନେତା ଏବଂ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ କିଏ ନିର୍ବାଚନ କମିଶନର ନିଯୁକ୍ତି ହେବେ ସେନେଇ ନିଷ୍ପତ୍ତି ହୋଇଥିଲା। ଗତକାଲି ପ୍ରଧାନମନ୍ତ୍ରୀ ମୋଦି, ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଲୋଚନା କରି ଖାଲି ଥିବା ଦୁଇ ପଦବୀ ପାଇଁ ପୂର୍ବତନ ପ୍ରଶାସନିକ ଅଧିକାରୀ ଜ୍ଞାନେଶ କୁମାର ଏବଂ ସୁଖବୀର ସିଂହ ସାନ୍ଧୁଙ୍କ ନାମ ଉପରେ ମୋହର ମାରିଥିଲେ।

କିନ୍ତୁ ୨୦୨୩ ଆଇନ ଅନୁସାରେ, ଚୟନ ପ୍ୟାନେଲରେ ଶାସକ ଦଳର ଅଧିକ ସଂଖ୍ୟକ ନେତା ରହୁଥିବାରୁ ଏହି ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରାଯାଇଛି। କିଏ ନିର୍ବାଚନ କମିଶନର ହେବେ, ତାହା ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା ଅଭିଯୋଗ କରି ଜଣେ ଆବେଦନକାରୀ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆଜି ସୁପ୍ରିମକୋର୍ଟ ବିଚାରପତି ସଞ୍ଜୀବ ଖାନ୍ନା, ଦୀପଙ୍କର ଦତ୍ତ ଏବଂ ଅଗସ୍ତିନୀ ଗର୍ଗ ମାସିହଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ଉପରେ ଶୁଣାଣି କରିଛନ୍ତି।

Advertisment

ଅଦାଲତ ନିଯୁକ୍ତି ପ୍ରକ୍ରିୟା ଉପରେ ସ୍ଥଗିତାଦେଶ ଆବେଦନକୁ ଖାରଜ କରି କହିଛନ୍ତି, ସାଧାରଣତଃ ଭାବରେ ମଧ୍ୟବର୍ତ୍ତୀକାଳୀନ ଭାବେ ଆସିଥିବା ଆଇନକୁ ଆମେ ସ୍ଥଗିତ କରିପାରିବୁ ନାହିଁ। ଏଥିସହ ଆବେଦନକାରୀଙ୍କୁ ଆଉ ଏକ ପୃଥକ ଆବେଦନ ଫାଇଲ୍ କରିବାକୁ କୋର୍ଟ କହିଛନ୍ତି। ଆସନ୍ତା ଗୁରୁବାର ଏ ଉପରେ ପରବର୍ତ୍ତୀ ଶୁଣାଣି କରାଯିବ। 

Supreme Court Election Commissioner Election Commissioner Appointment