Advertisment

ମମତାଙ୍କ ପୁତୁରାଙ୍କ ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ପଶ୍ଚିମ ବଙ୍ଗର ସ୍କୁଲଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ କୋଟି କୋଟି ଟଙ୍କାର ଘୋଟାଲ କରିଥିବା ଅଭିଯୋଗ ହୋଇଥିବା ବେଳେ ଇଡି ଏହାର ତଦନ୍ତ କରୁଛି।

author-image
Jitendra Garnayak
Abhishek Banerjee

Abhishek Banerjee

ତୃଣମୂଳ କଂଗ୍ରେସ ସାଂସଦ ତଥା ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ଲାଗିଛି ବଡ଼ ଝଟକା। ପଶ୍ଚିମ ବଙ୍ଗରେ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ମନି ଲଣ୍ଡରିଂ ଦିଗରେ ଖୋଳତାଡ଼ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଜାରି ସମନ ବିରୋଧରେ ଅଭିଷେକ ସୁପ୍ରିମକୋର୍ଟରେ କରିଥିବା ଆବେଦନ ଖାରଜ ହୋଇଯାଇଛି। ସେହିଭଳି ଏହି ମାମଲାରେ ଇଡିର ସମନ ବିରୋଧରେ ଅଭିଷେକଙ୍କ ପତ୍ନୀ କରିଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରି ଦେଇଛନ୍ତି।

Advertisment

ପଶ୍ଚିମ ବଙ୍ଗର ସ୍କୁଲଗୁଡ଼ିକରେ ଶିକ୍ଷକ ନିଯୁକ୍ତିରେ ଅଭିଷେକ ବାନାର୍ଜୀ ଓ ତାଙ୍କ ପତ୍ନୀ ରୁଜିରା ବାନାର୍ଜୀ କୋଟି କୋଟି ଟଙ୍କାର ଘୋଟାଲ କରିଥିବା ଅଭିଯୋଗ ହୋଇଥିବା ବେଳେ ଇଡି ଏହାର ତଦନ୍ତ କରୁଛି। ଇଡି ପକ୍ଷରୁ ପଚରାଉଚରା ପାଇଁ ଅଭିଷେକ ବାନାର୍ଜୀଙ୍କୁ ଅନେକ ଥର ସମନ ପଠାଯାଇଥିଲେ ହେଁ ସେ ଏହାକୁ ଏଡ଼ାଇ ଯାଇଥିଲେ। ଏହା ସହିତ ସେ ଇଡିର ସମନ ବିରୋଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଇଡି ତାଙ୍କୁ ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିବା ବେଳେ ଅଭିଷେକ ଏହାକୁ ବିରୋଧ କରିଥିଲେ। ଇଡି ତାଙ୍କୁ କୋଲକାତା କାର୍ଯ୍ୟାଳୟରେ ହାଜର ହେବାକୁ ସମନ ଦେବା କଥା ବୋଲି ସେ ଯୁକ୍ତି ବାଢ଼ିଥିଲେ। ତେବେ ସୁପ୍ରିମକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଛନ୍ତି। ଅଗଷ୍ଟ ୧୩ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏହି ମାମଲାରେ ଗତ ବର୍ଷ ଜୁନ୍ ମାସରେ ଏକ ଚାର୍ଜଶିଟ୍ ଦାଖଲ କରିଥିବା ବେଳେ ସେଥିରେ ଅଭିଷେକ ବାନାର୍ଜୀଙ୍କ ନାଁ ରହିଥିଲା। ଇଡିର ସୂଚନା ଅନୁଯାୟୀ, ଜଣେ ବ୍ୟକ୍ତି ଶିକ୍ଷକ ଚାକିରି ପାଇବା ପାଇଁ ତୃଣମୂଳ କଂଗ୍ରେସ ନେତା କୁନ୍ତଳ ଘୋଷଙ୍କୁ ଟଙ୍କା ଦେଇଥିଲେ। କୁନ୍ତଳ ଘୋଷ ସେହି ଟଙ୍କା ନେଇ ସୁଜୟ କୃଷ୍ଣ ଭଦ୍ରାଙ୍କୁ ଦେଇଥିଲେ। ସୁଜୟ ଭଦ୍ରା ହେଉଛନ୍ତି ଜଣେ ତୃଣମୂଳ କଂଗ୍ରେସ ନେତା ଯିଏ ଅଭିଷକ ବାନାର୍ଜୀଙ୍କ ସମସ୍ତ ଆର୍ଥିକ କାରବାର କଥା ପରିଚାଳନା କରୁଥିଲେ। ସେତେବେଳେ ଅଭିଷେକ ବାନାର୍ଜୀ ଅଖିଳ ଭାରତୀୟ ତୃଣମୂଳ କଂଗ୍ରେସ ଯୁବ ଶାଖାର ସଭାପତି ଥିଲେ।

Advertisment

ଏହି ଘୋଟାଲାରେ ଅଭିଷେକ ବାନାର୍ଜୀଙ୍କ ପରିବାରର ସଂପୃକ୍ତି ରହିଛି ବୋଲି ଇଡି କହିଛି। ଇଡିର କହିବା ଅନୁଯାୟୀ, ଅଭିଷେକଙ୍କ ପତ୍ନୀ ଏକ ଘରୋଇ କମ୍ପାନୀରେ ନିର୍ଦ୍ଦେଶକ ଅଛନ୍ତି। ଶିକ୍ଷକ ନିଯୁକ୍ତି ଦୁର୍ନୀତିରୁ ଯେଉଁ ସବୁ ଟଙ୍କା ଅଭିଷେକ ଠୁଳ କରିଥିଲେ, ସେଗୁଡ଼ିକୁ ତାଙ୍କ ପତ୍ନୀ ନେଇ ସେହି କମ୍ପାନୀରେ ଲଗାଇଥିଲେ। ତେବେ ଅଭିଷେକ ବାନାର୍ଜୀ ଓ ତୃଣମୂଳ କଂଗ୍ରେସ ଏହି ଅଭିଯୋଗକୁ ଖଣ୍ଡନ କରିଆସୁଛନ୍ତି। ଏହା ପଛରେ ରାଜନୀତିକ ଷଡ଼ଯନ୍ତ୍ର ରହିଛି ବୋଲି ସେମାନେ କହୁଛନ୍ତି।

TMC Supreme Court Abhishek Banerjee