Advertisment

ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ, ଜାମିନ ପାଇଁ ଟ୍ରାଏଲ କୋର୍ଟ ଯାଇପାରିବେ କେଜ୍ରିୱାଲ

ଆଜି ସୁପ୍ରିମକୋର୍ଟ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ସତ କିନ୍ତୁ କେଜ୍ରିୱାଲଙ୍କୁ ତଳ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ ଅନୁମତି ଦେଇଛନ୍ତି।

author-image
Hemant Lenka
Arvind Kejriwal

Arvind Kejriwal

ଅବକାରୀ ନୀତି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ହୋଇଥିବା ଗିରଫଦାରୀ ବିରୋଧରେ ଅରବିନ୍ଦ କେଜ୍ରିୱାଲ କରିଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟ କରିଛନ୍ତି। ଏହି ସମୟରେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀ ଦମଦାର ଯୁକ୍ତି ଉପସ୍ଥାପନ କରିଛନ୍ତି।

Advertisment

ଯୁକ୍ତି ଶୁଣିବା ପରେ ସର୍ବୋଚ୍ଚ ଅଦାଲତନ ଇଡିକୁ ନୂଆ ତଥ୍ୟ ସବୁ ଆଣିବାକୁ କହିଛନ୍ତି। ଆଜି ସୁପ୍ରିମକୋର୍ଟ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି ସତ କିନ୍ତୁ କେଜ୍ରିୱାଲଙ୍କୁ ତଳ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ ଅନୁମତି ଦେଇଛନ୍ତି।

ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଦୀପଙ୍କର ଦତ୍ତାଙ୍କ ଖଣ୍ଡପୀଠ ଇଡି ଦେଇଥିବା ଲଖିତ ତଥ୍ୟକୁ ପଢ଼ିଥିଲେ। ଏହାପରେ ଦିଲ୍ଲୀ ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ଗିରଫଦାରୀ ପରେ ଆଉ କ’ଣ ସବୁ ନୂଆ ପ୍ରମାଣ ମିଳିଛି, ସେସବୁ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୂଆ ତଥ୍ୟ ଆଧାରରେ ଇଡି କେଜ୍ରିୱାଲଙ୍କୁ ଗିରଫ କରିଥିବା ଦାବି କରୁଥିବାରୁ ସୁପ୍ରିମକୋର୍ଟ ଏପରି କହିଛନ୍ତି।

Advertisment

ଇଡି ମାର୍ଚ୍ଚ ୨୧ରେ କେଜ୍ରିୱାଲଙ୍କୁ ଗିରଫ କରିଥିଲା। ତେବେ ଦେଶରେ ଲୋକସଭା ନିର୍ବାଚନ ଚାଲିଥିବାରୁ ମେ’ ୧୦ରେ ୨୧ ଦିନ ପାଇଁ ସୁପ୍ରିମକୋର୍ଟ ତାଙ୍କୁ ଅନ୍ତରୀଣ ଜାମିନ ଦେଇଛନ୍ତି। ହେଲେ ସେ ଇଡିର ଗିରଫଦାରୀକୁ ଚ୍ୟାଲେଞ୍ଜ କରିଥିବା ଆବେଦନର ଶୁଣାଣି ସୁପ୍ରିମକୋର୍ଟରେ ଚାଲିଛି।

ଆଜି ଶୁଣାଣି ବେଳେ କେଜ୍ରିୱାଲଙ୍କ ଓକିଲ ଅଭିଷେକ ମନୁସିଙ୍ଘଭୀ କହିଥିଲେ ଯେ କେଜ୍ରିୱାଲଙ୍କ ଗିରଫଦାରୀକୁ ଯଥାର୍ଥ ଦର୍ଶାଇବାକୁ ଇଡି ପ୍ରମାଣ ହାସଲ କରିଥିବା କହୁଛି। କିନ୍ତୁ ଏଯାଏ ଏଗୁଡ଼ିକ କୋର୍ଟଙ୍କ ଆଗରେ ଉପସ୍ଥାପନ କରାଯାଇନି।

କେଜ୍ରିୱାଲଙ୍କୁ ଗିରଫ କରିବା ପଛରେ ଇଡି ୨୦୨୩ ଜୁଲାଇ ଓ ଅଗଷ୍ଟର ପ୍ରମାଣ ଦେଖାଉଛି। ସେସବୁ ସିସୋଦିଆଙ୍କୁ ଗିରଫ ପାଇଁ ଦର୍ଶାଯାଇଥିଲା। ତେଣୁ କେଜ୍ରିୱାଲଙ୍କ କେସ୍‌ରେ ନୂଆ ପ୍ରମାଣ କେଉଁଠି ଅଛି? ଗୋଆ ନିର୍ବାଚନରେ ପାଣ୍ଠି ଖର୍ଚ୍ଚ କରିବା ଅଭିଯୋଗର କୌଣସି ପ୍ରମାଣ ନାହିଁ ବୋଲି ସେ କହିଥିଲେ।ଅବକାରୀ ନୀତି ଦୁର୍ନୀତିରୁ ମିଳିଥିବା ଲାଞ୍ଚ ଟଙ୍କାକୁ ଆପ୍‌ ଗୋଆ ନିର୍ବାଚନରେ ଖର୍ଚ୍ଚ କରିଥିବା ଇଡି ବାରମ୍ବାର ଦାବି କରିବାକୁ ସିଙ୍ଘଭୀ ଏପରି କହିଛନ୍ତି।

ସେ କହିଛନ୍ତି, “ପୂରା ଅଭିଯୋଗ ୧୦୦ କୋଟି ଟଙ୍କାର। ଏହା ୨୦୨୩ ଅଗଷ୍ଟର ଅଭିଯୋଗ। ଏହା ପୁରୁଣା ଖବର। ୨୦୨୪ ମାର୍ଚ୍ଚରେ କେଜ୍ରିୱାଲଙ୍କୁ ଗିରଫ କରାଯାଇଛି। କୌଣସି ଟଙ୍କା କାରବାର ହୋଇନାହିଁ।”

ଗୋଆର ୭ଷ୍ଟାର ହୋଟେଲରେ କେଜ୍ରିୱାଲ ରହିଥିବା ନେଇ ଇଡି କରିଥିବା ଦାବିକୁ ମଧ୍ୟ ସିଙ୍ଘଭୀ ବିରୋଧ କରିଛନ୍ତି। ସେ କହିଛନ୍ତି, “ଅନେକ କଥା କୋର୍ଟଙ୍କ ଆଗରେ ଉପସ୍ଥାପନ କରାଯାଉଛି। ବର୍ତ୍ତମାନ କେହି ଗୋଟଏ ଚରଣପ୍ରୀତ ସିଂହ ସାମ୍ନାକୁ ଆସିଛନ୍ତି। ଚରଣପ୍ରୀତ ସିଂହ ଆଜି ଯାଏ କେଉଁଠି ଥିଲେ? ତାଙ୍କୁ ବିଶ୍ୱାସ କରିବାର କାରଣ କ’ଣ?”

ସଲିସିଟର ଜେନରାଲ ତୁଷାର ମେହେଟାଙ୍କ ଲିଖିତ ନୋଟ ସମ୍ପର୍କରେ ସିଙ୍ଘଭୀ କହିଛନ୍ତି, “ଏପରି ନୋଟ ପୂରା ଭୁଲ। ମୁଁ ଯୁକ୍ତି ରଖିସାରିବା ପରେ ଆପଣ ଅଧାରୁ ଏପରି ଲିଖିତ ନୋଟ ରଖିପାରିବେ ନାହିଁ। ୧୦୦ କୋଟି କଥା କୁହାଯାଉଛି। କିନ୍ତୁ କେଜ୍ରିୱାଲଙ୍କୁ ଟଙ୍କା ଦେବା ନେଇ କୌଣସି ସାକ୍ଷୀ ନାହାନ୍ତି।

ରାଜସାକ୍ଷୀ ବନିଥିବା ବ୍ୟକ୍ତି କେବଳ ୨୫ କୋଟି ଟଙ୍କା କଥା କହିଛନ୍ତି। ତେଣୁ ୧୦୦ କୋଟି ଏବେ ୨୫ କୋଟିରେ ପରିଣତ ହୋଇଛି। ଅଭିଯୁକ୍ତ ଅଭିଷେକ ବୋଇନାପାଲୀ ଏବେ କହୁଛନ୍ତି, ସେ କିଛି ପାଇନାହାନ୍ତି। ଗିରଫ ବେଳେ ଏହାକୁ ଯାଞ୍ଚ କରିବାର ପ୍ରଶ୍ନ ଉଠୁ ନାହିଁ।“

ଅରବିନ୍ଦ ଫାର୍ମାର ନିର୍ଦ୍ଦେଶକ ହେଉଛନ୍ତି ପି ଶରତ ଚନ୍ଦ୍ର ରେଡ୍ଡୀ। ସେ କିଣିଥିବା ନିର୍ବାଚନୀ ବଣ୍ଡ କଥା ମଧ୍ୟ ସିଙ୍ଘଭୀ ଉଠାଇଛନ୍ତି। ଶରତ ରେଡ୍ଡୀ ୫୫ କୋଟି ଟଙ୍କାର ନିର୍ବାଚନୀ ବଣ୍ଡ କିଣିଥିଲେ। ତାଙ୍କ ବ୍ୟାକ ପେନ୍‌ ରହିଥିଲା। ପ୍ରଥମେ ଇଡି ତାଙ୍କର ଜାମିନକୁ ବିରୋଧ କରିଥିଲା।

ପରେ ଆଉ ବିରୋଧ ଦେଖିବାକୁ ମିଳି ନଥିଲା। ସେ ପରବର୍ତ୍ତୀ ଅବସ୍ଥାରେ ରାଜସାକ୍ଷୀ ବନିଥିଲେ। ତାଙ୍କୁ କଥାରେ କେଜ୍ରିୱାଲଙ୍କୁ ଜେଲ ଭିତରକୁ ନିଆଯିବା ଯଥେଷ୍ଟ କି?”

ଏକଥା ଶୁଣିବା ପରେ ତୁଷାର ମେହେଟା କହିଥିଲେ ଯେ ଟଙ୍କା କାରବାର ପଛରେ ଥିବା ହାୱାଲା ଅପରେଟରକୁ ଏବେ ଗିରଫ କରାଯାଇଛି। ତେଣୁ ନୂଆ ପ୍ରମାଣ ଆଧାରରେ ଗିରଫ କରାଯାଇଛି।

ଉଭୟ ପକ୍ଷକୁ ଶୁଣିବା ପରେ କୋର୍ଟ ରାୟକୁ ସଂରକ୍ଷିତ ରଖିଥିଲେ।

ED Raid Arvind Kejriwal Supreme Court