Advertisment

ବିହାର ଏସ୍‌ଆଇଆର୍‌ ରଦ୍ଦ କରିବାର ଚେତାବନୀ ଦେଲେ ସୁପ୍ରିମକୋର୍ଟ

ଶୁଣାଣି ବେଳେ ରଦ୍ଦର ଚେତାବନୀ ଦେଇଥିଲେ ହେଁ ଖଣ୍ତପୀଠ ମାନିଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ ଗୋଟିଏ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ଏସ୍‌ଆଇଆର ବେଳେ ଆଇନର ପାଳନ କରିଥିବେ।

author-image
Hemant Lenka
Bihar

Bihar

ବିଧାନସଭା ନିର୍ବାଚନ ପୂର୍ବରୁ ବିହାରରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ବା ସ୍ପେଶାଲ ଇଣ୍ଟେନସିଭ ରିଭିଜନ(ଏସଆଇଆର) ପ୍ରସଙ୍ଗରେ ବଡ଼ ଚେତାବନୀ ଦେଇଛନ୍ତି ସୁପ୍ରିମକୋର୍ଟ। ଭାରତୀୟ ନିର୍ବାଚନ କମିଶନ ବିହାରରେ ଏସ୍‌ଆଇଆର ପାଇଁ ଆପଣାଇଥିବା ଶୈଳୀ ବା ବ୍ୟବସ୍ଥାରେ ଯଦି କୌଣସି ତ୍ରୁଟି ଜଣାପଡ଼ିବ, ତା’ହେଲେ ଏହାକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରି ଦିଆଯିବ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି।

Advertisment

ବିହାର ଏସ୍‌ଆଇଆରକୁ ବିରୋଧ କରି ହୋଇଥିବା ଆବେଦନର ଶୁଣାଣି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚୀଙ୍କ ଖଣ୍ଡପୀଠ କରୁଛନ୍ତି। ଶୁଣାଣି ବେଳେ ରଦ୍ଦର ଚେତାବନୀ ଦେଇଥିଲେ ହେଁ ଖଣ୍ତପୀଠ ମାନିଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ ଗୋଟିଏ ସାମ୍ବିଧାନିକ ସଂସ୍ଥା ହୋଇଥିବାରୁ ଏସ୍‌ଆଇଆର ବେଳେ ଆଇନର ପାଳନ କରିଥିବେ। ଯଦି ନିର୍ବାଚନ କମିଶନ କୌଣସି ବେଆଇନ କାର୍ଯ୍ୟଶୈଳୀ ଆପଣାଇଥିବେ ତା’ହେଲେ ଏସ୍‌ଆରଆର ପରେ ପ୍ରସ୍ତୁତ ଭୋଟର ତାଲିକାକୁ ସଂପୂର୍ଣ୍ଣ ଭାବେ ରଦ୍ଦ କରି ଦିଆଯିବ ବୋଲି ଖଣ୍ଡପୀଠ ମତ ରଖିଛନ୍ତି। 

ବିହାର ଏସ୍‌ଆଇଆର ବୈଧତା ସମ୍ପର୍କରେ ଚୂଡ଼ାନ୍ତ ଯୁକ୍ତି ପାଇଁ ଅକ୍ଟୋବର ୭କୁ ଧାର୍ଯ୍ୟ କରିଛନ୍ତି ଖଣ୍ଡପୀଠ। ଏଥିସହ ଏବେ ଏହା ଉପରେ କୌଣସି ନିର୍ଦ୍ଦିଷ୍ଟ ଟିପ୍ପଣୀ କରିବାକୁ ମନା କରି ଦେଇଛନ୍ତି। ଏସ୍‌ଆଇଆରରେ ପ୍ରକ୍ରିୟାଗତ ତ୍ରୁଟି ଓ ପ୍ରାଧିକୃତ ବିସଙ୍ଗତି ଅଭିଯୋଗକୁ କୋର୍ଟ ବିଚାରକୁ ନେଇଥିଲେ। କିନ୍ତୁ ଏସ୍‌ଆଇଆର ପାଇଁ ନିର୍ବାଚନ କମିଶନ ନେଇଥିବା ପଦକ୍ଷେପରେ କୌଣସି ପ୍ରକାରର ପରିବର୍ତ୍ତନ କରି ନାହାନ୍ତି।

Advertisment

ଶୁଣାଣି ବେଳେ ଆଇନଜୀବୀ ଅଶ୍ୱିନୀ କୁମାର ଉପାଧ୍ୟାୟ ପୂରା ଦେଶରେ ଏସଆଇଆର ପାଇଁ ଓକିଲାତି କରିଥିଲେ। ଏଥିସହ ଆଧାରକୁ ଜଣଙ୍କର ବୟସଗତ ଓ ଆବାସିକ ପ୍ରମାଣପତ୍ର ଭାବେ ବିବେଚନା କରାଯାଇ ପାରିବ ନାହିଁ ବୋଲି କହିଥିଲେ। 

ଏହା ଶୁଣି ଜଷ୍ଟିସ ବାଗଚି ପ୍ରଶ୍ନ କରିଥିଲେ ଯେ ନିର୍ବାଚନ ଆଇନରେ ଆଧାରକୁ ସ୍ୱୀକୃତି ମିଳିଛି କି ନାହିଁ? ଏହି ସମୟରେ ଉପାଧ୍ୟାୟ ସୁପ୍ରିମକୋର୍ଟ ଆଧାର ସମ୍ପର୍କରେ ପୂର୍ବରୁ ଦେଇଥିବା ନିର୍ଦ୍ଦେଶରେ ସଂଶୋଧନ ଦାବି କରିଥିଲେ।

ଅନ୍ୟତମ ବରିଷ୍ଠ ଆଇନଜୀବୀ ଗୋପାଲ ଶଙ୍କରନାରାୟଣ ବେଶ ଦୃଢ଼ ବେ ଉପାଧ୍ୟାୟଙ୍କୁ କାଉଣ୍ଟର କରି ଜନପ୍ରତିନିଧି ଆଇନର ଧାରା ୨୩(୪)ରେ ଆଧାରକୁ ମତଦାତା ସୂଚୀରେ ବ୍ୟବହାର କରାଯିବାର ପ୍ରାବଧାନ ରହିଛି ବୋଲି କହିଛନ୍ତି।

ଜଷ୍ଟିସ କାନ୍ତ କହିଛନ୍ତି ଯେ ଭାରତୀୟ ନାଗରିକ ଓ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ପାଇଁ ନିର୍ବାଚନ କମିଶନ ବେଶ ସକ୍ଷମ। ନିର୍ବାଚନ କମିଶନ ସବୁ ପ୍ରକାରର ଆଇନ ଜାଣିଛନ୍ତି। ଆଇନଜୀବୀ ଶଙ୍କରନାରାୟଣ ଓ ପ୍ରଶାନ୍ତ ଭୂଷଣ ସ୍ୱଚ୍ଛତା, ଆପତ୍ତି ସଂକ୍ରାନ୍ତ ତଥ୍ୟ ସାର୍ବଜନୀନ କରାଯିବା ପ୍ରକ୍ରିୟା ଉପରେ ଆଂଶିକ ରୋକ ଓ ସମ୍ଭାବ୍ୟ ଯୋଗ୍ୟ ଭୋଟରଙ୍କ ନାଁକୁ ବାଦ ଦିଆଯିବା ଘଟଣାକୁ ନେଇ ଶୁଣାଣି ବେଳେ ଚିନ୍ତା ପ୍ରକଟ କରିଥିଲେ।

ଏହା ଶୁଣିବା ପରେ ସମସ୍ତ ତଥ୍ୟ ଓ ଆପତ୍ତି ସଂକ୍ରାନ୍ତ ତଥ୍ୟକୁ ନିୟମିତ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେପ୍ଟେମ୍ବର ୧ରୁ ଆଉ ତଥ୍ୟ ସାର୍ବଜନୀନ ହେଉ ନଥିବା ଜଣାପଡ଼ିବା ପରେ ସୁପ୍ରିମକୋର୍ଟ ଏପରି କହିଛନ୍ତି। ଆସନ୍ତା ୭ ଓ ୮ ତାରିଖରେ ବିହାର ଏସଆଇଆରର ଚୂଡ଼ାନ୍ତ ଶୁଣାଣି ହେବାକୁ ଥିବାରୁ ସବୁ ପକ୍ଷଙ୍କୁ ପ୍ରସ୍ତୁତ ହୋଇ ଆସିବାକୁ ଖଣ୍ଡପୀଠ କହିଛନ୍ତି।

ସେପ୍ଟେମ୍ବର ୮ ଶୁଣାଣି ବେଳେ ବିହାର ଏସ୍‌ଆଇଆରରେ ଆଧାରକୁ ୧୨ତମ ଦସ୍ତାବିଜ ଭାବେ ଗ୍ରହଣ କରିବାକୁ ସୁପ୍ରିମକୋର୍ଟ କହିଥିଲେ।

Bihar Supreme Court bihar-sir