Advertisment

ବିଚାରପତି ନିଯୁକ୍ତିରେ ବିଳମ୍ବ: କେନ୍ଦ୍ର ଉପରେ ବର୍ଷିଲେ ଓ ଚୁପ ବସିବେନି କହିଲେ ସୁପ୍ରିମକୋର୍ଟ

ଜଷ୍ଟିସ କୌଲ କହିଛନ୍ତି, “ମୋର ଅନେକ କିଛି କହିବାର ଅଛି। କିନ୍ତୁ ମୁଁ ନିଜକୁ ନିଜେ ଅଟକାଇ ଦେଉଛି। ଆଟର୍ଣ୍ଣି ଜେନେରାଲ ଗୋଟିଏ ସପ୍ତାହ ସମୟ ମାଗିବାକୁ ମୁଁ ଚୁପ ରହିଛି। କିନ୍ତୁ ପରବର୍ତ୍ତୀ ତାରିଖରେ ମୁଁ ଆଉ ଚୁପ ରହିବି ନାହିଁ।

SC

SC

Advertisment

ବିଚାରପତି ନିଯୁକ୍ତିରେ ବିଳମ୍ବକୁ ନେଇ କେନ୍ଦ୍ର ଉପରେ ଅସନ୍ତୋଷ ଝାଡ଼ିଛନ୍ତି ସୁପ୍ରିମକୋର୍ଟ। ହାଇର୍କୋଟ ପ୍ରସ୍ତାବକୁ କାହିଁକି କେନ୍ଦ୍ର ସରକାର ଏଯାଏ କଲେଜିୟମଙ୍କ ନିକଟକୁ ପଠାଇ ନାହାନ୍ତି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।

Advertisment

ବିଚାରପତି ପଦ ପାଇଁ ସୁପାରିସ ହେଉଥିବା ନାଁ ଗୁଡ଼ିକ ଉପରେ ମୋହର ମାରିବାରେ କେନ୍ଦ୍ର ସରକାର ବିଳମ୍ବ କରୁଥିବାରୁ ନ୍ୟାୟିକ ବ୍ୟବସ୍ଥା ପ୍ରଭାବିତ ହେଉଛି। ଏଥିପାଇଁ ଏକାଧିକ ପିଟିସନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି।

ଏହାର ଶୁଣାଣି ଜଷ୍ଟିସ ସଞ୍ଜୟ କିଶନ କୌଲ ଓ ଜଷ୍ଟିସ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ କରିଛନ୍ତି। ଶୁଣାଣି ବେଳେ ଖଣ୍ଡପୀଠ କହିଛନ୍ତି ଯେ ଆମେ ବେଶ ଗୁରୁତ୍ୱର ସହ ପ୍ରସଙ୍ଗ ଉପରେ ନଜର ରଖିଛୁ। ୧୦ ମାସ ହେଲା ସୁପାରିସ ସବୁ ଅନୁମୋଦନ ଅପେକ୍ଷାରେ ରହିଛି।

Advertisment

କେବଳ ଗୋଟିଏ ମୂଳ ପ୍ରକ୍ରିୟା କାର୍ଯ୍ୟକାରୀ ଚାଲିଛି। ଆପଣଙ୍କ ମତାମତ ଜାଣିବା ଦରକାର। ଏହାଦ୍ୱାରା କଲେଜିୟମ କୌଣସି ନିଷ୍ପତ୍ତି ନେଇ ପାରିବେ।

୨୬ ଜଣ ବିଚାରପତିଙ୍କ ବଦଳି ଓ ଗୋଟିଏ ସମ୍ବେଦନଶୀଳ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ନିଯୁକ୍ତି ପାଇଁ କରାଯାଇଥିବା ସୁପାରିସ କେନ୍ଦ୍ର ପାଖରେ ପଡ଼ି ରହିଛି ବୋଲି ଖଣ୍ଡପୀଠ କହିଛନ୍ତି।

ଜଷ୍ଟିସ କୌଲ କହିଛନ୍ତି, “ହାଇକୋର୍ଟ ସୁପାରିସ କରିଥିବା କେତୋଟି ନାଁ ଅନୁମୋଦନ ଅପେକ୍ଷାରେ ରହିଛି, ତା’ର ସୂଚନା ମୋ ପାଖରେ ରହିଛି। କିନ୍ତୁ ସେସବୁ ନାଁ କଲେଜିୟମଙ୍କ ପାଖରେ ପହଞ୍ଚି ପାରି ନାହିଁ।”

କେନ୍ଦ୍ର ପକ୍ଷରୁ ଆଟର୍ଣ୍ଣି ଜେନେରାଲ ଆର ଭେଙ୍କଟରମଣୀ ଏ ସମ୍ପର୍କରେ ଜବାବ ରଖିବାକୁ ଗୋଟିଏ ସପ୍ତାହର ସମୟ ମାଗିଥିଲେ। ତେବେ ଖଣ୍ଡପୀଠ ତାଙ୍କୁ ୨ ସପ୍ତାହର ସମୟ ଦେଇଛନ୍ତି ଓ ପରବର୍ତ୍ତୀ ଶୁଣାଣି ବେଳକୁ କେନ୍ଦ୍ରର ମତାମତ ଆଣିବାକୁ କହିଛନ୍ତି। ଏବେ ଅକ୍ଟୋବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଆଜିର ଶୁଣାଣି ବେଳେ କେନ୍ଦ୍ର ଉପରେ ଜୋରଦାର ବର୍ଷି ଜଷ୍ଟିସ କୌଲ କହିଛନ୍ତି, “ମୋର ଅନେକ କିଛି କହିବାର ଅଛି। କିନ୍ତୁ ମୁଁ ନିଜକୁ ନିଜେ ଅଟକାଇ ଦେଉଛି। ଆଟର୍ଣ୍ଣି ଜେନେରାଲ ଗୋଟିଏ ସପ୍ତାହ ସମୟ ମାଗିବାକୁ ମୁଁ ଚୁପ ରହିଛି। କିନ୍ତୁ ପରବର୍ତ୍ତୀ ତାରିଖରେ ମୁଁ ଆଉ ଚୁପ ରହିବି ନାହିଁ।”

ବିଭିନ୍ନ ହାଇକୋର୍ଟ ପକ୍ଷରୁ ୭୦ ଜଣଙ୍କ ନାଁ ସୁପାରିସ କରାଯାଇଛି। ଏହି ନାଁ ଗୁଡ଼ିକ ସରକାରଙ୍କ ପାଖରେ ୧୦ମାସ ହେଲା ପଡ଼ି ରହିଛି। ଅତିରିକ୍ତ ଭାବେ ସୁପ୍ରିମକୋର୍ଟ କଲେଜିୟମ ମଧ୍ୟ ୯ ଜଣଙ୍କ ନାଁ ବିଚାରପତି ପଦ ପାଇଁ ସୁପାରିସ କରିଛନ୍ତି।

ଏହାବାଦ କେନ୍ଦ୍ର ସରକାର ଫେରାଇ ଦେଇଥିବା ୭ ଜଣଙ୍କ ନାଁ ଉପରେ ପୁଣି ମୋହର ମାରିବାକୁ କଲେଜିୟମ ପ୍ରସ୍ତାବ ଦେଇଛନ୍ତି। ତଥାପି କେନ୍ଦ୍ର ସରକାର ଫାଇଲକୁ କ୍ଲିୟର କରୁ ନଥିବାରୁ ଆଜି ସର୍ବୋଚ୍ଚ ଅଦାଲତ ଅସନ୍ତୋଷ ପ୍ରକାଶ କରିଛନ୍ତି।

Supreme Court Supreme Court Collegium Supreme Court Collegium Recommendation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe