ସୁପ୍ରିମକୋର୍ଟ
ଜଣେ ଆଇନଜୀବୀଙ୍କ ଉପରେ ଶୁକ୍ରବାର ପ୍ରବଳ ବର୍ଷିଛନ୍ତି ସୁପ୍ରିମକୋର୍ଟ। ଗତବର୍ଷ ଗୋଟିଏ ମାମଲାର ଶୁଶାଣି ବେଳେ ଏହି ଆଇନଜୀବୀ ଜଣଙ୍କ ଝାରଖଣ୍ଡ ହାଇକୋର୍ଟ ବିଚାରପତିଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିପାଇଁ ତାଙ୍କ ବିରୋଧରେ ହାଇକୋର୍ଟ ଅପରାଧିକ ଅଦାଲତ ଅବମାନନା ନୋଟିସ କରିଛନ୍ତି। ଏହାକୁ ସେ ସୁପ୍ରିମକୋର୍ଟ(Supreme Court)ରେ ଚ୍ୟାଲେଞ୍ଜ କରିଛନ୍ତି। ଏହାର ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଆବେଦନକାରୀ ଆଇନଜୀବୀଙ୍କୁ ସମାଲୋଚନା କରିଛନ୍ତି।
ଅକ୍ଟୋବର ୧୬ରେ ଆଇନଜୀବୀ ମହେଶ ତିୱାରୀ ଝାରଖଣ୍ଡ ହାଇକୋର୍ଟର ବିଚାରପତି ଜଷ୍ଟିସ ରାଜେଶ କୁମାରଙ୍କ ସହ ଜୋରଦାର ଯୁକ୍ତିତର୍କ କରିଥିଲେ। ଏହାର ଭିଡିଓ ମଧ୍ୟ ସୋଶାଲ ମିଡିଆରେ ରହିଛି। ଶୁଣାଣି ବେଳେ ଆଇନଜୀବୀ ତିୱାରୀ ଜଷ୍ଟିସ କୁମାରଙ୍କୁ ନିଜର ସୀମା ଅତିକ୍ରମ ନ କରିବାକୁ ଚେତାବନୀ ଦେଇଥିଲେ।
ଜଣେ ଆଇନଜୀବୀଙ୍କ ଏପରି ଆଚରଣକୁ ବିଭିନ୍ନ ମହଲରେ ନିନ୍ଦା କରାଯାଉଥିଲା ଓ ଝାରଖଣ୍ଡ ହାଇକୋର୍ଟ ତାଙ୍କ ବିରୋଧରେ ଗୋଟିଏ ଅପରାଧିକ ଅଦାଲତ ଅବମାନନା ନୋଟିସ କରିଥିଲେ। ଯାହାକୁ ଆଇନଜୀବୀ ତିୱାରୀ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। କିନ୍ତୁ ସୁପ୍ରିମକୋର୍ଟରେ ତିୱାରୀଙ୍କୁ ନିରାଶର ହେବାକୁ ପଡ଼ିଛି।
ଶୁଶାଣି ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ସେ କେବଳ ସୁପ୍ରିମକୋର୍ଟରୁ ଗୋଟିଏ ନିର୍ଦ୍ଦେଶ ହାସଲ କରି ମୋ ବିରୋଧରେ କେହି କିଛି କରିପାରିବେ ନାହିଁ ବୋଲି ଦେଖାଇ ହେବାକୁ ଚାହୁଁଛନ୍ତି। ଯଦି ସେ କ୍ଷମା ମାଗିବାକୁ ଚାହୁଁଛନ୍ତି, ତା’ହେଲେ କ୍ଷମା ମାଗନ୍ତୁ। ଯଦି ସେ ବିଚାରପତିମାନଙ୍କୁ ଆଖି ଦେଖାଇବାକୁ ଚାହୁଁଛନ୍ତି, ତା’ହେଲେ ସେ ଆଗକୁ ବଢ଼ିପାରିବେ। ଆମେ ଏଠାରେ ବସିଛୁ। ଏହାପରେ ଆମେ ମଧ୍ୟ ଦେଖିବୁ।”
ଯଦି ଆଇନଜୀବୀ ତିୱାରୀ କ୍ଷମା ମାଗୁଛନ୍ତି, ତା’ହେଲେ ତାଙ୍କ ପ୍ରତି ଦୟା ପ୍ରଦର୍ଶନ କରିବାକୁ ମଧ୍ୟ ସୁପ୍ରିମକୋର୍ଟଙ୍କ ପକ୍ଷରୁ ହାଇକୋର୍ଟଙ୍କୁ ପରାମର୍ଶ ଦିଆଯାଇଛି।
୧.୩୦ ଲକ୍ଷର ବକେୟା ପାଇଁ ବିଜୁଳି ବିଭାଗ ଜଣେ ବିଧବାଙ୍କ ସଂଯୋଗ ବିଚ୍ଛିନ୍ନ କରିଥିଲା। ତାଙ୍କ ପାଇଁ ମହେଶ ତିୱାରୀ ମାମଲା ଲଢ଼ିବା ସହ ଶୁଶାଣି ବେଳେ ଜଷ୍ଟିସ ରାଜେଶ କୁମାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଶୁଶାଣି ବେଳେ ସେ କହିଥିଲେ ଯେ ତାଙ୍କ କ୍ଲାଏଣ୍ଟ ପୁନଃ ବିଜୁଳି ସଂଯୋଗ ପାଇଁ ୨୫ ହଜାର ଟଙ୍କାର ବ୍ୟବସ୍ଥା କରିଥିଲେ।
କିନ୍ତୁ ଜଷ୍ଟିସ କୁମାରଙ୍କ କହିବା କଥା ଯେ ଗୋଟିଏ ନ୍ୟାୟିକ ପ୍ରିକ୍ରିୟା ଆରମ୍ଭ କରିବା ପାଇଁ ବାକି ରହିଥିବା ମୋଟ ଟଙ୍କାର ୫୦% ଦାଖଲ କରିବାକୁ ହୋଇଥାଏ। ପରବର୍ତ୍ତୀ ସମୟରେ ତାଙ୍କ କ୍ଲାଏଣ୍ଟ ୫୦ ହଜାର ଟଙ୍କା ଜମା କରିବେ ବୋଲି ତିୱାରୀ ରାଜି ହେବାକୁ ମାମଲାର ସମାଧାନ ହୋଇଥିଲା। କିନ୍ତୁ ତିୱାରୀଙ୍କ ମାମଲାର ଶୁଣାଣି ଶେଷ ହେବା ପରେ ବିବାଦ ବଢ଼ିଥିଲା।
କୋର୍ଟ ଆଉ ଗୋଟିଏ ମାମଲାର ବିଚାର ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜଷ୍ଟିସ କୁମାର ଗୋଟିଏ ବୟାନରେ ତିୱାରୀ ଯେଉଁଭଳି ଭାବେ ଯୁକ୍ତି ଉପସ୍ଥାପନ କରିଥିଲେ, ସେ ସମ୍ପର୍କରେ ମତ ରଖିଥିଲେ। ଏହାପରେ କୋର୍ଟ ରୁମରେ ଉପସ୍ଥିତ ଥିବା ଝାରଖଣ୍ଡ ରାଜ୍ୟ ବାର କାଉସିଲର ଅଧ୍ୟକ୍ଷଙ୍କୁ ଆଇନଜୀବୀଙ୍କ ବ୍ୟବହାରକୁ ନିଜ ଆଡ଼ୁ ବିଚାରକୁ ନେବାକୁ କହିଥିଲେ।
ଏହା ଶୁଶି ତିୱାରୀ ନିଜ ଆସନରେ ଛିଡ଼ା ହୋଇ ଯାଇଥିଲେ। ସେ ବିଚାରପତିଙ୍କୁ ଅଙ୍ଗୁଳି ଦେଖାଇ କହିଥିଲେ ଯେ “ମୁଁ ମୋ ନିଜ ଶୈଳୀରେ ଯୁକ୍ତି ରଖିବି। ଆପଣ କଥାରେ ମୁଁ ମତ ରଖିପାରିବି ନାହଁ। ଦୟା କରି ଏହାକୁ ମନେ ରଖନ୍ତୁ। କୌଣସି ଆଇନଜୀବୀଙ୍କୁ ହଇରାଣ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ମୁଁ ଆପଣ ଏକଥା ଚେତାଇ ଦେଉଛି।”
ଏହାର ଜବାବରେ କୋର୍ଟ କହିଥିଲେ ଯେ “କୋର୍ଟ ଅନ୍ୟାୟ କରୁଛନ୍ତି ବୋଲି ଆପଣ କହିପାରିବେ ନାହିଁ।” ତିୱାରୀ ମଧ୍ୟ ପଛକୁ ନ ହଟି “ମୁଁ ଏପରି କହିଛି କି? ଆପଣ ଲାଇଭ ଭିଡିଓ ରେକର୍ଡିଂର ଯାଞ୍ଚ କରନ୍ତୁ। ଦୟା କରି ରେକର୍ଡିଂ ଦେଖନ୍ତୁ। ମୁଁ କେବଳ ଆପଣଙ୍କ ନିକଟରେ ପ୍ରାର୍ଥନା କରିଥିଲି। ନ୍ୟାୟପାଳିକାକୁ ଦେଖି ଦେଶ ଜଳୁଛି। ଏହା ମୋର ଶବ୍ଦ ଥିଲା। ଦୟା କରି କୌଣସି ଆଇନଜୀବୀଙ୍କୁ ହଇରାଣ କରନ୍ତୁ ନାହିଁ।
ଆପଣ ଜଣେ ବିଚାରପତି ବୋଲି ସବୁ ଜାଣିଛନ୍ତି ଓ ଆମେ ଆଇନଜୀବୀ ବୋଲି କିଛି ଜାଣିନୁ? ମୁଁ ମୋ ଶୈଳୀରେ କହିବି। ସୀମା ଅତିକ୍ରମ କରନ୍ତୁ ନାହିଁ। ଦୟା କରି ନିଜ ସୀମାରେ ରୁହନ୍ତୁ। ମୁଁ ୪୦ ବର୍ଷ ହେଲାଣି ଓକିଲାତି କରୁଛି।”
ଏକଥା କହିବା ପରେ ତିୱାରୀ ସିଧା କୋର୍ଟ ରୁମରୁ ବାହାରକୁ ଚାଲି ଯାଇଥିଲେ। ଏହାପରେ ଝାରଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ତାରଲୋକ ସିଂହ ଚୌହାନଙ୍କ ଅଧ୍ୟକ୍ଷରେ ଗଠିତ ୫ ଜଣିଆ ଖଣ୍ଡପୀଠ ପକ୍ଷରୁ ଶ୍ରୀ ତିୱାରୀଙ୍କୁ ଅଦାଲତ ଅବମାନନା ନୋଟିସ ପଠା ଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/23/sc-2026-01-23-14-33-22.jpg)