/odisha-reporter/media/post_attachments/uploadimage/library/16_9/16_9_0/SC_1733825799.jpg)
SC
ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଶେଖର କୁମାର ଯାଦବ ଦେଇଥିବା ବିବାଦୀୟ ବୟାନକୁ ଗୁରୁତ୍ୱର ସହ ନେଇଛନ୍ତି ସୁପ୍ରିମକୋର୍ଟ। ବିଶ୍ୱ ହିନ୍ଦୁ ପରିଷଦ (ଭିଏଚପି) ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବ ଗୋଟିଏ ନିର୍ଦ୍ଦିଷ୍ଟ ସଂପ୍ରଦାୟର ଲୋକଙ୍କୁ ଟାର୍ଗେଟ କରିଥିବା ଅଭିଯୋଗ ହୋଇଛି।
ଆଜି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଏସଂକ୍ରାନ୍ତରେ ଗୋଟିଏ ଅଭିଯୋଗ ପାଇଛନ୍ତି। ଏଥିରେ ଜଷ୍ଟିସ ଯାଦବଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି। ଅଭିଯୋଗ ପାଇବା ପରେ ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା ଆହ୍ଲାବାଦ ହାଇକୋର୍ଟଙ୍କୁ ଜବାବ ମାଗିଛନ୍ତି।
ସୁପ୍ରିମକୋର୍ଟ କହିଛନ୍ତି ଯେ “ଘଟଣା ସହ ସମସ୍ତ ତଥ୍ୟ ହାଇକୋର୍ଟକୁ ମଗାଯାଇଛି। ମାମଲା ବିଚାରାଧୀନ ରହିଛି।” ଲୋକସଭା ସାଂସଦ ଅସାଦୁଦ୍ଦିନ ଓୱେସୀ ମଧ୍ୟ ଗୋଟିଏ ନୋଟିସରେ ଦସ୍ତଖତ କରି ଜଷ୍ଟିସ ଶେଖର କୁମାର ଯାଦବଙ୍କ ବରଖାସ୍ତ ଦାବି କରିଛନ୍ତି।
ତାଙ୍କ କହିବା କଥା ଯେ ଜଷ୍ଟିସ ଯାଦବ ବ୍ୟବହାର ସାମ୍ବିଧାନିକ ବିଧିବ୍ୟବସ୍ଥାକୁ ଉଲ୍ଲଙ୍ଘନ କରିଛି। ଲୋକସଭାରେ ମଧ୍ୟ ସେ ଜଷ୍ଟିସ ଯାଦବଙ୍କୁ ବରଖାସ୍ତ କରିବା ପାଇଁ ନୋଟିସ ଆଗତ କରିବାକୁ ଚାହୁଁଛନ୍ତି। କିନ୍ତୁ ଏଥିପାଇଁ ୧୦୦ ଜଣ ସାଂସଦଙ୍କ ଦସ୍ତଖତର ଆବଶ୍ୟକ ରହିଥିବା ଓୱେସୀ କହିଛନ୍ତି।
ବିଶ୍ୱ ହିନ୍ଦୁ ପରିଷଦର ଲେଗାଲ ସେଲ୍ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ଜଷ୍ଟିସ ଯାଦବ ଯୋଗ ଦେଇଥିଲେ। ସେଠାରେ ଜଷ୍ଟିସ ଶେଖର କହିଥିଲେ “ମୁଁ କହିବାରେ ଆଦୌ ଦ୍ୱଧା କରିବି ନାହିଁ ଯେ ଏଇଟା ହେଉଛି ହିନ୍ଦୁସ୍ତାନ। ଏହି ଦେଶ ହିନ୍ଦୁସ୍ତାନରେ ରହୁଥିବା ବହୁସଂଖ୍ୟକ ଇଚ୍ଛାରେ କାର୍ଯ୍ୟ କରିବ। ଏହା ଆଇନ। ଜଣେ ହାଇକୋର୍ଟ ବିଚାରପତି ଭାବେ ଏପରି କେମିତି କହୁଛି ବୋଲି ଆପଣ କହିପାରିବେ ନାହିଁ।
ଆଇନ ସଂଖ୍ୟାଗରିଷ୍ଠତାଙ୍କ ହିସାବରେ ଚାଲେ। ଏହାକୁ ପରିବାର କିମ୍ବା ସମାଜ ହିସାବରେ ଦେଖନ୍ତୁ। ଏକକ ନାଗରିକ ସଂହିତା ଖୁବଶୀଘ୍ର ବାସ୍ତବ ରୂପ ନେବ। ହିନ୍ଦୁତ୍ୱରୁ ସତୀ ଦାହ ଭଳି ପ୍ରଥାକୁ ଉଚ୍ଛେଦ କରାଯାଇ ସାରିଛି। କିନ୍ତୁ ମୁସଲିମ ସଂପ୍ରଦାୟରେ ଏବେ ବହୁ ପତ୍ନୀ ପ୍ରଥା ଜାରି ରହିଛି। ଆପଣ କେବେ ହେଲେ ୪ ପତ୍ନୀର ଅଧିକାର ସପକ୍ଷରେ ଦାବି କରିବେ ନାହିଁ। ହଲାଲା କିମ୍ବା ଟ୍ରିପଲ ତଲାକକୁ ଯଥାର୍ଥ ବୋଲି କହିପାରିବେ ନାହିଁ।
ଭିଏଚପି, ଆରଏସଏସ କିମ୍ବା ହିନ୍ଦୁବାଦୀ ଏକକ ନାଗରିକ ସଂହିତା ପାଇଁ କେବଳ ଦାବି କରୁ ନାହାନ୍ତି। ଦେଶର ସର୍ବୋଚ୍ଚ ଅଦାଲତ ମଧ୍ୟ ଏପ୍ରସଙ୍ଗରେ କହିଛନ୍ତି। ମୁଁ ଶପଥ ନେଉଛି ଯେ ଦେଶରେ ନିଶ୍ଚିତ ଭାବେ ଗୋଟିଏ ଆଇପ ପ୍ରଣୟନ ହେବା ଦରକାର। ଏହା ଖୁବଶୀଘ୍ର ଆସିବ।”
ତାଙ୍କର ଏପରି ବୟାନକୁ ବିରୋଧ କରି ସୋମବାର ସିପିଆଇଏମ ନେତ୍ରୀ ବ୍ରିନ୍ଦା କରାତ ପ୍ରଧାନ ବିଚାରପତିଙ୍କୁ ଚିଠି ଲେଖି ଚିନ୍ତା ପ୍ରକଟ କରିଥିଲେ। ବ୍ରିନ୍ଦା ତାଙ୍କ ଚିଠିରେ ଜଷ୍ଟିସ ଶେଖର ଯାଦବଙ୍କ ବିରୋଧରେ ଇନ ହାଉସ ତଦନ୍ତ ପାଇଁ ଦାବି କରିଛନ୍ତି। ଏଥିସହ ତଦନ୍ତ ନ ସରିବା ଯାଏ, ତା’କୁ ନ୍ୟାୟିକ ବ୍ୟବସ୍ଥାରୁ ଦୂରେଇ ରଖିବାକୁ ସେ ଚିଠିରେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
