Advertisment

ହଜାର ହଜାର ଲୋକ କାନ୍ଦୁଛନ୍ତି? କାହିଁକି ଏମିତି କହିଲେ ସୁପ୍ରିମକୋର୍ଟ?

୨୦୨୪ ଜୁଲାଇ ମାସରେ ସର୍ବୋଚ୍ଚ ଅଦାଲତ ଗୋଟିଏ ଐତିହାସିକ ରୁଲିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ଯେ ଏନସିଆରରେ ରହୁଥିବା ଯେଉଁ ଲୋକମାନେ ସେମାନଙ୍କ ଫ୍ଲାଟର ମାଲିକାନା ହାସଲ କରି ନାହାନ୍ତି, ସେମାନଙ୍କ ବିରୋଧରେ କୌଣସି ଗଠନ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ।

author-image
Hemant Lenka
SC

SC

ବ୍ୟାଙ୍କ ଓ ବିଲଡର ସଂସ୍ଥାଗୁଡ଼ିକ ମଧ୍ୟରେ ଥିବା ମଧୁଚନ୍ଦ୍ରିକା ଅଭିଯୋଗକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ସୁପ୍ରିମକୋର୍ଟ। ସେହିପରି ଘର କିଣିବାକୁ ଚାହୁଁଥିବା ଲୋକଙ୍କ ଅଭିଯୋଗ ଅନୁସାରେ ଏହାର ତଦନ୍ତ ସିବିଆଇ ଦ୍ୱାରା କରାଯାଇ ପାରେ ବୋଲି ମଧ୍ୟ ସର୍ବୋଚ୍ଚ ଅଦାଲତ ମତ ରଖିଛନ୍ତି। ବିଲଡର୍ସ ଓ ଡେଭଲପର୍ସମାନଙ୍କ ଅବହେଳା ଯୋଗୁ ଲୋକଙ୍କୁ ଫ୍ଲାଟ ମିଳିନାହିଁ। କିନ୍ତୁ ଫ୍ଲାଟ ପାଇଁ ଋଣ କରିଥିବା ଲୋକଙ୍କୁ ବ୍ୟାଙ୍କ ଇଏମଆଇ ଦେବାକୁ ବାଧ୍ୟ କରୁଛି। ଏଥିଯୋଗୁ ଘର କିଣିବା ଅପେକ୍ଷାରେ ଥିବା କିଛି ଲୋକ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଶ୍ୱସ୍ତି ଭିକ୍ଷା କରିଛନ୍ତି।

Advertisment

ଏପରି ଆବେଦନର ଶୁଣାଣି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱାଧୀନ ୨ ଜଣିଆ ଖଣ୍ଡପୀଠ କରିଛନ୍ତି। ଶୁଣାଣି ବେଳେ ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, “ଆମେ କୌଣସି ପ୍ରତିଷ୍ଠାନକୁ ଖରାପ କିମ୍ବା ଭଲ ପ୍ରମାଣପତ୍ର ଦେଉନାହୁଁ। କିନ୍ତୁ ଆମେ ନିଶ୍ଚିତ ଭାବେ ସିବିଆଇ ତଦନ୍ତ କରିବୁ। ଏହା ସ୍ପଷ୍ଟ। ହଜାର ହଜାର ଲୋକ କାନ୍ଦୁଛନ୍ତି। ଆମେ ସେମାନଙ୍କ ଲୁହ ପୋଛି ପାରିବୁ ନାହିଁ। ହେଲେ ଆମେ ସେମାନଙ୍କ ପ୍ରସଙ୍ଗକୁ ବିଚାରକୁ ନେଇ ପାରିବୁ। ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ କିଛି ଗୋଟିଏ ପ୍ରଭାବୀ କାମ ହେବା ଦରକାର।” କେନ୍ଦ୍ରୀୟ ଏଜେନ୍ସିକୁ ଏହି ପ୍ରସଙ୍ଗକୁ କେମିତି ତଦନ୍ତ କରାଯିବ, ତା’ର ଯୋଜନା ଉପସ୍ଥାପନ କରିବାକୁ ମଧ୍ୟ ଖଣ୍ଡପୀଠ କହିଛନ୍ତି।

୨୦୨୪ ଜୁଲାଇ ମାସରେ ସର୍ବୋଚ୍ଚ ଅଦାଲତ ଗୋଟିଏ ଐତିହାସିକ ରୁଲିଂ ମାଧ୍ୟମରେ ନିର୍ଦ୍ଦେଶ ଦେଇଥିଲେ ଯେ ଏନସିଆରରେ ରହୁଥିବା ଯେଉଁ ଲୋକମାନେ ସେମାନଙ୍କ ଫ୍ଲାଟର ମାଲିକାନା ହାସଲ କରି ନାହାନ୍ତି, ସେମାନଙ୍କ ବିରୋଧରେ କୌଣସି ଗଠନ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରିବ ନାହିଁ। ଏପରି କି ବ୍ୟାଙ୍କ ସେମାନଙ୍କ ଠାରୁ ଋଣ ବାବଦରେ ଇଏମଆଇ ମଧ୍ୟ ଆଦାୟ କରିବ ନାହିଁ।

Advertisment

ସୁପ୍ରିମକୋର୍ଟଙ୍କ ଏପରି କଡ଼ା ନିର୍ଦ୍ଦେଶକୁ ଆଦୌ କାର୍ଯ୍ୟକାରୀ କରାଯାଉ ନାହିଁ। ବରଂ ଘର ପାଇବାକୁ ଅପେକ୍ଷା କରିଥିବା ଲୋକମାନେ ଅଭିଯୋଗ କରିଛନ୍ତି ଯେ ସେମାନଙ୍କ ଋଣକୁ ବେଆଇନ ଭାବେ ବ୍ୟାଙ୍କ ପକ୍ଷରୁ ସିଧାସଳଖ ବିଲଡର୍ସ/ଡେଭଲପର୍ସମାନଙ୍କ ଆକାଉଣ୍ଟକୁ ପଠାଇ ଦିଆଯାଇଛି। ଏହା ଆରବିଆଇ ଗାଇଡଲାଇନର ଉଲ୍ଲଙ୍ଘନ କରୁଛି। ଆହୁରି ମଧ୍ୟ ଅଭିଯୋଗ ହୋଇଛି ଯେ ଋଣ ଅନୁମୋଦନ ପାଇଁ ଘର କିଣିବାକୁ ଚାହୁଁଥିବା ଲୋକଙ୍କୁ ମାଧ୍ୟମ କରାଯାଉଛି। ଘର କିଣିବାକୁ ଚାହୁଁଥିବା ଲୋକମାନେ ଯେତେବେଳେ ଏହାକୁ ବିରୋଧ କରୁଛନ୍ତି ସେତେବେଳେ ବ୍ୟାଙ୍କ ସେମାନଙ୍କୁ କାର୍ଯ୍ୟାନୁଷ୍ଠାନର ନାଲି ଆଖି ମଧ୍ୟ ଦେଖାଉଛି।

ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ଆମେ କୌଣସି ଗୋଟିଏ ହେଲେ ବ୍ୟାଙ୍କକୁ ସନ୍ଦେହ ଚକ୍ଷୁରେ ଦେଖୁନାହୁଁ ବୋଲି ଏଠାରେ କହିବାକୁ ଚାହୁଁନୁ। ଆମେ ସେମାନଙ୍କ କାର୍ଯ୍ୟ କରିବାର ଶୈଳୀ ଦେଖୁଛୁ। ଆମେ ସରକାରୀ ପ୍ରତିଷ୍ଠାନର କାର୍ଯ୍ୟ ଉପରେ ବି ନଜର ରଖିଛୁ।”

ଋଣ ପ୍ରଦାନକାରୀଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଅଭିଷେକ ମନୁସିଙ୍ଘଭୀ ଯେତେବେଳେ କହିଥିଲେ ଯେ ଯଦି ଜଣେ ନିର୍ଦ୍ଦିଷ୍ଟ ବିଲଡର ଦେବାଳିଆ ହୋଇଯାଉଛନ୍ତି, ସେଥିରେ ମୋ ଦୋଷ ନାହିଁ ସେତେବେଳେ ଜଷ୍ଟିସ କାନ୍ତ ଏହାର ଦୃଢ଼ ଜବାବ ଦେଇଥିଲେ। ସେ କହିଥିଲେ, “ଆପଣଙ୍କ ଭୁଲ ହେଲା ଗୃହ ନିର୍ମାଣ ହେବା ସ୍ଥାନରେ ଗୋଟିଏ ହେଲା ଇଟା ପଡ଼ି ନାହିଁ। କିନ୍ତୁ ଋଣଦାତା ୬୦% ଅର୍ଥ ରିଲିଜ କରି ଦେଉଛନ୍ତି। ଏହା ପଛରେ କେମିତି ମଧୁଚନ୍ଦ୍ରିକା ନାହିଁ?” ସିଙ୍ଘଭୀ ପ୍ରସ୍ତାବ ଦେଇଥିଲେ ଯେ ଫ୍ଲାଟର ମାଲିକାନା ହାସଲ ନ କରିବା ଯାଏ ବ୍ୟାଙ୍କ ସୁଧ ଲାଗୁ କରିପାରିବ ନାହିଁ। କିନ୍ତୁ ଏହାକୁ ମଧ୍ୟ କୋର୍ଟ ଗ୍ରହଣ କରି ନାହାନ୍ତି।

ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ଏହା ବଡ଼ ତଥା ଦୀର୍ଘକାଳୀନ ପ୍ରସଙ୍ଗର ସମାଧାନ କରିପାରିବ ନାହିଁ। ପୂରା ବ୍ୟବସ୍ଥା ଭୋଗୁଥିବା ରୋଗରେ ଏହା ମଲମ ଲଗାଇ ପାରିବ ନାହିଁ। ଲକ୍ଷ ଲକ୍ଷ ଲୋକଙ୍କ ସମସ୍ୟାର ସମାଧାନ ହେବନି। ସୁପ୍ରିମକୋର୍ଟ ସବୁଦିନ ଗରୀବ ଲୋକ ଭୋଗୁଥିବା ସମସ୍ୟାର ବିଚାର କରୁଛନ୍ତି। ଆମେ କୌଣସି ଅସ୍ଥାୟୀ ସମାଧାନ ଚାହୁଁନୁ। ଆମେ ପୂରା ମୂଳକୁ ଯିବାକୁ ଚାହୁଁଛୁ। ଆମର ଏଥିପ୍ରତି ଶୂନ ସହନଶୀଳତା ରହିଛି। ଆମେ ଆମିକସ କ୍ୟୁରୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିବୁ।”

ଏପରି ଘଟଣାର ତାଲିକା ଲମ୍ବା ଥିବାରୁ କୋର୍ଟ ଜଣେ ଆମିକସ କ୍ୟୁରୀଙ୍କୁ ନିଯୁକ୍ତ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଦୁଇ ସପ୍ତାହ ପରେ ହେବ।

CBI Supreme Court Home Buyers