/odisha-reporter/media/post_attachments/uploadimage/library/16_9/16_9_0/IMAGE_1706766399.jpg)
Hemanta Soren
ଜମି ଦୁର୍ନୀତି ମାମଲାରେ ଇଡି ଦ୍ୱାରା ଗିରଫ ହୋଇଥିବା ଝାରଖଣ୍ଡର ବିଦାୟୀ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଆବେଦନ ଉପରେ ଆସନ୍ତାକାଲି ଶୁଣାଣି କରିବେ ସୁପ୍ରିମକୋର୍ଟ। ଇଡି ତାଙ୍କୁ ଗିରଫ କରିଥିବା ଘଟଣାକୁ ଚ୍ୟାଲେଞ୍ଜ କରି ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ହେମନ୍ତ ସୋରେନ୍। କୋର୍ଟ ତାଙ୍କ ଆବେଦନ ଗ୍ରହଣ କରି ଆସନ୍ତାକାଲି ଶୁଣାଣି କରିବେ ବୋଲି କହିଛନ୍ତି। ହେମନ୍ତ ସୋରେନଙ୍କ ପକ୍ଷରୁ ବରିଷ୍ଠ ଆଡଭୋକେଟ୍ କପିଲ ଶିବଲ ସୁପ୍ରିମକୋର୍ଟରେ ଏହି ଆବେଦନ କରିଥିଲେ।
ଜମି ଦୁର୍ନୀତି ମାମଲାରେ ଗତକାଲି ଇଡି ତାଙ୍କୁ ୫ ଘଣ୍ଟାରରୁ ଅଧିକ ସମୟ ଜେରା କରିବା ପରେ ଗିରଫ କରିଥିଲା। ବିଧିବଦ୍ଧ ଭାବେ ଗିରଫ ହେବା ପୂର୍ବରୁ ହେମନ୍ତ ସୋରେନ ରାଜଭବନରେ ପହଞ୍ଚିଥିଲେ। ଇଡି ଅଧିକାରୀଙ୍କ ଉପସ୍ଥିତିରେ ସେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନଙ୍କୁ ନିଜର ଇସ୍ତଫାପତ୍ର ଦେଇଥିଲେ।
ଗତ ସୋମବାର ଇଡି ପକ୍ଷରୁ ହେମନ୍ତ ସୋରେନଙ୍କ ଦିଲ୍ଲୀ ସ୍ଥିତ ଭାସଭବନରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଜମି ଦୁର୍ନୀତି ସହ ଜଡ଼ିତ ଏକାଧିକ ଦସ୍ତାବିଜ ଓ ନଗଦ ୩୬ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ତାଙ୍କ ବାସଭବନରେ ଥିବା ଦାମୀ BMW କାରକୁ ମଧ୍ୟ ଇଡି ଜବତ କରିଥିଲା।
ହେମନ୍ତ ସୋରେନ ଜମି ଦୁର୍ନୀତି ମାମଲାରେ ଗିରଫ ହୋଇଛନ୍ତି। କିନ୍ତୁ ତାଙ୍କ ନାଁ ବେଆଇନ ଖଣି ଖନନ ଓ କୋଇଲା ଘୋଟାଲା ଭଳି ମାମଲା ମଧ୍ୟ ରହିଛି। ଏହି ମାମଲାର ତଦନ୍ତ ମଧ୍ୟ ଉଭୟ ଇଡି ଓ ସିବିଆଇ କରୁଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
