Advertisment

ନିର୍ବାଚନୀ ବଣ୍ତ: ସୋମବାର SBIର ଆବେଦନ ଶୁଣିବେ ସୁପ୍ରିମକୋର୍ଟ

ସର୍ବୋଚ୍ଚ ଅଦାଲତ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏସ୍‌ବିଆଇକୁ ଏହା ସହ ଜଡ଼ିତ ସମସ୍ତ ତଥ୍ୟକୁ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ କହିଥିଲେ।

author-image
Hemant Lenka
SBI

SBI

ନିର୍ବାଚନୀ ବଣ୍ଡ ସମ୍ପର୍କରେ ବିସ୍ତୃତ ତଥ୍ୟ ସାର୍ବଜନୀନ କରିବାକୁ ଏସ୍‌ବିଆଇ ମାଗିଥିବା ଅଧିକ ସମୟ ସଂକ୍ରାନ୍ତ ଆବେଦନ ଉପରେ ଶୁଣାଣି କରିବେ ସୁପ୍ରିମକୋର୍ଟ। ଆସନ୍ତା ମାର୍ଚ୍ଚ ୧୧ ତାରିଖରେ ସର୍ବୋଚ୍ଚ ଅଦାଲତ ଏସବିଆଇର ସମୟ ବୃଦ୍ଧି ଆବେଦନର ଶୁଣାଣି କରିବାକୁ ଦିନ ଧାର୍ଯ୍ୟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱାଧୀନ ଖଣ୍ଡପୀଠ ଏସ୍‌ବିଆଇ କରିଥିବା ଆବେଦନ ଉପରେ ଚୂଡ଼ାନ୍ତ ରାୟ ଶୁଣାଇବେ।

Advertisment

ଫେବୃଆରୀ ୧୫ରେ ସର୍ବୋଚ୍ଚ ଅଦାଲତ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିବା ସହ ଏସ୍‌ବିଆଇକୁ ଏହା ସହ ଜଡ଼ିତ ସମସ୍ତ ତଥ୍ୟକୁ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନ କମିଶନଙ୍କୁ ଦେବାକୁ କହିଥିଲେ। ହେଲେ ରାୟ ପ୍ରାୟ ୨ ସପ୍ତାହ ପରେ ଏସବିଆଇ ସାମ୍ନାକୁ ଆସିବା ସହ ନିର୍ବାଚନୀ ବଣ୍ଡ ସମ୍ପର୍କିତ ତଥ୍ୟ ଦେବାର ସମୟସୀମାକୁ ଜୁନ ୩୦ ଯାଏ ବୃଦ୍ଧି କରିବାକୁ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଛି।

ଏସବିଆଇର ଏପରି ଆବେଦନକୁ ବିଭିନ୍ନ ମହଲରେ ବିରୋଧ କରାଯାଇଛି। ଏଥିସହ ଏଡିଆର ପକ୍ଷରୁ ଏସବିଆଇ ବିରୋଧରେ ଅଦାଲତ ଅବମାନନା ଆବେଦନ ମଧ୍ୟ ସର୍ବୋଚ୍ଚ ଅଦାଲତରେ ଦାଖଲ କରାଯାଇଛି। ଏହି ଆବେଦନର ଶୁଣାଣି ମଧ୍ୟ ସୋମବାର ହେବ। ଏହାପୂର୍ବରୁ ଆଉ ୨ଟି ଏନଜିଓ ମଧ୍ୟ ଏସବିଆଇ ଜାଣିଶୁଣି ସୁପ୍ରିମକୋର୍ଟ ଦେଇଥିବା ନିର୍ଦ୍ଦେଶକୁ ପାଳନ କରି ନଥିବା ଅଭିଯୋଗ କରି ପିଟିସନ ଦାଖଲ କରିଛନ୍ତି।

Advertisment

ଏସବିଆଇ ଜୁନ ୩୦ ଯାଏ ସମୟ ମାଗିଥିବାରୁ ଏକାଧିକ ବିରୋଧୀ ଦଳ ମଧ୍ୟ ଏହାକୁ ନାପସନ୍ଦ କରିଛନ୍ତି। ଏସବିଆଇ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନୀ ବଣ୍ତ ଜରିଆରେ କେଉଁମାନେ ରାଜନୀତିକ ଦଳଗୁଡ଼ିକୁ କେତେ ଟଙ୍କା ଦେଇଛନ୍ତି, ତା’ର ତଥ୍ୟ ଖୁଲାସା କରିବାକୁ ଚାହୁଁ ନଥିବାରୁ ବିରୋଧୀ ଦଳଗୁଡ଼ିକ କହିଛନ୍ତି।

ଗତମାସ ୧୫ ତାରିଖରେ ସୁପ୍ରିମକୋର୍ଟ ଏକ ଐତିହାସିକ ରାୟରେ ନିର୍ବାଚନୀ ବଣ୍ଡକୁ ଅସାମ୍ବିଧାନିକ କହିଥିଲେ। ଏଥିସହ ମାର୍ଚ୍ଚ ୬ ସୁଦ୍ଧା ନିର୍ବାଚନୀ ବଣ୍ଡ ସହ ଜଡ଼ିତ ବିସ୍ତୃତ ତଥ୍ୟ ଇସିଙ୍କ ନିକଟରେ ଦାଖଲ କରିବାକୁ ଏସବିଆଇକୁ କହିଥିଲେ। ଏସବିଆଇ ଠାରୁ ତଥ୍ୟ ପାଇବା ପରେ ମାର୍ଚ୍ଚ ୧୩ ସୁଦ୍ଧା ଇସି ନିଜ ୱେବସାଇଟ୍‌ରେ ଏସବୁ ତଥ୍ୟକୁ ଅପଲୋଡ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହେଲେ ଏତେ କମ୍‌ ସମୟରେ ଏତେ ପରିମାଣର ତଥ୍ୟ ଦେବା ସମ୍ଭବ ନୁହେଁ ବୋଲି ଏସବିଆଇ ପକ୍ଷରୁ କୁହାଯାଇ ଜୁନ ୩୦ ଯାଏ ସମୟ ମଗା ଯାଇଥିଲା।

ଏସବିଆଇ ପକ୍ଷରୁ କୁହାଯାଇଥିଲା ଯେ ୨୦୧୯ ଏପ୍ରିଲ ୧୨ରୁ ୨୦୨୪ ଫେବୃଆରୀ ୧୫ ମଧ୍ୟରେ ବିଭିନ୍ନ ରାଜନୀତିକ ଦଳକୁ ଚାନ୍ଦା ଦେବା ପାଇଁ ୨୨,୨୧୭ ନିର୍ବାଚନୀ ବଣ୍ଡ ଜାରି କରାଯାଇଛି। ଏହାର ସମସ୍ତ ତଥ୍ୟ ମୁମ୍ବାଇ ସ୍ଥିତ ମୁଖ୍ୟ ବ୍ରାଞ୍ଚରେ ଜମା କରାଯାଇଥିଲା। ସବୁ ବଣ୍ଡର ଦୁଇଟି ଲେଖାଏ କପି ରହିଛି। ତେଣୁ ବିସ୍ତୃତ ତଥ୍ୟ ପାଇଁ ୪୪,୪୩୪ ସେଟ ଫାଇଲକୁ ଏକାଠି କରିବାକୁ ପଡ଼ିବ। ତେଣୁ ଜୁନ ୩୦ ଯାଏ ଏସବୁ ତଥ୍ୟକୁ ଏକାଠି କରିବା ପାଇଁ ସମୟ ଆବଶ୍ୟକ।

କେନ୍ଦ୍ର ସରକାର ୨୦୧୭ରେ ନିର୍ବାଚନ ବଣ୍ଡ ସ୍କିମ୍ ଘୋଷଣା କରିଥିଲେ। ଏହି ସ୍କିମ୍ ୨୯ ଜାନୁଆରୀ ୨୦୧୮ରେ ଆଇନଗତ ଭାବରେ କାର୍ଯ୍ୟକାରୀ ହୋଇଥିଲା। ଯଦି ଆମେ ସରଳ ଭାଷାରେ କହିବା, ତେବେ ରାଜନୀତିକ ଦଳମାନଙ୍କୁ ଅର୍ଥ ଦାନ କରିବାର ଏକ ମାଧ୍ୟମ ହେଉଛି ନିର୍ବାଚନୀ ବଣ୍ଡ।

ଏହି ବଣ୍ଡକୁ ଭାରତର ଯେକୌଣସି ନାଗରିକ କିମ୍ବା କମ୍ପାନୀ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ସିଲେକ୍ଟ ଶାଖାରୁ କିଣି ପାରିବେ ଏବଂ ନିଜ ପସନ୍ଦର କୌଣସି ରାଜନୀତିକ ଦଳକୁ ଦାନ କରିପାରିବେ। କିନ୍ତୁ ଏଥିରେ କୌଣସି ବ୍ୟକ୍ତି କିମ୍ବା କମ୍ପାନୀର ନାମ ପ୍ରକାଶ କରାଯିବ ନାହିଁ, ଅର୍ଥାତ୍ ଏହା ଗୋପନ ରହିବ।

Supreme Court SBI Electoral Bonds Scheme Electoral Bonds Case Electoral Bond