Advertisment

Supreme Court: ଆପଣ ଧର୍ମନିରପେକ୍ଷ ଆର୍ମି ପାଇଁ ଫିଟ୍‌ ନୁହନ୍ତି: କାହିଁକି ବହିଷ୍କୃତ ଅଧିକାରୀଙ୍କୁ ଏମିତି କହିଲେ ସୁପ୍ରିମକୋର୍ଟ?

ଆର୍ମି ଗୋଟିଏ ଧର୍ମନିରପେକ୍ଷ ପ୍ରତିଷ୍ଠାନ ଓ ଏହାର ଶୃଙ୍ଖଳାରେ କେବେ ହେଲେ ବୁଝାମଣା କରାଯାଇ ପାରିବ ନାହିଁ। ଆପଣ ନିଜ ସୈନ୍ୟଙ୍କ ଭାବନାକୁ ଆଘାତ ଦେଇଛନ୍ତି। ଆପଣ ସଂପୂର୍ଣ୍ଣ ଭାବେ ଭାରତୀୟ ଆର୍ମି ପାଇଁ ଅନଫିଟ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି।

SC

ସୁପ୍ରିମକୋର୍ଟ

Advertisment

ମନ୍ଦିର ଓ ଗୁରୁଦ୍ୱାର ଗର୍ଭଗୃହକୁ ଯିବାକୁ ମନା କରି ବହିଷ୍କୃତ ହୋଇଥିବା ଭାରତୀୟ ସେନାର ଜଣେ ଖ୍ରୀଷ୍ଟିୟାନ ଅଧିକାରୀଙ୍କୁ ଆଜି ତୀବ୍ର ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ। ବିଶୃଙ୍ଖଳା ଆଚରଣ ପାଇଁ ସେନା ପକ୍ଷରୁ ସାମ୍ୟୁଏଲ କମଲେସାନଙ୍କୁ ବହିଷ୍କୃତ କରାଯାଇଥିଲା। ଏହାକୁ ସୁପ୍ରିମକୋର୍ଟ(Supreme Court) କାଏମ ରଖିଛନ୍ତି।

Advertisment

ବହିଷ୍କୃତ ଅଧିକାରୀଙ୍କୁ ଆବେଦନକୁ ଅଗ୍ରାହ୍ୟ କରି ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆର୍ମି ଗୋଟିଏ ଧର୍ମନିରପେକ୍ଷ ପ୍ରତିଷ୍ଠାନ ଓ ଏହାର ଶୃଙ୍ଖଳାରେ କେବେ ହେଲେ ବୁଝାମଣା କରାଯାଇ ପାରିବ ନାହିଁ। ଆପଣ ନିଜ ସୈନ୍ୟଙ୍କ ଭାବନାକୁ ଆଘାତ ଦେଇଛନ୍ତି। ଆପଣ ସଂପୂର୍ଣ୍ଣ ଭାବେ ଭାରତୀୟ ଆର୍ମି ପାଇଁ ଅନଫିଟ ବୋଲି ସୁପ୍ରିମକୋର୍ଟ ମତ ରଖିଛନ୍ତି। 

ସାମ୍ୟୁଏଲ ୨୦୧୭ରେ ଭାରତୀୟ ସ୍ଥଳ ସେନାରେ ସାମିଲ ହୋଇଥିଲେ। ତାଙ୍କୁ ଶିଖ ସ୍କ୍ୱାର୍ଡନ ଦାୟିତ୍ୱ ମିଳିଥିଲା। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଥିବା ବେଳେ ସେ ଏହାକୁ ଚ୍ୟାଲେଞ୍ଜ କରିଥିଲେ। ମନ୍ଦିର କିମ୍ବା ଗୁରୁଦ୍ୱାରରେ ପ୍ରବେଶ କରିବା ଦ୍ୱାରା ତାଙ୍କ ଧାର୍ମିକ ସ୍ୱାଧୀନତା ଉଲ୍ଲଙ୍ଘନ ହୋଇଥାଆନ୍ତା ବୋଲି ସେ ଯୁକ୍ତି କରିଥିଲେ। ହେଲେ ତାଙ୍କର ଏପରି ଆଚରଣ ଗୋଟିଏ ଆଇନଗତ କମାଣ୍ଡର ବେଖାତିର ବୋଲି ସୁପ୍ରିମକୋର୍ଟ କହିଛନ୍ତି।

Advertisment

ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚିଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଦିଲ୍ଲୀ ହାଇକୋର୍ଟ ୨୦୨୫ ମେ’ ମାସରେ ଦେଇଥିବା ରାୟକୁ କାଏମ ରଖିଛନ୍ତି। ୨୦୨୧ରେ ଭାରତୀୟ ସେନାରୁ ସାମ୍ୟୁଏଲଙ୍କୁ ବିନା ପେନସନ ଓ ଗ୍ରାଚ୍ୟୁଟୀରେ ବହିଷ୍କାର କରାଯାଇଥିବା ନିଷ୍ପତ୍ତିକୁ ପ୍ରଥମେ ଦିଲ୍ଲୀ ହାଇକୋର୍ଟ ଓ ଏବେ ସର୍ବୋଚ୍ଚ ଅଦାଲତ କାଏମ ରଖିଛନ୍ତି। 

ଶୁଣାଣି ବେଳେ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ମନା କରି ସିଜେଆଇ ଜଷ୍ଟିସ ସୂର୍ଯ୍ୟ କାନ୍ତ କହିଛନ୍ତି, “ସେ କେଉଁ ପ୍ରକାରର ବାର୍ତ୍ତା ଦେବାକୁ ଚାହୁଁଛନ୍ତି? ଏଥିପାଇଁ ତାଙ୍କୁ ତୁରନ୍ତ ବାହାର କରିଦେବା କଥା। ଏହା ଜଣେ ଆର୍ମି ଅଧିକାରୀ ଭାବେ ଅତ୍ୟନ୍ତ ଭୟଙ୍କର ବିଶୃଙ୍ଖଳା।”

ଅଧିକାରୀ ଜଣଙ୍କ କ’ଣ ଯୁକ୍ତି ରଖିଥିଲେ? 

ବରିଷ୍ଠ ଆଇନଜୀବୀ ଗୋପାଳ ଶଙ୍କରନାରାୟଣ ବହିଷ୍କୃତ ଅଧିକାରୀ ସାମ୍ୟୁଏଲଙ୍କ ପାଇଁ ପକ୍ଷ ରଖି କହିଥିଲେ ଯେ ତାଙ୍କ କ୍ଲାଏଣ୍ଟ ଗର୍ବଗୃହରେ ପ୍ରବେଶ ପାଇଁ ମନା କରିବା କାରଣରୁ ହିଁ ତାଙ୍କୁ ବହିଷ୍କାର କରାଯାଇଥିଲା। ଗର୍ଭଗୃହରେ ପ୍ରବେଶ ତାଙ୍କ ଧାର୍ମିକ ବିଶ୍ୱାସର ବିରୋଧାଚରଣ କରୁଥିଲା ଓ ସେ ପୂଜା ପାଇଁ କୁହାଯିବା ପରେ ହିଁ ଏହାକୁ ମନା କରିଥିଲେ। ସର୍ବ ଧର୍ମ ସ୍ଥଳରେ ଅଧିକାରୀ ଜଣଙ୍କ ସବୁ କାମରେ ସାମିଲ ହେଉଥିଲେ। 

ଅଧିକାରୀ ଜଣଙ୍କ ନିଯୁକ୍ତି ପାଇଥିବା ରେଜିମେଣ୍ଟାଲ ସେଣ୍ଟରରେ କେବଳ ଗୋଟିଏ ମନ୍ଦିର କିମ୍ବା ଗୁରୁଦ୍ୱାର ରହିଛି। ସେ ଗର୍ଭଗୃହରେ ପୂଜା କରିବାକୁ ମନା କରିବା ସହ ବାହାରେ ରହି ‍ଫୁଲ ପକାଇବାକୁ ରାଜି ଥିବା କହିଥିଲେ। ଏଥିରେ କାହାର ଅସୁବିଧା ନଥିଲା। କେବଳ ଜଣେ ବରିଷ୍ଠ ଅଧିକାରୀ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ସୁପାରିସ କରିଥିଲେ। ଭଗବାନଙ୍କୁ ପୂଜା କରିବା ପାଇଁ କାହାକୁ ବାଧ୍ୟ କରାଯାଇ ପାରିବ ନାହିଁ। ଭାରତୀୟ ସମ୍ବିଧାନ ଏହି ସ୍ୱାଧୀନତା ସମସ୍ତଙ୍କୁ ଦେଇଛି ବୋଲି ଶଙ୍କରନାରାୟଣ ଯୁକ୍ତି ଉପସ୍ଥାପନ କରିଥିଲେ। 

ସବୁଠାରୁ ବଡ଼ ବିଶୃଙ୍ଖଳା ବୋଲି କହିଲେ ସର୍ବୋଚ୍ଚ ଅଦାଲତ 

ଶୁଣାଣି ବେଳେ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି ଯେ “କ’ଣ ଏପରି ଜଣେ ମାନସିକତା ରଖିଥିବା ବ୍ୟକ୍ତିଙ୍କୁ ଅନୁଶାସିତ ସୁରକ୍ଷା ବଳରେ ଗ୍ରହଣ କରାଯିବ? ସେ ଭାରତର ସବୁଠାରୁ ଶୃଙ୍ଖଳିତ ସୁରକ୍ଷା ବଳର ସଦସ୍ୟ। କ’ଣ ଜଣେ ଏମିତି କରିପାରିବ? ଏହା ଜଣେ ସୈନ୍ୟ ଅଧିକାରୀଙ୍କ ଦ୍ୱାରା କରାଯାଇଥିବା ସବୁଠାରୁ ବଡ଼ ବିଶୃଙ୍ଖଳାକୁ ଦର୍ଶାଉଛି।” 

ସର୍ବୋଚ୍ଚ ଅଦାଲତ ଅଧିକାରୀଙ୍କ ସମସ୍ତ ଯୁକ୍ତିକୁ ଅଗ୍ରାହ୍ୟ କରି ତାଙ୍କ ଓକିଲ ଶଙ୍କରନାରାୟଣଙ୍କୁ ପ୍ରଶ୍ନ କରିଛନ୍ତି ଯେ “କ’ଣ ତାଙ୍କ ଆଚରଣ ନିଜ ରେଜିମେଣ୍ଟରେ ଥିବା ଅନ୍ୟ ସୈନ୍ୟଙ୍କ ପ୍ରତି ଅପମାନ ନୁହେଁ? ତାଙ୍କ ଅହଂକାର ଏତେ ବଡ଼ ଯେ ସେ ନିଜ ସୈନ୍ୟମାନଙ୍କ ସହ ଗଲେ ନାହିଁ। ସମସ୍ତଙ୍କ ପାଖରେ ନିଜର ଧାର୍ମିକ ବିଶ୍ୱାସକୁ ପାଳନ କରିବାର ଅଧିକାର ରହିଛି। ଯଦି କେହି ଆପଣଙ୍କୁ ଧାର୍ମିକ ରୀତିନୀତି ପାଳନ କରିବାକୁ କହିବ, ତାହା ଭିନ୍ନ କଥା ଓ ଏହାକୁ ଆପଣ ମନା କରିପାରିବେ। କିନ୍ତୁ ଆପଣ କେମିତି ପ୍ରବେଶ ପାଇଁ ମନା କରିଦେବେ?”

ବିବାଦ ଘେରରେ ଥିବା ଅଧିକାରୀଙ୍କୁ ଜଣେ ପାଷ୍ଟୋର ବା ଚର୍ଚ୍ଚର ଫାଦର କହିଥିଲେ ଯେ ଯଦି ସେ ମନ୍ଦିରରେ ପ୍ରବେଶ କରୁଛନ୍ତି, ତା’ହେଲେ ତାଙ୍କ ଧାର୍ମିକ ବିଶ୍ୱାସ କ୍ଷୁଣ୍ଣ ହେବ ନାହିଁ। ତଥାପି ସେ ମନ୍ଦିରର ଗର୍ଭଗୃହରେ ପ୍ରବେଶ କରିବାକୁ ମନା କରିଦେଇଥିଲେ ବୋଲି ଖଣ୍ଡପୀଠ କହିଛନ୍ତି।

ଖଣ୍ଡପୀଠଙ୍କ କହିବା କଥା ଯେ “ନେତୃତ୍ୱ ନେଇଥିବା ବଡ଼ ଉଦାହରଣ ସୃଷ୍ଟି କରିବା କଥା। ଆପଣ ନିଜ ଟ୍ରୁପ୍ସ(Indian Army)ର ଅପମାନ କରିଛନ୍ତି। ଯେତେବେଳେ ଜଣେ ପାଷ୍ଟୋର ଆପଣଙ୍କୁ ବୁଝାଇଥିଲେ ସେତେବେଳେ ଆପଣ ସବୁ କିଛି ଛାଡ଼ି ଦେବା କଥା।

ଆପଣଙ୍କ ଧର୍ମ କ’ଣ ଅନୁମତି ଦେଉଛି, ସେଭାବନା ଆପଣଙ୍କ ନିଜ ନିଜେ ଭାବିପାରିବେ ନାହିଁ। ତା’ପୁଣି ୟୁନିଫର୍ମରେ ଥିବା ବେଳେ।” ଅଧିକାରୀଙ୍କ ଉପରେ ଲାଗିଥିବା ଜୋରିମାନାକୁ ମଧ୍ୟ ହ୍ରାସ କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। 

Supreme Court Indian Army
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe