Advertisment

ଧାରା ୩୭୦ ଉଚ୍ଛେଦ, ଆଜି ଆସିବ ସୁପ୍ରିମ୍ ରାୟ

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଠିକ୍ ଥିଲା ନା ଭୁଲ୍? ଏ ପ୍ରଶ୍ନ ଉପରେ ଆଜି ପଡିବ ପୂର୍ଣ୍ଣଚ୍ଛେଦ।

author-image
Debibandita Barick
ଅଦ୍ୟତନ ହୋଇଛି
Supreme Court

Supreme Court

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଠିକ୍ ଥିଲା ନା ଭୁଲ୍? ଏ ପ୍ରଶ୍ନ ଉପରେ ଆଜି ପଡିବ ପୂର୍ଣ୍ଣଚ୍ଛେଦ। ବହୁ ବିବାଦୀୟ ଏହି ମାମଲା ଉପରେ ଆଜି ଆସିବ ସୁପ୍ରିମ ରାୟ। ଦୀର୍ଘ ଦିନ ଧରି ମାମଲା ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି ସୁପ୍ରିମକୋର୍ଟ, ଯାହାକୁ ଆଜି ପ୍ରକାଶ କରିବେ। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପଚି ଜଷ୍ଟିସ୍ ଡି.ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ।

Advertisment

NC, PDP ସମେତ ଏକାଧିକ ପକ୍ଷ ଜମ୍ମୁ କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ଓ ୨ଟି କେନ୍ଦ୍ରଶାସିତ ଅଞ୍ଚଳ ଗଠନକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆବେଦନକାରୀମାନେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉଚ୍ଛେଦ ଆଇନକୁ ଚ୍ୟାଲେଞ୍ଜ କରିଥିଲେ।

ସୁପ୍ରିମକୋର୍ଟରେ ଏହି ମାମଲା ଉପରେ ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଯୁକ୍ତି କରିଥିଲେ ଯେ, ୧୯୫୭ରେ ସମ୍ବିଧାନ ଭଙ୍ଗ ହେବା ପରେ ଜମ୍ମୁ କଶ୍ମୀରର ସମସ୍ତ କ୍ଷମତା ବିଧାନମଣ୍ଡଳ ଉପରେ ହିଁ ନ୍ୟସ୍ତ ଥିଲା। କେନ୍ଦ୍ର ସରକାର ଏକପାଖିଆ ଭାବରେ ଏହି ଧାରାକୁ ଜମ୍ମୁ କଶ୍ମୀରରୁ ହଟାଇ ପାରିବେ ନାହିଁ। 

Advertisment

ତେବେ ଏହି ଧାରାକୁ ରଦ୍ଦ କରିବାକୁ କିଏ ସୁପାରିଶ କରିପାରିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ ଆବେଦନକାରୀଙ୍କ ଓକିଲଙ୍କୁ ପ୍ରଶ୍ନ କରିଥିଲେ। ନିୟମ ଅନୁଯାୟୀ, ଧାରା ୩୭୦ ଉଚ୍ଛେଦ କରିବାକୁ ହେଲେ ବିଧାନସଭାଠାରୁ ଅନୁମୋଦନ ଆବଶ୍ୟକ, ଯାହା ସମ୍ବିଧାନ ଅସ୍ଥାୟୀ ଭାବରେ ରଖିଛି। ବିଧାନସଭା ଭଙ୍ଗ ପରେ ଏହି ଆର୍ଟିକିଲ କିପରି ସ୍ଥାୟୀ ହେଲା ବୋଲି କୋର୍ଟ ପ୍ରଶ୍ନ କରିଥିଲେ କୋର୍ଟ।

ସେପଟେ କେନ୍ଦ୍ର ପକ୍ଷରୁ ମଧ୍ୟ ଯୁକ୍ତି ବାଢି କୁହାଯାଇଛି ଯେ, ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ସମ୍ପୂର୍ଣ୍ଣ ରୂପେ ଆଇନଗତ ଢାଞ୍ଚାରେ ନିଆଯାଇଛି। ଏହି ଧାରା ଉଚ୍ଛେଦ ପରେ ଜମ୍ମୁ କଶ୍ମୀରରୁ ଆତଙ୍କବାଦ ହ୍ରାସ ହୋଇଛି। ସରକାରଙ୍କ ପକ୍ଷରୁ ଯୁକ୍ତି ବାଢୁଥିବା ଓକିଲ କହିଛନ୍ତି, ଧାରା ଉଚ୍ଛେଦ ଗତ ଚାରି ବର୍ଷ ମଧ୍ୟରେ ରାଜ୍ୟକୁ ବିକାଶର ଦ୍ରୁତ ଗତିରେ ଆଗେଇ ନେବାରେ ସାହାଯ୍ୟ କରିଛି।

ପ୍ରକାଶ ଥାଉ କି, ୨୦୧୯ ଅଗଷ୍ଟ ୫ରେ ଜମ୍ମୁ କଶ୍ମୀରରୁ ଧାରା ୩୭୦ ଓ ୩୫-ଏ ଉଚ୍ଛେଦ ହୋଇଥିଲା। ଏହାପରେ ଜମ୍ମୁ କଶ୍ମୀର ସ୍ୱତନ୍ତ୍ର ରାଜ୍ୟ ପରିବର୍ତ୍ତେ କେନ୍ଦ୍ରଶାସିତ ଅଞ୍ଚଳର ମାନ୍ୟତା ପାଇଥିଲା। ଏଥିସହ ଲଦାଖ ମଧ୍ୟ ଜମ୍ମୁ କଶ୍ମୀରରୁ ଅଲଗା ହୋଇଥିଲା। ତେବେ ଧାରା ଧାରା ୩୭୦ ଉଚ୍ଛେଦ ଏବଂ ଲଦାଖ ଓ ଜମ୍ମୁ କଶ୍ମୀରକୁ ୨ କେନ୍ଦ୍ରଶାସିତ ଅଞ୍ଚଳ କରିବା ସରକାରଙ୍କ ଉଚିତ୍ ନିଷ୍ପତ୍ତି ଥିଲା କି ନାହିଁ, ତାହା ଆଜି ସ୍ପଷ୍ଟ ହୋଇଯିବ। 

Article 370 Supreme Court J&K