SC
ଆପଣ ଯେତେବେଳେ ବ୍ୟବସାୟିକରଣ ଭାଷଣ ଦେଉଛନ୍ତି ସେତେବେଳେ ଆପଣ କୌଣସି ବର୍ଗର ଭାବାବେଗକୁ ଆଘାତ କରିପାରିବେ ନାହିଁ। ଆଜି ଏକଥା କହିଛନ୍ତି ସୁପ୍ରିମକୋର୍ଟ। ଦିବ୍ୟାଙ୍ଗମାନଙ୍କୁ କଟାକ୍ଷ କରିଥିବା ହାସ୍ୟ କଳାକାର ସାମ୍ୟା ରାଇନା, ବିପୁନ ଗୋଏଲ, ବଲରାଜ ପରମଜୀବନ ସିଂହ ଘାଇ, ସୋନାଲି ଠାକୁର ଓ ନିଶାନ୍ତ ଜଗଦୀଶ ତନୱରଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ କହିଛନ୍ତି ସର୍ବୋଚ୍ଚ ଅଦାଲତ।
ଏହି ହାସ୍ୟ କଳାକାରମାନେ ଦିବ୍ୟାଙ୍ଗମାନଙ୍କ ସମ୍ପର୍କରେ ଅତ୍ୟନ୍ତ ଅସମ୍ବେଦନଶୀଳ ଶବ୍ଦ ପ୍ରୟୋଗ କରିଥିଲେ। ସେମାନଙ୍କୁ କଟାକ୍ଷ କରିଥିଲେ। ଏଥିଯୋଗୁ ସେମାନଙ୍କୁ ସର୍ବସମ୍ମୁଖରେ କ୍ଷମା ମାଗିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ଜୟମଳୟ ବାଗଚିଙ୍କ ଖଣ୍ଡପୀଠ ପକ୍ଷରୁ କ୍ୟୁରୋ ଏସଏମଏ ଫାଉଣ୍ଡେସନ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରିବା ବେଳେ ଏକଥା କହିଛନ୍ତି। ହାସ୍ୟ କଳାକାରମାନେ ଦିବ୍ୟାଙ୍ଗମାନଙ୍କୁ କଟାକ୍ଷ କରିଥିବା କ୍ୟୁରୋ ଏସଏମଏ ଫାଉଣ୍ଡେସନ ଅଭିଯୋଗ କରିଥିଲା।
କ୍ୟୁରୋ ଏସଏମଏ ଫାଉଣ୍ଡେସନ ପକ୍ଷରୁ ଆଗତ ଆବେଦନକୁ ଇଣ୍ଡିଆସ ଗଟ ଲାଟେଣ୍ଟରେ ବ୍ୟବହାର ହୋଇଥିବା ଅପଶବ୍ଦ ବିରୋଧୀ ଆବେଦନ ସହ ମିଶାଇ ଖଣ୍ଡପୀଠ ଶୁଣାଣି କରିଛନ୍ତି। ଇଣ୍ଡିଆସ ଗଟ ଲାଟେଣ୍ଟ ମାମଲା ସହ ୟୁଟ୍ୟୁବର ରଣବୀର ଆହ୍ଲାବାଦୀ ମଧ୍ୟ ଜଡ଼ିତ ରହିଛନ୍ତି।
ଫାଉଣ୍ଡେସନ ପକ୍ଷରୁ ଆଇନଜୀବୀନ ଅପରଜିତ ସିଂହ କହିଛନ୍ତି, “ଭଲ ସ୍ଥିତି ରହିଛି ଓ ସମସ୍ତ ହାସ୍ୟ କଳକାରମାନେ କ୍ଷମା ମାଗିଥିଲେ।” ତେବେ ସାମ୍ୟା ରାଇନା ଦାଖଲ କରିଥିବା କ୍ଷମା ସଂକ୍ରାନ୍ତ ଗୋଟିଏ କାଉଣ୍ଟର ସତ୍ୟପାଠ ସମ୍ପର୍କରେ ଖଣ୍ଡପୀଠ କହିଛନ୍ତି, “୬ ନମ୍ବର ଆବେଦନକାରୀ(ରାଇନା) ନିଜକୁ ବେଶ ନିରୀହ ଭାବେ ଚିତ୍ରଣ କରିବାକୁ ଚେଷ୍ଟା କରିଥିଲେ ଓ ଏହାପରେ କ୍ଷମା ମାଗିଥିଲେ।”
କେନ୍ଦ୍ର ପକ୍ଷରୁ ମାମଲା ଲଢ଼ୁଥିବା ଆଟର୍ଣ୍ଣି ଜେନେରାଲ ଆର ଭେଙ୍କରମଣୀଙ୍କ କହିବା କଥା ଯେ ହାସ୍ୟ କଳାକାର ଓ ସୋଶାଲ ମିଡିଆ ବ୍ୟକ୍ତିବିଶେଷଙ୍କ ପାଇଁ ଗାଇଡଲାଇନ ପ୍ରସ୍ତୁତ କରାଯିବ। ଏଥିପାଇଁ କେନ୍ଦ୍ରକୁ କିଛି ସମୟ ଦରକାର। ଏକଥା ଶୁଣି ଖଣ୍ଡପୀଠ କହିଛନ୍ତି ଯେ ଗାଇଡଲାଇନ ଗୋଟିଏ ଘଟଣା ଉପରେ ପର୍ଯ୍ୟବେସିତ ନ ହେବା ଦରକାର। ଭବିଷ୍ୟତର ଚ୍ୟାଲେଞ୍ଜକୁ ମଧ୍ୟ ନଜର ରଖି ଗାଇଡଲାଇନ ପ୍ରସ୍ତୁତ ହେବା ଉଚିତ।
ଜଷ୍ଟିସ ସୂର୍ଯ୍ୟକାନ୍ତ କହିଛନ୍ତି, “କ୍ଷମା ମାଗିବା ଗୋଟିଏ କଥା। ପ୍ରତିଥର ଗୋଟିଏ ଅନୁଷ୍ଠାନ ଏଥିପାଇଁ କୋର୍ଟ ଆସିବାର ଆବଶ୍ୟକତା ରହିଛି କି? ଯଦି କିଛି ଲୋକ ଏହାର ଶିକାର ହେବେ, ତା’ହେଲେ କ’ଣ କରାଯିବ?”
ଏହାକୁ ଆଗକୁ ନେଇ ଜଷ୍ଟିସ ବାଗଚି କହିଛନ୍ତି, “ଥଟ୍ଟାମଜା ଜୀବନର ଅଂଶ। ଆମେ ନିଜ ଉପରେ ଜୋକକୁ ଗ୍ରହଣ କରିପାରିବା। କିନ୍ତୁ ଯେତେବେଳେ ଆପଣ ଅନ୍ୟମାନଙ୍କୁ ପରିହାସ କରିବେ ସେତେବେଳେ ସମ୍ବେଦନଶୀଳତାର ଉଲ୍ଲଙ୍ଘନ ହେବ। ଭାରତ ଗୋଟିଏ ବିବଧ ଦେଶ। ଏଠାରେ ଅନେକ ସଂପ୍ରଦାୟ ରହୁଛନ୍ତି। ଏମାନେ ହେଉଛନ୍ତି ଆଜିକା ଦିନକର ଇନଫ୍ଲୁଏନସର। ଆପଣମାନେ ଯେତେବେଳେ ଭାଷଣ ମାରୁଛନ୍ତି ସେତେବେଳେ ଏହାକୁ ଗୋଟିଏ ସଂପ୍ରଦାୟକ କିମ୍ବା ସେମାନଙ୍କ ଭାବାବେଗକୁ ଆହତ ନ କରିବା ଦରକାର।”
ଖଣ୍ଡପୀଠ ସମସ୍ତ ହାସ୍ୟ କଳାକାରଙ୍କୁ ନିଜ ନିଜର ୟୁଟ୍ୟୁବରେ କ୍ଷମା ମାଗିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ସେମାନେ କେତେ ଟଙ୍କା ଲେଖାଏ ଜୋରିମାନେ ଦେବାକୁ ରାଜି ଅଛନ୍ତି, ସେକଥା ମଧ୍ୟ କୋର୍ଟକୁ ଜଣାଇବେ।
ଏହି ହାସ୍ୟ କଳାକାରମାନେ ୟୁଟ୍ୟୁବରେ ବେଶ ସକ୍ରିୟ। ତେଣୁ ଦିବ୍ୟାଙ୍ଗମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ପାଇଁ ସେମାନେ ନିଜ ନିଜ ପ୍ଲାଟଫର୍ମରେ କ’ଣ ସବୁ ପଦକ୍ଷେପ ନେଇ ପାରିବେ, ସେକଥା ସତ୍ୟପାଠ ଜରିଆରେ ଦାଖଲ କରିବାକୁ ମଧ୍ୟ ସୁପ୍ରିମକୋର୍ଟ ମତ ରଖିଛନ୍ତି।
କୋର୍ଟଙ୍କ କହିବା କଥା ବ୍ୟବସାୟିକ ଭାଷଣଗୁଡ଼ିକ ଦାୟିତ୍ୱବାନ ଢଙ୍ଗରେ ଦିଆଯିବା ଦରକାର ବୋଲି ଆଜିକା ଦିନର ଇନଫ୍ଲୁଏନସ୍ସରମାନେ ବୁଝିବା ଦରକାର। ସମାଜର ଗୋଟିଏ ନିର୍ଦ୍ଦିଷ୍ଟ ବର୍ଗକୁ ଆଘାତ ଦେବା ଭଳି ସେମାନେ କୌଣସି କାମ କରନ୍ତୁ ନାହିଁ। ଦିବ୍ୟାଙ୍ଗଙ୍କ ସମେତ ସବୁ ଲୋକଙ୍କ ଗାରିମାକୁ ରକ୍ଷା କରିବା ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସୋଶାଲ ମିଡିଆରେ ବ୍ୟବହୃତ ହେଉଥିବା ଭାଷାକୁ ଦୃଷ୍ଟି ରଖି ଗୋଟିଏ ବ୍ୟାପକ ନିର୍ଦ୍ଦେଶନାମା ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟ ତିଆରି କରିବା ବେଳେ ରାଷ୍ଟ୍ରୀୟ ଦିବ୍ୟାଙ୍ଗ କଲ୍ୟାଣ ବୋର୍ଡ ଓ ଅନ୍ୟ ହିତାଧିକାରୀଙ୍କ ସହ ପରାମର୍ଶ କରିପାରିବ।
ହାସ୍ୟ ଅଭିନେତା ସାମ୍ୟା ରାଇନା ନିଜ କାର୍ଯ୍ୟକ୍ରମରେ ଦିବ୍ୟାଙ୍ଗମାନଙ୍କୁ କଟାକ୍ଷ କରିଥିଲେ। ଏନେଇ ତାଙ୍କ ବିରୋଧରେ ଅଭିଯୋଗ ଦାଖଲ କରାଯାଇଥିଲା। କ୍ୟୁରୋ ଏସଏମଏ ଫାଉଣ୍ଡେସନ ପକ୍ଷରୁ ଏପରି ଅଭିଯୋଗ କରାଯିବା ସହ ଅନଲାଇନ ବିଷୟବସ୍ତୁ ପାଇଁ ଗାଇଡଲାଇନ ଆଣିବାକୁ ଦାବି କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/SC_1756115550.jpg)