ଏସ୍ଆଇଆର୍
ବିଭିନ୍ନ ରାଜ୍ୟରେ ଚାଲିଥିବା ଭୋଟର ତାଲିକା ସଂଶୋଧନ ସର୍ଭେ ବା ଏସ୍ଆଇଆର୍ରେ ଆଧାର କାର୍ଡର ଭୂମିକାକୁ ନେଇ ବଡ଼ ପ୍ରଶ୍ନ କରିଛନ୍ତି ସୁପ୍ରିମକୋର୍ଟ। ଆଧାର କାର୍ଡ ହାସଲ କରିଥିବା ବିଦେଶୀ ନାଗରିକା ବା ଅନୁପ୍ରବେଶକାରୀଙ୍କୁ କ’ଣ ଆପେଆପେ ଭୋଟର ତାଲିକାରେ ସାମିଲ ହେବାକୁ ଅନୁମତି ମିଳିବ?
ଜନକଲ୍ୟାଣ ମୂଳକ ଯୋଜନା ଯଥା ସବସିଡି ରାସନ ପାଇଁ ବିଦେଶୀ ନାଗରିକ ମଧ୍ୟ ଆଧାର କାର୍ଡ ହାସଲ କରୁଛନ୍ତି। ଏଥିରେ କୌଣସି ପ୍ରକାରର ଅସୁବିଧା ନାହିଁ। କିନ୍ତୁ ସମସ୍ତ ଆଧାର କାର୍ଡଧାରୀଙ୍କୁ ଭୋଟିଂ ଅଧିକାର ମିଳିବ କି ବୋଲି ସର୍ବୋଚ୍ଚ ଅଦାଲତ ପ୍ରଶ୍ନ କରିଛନ୍ତି।
ଏସ୍ଆଇଆର(sir) ବେଳେ ସର୍ବୋଚ୍ଚ ଅଦାଲତ(Supreme Court) ୧୨ତମ ଦସ୍ତାବିଜ ଭାବେ ଆଧାର କାର୍ଡକୁ ବ୍ୟବହାର କରିବା ପାଇଁ ଅନୁମତି ଦେଇଛନ୍ତି। ବିହାର ଏସ୍ଆଇଆର ବେଳେ ସର୍ବୋଚ୍ଚ ଅଦାଲତ ଆଧାର କାର୍ଡକୁ ବୈଧ ଦସ୍ତାବିଜ ଭାବେ ଗ୍ରହଣ କରାଯାଇ ପାରିବ ବୋଲି ମତ ରଖିଥିଲେ। ତଥାପି ଏସ୍ଆଇଆର ବିରୋଧୀ ଆବେଦନ ବେଳେ ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତଙ୍କ ଖଣ୍ଡପୀଠ ଆଧାରକୁ ନେଇ ଏପରି ପ୍ରଶ୍ନ କରିଛନ୍ତି।
ଆଧାର ଗୋଟିଏ ଆଇନଗତ କାଗଜ। କଲ୍ୟାଣକାରୀ ଯୋଜନାର ଲାଭ ପାଇବା ପାଇଁ ଆଧାର କାର୍ଡର ବ୍ୟବହାରକୁ ନେଇ କୌଣସି ବିବାଦ ନାହିଁ। କିନ୍ତୁ ମନେକରନ୍ତୁ ଯେ ଜଣେ ବ୍ୟକ୍ତି ପଡ଼ୋଶୀ ଦେଶରୁ ଭାରତକୁ ଆସୁଛନ୍ତି। ଏଠାରେ ସେ ଶ୍ରମିକ କିମ୍ବା ରିକ୍ସା ଚାଲକ ଭାବେ କାମ କରୁଛନ୍ତି। ସେ ଅତ୍ୟନ୍ତ ଗରିବ ହୋଇଥିବାରୁ ନିଜର ପିଲାମାନଙ୍କୁ ରାସନ ଦେବା ପାଇଁ ଆଧାର କାର୍ଡ ହାସଲ କରୁଛନ୍ତି। ଏହା ଆମର ସାମ୍ବିଧାନିକ ନୈତିକତା ଓ ମାନବିକତା। ଏହାର ଅର୍ଥ କ’ଣ ତାଙ୍କ ପାଖରେ ଆଧାର କାର୍ଡ ଥିବାରୁ ତାଙ୍କୁ ଭାରତର ମତଦାତା ବନେଇବା ଦେବା ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ ଆବେଦନକାରୀ ଓକିଲ କପିଲ ଶିବଲଙ୍କୁ ପ୍ରଶ୍ନ କରିଛନ୍ତି।
ନିର୍ବାଚନ କମିଶନଙ୍କ ପକ୍ଷରୁ ଚାଲିଥିବା ଏସ୍ଆଇଆରର ସାମ୍ବିଧାନିକ ବୈଧତା ଉପରେ ଉଠିଥିବା ପ୍ରଶ୍ନର ଶୁଣାଣି ବେଳେ ସୁପ୍ରିମକୋର୍ଟ ଏପରି କହିଛନ୍ତି।
ଏହାର ଜବାବରେ ଶିବଲ କହିଛନ୍ତି ଯେ ନିଶ୍ଚିତ ଭାବେ ଏହା ସମ୍ଭବତଃ କିଛି ସୀମାନ୍ତ ରାଜ୍ୟରେ ସତ ହୋଇପାରେ। କିନ୍ତୁ ଏହା କେରଳ ଓ ବିହାର ଭଳି ରାଜ୍ୟ ପାଇଁ ସତ ନୁହେଁ।
ବିହାର ପରେ ତାମିଲନାଡୁ, କେରଳ, ବେଙ୍ଗଲ ଓ ପୁଡୁଚେରୀ ଭଳି ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଏବେ ଏସ୍ଆଇଆର ଚାଲିଛି। ଏହି ୧୨ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୫୧ କୋଟି ଭୋଟରଙ୍କ ଯାଞ୍ଚ କରାଯାଉଛି।
ଖଣ୍ଡପୀଠରେ ଥିବା ଜଷ୍ଟିସ ଜୟମଳୟ ବାଗଚି କହିଛନ୍ତି ଯେ ଭୋଟର ତାଲିକାର ଯାଞ୍ଚ କରିବାର ଅଧିକାର ନିର୍ବାଚନ କମିଶନଙ୍କ ପାଖରେ ରହିଛି। ଗଣନା ଫର୍ମ ଯାଞ୍ଚ ବା ସର୍ଭେର ଅଂଶବିଶେଷ। ଭୋଟରଙ୍କ ଅସ୍ଥିତ୍ୱ ଜାଣିବାର ଏହା ଗୋଟିଏ ଅଂଶବିଶେଷ। ଭାରତୀୟ ନିର୍ବାଚନ ଗୋଟିଏ ଡାକ ଘର ଭାବେ କାମ କରିବେ ବୋଲି ଆମେ ଆଶା କରିପାରିବା ନାହିଁ ବୋଲି ଜଷ୍ଟିସ ବାଗଚି କହିଛନ୍ତି।
ଖଣ୍ଡପୀଠ ଶୁଣାଣି ବେଳେ ଦୋହରାଇଛନ୍ତି ଯେ “ଆଧାର କାର୍ଡ ସଂପୂର୍ଣ୍ଣ ଭାବେ ନାଗରିକତାର ପ୍ରମାଣ ନୁହେଁ। ତେଣୁ ଆମେ ଏହାକୁ କେବଳ ଗୋଟିଏ ଦସ୍ତାବିଜ ଭାବେ ବ୍ୟବହାର କରିବାକୁ କହିଛୁ। ଯଦି କାହା ନାଁ କଟା ଯାଇଛି, ସେମାନଙ୍କୁ ଏହାର କାରଣ ନୋଟିସ ମାଧ୍ୟମରେ ଅବଗତ କରାଯିବ।”
ତାମିଲନାଡୁ, କେରଳ ଓ ବେଙ୍ଗଲରେ ଚାଲିଥିବା ଏସ୍ଆଇଆରକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ନିର୍ବାଚନ କମିଶନଙ୍କୁ ନୋଟିସ କରିଛନ୍ତି। ଡିସେମ୍ବର ୧ ସୁଦ୍ଧା କମିଶନ ଜବାବ ରଖିବେ। ଏହାପରେ ଆବେଦନକାରୀ ମଧ୍ୟ ନିଜର ପକ୍ଷ ଦାଖଲ କରିପାରିବେ। ଦୁଇ ପକ୍ଷ ଜବାବ ରଖିବା ପରେ ଏହାର ଶୁଣାଣି ହେବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/27/sir-2025-11-27-12-35-17.jpg)