Advertisment

ସ୍ୱଚ୍ଛତାରେ ପୁଣି ବାଜି ମାରିଲା ଇନ୍ଦୋର, ସୁରଟ ବି ହେଲା ନମ୍ବର-୧

ସ୍ୱଚ୍ଛ ସହର ତାଲିକାରେ ଓଡ଼ିଶାର ଗୋଟିଏ ବି ସହର ଟପ୍-୧୦ରେ ନାହିଁ।

author-image
Madhupriya Mistry
Cleanest citie Indore

Cleanest citie Indore

ପୁଣି ବାଜି ମାରିଲା ମଧ୍ୟପ୍ରଦେଶର ଇନ୍ଦୋର। ଲଗାତର ସପ୍ତମ ଥର ପାଇଁ ସ୍ୱଚ୍ଛ ସହର ପୁରସ୍କାର ଜିତିଛି। ସେହିପରି ଗୁଜରାଟ ସୁରଟ ମଧ୍ୟ ଏଥର ସ୍ୱଚ୍ଛ ସହର ତାଲିକାର ଶୀର୍ଷକୁ ଉଠି ଆସିଛି। ଏହି ଦୁଇ ସହରକୁ ସ୍ୱଚ୍ଛ ପୁରସ୍କାର ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀରେ ଆଜି ପୁରସ୍କାର ପ୍ରଦାନ କରିଛନ୍ତି।

Advertisment

ସର୍ବେକ୍ଷଣରେ ଉଭୟ ଇନ୍ଦୋର ଓ ସୁରଟ ଯୁଗ୍ମ ଭାବେ ପ୍ରଥମ ବିବେଚିତ ହୋଇଛନ୍ତି। ଲଗାତର ସପ୍ତମ ଥର ପାଇଁ ଇନ୍ଦୋର ପ୍ରଥମ ସ୍ଥାନରେ ଥିବା ବେଳେ ସୁରତ ପ୍ରଥମ ଥର ପ୍ରଥମ ସ୍ଥାନରେ ପହଞ୍ଚିଛି। ରାଜ୍ୟ ହିସାବରେ ପ୍ରଥମ ୩ଟି ସ୍ଥାନରେ ଅଛନ୍ତି ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼। ଏଥି ସହିତ ଭୋପାଳକୁ ଅଳିଆ ଫ୍ରି ସିଟି ପୁରସ୍କାର ମିଳିଛି। ମଧ୍ୟପ୍ରଦେଶର ଅମରକଣ୍ଟକ, ମହୁ ଏବଂ ବୁଦ୍ଧନୀକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି।

ପୁରସ୍କାର ଗ୍ରହଣ ପରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି, 'ଇନ୍ଦୋରର ଲୋକମାନେ ପୁଣି ଥରେ ପ୍ରମାଣ କରିଛନ୍ତି ଯେ ସ୍ୱଚ୍ଛତା କେବଳ ସେମାନଙ୍କର ଅଭ୍ୟାସରେ ପରିଣତ ହୋଇନାହିଁ, ବରଂ ବର୍ତ୍ତମାନ ଏହା ତାଙ୍କ ଚିନ୍ତାଧାରାରେ ମଧ୍ୟ ଅଛି। ପରିଷ୍କାର ପରିଚ୍ଛନ୍ନତାର ସବୁଠୁ ବଡ ସଫଳତା ପାଇଁ ମୁଁ ରାଜ୍ୟର ସମସ୍ତ ଲୋକଙ୍କୁ, ସ୍ୱଚ୍ଛତା କାର୍ଯ୍ୟରେ ନିୟୋଜିତ ଥିବା ସମସ୍ତ ସ୍ଥାନୀୟ ଜନ ପ୍ରତିନିଧୀମାନଙ୍କୁ ଅଭିନନ୍ଦନ ଜଣାଉଛି।'

Advertisment

ଆବର୍ଜନା ପରିଚାଳନା, ପ୍ଲାଷ୍ଟିକ ଆବର୍ଜନାର ପରିଚାଳନା, ରିସାଇକଲ, ରିୟୁଜ ନୀତିର ପ୍ରୟୋଗ ଏବଂ ସଫେଇ କର୍ମଚାରୀଙ୍କ ସୁରକ୍ଷା ଆଧାରରେ ରାଙ୍କିଂ କରାଯାଇଥାଏ। ୨୦୧୬ରୁ ଦେଶରେ ସ୍ୱଚ୍ଛ ସର୍ବେକ୍ଷଣ କରୁଛନ୍ତି କେନ୍ଦ୍ର ସରକାର। ଏ ବର୍ଷ ୪ ହଜାର ୪୭୭ଟି ସହରକୁ ସର୍ଭେରେ ସାମିଲ କରାଯାଇଥିଲା। ତେବେ ଓଡ଼ିଶାର ଗୋଟିଏ ବି ସହର ଟପ୍-୧୦ରେ ନାହିଁ।

ସ୍ୱଚ୍ଛ ସହର ତାଲିକାରେ ଭୁବନେଶ୍ୱର ୩୪ ତମ ସ୍ଥାନରେ ଥିବା ବେଳେ ପୁରୀ ୬୨ତମ ସ୍ଥାନରେ ରହିଛି। ସେହିପରି ୯୯ତମ ସ୍ଥାନରେ ବାଲେଶ୍ୱର, ୧୧୧ତମ ସ୍ଥାନରେ ବ୍ରହ୍ମପୁର, ୧୧୯ ସ୍ଥାନରେ ରାଉରକେଲା, ୧୬୩ତମ ସ୍ଥାନରେ ସମ୍ବଲପୁର, ୧୭୨ତମ ସ୍ଥାନରେ କଟକ, ୧୮୫ତମ ସ୍ଥାନରେ ବାରିପଦା ଓ ୨୨୯ ତମ ସ୍ଥାନରେ ଭଦ୍ରକ ରହିଛି। 

Surat Swachh Survekshan Cleanest Citie Indore