Advertisment

ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ

ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ହୋଇଥିଲେ ସମ୍ମାନୀତ। ଜାକିର ହୁସେନଙ୍କୁ ମୃତ୍ୟୁ ବେଳକୁ ୭୩ ବର୍ଷ ବୟସ ହୋଇଥିଲା।

author-image
Debadatta Aryashrestha
ଅଦ୍ୟତନ ହୋଇଛି
Zakir Hussain (File Photo)

Zakir Hussain (File Photo)

ନିଜ ତବଲାର ଧ୍ୱନୀରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରିଦେଉଥିବା ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ ଘଟିଛି। କିଛିଦିନ ତଳେ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ। ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନୀତ ଉସ୍ତାଦ ଜାକିର ହୁସେନଙ୍କୁ ମୃତ୍ୟୁ ବେଳକୁ ୭୩ ବର୍ଷ ବୟସ ହୋଇଥିଲା।

Advertisment

ସଂଗୀତ ଜଗତର ବେତାଜ ବାଦଶାହ ଉସ୍ତାଦ ଜାକିର ହୁସେନ ଆଉ ନାହାଁନ୍ତି। ତାଙ୍କର ଅବର୍ତ୍ତମାନରେ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି। ୩ଥର ଗ୍ରାମି ପୁରସ୍କାର ପାଇଥିଲେ ସେ। ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମ ଭୂଷଣ ସମ୍ମାନ ପାଇଥିଲେ ଉସ୍ତାଦ ଜାକିର ହୁସେନ। ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ୨୦୨୩ରେ ପଦ୍ମ ବିଭୂଷଣ ପ୍ରଦାନ କରିଥିଲେ। ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ୍ ଆଣ୍ଡୋମେଣ୍ଟ ଫର୍ ଦି ଆର୍ଟ୍ସ ପକ୍ଷରୁ ନ୍ୟାସନାଲ୍ ହେରିଟେଜ୍ ଫେଲୋଶିପ୍ ପ୍ରଦାନ କରାଯାଇଥିଲା। ତାଙ୍କୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ।

୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ ଉସ୍ତାଦ ଜାକିର ହୁସେନ। ତାଙ୍କ ପିତା ଉସ୍ତାଦ୍ ଆଲ୍ଲା ରାଖା ମଧ୍ୟ ଦେଶର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ। ପିତାଙ୍କ ପଥ ଅନୁସରଣ କରି ଉସ୍ତାଦ୍ ଜାକିର ହୁସେନ୍ ସଙ୍ଗୀତକୁ ତାଙ୍କ କ୍ୟାରିୟର ଭାବରେ ବାଛିଥିଲେ ଏବଂ ଏହାକୁ ମଧ୍ୟ ତାଙ୍କ ଜୀବନର ବ୍ରତ କରିଥିଲେ। ଜାକିର ହୁସେନ୍ ବହୁତ କମ ବୟସରୁ ତବଲା ଶିଖିବା ଆରମ୍ଭ କରିଥିଲେ। ତାଙ୍କ ପିତା ହିଁ ତାଙ୍କର ପ୍ରଥମ ଗୁରୁ ଥିଲେ, ଯାହାଙ୍କ ପାଖରୁ ସେ କେବଳ ୧୧ ବର୍ଷ ବୟସରେ ତବଲା ତାଲିମ ନେଇଥିଲେ। ସଙ୍ଗୀତ ଜଗତରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦେଶର ୨ୟ ସର୍ବୋଚ୍ଚ ନାଗରିକ ସମ୍ମାନ ପଦ୍ମ ବିଭୂଷଣ ପ୍ରଦାନ କରାଯାଇଥିଲା।

Advertisment

ଜାକିର ହୁସେନଙ୍କ ବିୟୋଗରେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ସାଂସଦ ବୈଜୟନ୍ତ ପଣ୍ଡା ଗଭୀର ଶୋକ ପ୍ରକାଶ କରିଛନ୍ତି। ଭାରତୀୟ ଶାସ୍ତ୍ରୀୟ ସଙ୍ଗିତକୁ ଜାକିର ହୁସେନ ବିଶ୍ୱ ସ୍ତରରେ ପରିଚିତ କରିଥିଲେ। ସେ ବିଶ୍ୱର କୋଣ ଅନୁକୋଣରେ ଭାରତର ଉଚ୍ଚକୋଟିର କଳାକୁ ପରିଚିତ କରି ପାରିଥିଲେ। ଆଜି ବି ସେ ବିଶ୍ୱର ଅଗଣିତ ଲୋକଙ୍କ ହୃଦୟରେ ବିରାଜମାନ କରୁଛନ୍ତି । ଜାକିର ହୁସେନଙ୍କ ବିୟୋଗ ସମଗ୍ର କଳା ଜଗତ ପାଇଁ ଅପୂରଣୀୟ କ୍ଷତି। ଏଥିସହ ତାଙ୍କ ଅମର ଆତ୍ମାର ସଦଗତି କାମନା କରିଛନ୍ତି ବୈଜୟନ୍ତ ପଣ୍ଡା । 

Zakir Hussain Tabla Maestro Zakir Hussain Zakir Hussain Death