Advertisment

କସାବ ଭଳି ରାଣାକୁ ମିଳିବ କି ଫାଶୀ?

ପାକିସ୍ତାନୀ-କାନାଡିଆନ ଆତଙ୍କବାଦୀ ରାଣାକୁ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। ସ୍ୱତନ୍ତ୍ର ବିଚାରପତି ଚନ୍ଦ୍ର ଜିତ ସିଂହ ତାକୁ ୧୮ ଦିନ ପାଇଁ ଏନଆଇଏ ରିମାଣ୍ଡରେ ପଠାଇ ଦେଇଛନ୍ତି।

author-image
Hemant Lenka
NIA

NIA

ଦେଶର ସବୁଠାରୁ ଭୟଙ୍କର ମୁମ୍ବାଇ ଆତଙ୍କବାଦୀ ହମଲାର ମାଷ୍ଟରମାଇଣ୍ତ ତହବୁର ହୁସେନ ରାଣାକୁ ଗୁରୁବାର ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ଗିରଫ କରିଛି। ଦୀର୍ଘ ୧୪ ବର୍ଷ ପରେ ଆମେରିକା ରାଣାକୁ ପ୍ରତ୍ୟର୍ପଣ କରିଥିଲା। ଗୁରୁବାର ଆମେରିକାରୁ ରାଣା ସ୍ୱତନ୍ତ୍ର ବିମାନ ଯୋଗେ ଦିଲ୍ଲୀରେ ପହଞ୍ଚିବା ପରେ ତାକୁ ଏନଆଇଏ ଗିରି‍ଫ କରିଛି। ଏୟାରପୋର୍ଟରେ ମେଡିକାଲ ଚେକଅନ ସହ ଅନ୍ୟାନ୍ୟ ଔପଚାରିକ କାମ ଶେଷ କରାଯାଇଥିଲା।

Advertisment

ଏହାପରେ ପାକିସ୍ତାନୀ-କାନାଡିଆନ ଆତଙ୍କବାଦୀ ରାଣାକୁ ସ୍ୱତନ୍ତ୍ର ଏନଆଇଏ କୋର୍ଟରେ ହାଜର କରାଯାଇଥିଲା। ସ୍ୱତନ୍ତ୍ର ବିଚାରପତି ଚନ୍ଦ୍ର ଜିତ ସିଂହ ତାକୁ ୧୮ ଦିନ ପାଇଁ ଏନଆଇଏ ରିମାଣ୍ଡରେ ପଠାଇ ଦେଇଛନ୍ତି। ଏନଆଇଏର ଓକିଲ ନରେନ୍ଦ୍ର ମାନ କୋର୍ଟରେ ୨୦ ଦିନର ରିମାଣ୍ଡ ପାଇଁ ଆବେଦନ କରିଥିଲେ। ହେଲେ କୋର୍ଟ ୧୮ ଦିନ ପାଇଁ ତାକୁ ରିମାଣ୍ଡରେ ପଠାଇଛନ୍ତି। ରାଣା ପକ୍ଷରୁ ପୀୟୂଷ ସଚଦେବା ନିଜର ପକ୍ଷ ରଖିଥିଲେ। ଦିଲ୍ଲୀ ଲେଗାଲ ସର୍ଭିସ ଅଥୋରିଟୀ ପକ୍ଷରୁ ରାଣାର ମାମଲା ପରିଚାଳନା ପାଇଁ ପୀୟୂଷଙ୍କୁ ନିଯୁକ୍ତ କରାଯାଇଛି।

ଏବେ ଭାରତରେ ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାରେ ରାଣାର ଭୂମିକା ସମ୍ପର୍କରେ ବିଚାର କରାଯିବ। ରାଣା ବିରୋଧରେ ଅନେକ ପ୍ରମାଣ ଏନଆଇଏ ପାଖରେ ରହିଛି। ଆକ୍ରମଣ ଘଟଣାରେ ସାମିଲ ଥିବା ଅଜମଲ କସାବ ଏକମାତ୍ର ଆତଙ୍କବାଦୀ ଗିରଫ ହୋଇଥିଲା। ପରବର୍ତ୍ତୀ ଅବସ୍ଥାରେ ତା’ର ବିଚାର କରାଯାଇ, ତା’କୁ ଭାରତରେ ଫାଶୀ ଖୁଣ୍ଟରେ ଝୁଲା ଯାଇଥିଲା।

Advertisment

ଏବେ ରାଣାକୁ ମଧ୍ୟ ଭାରତରେ ଫାଶୀ ମିଳୁଛି କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି। ସେହିପରି ଅଜମଲ କସାବର ବିଚାର ପ୍ରକ୍ରିୟା ପାଇଁ ୪ ବର୍ଷ ଚାଲିଥିଲା। ଏଥିପାଇଁ ପ୍ରାୟ ୩୦ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ତେଣୁ ରାଣାକୁ କେତେ ଶୀଘ୍ର ଫାଶୀ ମିଳୁଛି ଓ ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି, ତା’କୁ ମଧ୍ୟ ସମସ୍ତେ ଅପେକ୍ଷା କରି ରହିଛନ୍ତି।

ରାଣାର ପ୍ରତ୍ୟର୍ପଣ କୌଣସି ବଲଉଡ ସିନେମା ଠାରୁ କମ ନଥିଲା। ଆମେରିକା ସରକାର ତା’ର ପ୍ରତ୍ୟର୍ପଣ ପାଇଁ ଅନୁମତି ଦେଇଥିଲେ ହେଁ ସେ ଏହା ବିରୋଧରେ ବିଭିନ୍ନ ପ୍ରକାରର ଆଇନଗତ ପ୍ରକ୍ରିୟା ଆପଣାଇଥିଲା। ଏହି ଆଇନଗତ ପ୍ରକ୍ରିୟା ପାଇଁ ରାଣାର ପ୍ରତ୍ୟର୍ପଣକୁ ୧୪ ବର୍ଷ ସମୟ ଲାଗିଥିଲା। ଏପ୍ରିଲ ୯ରେ ଆମେରିକାରୁ ରାଣା ସ୍ୱତନ୍ତ୍ର ବିମାନ ଯୋଗେ ଭାରତ ଆସିଥିଲା।

ଭାରତର ପାଲମ ଏୟାରପୋର୍ଟର ଟେକ୍ନିକାଲ ଅଞ୍ଚଳରେ ବିମାନ ପହଞ୍ଚିବା ଯାଏ ଏନଆଇଏ ଆଶା ଆଶଙ୍କାରେ ରହିଥିଲା। ତେବେ ସନ୍ଧ୍ୟା ୬.୩୦ରେ ବିମାନ ଭାରତରେ ପହଞ୍ଚିବା କ୍ଷଣି ରାଣାକୁ ଏନଆଇଏ ନିଜ ହେପାଜତକୁ ନେଇଥିଲା। ରାଣାକୁ ନେଇ ଆସୁଥିବା ବିମାନ ଉପରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ, ଏନଏସଏ ଅଫିସ, ଗୁଇନ୍ଦା ବିଭାଗ ଓ ଅନ୍ୟ ସୁରକ୍ଷା ଅଧିକାରୀ ନିୟମିତ ନିଜର ରଖିଥିଲେ। ରାଣାକୁ ନେଇ ଆସୁଥିବା ବିମାନ ପାଇଁ ଗୋଟିଏ ଡମି କୋଡ ପ୍ରସ୍ତୁତ ହୋଇଥିଲା। ପବ୍ଲିକ ଫ୍ଲାଇଟ ଟ୍ରାକରରୁ ବର୍ତ୍ତିବା ପାଇଁ ସବୁ ପ୍ରକାରର ବ୍ୟବସ୍ଥା ହୋଇଥିଲା। ଅଧା ବାଟରେ କାଳେ ବିମାନ ଉପରେ ଆକ୍ରମଣ ହେବ, ସେଥିପାଇଁ ଏପରି ପଦକ୍ଷେପ ନିଆଯାଇଥିଲା।

ବୁଧବାର ଭୋର ସମୟରୁ ବିମାନଟି ଲସ ଆଞ୍ଜେଲ୍ସରୁ ବାହାରି ଗୁରୁବାର ସନ୍ଧ୍ୟାରେ ଭାରତରେ ପହଞ୍ଚିଥିଲା। ଉଡ଼ାଣ ମଧ୍ୟରେ ରୋମାନିଆରେ ଏହା ଗୋଟିଏ ଥର ଅବତରଣ ବି କରିଥିଲା। ୨୦୦୮ ମସିହା ନଭେମ୍ବର ୧୯ରେ ରାଣା ଓ ତା’ର ସ୍କୁଲ ବନ୍ଧୁ ତଥା ଅନ୍ୟତମ ଆତଙ୍କବାଦୀ ଗିଲାନି ଓରଫ ଡାଭିଡ କୋଲେମାନ ହେଡଲୀ ଭାରତ ଛାଡ଼ିଥିଲେ। ଏହାର ଗୋଟିଏ ସପ୍ତାହ ପରେ ଯୋଜନା ଅନୁସାରେ ଲସ୍କରର ୧୦ କୁଖ୍ୟାତ ଆତଙ୍କବାଦୀ ମୁମ୍ବାଇର ୱରଲି ସ୍ଥିତ ସମୁଦ୍ର କୂଳ ପଟେ ଭାରତ ମାଟିରେ ପାଦ ଦେଇ ଭୟଙ୍କର ଆକ୍ରମଣ କରିଥିଲେ।

ଏହି ଯୋଜନାବଦ୍ଧ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପୂରା ବିଶ୍ୱ ଦୋହଲି ଯାଇଥିଲା। ମୁମ୍ବାଇରେ ନରସଂହାର କରିବାକୁ ହୋଇଥିବା ଯୋଜନାରେ ରାଣା ଓ ହେଡଲୀ ସହାୟତା କରିଥିଲେ। ଏମାନେ କେଉଁ ସବୁ ସ୍ଥାନରେ ଆକ୍ରମଣ କରାଯିବ, ତା’ର ତଥ୍ୟ ଲସ୍କରର ଆକ୍କା ମାନଙ୍କୁ ଦେଇଥିଲେ।

୨୦୦୮ ମୁମ୍ବାଇର ପୋୱାଇ ହୋଟେଲରେ ରାଣା ଜଣେ ବ୍ୟବସାୟୀ ଭାବେ ଚେକଇନ କରିଥିଲା। ଏବେ ତା’ର ଠିକଣା ବଦଳି ଯାଇଛି। ଚେହେରାରେ ପରିବର୍ତ୍ତନ ହୋଇଛି। ଏବେ ସେ ଏନଆଇଏର ସେଲରେ କୁଖ୍ୟାତ ଆତଙ୍କବାଦୀ ଭାବେ ରହିଛି।

୨୦୦୮ରେ ମୁମ୍ବାଇକୁ ଆସିବା ପରେ ସେ ଆଗ୍ରା, ହାପୁର, କୋଚି ଓ ଅନ୍ୟ ସହରକୁ ଯାଇଥିଲା। ନିଜର ତଥାକଥିତ ଇମିଗ୍ରେସନ ବ୍ୟବସାୟର ପ୍ରଚାର ପ୍ରସାର ପାଇଁ ସେ ବୁଲିବାକୁ ଆସିଥିବା ସମସ୍ତଙ୍କୁ କହିଥିଲା। ହେଲେ ବାସ୍ତବରେ ସେ ଭାରତର ବିଭିନ୍ନ ସ୍ଥାନର ଯାଞ୍ଚ କରି ଏହାର ତଥ୍ୟ ଲସ୍କରକୁ ଦେଇଥିଲା।

NIA Investigation MUMBAI ATTACK 26/11 Mumbai Attack Tahawwur Rana