ମୁମ୍ବାଇ ୨୬/୧୧ ଆତଙ୍କବାଦୀ ହମଲାର ପ୍ରାୟ ୧୫ ବର୍ଷ ପରେ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ହାତରେ ଲାଗିଛି ବଡ଼ ତଥ୍ୟ। ହମଲାର ମାଷ୍ଟରମାଇଣ୍ଡ ତହବୁର ହୁସେନ ରାଣାକୁ ଆମେରିକା ପ୍ରତ୍ୟର୍ପିତ କରିବା ପରେ ଶୁକ୍ରବାର ଠାରୁ ଏନଆଇଏ ତା’କୁ ଜେରା କରିବା ଆରମ୍ଭ କରିଛି। ଜେରା ବେଳେ ଅନେକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି। ମୁମ୍ବାଇ ୨୬/୧୧ ହମଲା ପୂର୍ବରୁ ରାଣା ଜଣେ ରହସ୍ୟମୟ ବ୍ୟକ୍ତିକୁ ଦୁବାଇରେ ଭେଟିଥିଲା। ତା’ ସମ୍ପର୍କରେ ରାଣା ଠାରୁ ତଥ୍ୟ ଓଗାରିବା ଲକ୍ଷ୍ୟରେ ରହିଛି ଏନଆଇଏ। ରାଣା ଦୁବାଇରେ ଯେଉଁ ରହସ୍ୟମୟ ବ୍ୟକ୍ତିକୁ ଭେଟିଥିଲା, ସେ ବେଶ ଭଲ ଭାବେ ୨୬/୧୧ ଆତଙ୍କବାଦୀ ହମଲା ସମ୍ପର୍କରେ ଜାଣିଥିଲା।
୬୪ ବର୍ଷୀୟ ରାଣା ହେଉଛି ପାକିସ୍ତାନୀ ବଂଶୋଦ୍ଭବ କାନାଡା ବ୍ୟବସାୟୀ। ସେ ୨୬/୧୧ ହମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଅନ୍ୟତମ ମାଷ୍ଟରମାଇଣ୍ଡ ଡାଭିଡ କୋଲେମାନ ହେଡଲରୀର ସହଯୋଗୀ। ରାଣା ୧୫ ବର୍ଷ ପରେ ଏନଆଇଏ ହେପାଜତକୁ ଆସିଥିବାରୁ, ତା’କୁ ଘନଘନ ଜେରା କରାଯାଉଛି। ଏନଆଇଏ ରାଣାର ଦୁବାଇ ଲିଙ୍କର ପର୍ଦ୍ଦାଫାସ କରିବା ପାଇଁ ଲାଗି ପଡ଼ିଛି।
ଦୁବାଇରେ ଥିବା ବ୍ୟକ୍ତି କିଏ?
ମୁମ୍ବାଇରେ ଭୟଙ୍କର ଆତଙ୍କୀ ଆକ୍ରମଣ ପୂର୍ବରୁ ରାଣା ଦୁବାଇରେ ଭେଟିଥିବା ବ୍ୟକ୍ତି ଜଣକ କିଏ? ଆମେରିକା ତଦନ୍ତକାରୀ ସଂସ୍ଥା ଭାରତୀୟ ଅଧିକାରୀଙ୍କୁ ଦେଇଥିବା ଦସ୍ତାବିଜ ଅନୁସାରେ ଦୁବାଇରେ ଥିବା ବ୍ୟକ୍ତି ଜଣକ ବେଶ ଭଲ ଭାବେ ମୁମ୍ବାଇ ଆକ୍ରମଣ ସମ୍ପର୍କରେ ଜାଣିଥିଲା। ଏନଆଇଏ ରାଣାକୁ ଜେରା କରି ଉକ୍ତ ବ୍ୟକ୍ତିର ପରିଚୟ ଓ ହମଲାରେ ତା’ର କେଉଁ ପ୍ରକାରର ଭୂମିକା ଥିଲା, ସେକଥା ଜାଣିବାକୁ ଚାହୁଁଛି।
ଏନଆଇଏ ସୂତ୍ର ଅନୁସାରେ, ହେଡଲୀ ୨୦୦୮ରେ ରାଣାକୁ ବାରମ୍ବାର କହିଥିଲା ଯେ ସେ ଆଦୌ ଭାରତ ନ ଯାଉ। ଭାରତରେ ଆତଙ୍କବାଦୀ ହମଲା ହେବାର ଥିବାରୁ ହେଡଲୀ ଏପରି କହିଥିଲା। ଏଥିସହ ହେଡଲୀ ହିଁ ଦୁବାଇରେ ରାଣାକୁ ହମଲାର ଅନ୍ୟତମ ଷଡ଼ଯନ୍ତ୍ରକାରୀ ସହ ଭେଟ କରାଇଥିଲା। ସେ ବି ରାଣାକୁ ଭାରତରେ ଆତଙ୍କବାଦୀ ହମଲା ହେବାକୁ ଯାଉଥିବା ନିଶ୍ଚିତ କରିଥିଲା। ତେବେ ଦୁବାଇର ରହସ୍ୟମୟ ବ୍ୟକ୍ତି ଜଣକ ପାକିସ୍ତାନ ଗୁଇନ୍ଦା ସଂସ୍ଥା ଆଇଏସଆଇ, ପାକିସ୍ତାନର ମିଲିଟାରୀ ଗୁଇନ୍ଦା ଏଜେନ୍ସି, ପାକିସ୍ତାନ ଆର୍ମିର କୌଣସି ବରିଷ୍ଠ ଅଧିକାରୀ କିମ୍ବା ପାକିସ୍ତାନରେ ସକ୍ରିୟ କୌଣସି ଆତଙ୍କବାଦୀ ସଂଗଠନର କମାଣ୍ଡର, ସେକଥା ଏନଆଇଏ ଅଧିକାରୀମାନେ ଜାଣିବାକୁ ଚାହୁଁଛନ୍ତି। ରାଣା ଆମେରିକାର ତଦନ୍ତକାରୀ ଅଧିକାରୀଙ୍କ ଆଗରେ ଦୁବାଇ ବ୍ୟକ୍ତି ସମ୍ପର୍କରେ କହିଥିଲା। ହେଲେ ତା’ର ପରିଚୟ ସାର୍ବଜନୀନ କରି ନଥିଲା। ଏବେ ଏନଆଇଏ ତା’ ଠାରୁ ରହସ୍ୟମୟ ଦୁବାଇ ବ୍ୟକ୍ତି ସମ୍ପର୍କରେ ତଥ୍ୟ ବାହାର କରିବାକୁ ଚାହୁଁଛି।
ସନ୍ଦେହଜନ ଲିଜ୍
ରାଣା ଓ ହେଡଲୀ ୨୦୦୮ ନଭେମ୍ବର ମାସରେ ନେଇଥିବା ଗୋଟିଏ ନିଷ୍ପତ୍ତି ଉପରେ ମଧ୍ୟ ଏନଆଇଏ ଫୋକସ କରିଛି। ରାଣାର ଇମିଗ୍ରେସନ କନସଲଟାନ୍ସୀ ନାଁରେ ମୁମ୍ବାଇରେ ଗୋଟିଏ ଅଫିସ ଲିଜ୍ରେ ଚାଲିଥିଲା। କିନ୍ତୁ ଏହାର ଲିଜ୍କୁ କେବେ ହେଲେ ନବୀକରଣ କରାଯାଇ ନଥିଲା। ଏହି ଅଫିସକୁ ହେଡଲୀ ବ୍ୟବହାର କରିବା ସହ ହମଲା ପାଇଁ ଟାର୍ଗେଟକୁ ଚିହ୍ନଟ କରୁଥିଲା। ଏହା ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ହୋଟେଲ ଓ ସର୍ବସାଧାରଣ ସ୍ଥାନ ରହିଥିଲା।
ପୂର୍ବରୁ ଏନଆଇଏ କରିଥିବା ତଦନ୍ତରୁ ଜଣାପଡ଼ିଥିଲା ଯେ ହେଡଲୀ ୨୦୦୫ ଅଗଷ୍ଟ ମାସରେ ରାଣାକୁ ଲସ୍କର –ଇ-ତାଏବା ସମ୍ପର୍କରେ ସୂଚିତ କରିଥିଲା। ରାଣାର ଫାର୍ମ ପାଇଁ ସେ କାମ କରୁଥିବା ନାଁରେ ଲସ୍କର ତା’କୁ କେମିତି ଭାରତର ବିଭିନ୍ନ ସ୍ଥାନକୁ ଯାଇ ସେଠାକାର ତଥ୍ୟ ଯୋଗାଡ଼ କରିବାକୁ କହିଥିଲା, ସେକଥା ହେଡଲୀ ଜଣାଇଥିଲା। ହେଡଲୀର ଇମ୍ରିଗେସନ ବ୍ୟବସାୟ ରହିଥିଲା। ତେଣୁ ଏହାକୁ ବ୍ୟବହାର କରି ହେଡଲୀ ତା’ର କାମ ଆଗକୁ ନେଇଥିଲା। ହେଡଲୀ ପଶ୍ଚିମ ଦେଶର ନାଗରିକ ଭଳି ଦେଖା ଯାଉଥିବା ବେଳେ ତା’ ପାଖରେ ଆମେରିକାର ପାସପୋର୍ଟ ରହିଥିଲା। ତେଣୁ ସେ ବେଶ ସହଜରେ ଏହାକୁ ବ୍ୟବହାର କରି ମୁମ୍ବାଇର ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଯାଉଥିଲା। ଏହାର ଫଟୋ, ଭିଡିଓ ଓ ଅନ୍ୟାନ୍ୟ ତଥ୍ୟକୁ ରେକର୍ଡ କରି ପାକିସ୍ତାନରେ ଥିବା ତା’ର ହ୍ୟାଣ୍ଡେଲରକୁ ପଠାଉଥିଲା।
ଭାରତର ଏକାଧିକ ସହରରେ ହୋଇଥାଆନ୍ତା ଆତଙ୍କୀ ହମଲା
ମୁମ୍ବାଇରେ ଯେଉଁଭଳି ରଣନୀତି କରି ଲସ୍କର ଆକ୍ରମଣ କରିଥିଲା, ଠିକ ଅନୁରୂପ ଢଙ୍ଗରେ ଦେଶର ଅନ୍ୟ ସହରଗୁଡ଼ିକୁ ମଧ୍ୟ ଟାର୍ଗେଟ କରିବାକୁ ଯୋଜନା କରିଥିଲା। ଏହାର ତଦନ୍ତକୁ ଏନଆଇଏ ଆଗକୁ ନେବା ସହ ରାଣାର ଯାତ୍ରା ରେକର୍ଡକୁ ଭଲ ଭାବେ ଯାଞ୍ଚ କରାଯାଉଛି। ୨୦୦୮ ମସିହା ନଭେମ୍ବେ ୧୩ରୁ ୨୧ ମଧ୍ୟରେ ରାଣା ଭାରତର ବିଭିନ୍ନ ସହରକୁ ତା’ର ପତ୍ନୀ ସମରାଜ ରାଣା ଅଖତର ସହ ଯାଇଥିଲା। ଏହା ମଧ୍ୟରେ ଉତ୍ତର ପ୍ରଦେଶର ହାପୁର ଓ ଆଗ୍ରା, ଦିଲ୍ଲୀ, କୋଚି, ଅହମଦାବାଦ ଓ ମୁମ୍ବାଇ ଆଦି ସହର ରହିଛି। ରାଣା ଓ ତା’ ପତ୍ନୀ ଉକ୍ତ ସହରଗୁଡ଼ିକୁ ଗସ୍ତ କରି କ’ଣ ମୁମ୍ବାଇ ଭଳି ଆକ୍ରମଣ ପାଇଁ ତଥ୍ୟ ଯୋଗାଡ଼ କରିଥିଲେ କି? ଏହାର ତଦନ୍ତ ଏନଆଇଏ କରୁଛି।
ଆତଙ୍କୀ ନେଟୱାର୍କ
ପ୍ରାରମ୍ଭିକ ତଦନ୍ତ ବେଳେ ଏନଆଇଏ ଆକ୍ରମଣ ପଛରେ ଥିବା ବ୍ୟକ୍ତିବଶେଷଙ୍କ ନାଁ ସାର୍ବଜନୀନ କରିଥିଲା। ଲସ୍କରର ପ୍ରତିଷ୍ଠାତା ହାଫିଜ ସୟିଦ, ଲସ୍କରର ଅପରେସନାଲ କମାଣ୍ଡର ଜାକି ଉର ରେହମାନ ଲଖଭୀ, ସାଜିଦ ମୀର, ଇଲିୟାସ କଶ୍ମୀରି ଓ ଅବଦୁର ରେହମାନ ହାଶିମ ସୟିଦ ଓରଫ ମେଜର ଅବଦୁର ରେହମାନ ଓରଫ ପାଶା ମୁମ୍ବାଇ ଆକ୍ରମଣ ପଛରେ ରହିଥିବା ଏନଆଇଏ କହିଛି। ଏହି ଆତଙ୍କବାଦୀମାନେ ଆଇଏସଆଇ ଅଧିକାରୀଙ୍କ ସମ୍ପର୍କରେ ରହିଥିଲେ। ବିଶେଷ କରି ମେଜର ଇକବାଲ ଓରଫ ମେଜର ଅଲୀ ଓ ମେଜର ସମୀର ଅଲୀ ଓରଫ ମେଜର ସମୀରଙ୍କ ସହ ଏମାନଙ୍କର ଲିଙ୍କ ରହିଥିଲା।
ସମସ୍ତ ସନ୍ଦିଗ୍ଦ ମୁମ୍ବାଇ ଆତଙ୍କବାଦୀ ହମଲାର ଯୋଜନା କରିବା ସହ ପାଣ୍ଠି ଯୋଗାଣ ଓ ଲଜିଷ୍ଟିକ କାମରେ ସାମିଲ ଥିଲେ। ରାଣା ଓ ହେଡଲୀ ଏକାଠି ପାକିସ୍ତାନରେ ଥିବା ମିଲିଟାରୀ ସ୍କୁଲରେ ପାଠ ପଢ଼ିଥିଲେ। ଏହାପରେ ଉଭୟ ମିଳିତ ଭାବେ ଇମିଗ୍ରେସନ କନସଲଟାନ୍ସୀ ବ୍ୟବସାୟ ଆରମ୍ଭ କରିଥିଲେ। ଆତଙ୍କୀ କାର୍ଯ୍ୟକଳାକୁ ଆଗକୁ ନେବା ପାଇଁ ଉଭୟ ନିଜର କନସଲଟାନ୍ସୀ ବ୍ୟବସାୟକୁ ବ୍ୟବହାର କରୁଥିଲେ।
କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଣା
ଆମେରିକାରୁ ପ୍ରତ୍ୟର୍ପିତ ହେବା ପରେ ରାଣାକୁ ଏନଆଇଏ ବିଧିବଦ୍ଧ ଭାବେ ଗିରଫ କରିଥିଲା। ଏହାପରେ କୋର୍ଟ ତା’କୁ ୧୮ ଦିନ ପାଇଁ ଏନଆଇଏ ରିମାଣ୍ଡରେ ପଠାଇ ଦେଇଛନ୍ତି। ବର୍ତ୍ତମାନ ସେ ଦିଲ୍ଲୀର ସିଜିଓ କମ୍ପ୍ଲେକ୍ସରେ ଥିବା ଏନଆଇଏ ମୁଖ୍ୟାଳୟରେ ରହିଛି। ସଶସ୍ତ୍ର ସିଆରପିଏଫ ଯବାନ ଓ ଦିଲ୍ଲୀ ପୁଲିସ୍ର କର୍ମଚାରୀ କମ୍ପ୍ଲେକ୍ସ ବାହାରେ ସୁରକ୍ଷା ପ୍ରହାର ଦେଉଛନ୍ତି। ଭିତରେ ୨୪ ଘଣ୍ଟିଆ ସର୍ଭେଲାନ୍ସ ବ୍ୟବସ୍ଥା ରହିଛି। ପ୍ରତି ୨୪ ଘଣ୍ଟାରେ ମେଡିକାଲ ଟିମ ରାଣାର ସ୍ୱାସ୍ଥ୍ୟ ପରୀକ୍ଷା କରୁଛି। ଦିନେ ଛଡ଼ା ଦିନେ ରାଣା ତା’ର ଲିଗାଲ ଟିମକୁ ଭେଟି ପାରିବ।
ବର୍ତ୍ତମାନ ଏନଆଇଏ ଡିଜି ଭାବେ ସଦାନନ୍ଦ ବସନ୍ତ ଦାତେ କାମ କରୁଛନ୍ତି। ୨୦୦୮ ମୁମ୍ବାଇ ଆକ୍ରମଣ ବେଳେ ଏହି ବରିଷ୍ଠ ପୁଲିସ୍ ଅଧିକାରୀ ଜଣଙ୍କ ଗୁଳି ମାଡ଼ର ଶିକାର ହୋଇଥିଲେ। ଆତଙ୍କବାଦୀ ଅଜମଲ କସାବ ଓ ଅବୁ ଇସ୍ମାଇଲ କାମ ହସ୍ପିଟାଲରେ ଗୁଳି ମାଡ଼ କରୁଥିବା ବେଳେ ଦାତେ ଏହାର ମୁକାବିଲା କରିଥିଲେ। ଏତିକି ବେଳେ ତାଙ୍କ ଦେହରେ ଗୁଳିମାଡ଼ ହୋଇଥିଲା।