ତେଜିଲା ବିବାଦ, ବିଧାନସଭାରୁ ଓ୍ୱାକ୍‌ଆଉଟ୍‌ କଲେ ରାଜ୍ୟପାଳ

ଗତବର୍ଷ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା।

ଘଟଣା ବେଳର ଦୃଶ୍ୟ।

  • Published: Monday, 12 February 2024
  • , Updated: 12 February 2024, 03:13 PM IST

ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ତାମିଲନାଡୁ ରାଜ୍ୟପାଳ ଆରଏନ ରବି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଅଭିଭାଷଣକୁ ପଢ଼ିବାକୁ ମନା କରିଦେଇଛନ୍ତି। ମାତ୍ର ୨ ମିନିଟ୍ ମଧ୍ୟରେ ବିଧାନସଭାରେ ନିଜର ଅଭିଭାଷଣ ଶେଷ କରି ସେ ଓ୍ୱାକ୍‌ଆଉଟ୍‌ କରିଛନ୍ତି।

ତାମିଲନାଡୁ ବିଧାନସଭାର ଅଧିବେଶନ ପୂର୍ବରୁ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଅଭିଭାଷଣ ଦେଇଥାନ୍ତେ ରାଜ୍ୟପାଳ । ତେବେ ସରକାରଙ୍କ ଦ୍ୱାରା ଅଭିଭାଷଣରେ ଏମିତି ଅନେକ ଅଂଶରେ ସଠିକ ତଥ୍ୟ ଦିଆଯାଇନଥିଲା। ତେଣୁ ଏହି ଅଭିଭାଷଣରେ ସହମତ ହୋଇନଥିଲେ ଆରଏନ ରବି। ଏହାକୁ ପଢ଼ିବାକୁ ସେ ମନା କରିଦେଇଥିଲେ।

ରାଜ୍ୟପାଳ କହିଛନ୍ତି, ମୁଁ ଅନେକଥର ଅଭିଭାଷଣ ଆରମ୍ଭ ଓ ଶେଷରେ ଜାତୀୟ ସଙ୍ଗୀତ ବଜାଇବାକୁ ପରାମର୍ଶ ଦେଇଥିଲି। ଏଭଳି କିରିବା ଦ୍ୱାରା ଜାତୀୟ ସଙ୍ଗୀତକୁ ସମ୍ମାନ ଦେବା ମୋର ଉଦ୍ଦେଶ୍ୟ ଥିଲା। କିନ୍ତୁ ଏହାକୁ ବେଖାତିର କରାଗଲା। ରାଜ୍ୟ ସରକାରଙ୍କ ବିରୋଧରେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣି ବିଧାନସଭାରୁ ଓ୍ୱାକ୍ଆଉଟ୍‌ କରିଥିଲେ ରାଜ୍ୟପାଳ। ତେବେ ଗୃହ ଛାଡିବା ପୂର୍ବରୁ ବିଧାନସଭାର ସଠିକ ଢଙ୍ଗରେ ଚାଲିବା ପାଇଁ ଶୁଭକାମନା ଦେଇଥିଲେ, ଏଥିସହ ଲଢ଼େଇ ପାଇଁ ଭଲ ଡିବେଟ୍‌ ହେଉ ବୋଲି ସେ କହିଥିଲେ। ରାଜ୍ୟପାଳ ଗୃହ ଛାଡିବା ପରେ ବାଚସ୍ପତି ଅପ୍ପାଭୁ ବିଧାନସଭାର ପ୍ରଥମ ଅଧିବେଶନର ଭାଷଣ ପଢ଼ିଥିଲେ।

ଗତବର୍ଷ ମଧ୍ୟ ସମାନ ଘଟଣା ଦେଖିବାକୁ ମିଳିଥିଲା। ୯ ଜାନୁଆରୀ ୨୦୨୩ରେ ରାଜ୍ୟପାଳ ଶାସକ ଦଳ ଡିଏମକେ ଦ୍ୱାରା ପ୍ରସ୍ତୁତ ସରକାରୀ ଭାଷଣର କିଛି ଅଂଶକୁ ଛାଡି ଦେଇଥିଲେ। ନିଜ ଭାଷଣରେ ସେ ପେରିୟର୍, ବି.ଆର୍ ଆମ୍ବେଦକର, କେ କାମାରାଜ, ସିଏନ୍ ଅନ୍ନଦୁରାଇ ଏବଂ କେ କରୁଣାନିଧି ଭଳି ନେତାଙ୍କ ନାମକୁ ଉଲ୍ଲେଖ କରିନଥିଲେ। ଏହା ପରେ କେବଳ ସରକାରୀ ଭାଷଣ ରେକର୍ଡ କରିବା ପାଇଁ ଏକ ପ୍ରସ୍ତାବ ପାରିତ କରି ମୁଖ୍ୟମନ୍ତ୍ରୀ ଷ୍ଟାଲିନ ପ୍ରତିକ୍ରିୟା ଦେଇଥିଲେ। ଏହାପରେ ରାଜ୍ୟପାଳ ଆର୍‌ଏନ୍‌ ରବି ବିଧାନସଭା ଛାଡି ଚାଲି ଯାଇଥିଲେ।

ତାମିଲନାଡୁର ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ପୂର୍ବରୁ ଅନେକ ଥର ବିବାଦ ଦେଖିବାକୁ ମିଳିଛି। ୨୦୨୧ରେ ଆରଏନ ରବି ତାମିଲନାଡୁର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କ୍ୟାବିନେଟ ନିଷ୍ପତ୍ତି ଓ ୧୦ରୁ ଅଧିକ ବିଧେୟକଙ୍କୁ ମଞ୍ଜୁରୀ ଦେବାରେ ରାଜ୍ୟପାଳ ବିଳମ୍ବ କରୁଛନ୍ତି ବୋଲି ଷ୍ଟାଲିନ ସରକାରଙ୍କ ପକ୍ଷରୁ ପୂର୍ବରୁ ଅଭିଯୋଗ କରାଯାଇଥିଲା। ତେଣୁ ରାଜ୍ୟପାଳଙ୍କ କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ବହିଷ୍କାର କରିବା ନେଇ ଘୋଷଣା କରିଥିଲେ। ସେବେଠାରୁ ରାଜ୍ୟ ସରକାର ଓ ରାଜ୍ୟପାଳଙ୍କ ମଧ୍ୟରେ ବିବାଦ ଲାଗି ରହିଛି।

Related story