ହୃଦ୍ଘାତରେ ପ୍ରାଣ ହରାଇବା ପୂର୍ବରୁ ୨୦ ଜଣ ଶିକ୍ଷାର୍ଥୀଙ୍କ ଜୀବନ ବଞ୍ଚାଇ ଦେଇଥିବା ଜଣେ ଡ୍ରାଇଭରଙ୍କୁ ନେଇ ଏବେ ପୂରା ତାମିଲନାଡୁରେ ଚର୍ଚ୍ଚା ହେଉଛି। ସମସ୍ତେ ସେହି ଦିବଂଗତ ଡ୍ରାଇଭରଙ୍କୁ ସଲାମ କରିଛନ୍ତି।
ମୃତ ଡ୍ରାଇଭରଙ୍କ ନାଁ ସେମାଲାଇୟାପ୍ପାନ। ତାଙ୍କୁ ୪୯ ବର୍ଷ ହୋଇଥିଲା। ସେ ତାମିଲନାଡୁର ତିରୁପ୍ପୁର ଜିଲ୍ଲାର ବେଲ୍ଲାକୋଇଲ ସ୍ଥିତ ଏଏନ୍ଭି ମାଟ୍ରିକ୍ ସ୍କୁଲର ବସ୍ ଚଲାଉଥିଲେ।
ସବୁ ଦିନ ଭଳି ଜୁଲାଇ ୨୪ ତାରିଖରେ ସ୍କୁଲ ଛୁଟି ହେବା ପରେ ସେ ୨୦ ଜଣ ଶିକ୍ଷାର୍ଥୀଙ୍କୁ ସେମାନଙ୍କ ଘରେ ଛାଡ଼ିବା ପାଇଁ ବସ୍ରେ ନେଇ ଯାତ୍ରା ଆରମ୍ଭ କରିଥିଲେ। ତେବେ ବାଟରେ ତାଙ୍କ ଛାତିରେ ଖୁବ୍ ଯନ୍ତ୍ରଣା ହୋଇଥିଲା। ଅଘଟଣ ଆଶଙ୍କା କରି ଖୁବ୍ କଷ୍ଟରେ ସେ ପ୍ରଥମେ ବସ୍କୁ ରାସ୍ତା ପାର୍ଶ୍ୱରେ ସୁରକ୍ଷିତ ଭାବେ ଅଟକାଇ ଦେଇଥିଲେ।
ଏହାର କିଛି କ୍ଷଣ ପରେ ସେ ଚେତାଶୂନ୍ୟ ହୋଇଗଲେ। ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ହୃଦ୍ଘାତ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।
ସେମାଲାଇୟାପ୍ପାନଙ୍କ ପତ୍ନୀ ମଧ୍ୟ ଏଏନ୍ଭି ମାଟ୍ରିକ୍ ସ୍କୁଲରେ କାମ କରନ୍ତି। ଘଟଣା ଦିନ ସେ ଉକ୍ତ ବସ୍ରେ ଥିଲେ। ସେମାଲାଇୟାପ୍ପାନ ବସ୍ରେ ଡ୍ରାଇଭର ସିଟ୍ରେ ଅଚେତ ଅବସ୍ଥାରେ ବସିଥିବାର ଫଟୋ ସୋଶାଲ ମିଡିଆରେ ଭାଇରାଲ ହେଉଛି।
ସେମାଲାଇୟାପ୍ପାନଙ୍କ ଉପସ୍ଥିତ ବୁଦ୍ଧି ଓ ସାହସକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସମସ୍ତେ ତାଙ୍କୁ ସାଲ୍ୟୁଟ କରୁଛନ୍ତି। ଏମିତିକି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ ମଧ୍ୟ ସେମାଲାଇୟାପ୍ପାନଙ୍କୁ ସଲାମ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କ ଜୀବନ ବିପଦରେ ଥିବା ସତ୍ତ୍ୱେ ସେ ସ୍କୁଲ ଶିକ୍ଷାର୍ଥୀଙ୍କୁ ବଞ୍ଚାଇ ଦେଇଛନ୍ତି। ଆମେ ସମସ୍ତେ ତାଙ୍କୁ ସାଲ୍ୟୁଟ କରୁଛୁ। ସବୁଦିନ ପାଇଁ ତାଙ୍କୁ ସମସ୍ତେ ମନେ ରଖିବେ।
ଏହା ସହିତ ସେମାଲାଇୟାପ୍ପାନଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି। ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନଙ୍କ ନିର୍ଦ୍ଦେଶକ୍ରମେ ଡିଏମ୍କେ ମନ୍ତ୍ରୀ ଏମ୍ପି ସମିନାଥନ ୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି।
💔 Hero Tamil Nadu school-van driver safely stops & parks van FULL OF KIDS on side of road while having a heart-attack. Sadly dead on arrival at hospital. Prayers for Semalaiyappan and his family. Report by @Shilpa1308. https://t.co/S1yyH7ZqTI pic.twitter.com/oIQgk9vRNF
— Shiv Aroor (@ShivAroor) July 26, 2024
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।