Advertisment

ମହିଳା ଡିଏସ୍‌ପିଙ୍କୁ ମାଡ଼ ମାରିଲେ, ଚୁଟି ଧରି ଘୋଷାଡ଼ିଲେ: ଜଣେ ଗିରଫ

ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି।

author-image
Madhupriya Mistry
Woman Cop Assaulted

Woman Cop Assaulted

ମଝି ରାସ୍ତାରେ ମହିଳା ଡିଏସ୍‌ପିଙ୍କୁ ମାର୍‌ପିଟ୍‌। ଚାରିଆଡୁ ତାଙ୍କୁ ଘେରିଗଲେ ଲୋକେ। ତାଙ୍କୁ ମାଡ଼ ମାରିବା ସହ ଚୁଟି ଧରି ଘୋଷାଡ଼ି ନେଲେ। ଅନ୍ୟ ପୁଲିସ କର୍ମଚାରୀମାନେ ସେଠରେ ଉପସ୍ଥିତ ଥିଲେ ମଧ୍ୟ କେହି ତାଙ୍କୁ ରକ୍ଷା କରିପାରିଲେ ନାହିଁ। ସେମାନେ ମଧ୍ୟ ଆକ୍ରମଣର ଶିକାର ହେଲେ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ତାମିଲନାଡୁରେ। ଏହି ପୂରା ଘଟଣାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେଉଛି। 

Advertisment

ତାମିଲନାଡୁର ବିରୁଧୁନଗରରେ ଜଣେ ଟ୍ରକ୍‌ ଡ୍ରାଇଭରକୁ ହତ୍ୟା କରାଯାଇଥିବା ନେଇ ତାଙ୍କ ପରିବାର ଲୋକେ ଓ ଗାଁ ଲୋକେ ରାସ୍ତା ଅବରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ସେମାନେ ଦାବି କରିଥିଲେ। ରାସ୍ତା ଅବରୋଧ ଯୋଗୁ ଯାତାୟତ ଠପ୍‌ ହୋଇଥିଲା।

ଏହାପରେ ଅରୁପକୁଟ୍ଟାଇ ଡେପୁଟି ପୁଲିସ ଅଧୀକ୍ଷକ ଗାୟତ୍ରି ନିଜର ଅନ୍ୟ ପୁଲିସକର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ବିକ୍ଷୋଭକାରୀଙ୍କୁ ସେ ବୁଝାସୁଝା କରିବାକୁ ଯାଇଥିଲେ। ଏତିକି ବେଳେ ବିକ୍ଷୋଭାକରୀମାନେ ତାଙ୍କୁ ଘେରି ଯାଇ ତାଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କୁ ମାଡ଼ ମାରିବା ସହ ତାଙ୍କ ଚୁଟି ଧରି ଘୋଷାଡ଼ି ନେଇଥିଲେ। ସାଙ୍ଗରେ ଥିବା ଅନ୍ୟ ପୁଲିସ କର୍ମଚାରୀଙ୍କୁ ମଧ୍ୟ ଲୋକେ ମାଡ଼ ମାରିଥିଲେ। ଏହି ପୂରା ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। 

Advertisment

ଏହି ଘଟଣାରେ ପୁଲିସ ବାଲାମୁରୁଗନ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ମାମଲାର ତଦନ୍ତ ଜାରି ରଖିଛି। ସେପଟେ ଏହି ଘଟଣାକୁ ନେଇ ତାମିଲନାଡୁର ବିରୋଧୀ ନେତା ପଲାନିସ୍ୱାମୀ ନିନ୍ଦା କରିଛନ୍ତି। ଡିଏମକେ ସରକାର ପୁଲିସକର୍ମୀଙ୍କ ପାଇଁ ଏକ ଅସୁରକ୍ଷିତ ପରିବେଶ ସୃଷ୍ଟି କରିଛନ୍ତି। ଯେଉଁମାନେ ଲେଡି ଡିଏସପି ଗାୟତ୍ରୀଙ୍କୁ ଆକ୍ରମଣ କରିଥିଲେ ସେମାନଙ୍କ ବିରୋଧରେ ଉପଯୁକ୍ତ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଏହିପରି ଘଟଣା ଯେପରି ପୁନରାବୃତ୍ତି ନହୁଏ ସେଥିପାଇଁ ଉଚିତ ପଦକ୍ଷେପ ଗ୍ରହଣ କରାଯିବା ଉଚିତ ବୋଲି ସେ ସେ ସୋଶାଲ ମିଡିଆରେ ଏକ ପୋଷ୍ଟ କରି ଲେଖିଛନ୍ତି।

Tamilnadu Viral Video Woman Cop Assaulted