Advertisment

ସଂସ୍କୃତ ଭାଷାକୁ ମନ୍ତ୍ରୀଙ୍କ ଉପହାସ

‘ଯଦି ଆପଣ କୌଣସି ବିବାହ କାର୍ଯ୍ୟକ୍ରମକୁ ଯିବେ, ତା’ହେଲେ ସେଠାରେ ସଂସ୍କୃତ ଭାଷାରେ ମନ୍ତ୍ର ବୋଲା ଯାଉଥିବା ଶୁଣିବାକୁ ପାଇବେ। ସତରେ କିଏ ସେଗୁଡ଼ିକୁ ବୁଝେ? ସଂସ୍କୃତ ଭାଷାର ଉନ୍ନତି ପାଇଁ କାହିଁକି ୨୫୦୦ କୋଟି ଟଙ୍କା ବ୍ୟୟ କରାଯାଉଛି, ତାହା କେହି ବୁଝିପାରୁନାହାନ୍ତି।’

author-image
Jitendra Garnayak
EV Velu

EV Velu

ସଂସ୍କୃତ ଭାଷାକୁ ତାମିଲନାଡୁର ପୂର୍ତ୍ତ ମନ୍ତ୍ରୀ ଇ.ଭି ବେଲୁ ଉପହାସ କରିଛନ୍ତି। ହିନ୍ଦୁ ବିବାହଗୁଡ଼ିକରେ ପଣ୍ଡିତମାନେ ବୋଲୁଥିବା ସଂସ୍କୃତ ମନ୍ତ୍ରଗୁଡ଼ିକୁ ସାଧାରଣ ଲୋକେ ବୁଝି ପାରୁନଥିବା ବେଳେ କେନ୍ଦ୍ର ସରକାର କାହିଁକି ଏହି ଭାଷା ପଛରେ ପୁଳା ପୁଳା ଟଙ୍କା ବ୍ୟୟ କରୁଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।

Advertisment

ମନ୍ତ୍ରୀ ଇ.ଭି ବେଲୁ କହିଛନ୍ତି, ଏହି ଭାଷାକୁ କିଏ ବୁଝେ? ଦୁଇ ପ୍ରେମୀ ଯୁଗଳ କ’ଣ ସେମାନଙ୍କ ଭଲ ପାଇବାକୁ ସଂସ୍କୃତ ଭାଷାରେ ପ୍ରକାଶ କରିପାରନ୍ତି? କିନ୍ତୁ ସେମାନେ ତାମିଲ ଭାଷାରେ ଏହା କରିପାରନ୍ତି। ତାମିଲ ଏକ ଜୀବନ୍ତ ଭାଷା, ଯେଉଁଥିରେ ଲୋକେ କଥା ହୁଅନ୍ତି। ସବୁ ବର୍ଗର ଲୋକ ଏହି ଭାଷାକୁ ବୁଝନ୍ତି।

ଭେଲୋରରେ ଏକ ସାଧାରଣ ସଭାରେ ଇ.ଭି ବେଲୁ ସଂସ୍କୃତ ଭାଷାକୁ ନେଇ ଏଭଳି ମନ୍ତବ୍ୟ ଦେଇଥିବା ବେଳେ ସରକାର ଏହି ଭାଷାର ଉନ୍ନତି ପାଇଁ ୨୫୦୦ କୋଟି ଟଙ୍କାର ବ୍ୟବସ୍ଥା କରିଥିବାରୁ ସେ ତୀବ୍ର ସମାଲୋଚନା କରିଛନ୍ତି। ତାମିଲ ଭାଷା ପାଇଁ ମାତ୍ର ୧୬୭ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କିନ୍ତୁ ସଂସ୍କୃତ ଭାଷା ପାଇଁ ଏହାଠାରୁ ଢେର ଗୁଣା ଅଧିକ ଅର୍ଥ ବ୍ୟବସ୍ଥା କରାଯାଇଛି ବୋଲି ସେ କହିଛନ୍ତି। ଭାରତରେ ସାମଗ୍ରୀ ଏବଂ ସେବା ଟିକସ (ଜିଏସ୍‌ଟି) ରାଜସ୍ୱରେ ତାମିଲନାଡୁ ଦ୍ୱିତୀୟ ସର୍ବାଧିକ ଯୋଗଦାନକାରୀ ରାଜ୍ୟ ହୋଇଥିବା ସତ୍ତ୍ୱେ ନିଜ ଶାସ୍ତ୍ରୀୟ ଭାଷାର ପ୍ରଚାର ପ୍ରସାର ପାଇଁ ଏତେ କମ୍ ଅର୍ଥ ପାଉଛି। ଜିଏସ୍‌ଟି ମାଧ୍ୟମରେ ଆମ ଅର୍ଥ ନେଇ ସେମାନେ (କେନ୍ଦ୍ର ସରକାର) ସଂସ୍କୃତ ଭାଷାର ଉନ୍ନତି କରୁଛନ୍ତି। କେହି କ’ଣ ସଂସ୍କୃତ ଭାଷାକୁ ବୁଝେ? ଯଦି ଆପଣ କୌଣସି ବିବାହ କାର୍ଯ୍ୟକ୍ରମକୁ ଯିବେ, ତା’ହେଲେ ସେଠାରେ ସଂସ୍କୃତ ଭାଷାରେ ମନ୍ତ୍ର ବୋଲା ଯାଉଥିବା ଶୁଣିବାକୁ ପାଇବେ। ସତରେ କିଏ ସେଗୁଡ଼ିକୁ ବୁଝେ? ସଂସ୍କୃତ ଭାଷାର ଉନ୍ନତି ପାଇଁ କାହିଁକି ୨୫୦୦ କୋଟି ଟଙ୍କା ବ୍ୟୟ କରାଯାଉଛି, ତାହା କେହି ବୁଝିପାରୁନାହାନ୍ତି। କେନ୍ଦ୍ର ସରକାର ତାମିଲ ଭାଷାକୁ ଅବହେଳା କରୁଥିବା ବେଳେ ବହୁତ ଅଳ୍ପ ଲୋକ ବ୍ୟବହାର କରୁଥିବା ସଂସ୍କୃତ ଭାଷାର ଉନ୍ନତି ପାଇଁ କାହିଁକି ଏତେ ବ୍ୟଗ୍ର ବୋଲି ମନ୍ତ୍ରୀ ଇ.ଭି ବେଲୁ ପ୍ରଶ୍ନ କରିଛନ୍ତି।

Advertisment

ସେ କହିଛନ୍ତି, ଶିକ୍ଷା ଓ ଅନ୍ୟାନ୍ୟ କ୍ଷେତ୍ରରେ ତାମିଲନାଡୁ ଅନବରତ ଭାବେ ଦେଶର ନେତୃତ୍ୱ ନେଉଛି। ତେଣୁ ତାମିଲନାଡୁ ଉତ୍ତମ ସ୍ୱୀକୃତି ପାଇବା ପାଇଁ ଯୋଗ୍ୟ। ଏହି ରାଜ୍ୟ ତା’ର ଭାଷା ଓ ସଂସ୍କୃତିରେ ଭଲ ନିବେଶ କରିବାକୁ ଚାହେଁ।

ଗତ ମାସରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ବିଭିନ୍ନ ଭାଷାର ଉନ୍ନତି ପାଇଁ ପାଣ୍ଠି ଯୋଗାଇଲା ବେଳେ ପାତର ଅନ୍ତର କରାଯାଉଛି। କେନ୍ଦ୍ର ସରକାର ସଂସ୍କୃତ ଭାଷା ପ୍ରତି ଅହେତୁକ ଭଲ ପାଇବା ଦେଖାଉଛନ୍ତି। ଅନ୍ୟପକ୍ଷରେ ତାମିଲ ଓ ଅନ୍ୟାନ୍ୟ ଦକ୍ଷିଣ ଭାରତୀୟ ଭାଷାଗୁଡ଼ିକୁ କେନ୍ଦ୍ର ସରକାର ଅବହେଳା କରୁଛନ୍ତି ବୋଲି ସେ କହିଥିଲେ।

DMK sanskrit