Advertisment

ଟାଟା ଷ୍ଟିଲ୍‌ ସେଲ୍ସ ହେଡ୍‌ ହତ୍ୟା ଘଟଣା; ଏନକାଉଣ୍ଟରରେ ଟଳିଲା ଅଭିଯୁକ୍ତ

ଉତ୍ତରପ୍ରଦେଶର ଗାଜିଆବାଦରେ  ଆଜି ଭୋରରୁ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

author-image
Niharika Rout
vinay-tyagi & accused

vinay-tyagi & accused

ଟାଟା ଷ୍ଟିଲ୍‌ର ସେଲ୍ସ ହେଡ୍‌ ବିନୟ ତ୍ୟାଗୀ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପୁଲିସ୍‌ ଏନକାଉଣ୍ଟରରେ ଟଳି ପଡ଼ିଛି। ଉତ୍ତରପ୍ରଦେଶର ଗାଜିଆବାଦରେ  ଆଜି ଭୋରରୁ ହୋଇଥିବା ଏହି ଏନକାଉଣ୍ଟରରେ ଜଣେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି। ପୁଲିସ୍‌ ଓ ଅଭିଯୁକ୍ତଙ୍କ ମଧ୍ୟରେ ହୋଇଥିବା ସଂଘର୍ଷରେ ଜଣେ ପୁଲିସ୍‌ ସବ୍‌ଇନ୍ସପେକ୍ଟର ବି ଗୁରୁତର ହୋଇଛନ୍ତି। ଏନକାଉଣ୍ଟରରେ ଟଳି ପଡ଼ିଥିବା ଅଭିଯୁକ୍ତଜଣକ ହେଉଛନ୍ତି ଅକ୍କି ।

Advertisment

ଗାଜିଆବାଦ ପୁଲିସ୍‌ ମୁତାବିକ, ଗତ ରାତିରେ ଗାଡ଼ି ଚେକିଂ ଚାଲିଥିବା ବେଳେ ଏକ ଗାଡ଼ିକୁ ଅଟକାଇବାରୁ ଚାଳକ ପୁଲିସ୍‌ ଉପରକୁ ଗୁଳି ଚଳାଇ ଫେରାର ହୋଇ ଯାଇଥିଲେ। ଏହାପରେ ପୁଲିସ୍‌ ଟିମ୍‌ ଉକ୍ତ ବାଇକ୍‌ ପିଛା କରିଥିଲା। ଏହାପରେ ଆଜି ସକାଳୁ ଉଭୟ ପକ୍ଷ ମୁହାଁମୁହିଁ ହୋଇଥିବା ବେଳେ ପୁଲିସ୍‌ ଗୁଳିରେ ଅକ୍କି ଟଳି ପଡ଼ିଥିଲା।

ଏହି ଘଟଣାରେ ଜଣେ ସବ୍‌ ଇନ୍ସପେକ୍ଟର ଗୁରୁତର ହୋଇଥିବା ବେଳେ ଆଉ ଜଣେ ଅଭିଯୁକ୍ତ ଫେରାର ହେବାରେ ସକ୍ଷମ ହୋଇଥିଲେ। ତୁରନ୍ତ ସବ୍‌-ଇନ୍ସପେକ୍ଟର ଓ ଅକ୍କିଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଅକ୍କିଙ୍କୁ ମୃତ ଘୋଷଣା କରିଥିବା ବେଳେ ସବ୍‌-ଇନ୍ସପେକ୍ଟର ଗୁରୁତର ଥିବା ଜଣାଯାଇଛି।

Advertisment

ଅକ୍କିଙ୍କ ନିକଟରୁ ମୃତ ଟାଟା ଷ୍ଟିଲ୍‌ର ସେଲ୍ସ ହେଡ୍‌ ବିନୟ ତ୍ୟାଗୀଙ୍କ ମୋବାଇଲ ଜବତ କରିଛି ପୁଲିସ୍‌। ଗତ ୩ ତାରିଖ ରାତିରେ ଅକ୍କି ନିଜ ସହଯୋଗୀଙ୍କ ସହ ବିନୟ ତ୍ୟାଗୀଙ୍କ ନିକଟରୁ ଲୁଟପାଟ କରିବା ସହ ତାଙ୍କ ହତ୍ୟା କରିଥିବା ତଦନ୍ତରୁ ଜଣାପଡ଼ିଛି।

ବିନୟ ତ୍ୟାଗୀ ଗାଜିଆବାଦର ରାଜେନ୍ଦ୍ର ନଗର ଅଞ୍ଚଳରେ ରହୁଥିଲେ। ସେ ପ୍ରତିଦିନ ମେଟ୍ରୋରେ ଅପ୍‌-ଡାଉନ୍‌ କରୁଥିଲେ। ଗତ ୩ ତାରିଖ ରାତି ସାଢ଼େ ୧୧ଟାରେ ସେ ଶେଷ ଥର ପାଇଁ ନିଜ ପତ୍ନୀଙ୍କ ସହ କଥା ହୋଇଥିଲା। ଏହାପରେ ତାଙ୍କ ଫୋନ୍‌ ବନ୍ଦ ହୋଇଯାଇଥିଲା। ତେବେ ବିନୟ ଘରେ ପହଞ୍ଚିବା ନେଇ ବିଳମ୍ବ ହେବା ପରେ ଘର ଲୋକେ ଚିନ୍ତିତ ହୋଇପଡିଥିଲା।

ଏହାପରେ ତାଙ୍କୁ ଖୋଜାଖୋଜି କରିବା ଆରମ୍ଭ କରିଥିଲେ। ୪ ତାରିଖ ଭୋର୍ ସମୟରେ ଘର ଠାରୁ ୩ କିଲୋମିଟର ଦୂରରେ ଥିବା ଏକ ନାଳରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେ ପଡିଥିବା ଦେଖିବାକୁ ମିଳିଥିଲା। ଏହାପରେ ଘର ଲୋକେ ତୁରନ୍ତ ତାଙ୍କୁ ହସ୍ପିଟାଲ ନେଇ ଯାଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

ବିନୟଙ୍କ ଛାତି ଓ ପେଟରେ ଗଭୀର କ୍ଷତ ଚିହ୍ନ ରହିଥିଲା। ତାଙ୍କୁ ଛୁରା ମାଡ କରାଯାଇଥିବା ଜଣାପଡ଼ିଥିଲା। ତାଙ୍କ ମୋବାଇଲ୍‌, ପର୍ସ ଓ ଲାପଟପ୍‌ ମଧ୍ୟ ଗାଏବ ଥିଲା। ତେଣୁ ଲୁଟ୍‌ ବେଳେ ତାଙ୍କୁ ହତ୍ୟା କରାଯାଉଥିବା ସନ୍ଦେହ କରାଯାଉଥିଲା। ପୁଲିସ ମୃତେଦହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଆଖପାଖର ସିସିଟିଭି ଫୁଟେଜ ଯାଞ୍ଚ କରିଥିଲା।

Uttar Pradesh Tata Steel Sales Head Murder Tata Steel