Hospital
ଆଗ ଜୀବନ, ପରେ ନିର୍ବାଚନୀ ପ୍ରଚାର। ଏପରି କରି ଦେଖାଇଛନ୍ତି ତେଲୁଗ ଦେଶମ ପାର୍ଟି (TDP) ପ୍ରାର୍ଥୀ। ପେସାରେ ଡାକ୍ତର ହୋଇଥିବା ବେଳେ ଏଥର ନିର୍ବାଚନରେ ସେ ମଇଦାନକୁ ଓହ୍ଲାଇଛନ୍ତି। ଏଥିପାଇଁ ଘର ଘର ବୁଲି କ୍ୟାମ୍ପେନ କରୁଥିବା ବେଳେ ଜଣେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବା ଶୁଣିବାକୁ ପାଇଥିଲେ । ଏହାପରେ କ୍ୟାମ୍ପେନ ଅଧାରୁ ଛାଡ଼ି ହସ୍ପିଟାଲରେ ପହଞ୍ଚିଗଲେ ଓ ଅସ୍ତ୍ରୋପଚାର କରି ମା’ ଛୁଆଙ୍କ ଜୀବନ ରକ୍ଷା କରିଥିଲେ। ଏପରି ଏକ ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି।
ଡାକ୍ତର ଗୋଟ୍ଟିପଟି ଲକ୍ଷ୍ମୀ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞ। ଏଥିସହ ସେ TDP ତରଫରୁ ଦର୍ଶୀ ବିଧାନସଭା ଆସନ ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଆଗକୁ ନିର୍ବାଚନ ଥିବା ବେଳେ ସେ ଏବେ ପ୍ରଚାର କାର୍ଯ୍ୟରେ ମାତିଛନ୍ତି। ଘର ଘର ବୁଲି କ୍ୟାମ୍ପେନ କରୁଛନ୍ତି।
ନିର୍ବାଚନୀ ପ୍ରଚାର କରୁଥିବା ବେଳେ ନିକଟସ୍ଥ ହସ୍ପିଟାଲରେ ଏକ ଗୁରୁତର ଗର୍ଭବତୀ ମହିଳା ଭର୍ତ୍ତି ହୋଇଥିବା ଖବର ପାଇଥିଲେ। ଏହାପରେ ତୁରନ୍ତ ନିଜ କ୍ୟାମ୍ପେନିଂ ଛାଡ଼ି ସେ ସେଠାରେ ପହଞ୍ଚିଥିଲେ। ତତ୍କ୍ଷଣାତ ଅସ୍ତ୍ରୋପଚାର କରି ସେ ମହିଳାଙ୍କ ପ୍ରସବ କରାଇଥିଲେ। ଏବେ ମା’ ଓ ଶିଶୁ ସୁସ୍ଥ ଥିବା ଜଣାଯାଇଛି।
ଏହି ଖବର ପ୍ରଚାରିତ ହେବା ପରେ ଡା. ଲକ୍ଷ୍ମୀଙ୍କ ନିକଟକୁ ଶୁଭେଚ୍ଛେର ସୁଅ ଛୁଟୁଛି। TDP ମୁଖ୍ୟ ଚନ୍ଦ୍ରବାବୁ ନାଇଡ଼ୁ ବି ଡା. ଲକ୍ଷ୍ମୀଙ୍କ ପ୍ରଶଂସା କରିବାକୁ ପଛାଇ ନାହାନ୍ତି।
ଆନ୍ଧ୍ରପ୍ରଦେଶରେ ଆସନ୍ତା ୧୩ ତାରିଖରେ ଭୋଟ ଗ୍ରହଣ କରାଯିବ ଓ ଜୁନ ୪ରେ ଫଳାଫଳ ପ୍ରକାଶ ପାଇବ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us