/odisha-reporter/media/media_files/2025/12/14/accident1-2025-12-14-20-59-23.jpg)
ମୃତ ଶିକ୍ଷକ ଦମ୍ପତି ଓ ଦୁର୍ଘଟଣାଗ୍ରସ୍ତ କାର
କେନାଲରେ କାର ଖସି ପଡ଼ିବାରୁ ଏକ ଶିକ୍ଷକ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ରବିବାର ସକାଳେ ପଞ୍ଜାବର ମୋଗା ଜିଲ୍ଲାରେ ଘଟିଛି ଏହି ଘଟଣା।
ମୃତକ ଦ୍ୱୟ ହେଉଛନ୍ତି ଯଶ କରଣ ସିଂହ ଓ ତାଙ୍କ ପତ୍ନୀ କମଲଜୀତ ସିଂହ କୌର। ସେମାନଙ୍କ ଘର ମନସା ଜିଲ୍ଲାରେ। ଉଭୟ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ। ମୋଗା ଜିଲ୍ଲା ଥିଲା ସେମାନଙ୍କ କର୍ମକ୍ଷେତ୍ର।
ପଞ୍ଜାବ ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ସଙ୍ଗତପୁରା ଗାଁରେ କମଲଜୀତ ସିଂହ କୌରଙ୍କ ଡ୍ୟୁଟୀ ପଡ଼ିଥିଲା। ସ୍ୱାମୀ ଯଶ କରଣ ସିଂହ ତାଙ୍କୁ କାରରେ ସେଠାକୁ ଛାଡ଼ିବାକୁ ଯାଉଥିଲେ। ତେବେ ବାଟରେ କାର୍ଟି କେନାଲକୁ ଖସି ପଡ଼ିଥିଲା। ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ଘଟିଥିଲା।
ଆଜି ସକାଳେ ଘନ କୁହୁଡ଼ି ଯୋଗୁ ରାସ୍ତା ଭଲ ଭାବରେ ଦେଖାଯାଉ ନଥିଲା। ସେଥିପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଛି।
ଅନ୍ୟପକ୍ଷରେ ଆଜି ହରିୟାଣାରେ କୁହୁଡ଼ି ଯୋଗୁ ଏକାଧିକ ଦୁର୍ଘଟଣା ଘଟିଛି। ରୋହତକରେ ମେହାମ ଅଞ୍ଚଳରେ ପ୍ରାୟ ୩୫ରୁ ୪୦ଟି ଗାଡ଼ି ମଧ୍ୟରେ ସିରିଜ୍ ଦୁର୍ଘଟଣା ଘଟିଛି। ଏହି ଗାଡ଼ିଗୁଡ଼ିକ ମଧ୍ୟରୁ ଅଧିକାଂଶ ହେଉଛି ଟ୍ରକ। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପ୍ରଥମେ ଏକ ଟ୍ରକ୍ ଓ କାର ମଧ୍ୟ ଧକ୍କା ହୋଇଥିଲା। ତା’ପରେ ଉଭୟ ଗାଡ଼ିରେ ପଛକୁ ପଛ ପିଟି ହୋଇଥିଲେ ବାକି ସବୁ ଗାଡ଼ି।
ଘନ କୁହୁଡ଼ି ଯୋଗୁ ହିସାର ଓ ରେୱାରୀରେ ମଧ୍ୟ ଦୁର୍ଘଟଣା ଘଟିଛି। ହିସାରରେ ସକାଳ ପ୍ରାୟ ୮ଟା ବେଳେ ୫୨ ନମ୍ବର ଜାତୀୟ ରାଜପଥରେ ଦୁଇଟି ସରକାରୀ ବସ୍ ମଧ୍ୟରେ ଧକ୍କା ହୋଇଥିଲା। ରେୱାରୀରେ ୩୫୨ ନମ୍ବର ଜାତୀୟ ରାଜପଥରେ ତିନି ଚାରିଟି ବସ୍ ମଧ୍ୟ ଧକ୍କା ହୋଇଥିଲା। ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
