ପତ୍ନୀ ଘରୋଇ ହିଂସା ମାମଲା କରି ବାରମ୍ବାର ହଇରାଣ କରୁଥିଲେ। ପତ୍ନୀଙ୍କ ସହ ପରିବାର ଲୋକ ମଧ୍ୟ ହାତ ମିଳାଇଥିଲେ। ଦିନକୁ ଦିନ ପତ୍ନୀଙ୍କ ନିର୍ଯାତନା ବଢ଼ିବାରେ ଲାଗିଥିଲା। ଜଣେ ମହିଳା ବିଚାରପତି ମଧ୍ୟ ପତ୍ନୀଙ୍କୁ ଘରୋଇ ହିଂସା ମାମଲାରେ ସହାୟତା କରୁଥିଲେ।
ପତ୍ନୀ ମାମଲା ରୁଜୁ କରି ଟଙ୍କା ମାଗି ଚାଲିଥିଲେ। ବାସ୍ ସହିବାର ସୀମା ଅତିକ୍ରମ କରିଯିବାରୁ ବେଙ୍ଗାଲୁରୁରେ ରହୁଥିବା ଜଣେ ୩୪ ବର୍ଷୀୟ ବ୍ୟକ୍ତି ନିଜ ଫ୍ଲାଟରେ ଜୀବନ ହାରି ଦେଇଛନ୍ତି।
ତେବେ ଆତ୍ମହତ୍ୟା କରିବା ପୂର୍ବରୁ ସେ ୨୪ ପୃଷ୍ଠାର ସୁଇସାଇଡ ନୋଟ ଓ ଗୋଟିଏ ଦେଢ଼ ଘଣ୍ଟାର ଭିଡିଓ ଛାଡ଼ି ଯାଇଛନ୍ତି। ଏଥିରେ ପତ୍ନୀ କେମିତି ତାଙ୍କ ଜୀବନକୁ ବରବାଦ କରିଦେଇଥିଲେ, ସେକଥା ବିସ୍ତୃତ ଭାବେ ରହିଛି।
ଜୀବନ ହାରିଥିବା ବ୍ୟକ୍ତି ଜଣଙ୍କ ହେଲେ ୩୪ ବର୍ଷୀୟ ଅତୁଲ ସୁଭାଷ। ତାଙ୍କ ଘର ବିହାରରେ। ସେ ବେଙ୍ଗାଲୁରୁର ଗୋଟିଏ ଘରୋଇ କମ୍ପାନୀରେ କାମ କରୁଥିଲେ। ମଞ୍ଜୁନାଇ ଲେଆଉଟ ଅଞ୍ଚଳରେ ଥିବା ଫ୍ଲାଟରେ ସେ ରହୁଥିଲେ। ଉକ୍ତ ଫ୍ଲାଟରୁ ଅତୁଲଙ୍କ ଝୁଲନ୍ତା ମୃତଦେହ ପୁଲିସ୍ ଉଦ୍ଧାର କରିଛି।
ଜୀବନ ହାରିବା ପୂର୍ବରୁ ଅତୁଲ ୨୪ ପୃଷ୍ଠାର ସୁଇସାଇଡ ନୋଟକୁ ଇ-ମେଲ ଜରିଆରେ ଏକାଧିକ ଲୋକଙ୍କୁ ପଠାଇଛନ୍ତି। ସେ ଯେଉଁ ଏନଜିଓ ସଂସ୍ଥା ସହ ଜଡ଼ିତ ଥିଲେ, ତା’ର ହ୍ୱାଟସଆପ ଗ୍ରୁପରେ ମଧ୍ୟ ସେ ସୁଇସାଇଡ ନୋଟ ଛାଡ଼ିଛନ୍ତି। ମୃତ୍ୟୁ ପୂର୍ବରୁ ସେ ରେକର୍ଡ କରିଥିବା ଭିଡିଓ ମଧ୍ୟ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି। ସେ ଘର ବାହାରେ ଝୁଲାଇଥିବା ଜଷ୍ଟିସ ଇଜ ଡ୍ୟୁ ଶୀର୍ଷକ ପ୍ଲାକକାର୍ଡକୁ ମଧ୍ୟ ପୁଲିସ୍ ଠାବ କରିଛି।
୨୪ ପୃଷ୍ଠାର ସୁଇସାଇଡ ନୋଟ ମଧ୍ୟରୁ ୪ ପୃଷ୍ଠା ହାତରେ ଲେଖାଯାଇଥିବା ବେଳେ ବାକି ୨୦ ପୃଷ୍ଠା ଟାଇପ ହୋଇଛି। ଏହା ଉପରେ ନ୍ୟାୟ ବାକି ରହିଛି ବୋଲି ଲେଖାଯାଇଛି। ସେ ତାଙ୍କ ନୋଟରେ ନିଜର ପତ୍ନୀ, ତାଙ୍କ ମା’, ଭାଇ ଓ ଦାଦାଙ୍କୁ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି। ସେମାନେ ସମସ୍ତେ ତାଙ୍କୁ ନିର୍ଯାତନା ଦେଉଥିବା ଅତୁଲ ଅଭିଯୋଗ କରିଛନ୍ତି।
ପାରିବାରିକ କଳହ କାରଣରୁ ଅତୁଲଙ୍କ ସହ ତାଙ୍କ ପତ୍ନୀ ରହୁ ନଥିଲେ। ପତ୍ନୀଙ୍କ ଘର ଉତ୍ତର ପ୍ରଦେଶର ଜଉନପୁରରେ। ସେଠାରେ ସେ ଅତୁଲଙ୍କ ବିରୋଧରେ ଘରୋଇ ହିଂସାର ମାମଲା କରିଥିଲେ। ପତ୍ନୀ ଯେଉଁ କୋର୍ଟରେ ମାମଲା କରିଥିଲେ, ସେଠାକାର ମହିଳା ବିଚାରପତି ମଧ୍ୟ ଅତୁଲଙ୍କୁ ହଇରାଣ କରୁଥିବା ସେ ରେକର୍ଡ କରିଥିବା ଭିଡିଓରେ କହିଛନ୍ତି। ମାମଲାର ୨ ବର୍ଷ ମଧ୍ୟରେ କୋର୍ଟ ୧୨୦ ଥର ଏହାର ଶୁଣାଣି କରିଥିଲେ। ଏଥିପାଇଁ ଅତୁଲଙ୍କୁ ବାରମ୍ବାର ବେଙ୍ଗାଲୁରୁର ଜଉନପୁରରୁ ଯିବାକୁ ପଡ଼ୁଥିଲା। ହେଲେ ମାମଲାର ସାମାଧାନ ବିଚାରପତି କରୁ ନଥିବା ଅଭିଯୋଗ ହୋଇଛି।
ଅତୁଲ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଲେଖିଥିବା ଚିଠିରେ ଦେଶର ଅପରାଧିକ ନ୍ୟାୟ ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। କେମିତି ଜଣେ ମିଛ କେସ୍ କରି ଆଉ ଜଣଙ୍କୁ ବରବାଦ କରି ଦେଉଛି, ସେକଥା ମଧ୍ୟ ଚିଠିରେ ରହିଛି।
ଆଉ ଏକ ଚିଠିରେ ଅତୁଲ ପତ୍ନୀ ଆଣିଥିବା ଯୌତୁକ ନିର୍ଯାତନା, ଅପ୍ରାକୃତି ଯୌନ ସମ୍ପର୍କ ଓ ମହିଳା ବିରୋଧୀ ହିଂସା ଆଦି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏଥିସହ ତାଙ୍କ ମୃତ୍ୟୁ ପରେ ମିଛ ମାମଲାରେ ତାଙ୍କ ବାପା ମା’ ଓ ଭାଇଙ୍କୁ ହଇରାଣ ନ କରିବାକୁ ମଧ୍ୟ ଅନୁରୋଧ କରିଛନ୍ତି।
ଅତୁଲ ସୁଭାଷ କହିଛନ୍ତି ଯେ ୨୦୧୯ରେ ସେ ମ୍ୟାଟ୍ରିମୋନିଆଲ ୱେବସାଇଟ ଜରିଆରେ ପ୍ରସ୍ତାବ ପକ୍କା ହେବା ପରେ ବିବାହ କରିଥିଲେ। ଗୋଟିଏ ବର୍ଷ ପରେ ତାଙ୍କର ପୁଅ ଜନ୍ମ ହୋଇଥିଲା। ତେବେ ସମୟକ୍ରମେ ପତ୍ନୀଙ୍କ ପରିବାର ଲୋକ ଅତୁଲଙ୍କୁ ଟଙ୍କା ମାଗି ଚାଲିଥିଲେ। ସେ ଟଙ୍କା ଦେବାକୁ ମନା କରିବାରୁ ପତ୍ନୀ ୨୦୨୧ ମସିହାରେ ପୁଅକୁ ଧରି ବେଙ୍ଗାଲୁରୁରୁ ଚାଲି ଯାଇଥିଲେ।
ଏହାର ଗୋଟିଏ ବର୍ଷ ପରେ ପତ୍ନୀ ତାଙ୍କ ନାଁରେ ଜଉନପୁରରେ ମାମଲା କରିଥିଲେ। ଏଥିରେ ଅତୁଲ ତାଙ୍କୁ ୧୦ ଲକ୍ଷ ଟଙ୍କା ଯୌତୁକ ଆକାରରେ ମାଗୁଥିବା ପତ୍ନୀ କହିଥିଲେ। ପତ୍ନୀଙ୍କ ବାପାଙ୍କ ଉପରେ ଅତୁଲ ଚାପ ପକାଇବାରୁ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ପତ୍ନୀ ନିଜ ଅଭିଯୋଗରେ ଦର୍ଶାଇଥିଲେ।
ଅତୁଲ ଚିଠି ଓ ଭିଡିଓରେ କହିଛନ୍ତି, “ଏସବୁ ବଲିଉଡ ସିନେମାର କାହାଣୀ। ସେ(ପତ୍ନୀ) କହି ସାରିଛନ୍ତି ଯେ ତାଙ୍କ ବାପା ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ପ୍ରାଣ ହରାଇଛନ୍ତି। ହୃଦରୋଗ ଓ ମଧୁମେହ ପାଇଁ ଗଲା ୧୦ ବର୍ଷ ଧରି ତାଙ୍କ ବାପା ଏମ୍ସରେ ଚିକିତ୍ସିତ ହେଉଥିଲେ। ଏକଥା ଜଣାପଡ଼ିବା ପରେ ପତ୍ନୀ କରିଥିବା ହତ୍ୟା ମାମଲାକୁ ପ୍ରତ୍ୟାହାର କରି ନେଇଥିଲେ।
ପ୍ରଥମେ ସବୁ ମାମଲାକୁ ରଫାଦଖା କରିବା ପାଇଁ ସେମାନେ(ପତ୍ନୀ ଓ ତାଙ୍କ ପରିବାର ଲୋକ) ୧ କୋଟି ଟଙ୍କା ମାଗିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ୩ କୋଟି କରି ଦେଇଥିଲେ। କୋର୍ଟର ଶୁଣାଣି ବେଳେ ମିଛ ମାମଲା ପାଇଁ ପୁରୁଷମାନେ ଆତ୍ମହତ୍ୟା କରୁଥିବା ମୁଁ କହିଥିଲି। ଏହା ଶୁଣି ପତ୍ନୀ କହିଥିଲେ ଯେ ତୁମେ କାହିଁକି ମରୁନାହଁ?
ବିଚାରପତି ଏକାଥ ଶୁଣି ହସିଥିଲେ ଓ ପତ୍ନୀଙ୍କୁ କୋର୍ଟ ରୁମରୁ ଚାଲି ଯିବାକୁ କହିଥିଲେ। ଏହା ପରେ ବିଚାରପତି ମୋତେ ମୋ ପରିବାର କଥା ଚିନ୍ତା କରିବାକୁ କହିଥିଲେ ଓ ମାମଲା ସେଟେଲ କରିବାକୁ ୫ ଲକ୍ଷ ଟଙ୍କା ମାଗିଥିଲେ।”
ଅତୁଲ ଏକଦା ତାଙ୍କ ଶାଶୂଙ୍କ ସହ ହୋଇଥିବା କଥାବାର୍ତ୍ତା ସମ୍ପର୍କରେ ମଧ୍ୟ କହିଛନ୍ତି। ଅତୁଲଙ୍କୁ ତାଙ୍କ ଶାଶୂ କହିଥିଲେ ଯେ ତୁମେ ଏଯାଏ କାହିଁକି ଆତ୍ମହତ୍ୟା କରିନ? ଏହା ଶୁଣି ଅତୁଲ କହିଥିଲେ ଯେ ମୁଁ ମରିଗଲେ ଆପଣମାନେ ଟଙ୍କା କେଉଁଠୁ ପାଇବେ? ଶାଶୂ କହିଥିଲେ, “ତୁମ ବାପା ଟଙ୍କା ଦେବେ। ତୁମ ପରେ ତୁମ ବାପା ମା’ ମାରିବେ। ଏହାପରେ ତୁମ ପତ୍ନୀ ସବୁ ଟଙ୍କା ପାଇବେ।”
ପତ୍ନୀ ଓ ତାଙ୍କ ପରିବାର ଅତୁଲଙ୍କୁ ପୁଅ ସହ ଦେଖା କରିବାକୁ ମଧ୍ୟ ଦେଉ ନଥିଲେ। ସେ ଯେତେ ଅଧିକ କାମ କରି ସଫଳତା ପାଉଥିଲେ ତାଙ୍କ ପରିବାର ସହ ସେତିକି ନିର୍ଯାତନା ବଢ଼ୁଥିଲା। ତେଣୁ ସେ ଜୀବନ ହାରୁଥିବା କହିଛନ୍ତି।