ପତ୍ନୀଙ୍କୁ ଛୁରୀ ଭୁଷି ହତ୍ୟା କରିବା ପରେ ମୃତଦେହକୁ ଗୋଟିଏ ସୁଟକେସରେ ଭର୍ତ୍ତି କରିଥିଲେ। ଏହାପରେ ଦକ୍ଷିଣ ବେଙ୍ଗାଲୁରୁ ସ୍ଥିତ ଘରକୁ ଫେରାର ହୋଇ ଯାଇଥିଲେ। ପୁଲିସ୍ ପରବର୍ତ୍ତୀ ଅବସ୍ଥାରେ ଅଭିଯୁକ୍ତ ସ୍ୱାମୀଙ୍କୁ ମହାରାଷ୍ଟ୍ରରୁ ଗିରଫ କରିଥିଲା। ଏବେ ସ୍ୱାମୀ ଜଣଙ୍କ ଏତେ ବଡ଼ ଘଟଣା ଘଟାଇବା ପଛର କାରଣ କ’ଣ ଥିଲା, ସେ ସମ୍ପର୍କରେ ପୁଲିସ୍କୁ କହିଛନ୍ତି।
ବେଙ୍ଗାଲୁରୁରେ ଥିବା ଗୋଟିଏ ଘରୋଇ କମ୍ପାନୀରେ ରାକେଶ ଖେଡେକର ସିନିୟର ପ୍ରୋଜେକ୍ଟ ସଂଯୋଜକ ଭାବେ କାମ କରୁଥିଲେ। ଦକ୍ଷିଣ ବେଙ୍ଗାଲୁରୁରେ ଥିବା ଫ୍ଲାଟରେ ସେ ତାଙ୍କ ପତ୍ନୀ ୩୨ ବର୍ଷୀୟ ଗୌରୀ ସାମ୍ଭ୍ରେକରଙ୍କ ସହ ୨ ମାସ ହେଲା ରହୁଥିଲେ। ଉଭୟ ମହାରାଷ୍ଟ୍ରର ବାସିନ୍ଦା। କିନ୍ତୁ ସେମାନେ ବେଙ୍ଗାଲୁରୁରେ ରହୁଥିଲେ। ମାର୍ଚ୍ଚ ୨୬ ତାରିଖରେ ରାକେଶ ହୁଲିମାଭୁ ସ୍ଥିତ ଡୋଡାକାମ୍ମାନାହାଲ୍ଲି ସ୍ଥିତ ଘରେ ଗୌରୀଙ୍କୁ ହତ୍ୟା କରିଥିଲେ। ଘଟଣାର ମୋଡ ସେତେବେଳେ ବଦଳିଥିଲା ଯେତେବେଳେ ରାକେଶ ନିଜ ଆଡ଼ୁ ଗୌରୀଙ୍କ ଭାଇଙ୍କୁ ଫୋନ କରି ହତ୍ୟା ସମ୍ପର୍କରେ ସୂଚନା ଦେଇଥିଲେ। ରାକେଶଙ୍କୁ ପୁଲିସ୍ ଏପ୍ରିଲ ୨ରେ ଗିରଫ କରିଥିଲା।
ଜଣେ ବରିଷ୍ଠ ପୁଲିସ୍ ଅଧିକାରୀ କହିଛନ୍ତି ଯେ ଜେରା ବେଳେ ରାକେଶ ନିଜର ଅପରାଧକୁ ସ୍ୱୀକାର କରିଛନ୍ତି। ଗୌରୀ ସବୁବେଳେ ତାଙ୍କ ବାପା ମା’ ଓ ସାନ ଭଉଣୀଙ୍କୁ ଅପମାନିତ କରୁଥିଲେ। ଏହାକୁ ରାକେଶ ଆଦୌ ପସନ୍ଦ କରୁ ନଥିଲେ। ରାକେଶ ପୁଲିସ୍କୁ କହିଛନ୍ତି, “ଗୌରୀ ସବୁବେଳେ ମୋ ବାପା, ମା’ ଓ ଭଉଣୀ ବିଷୟରେ ଖରାପ କଥା କହୁଥିଲା। ସେମାନେ ସେ ଘର ବାହାରେ ଓ ଭିତରେ ଅପମାନିତ କରି ଚାଲିଥିଲା। ସେ ମୋତେ ବେଙ୍ଗାଲୁରୁରେ ନୂଆ ଚାକିରି କରିବା ସହ ନୂଆ ଜୀବନ ଆରମ୍ଭ କରିବାକୁ କହିଥିଲା। ତା’ କଥାରେ ଆମେ ୨ ମାସ ହେଲା ବେଙ୍ଗାଲୁରୁ ଆସିଥିଲୁ। ତା’କୁ ମୁଁ ସ୍କୁଲ ସମୟରୁ ଜାଣିଥିଲି। ସେ ସବୁବେଳେ ନିଜ ଇଚ୍ଛାକୁ ମୋ ଲଦି ଥାଏ।
ତଥାପି ମୁଁ ତାକୁ ପାଗଳଙ୍କ ଭଳି ଭଲ ପାଉଥିଲି। ବେଙ୍ଗାଲୁରୁରେ ସେ ମାସେ ଯାଏ ଚାକିରି ଖୋଜି ଥିଲେ ହେଁ ତା’କୁ କିଛି ବି ମିଳି ନଥିଲା। ଏହାପରେ ସେ ପୁଣି ମୁମ୍ବାଇ ଯିବା ଦରକାର ବୋଲି କହିବା ଆରମ୍ଭ କରିଥିଲା। ଏହାକୁ ନେଇ ଆମର ପାଟିତୁଣ୍ଡ ମଧ୍ୟ ହୋଇଥାଏ।”
ମାର୍ଚ୍ଚ ୨୬ ତାରିଖ ସନ୍ଧ୍ୟାରେ ରାକେଶ ଓ ଗୌରୀ କିଛି ସମୟ ଘରେ ଏକାଠି କଟାଇଥିଲେ। ଏହାପରେ ଉଭୟ ନିଟସ୍ଥ ପଡ଼ିଆକୁ ଚାଲିବାକୁ ଯାଇଥିଲେ। ଘରକୁ ଫେରିବା ସମୟରେ କିଛି ମଦ ଓ ଖାଇବା ଜିନିଷ ଆଣିଥିଲେ। ସେମାନେ ସନ୍ଧ୍ୟା ପ୍ରାୟ ୭.୩୦ରେ ଘରେ ପହଞ୍ଚିଥିଲେ। ରାକେଶ କାମ କରିବା ପରେ ସବୁ ଦିନ ମଦ ପିଅନ୍ତି। ଗୌରୀ ତାଙ୍କ ପାଖରେ ବସନ୍ତି ଓ ସ୍ନାକ୍ସ ଦେବା ସହ ଗୀତ ଶୁଣନ୍ତି। ମଦ ପିଇବା ସମୟରେ ଉଭୟ ନିଜ ନିଜର ପସନ୍ଦର ଗୀତ କ୍ରମ ଅନୁସାରେ ବଜାନ୍ତି। ଘଟଣା ଦିନ ମଧ୍ୟ ଉଭୟ ସମାନ ନୀତି ଆପଣାଇଥିଲେ।
ରାକେଶ ଗ୍ଲାସ ଧରି ବସିଥିଲେ ଓ ଗୀତ ବଜାଇବା ଆରମ୍ଭ କରିଥିଲେ। ଗୌରୀ ଭାତ ବସାଇବା ସହ ରୋଷେଇ ଘରେ ନିଜର କାମ କରିଥିଲେ। ରାକେଶ ନିଜ ପସନ୍ଦର କିଛି ଗୀତ ଶୁଣିବା ପରେ ଗୌରୀଙ୍କ ପାଳି ଆସିଥିଲା। ସେ ଗୋଟିଏ ମରାଠୀ ଗୀତ ବଜାଇଥିଲେ। ଏଥିରେ ବାପା-ପୁଅଙ୍କ ସମ୍ପର୍କକୁ ନେଇ କିଛି ମନ୍ତବ୍ୟ ରହିଥିଲା। ଗୀତ ଶୁଣାଇ ଗୌରୀ ସ୍ୱାମୀ ରାକେଶଙ୍କୁ ଥଟ୍ଟା କରିଥିଲେ।
ସେ ତାଙ୍କ ମୁହଁ ପାଖକୁ ଯିବା ସହ ଗାଲରେ ହାତ ମାରି ବିଭିନ୍ନ ପ୍ରକାରର ଭଙ୍ଗି ପ୍ରଦର୍ଶିତ କରିଥିଲେ। ବାରମ୍ବାର ଗୌରୀ ଏପରି କରିବାରୁ ରାକେଶ ରାଗି ଯାଇଥିଲେ ଓ ପତ୍ନୀଙ୍କୁ ଠେଲି ଦେଇଥିଲେ। ଗୌରୀଙ୍କୁ ରାକେଶ ଏତେ ଜୋରରେ ଠେଲି ଦେଇଥିଲେ ଯେ ସେ ସିଧା ରୋଷେଇ ଘର ପାଖରେ ପଡ଼ିଥିଲେ। ଏଥିରେ ଗୌରୀ ମଧ୍ୟ ରାଗି ଯାଇଥିଲେ। ସେ ରୋଷେଇ ଘରୁ ଛୁରୀ ଆଣି ରାକେଶଙ୍କ ଉପରକୁ ଫିଙ୍ଗି ଥିଲେ। ସେ ତାଙ୍କୁ ପ୍ରବଳ ଗାଳି ବି କରିଥିଲେ। ମଦ ନିଶାରେ ଥିବା ରାକେଶ ଉକ୍ତ ଛୁରୀକୁ ଆଣି ଗୌରୀଙ୍କ ବେକ ଓ ତଳି ପେଟରେ ଦୁଇ ଥର ଭୁଷି ଦେଇଥିଲେ। ପୂରା ଘଟଣା ୮.୪୫ରୁ ୯ଟା ମଧ୍ୟରେ ଘଟିଥିଲେ।
ଗୌରୀ ରକ୍ତାକ୍ତ ଅବସ୍ଥାରେ ତଳେ ପଡ଼ି ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଥିଲେ। ଏହା ଦେଖି ରାକେଶ ତାଙ୍କ ପାଖରେ ବସିଥିଲେ ଓ ସେ କେମିତି ତାଙ୍କୁ ବିରକ୍ତ କରୁଥିଲେ, ସେକଥା ବୁଝାଇଥିଲେ। ଏସବୁ ଭିତରେ ଗୌରୀ ପୂରା ନିସ୍ତେଜ ହୋଇଯାଇଥିଲେ। ଏହାପରେ ରାକେଶ ଘରେ ଥିବା ବଡ଼ ଶୁଟକେସକୁ ଆଣିଥିଲେ। ଗୌରୀଙ୍କ ନିଃଶ୍ୱାସ ଚାଲୁ ନଥିବାରୁ ସେ ତାଙ୍କୁ ଉକ୍ତ ସୁଟକେସରେ ଭର୍ତ୍ତି କରିଥିଲେ। ରୋଷେଇ ଘର ଠାରୁ ସୁଟେକସକୁ ସେ ବାଥୁରମ ଆଡ଼କୁ ଟାଣୁ ଥିବା ବେଳେ ତା’ର ହ୍ୟାଣ୍ଡେଲ ଭାଙ୍ଗି ଯାଇଥିଲା। ରାକେଶ ସୁଟକେସକୁ ବାଥରୁମ ନଳା ପାଖରେ ରଖି ପ୍ରଥମେ ରକ୍ତ କେମିତି ସେହି ବାଟେ ଯିବ, ତା’ର ବ୍ୟବସ୍ଥା କରିଥିଲେ।
ଘର ସଫା କରିବା ପରେ ସେ ସୁଟକେସ ସହ ମୃତଦେହକୁ ବାହାରକୁ ନେବାକୁ ଚାହିଁଥିଲେ। କିନ୍ତୁ ଏହା ସମ୍ଭବ ହୋଇ ପାରି ନଥିଲା। ତେଣୁ ଘରେ ସୁଟକେସରେ ଭର୍ତ୍ତି ମୃତଦେହକୁ ରଖି ସେ ରାତି ପ୍ରାୟ ୧୨.୪୫ରେ ସେଠାରୁ ଚାଲି ଯାଇଥିଲେ। ଦକ୍ଷିଣ ବେଙ୍ଗାଲୁରୁରୁ ରାକେଶ ମହାରାଷ୍ଟ୍ରର ଶିରୱାଲରେ ପହଞ୍ଚିଥିଲେ। ପୁଲିସ୍ ସେଠାରୁ ତାଙ୍କୁ ଗିରଫ କରିଥିଲା।