ଭାରତ ବିଶ୍ୱର ପ୍ରଥମ ଦେଶ ଯିଏ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ପହଞ୍ଚି ପାରିଛି। ଇସ୍ରୋ ଚନ୍ଦ୍ରଯାନ-୩ ସେଠାକୁ ପଠାଇ ଦେଶକୁ ଗୌରବାନ୍ୱିତ କରିଛି।
ଭାରତ ମଧ୍ୟ ଏହି ସଫଳତା ପାଇଁ ବିଶ୍ୱ ଦରବାରରେ ପ୍ରଶଂସା ସାଉଁଟୁଛି। ହେଲେ ଚନ୍ଦ୍ରଯାନ-୩ର ସଫଳତା ପଛରେ ଥିବା ବିନ୍ଧାଣୀ ଏବେ ଜୀବନ ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି। ପରିବାର ଚଳାଇବା ପାଇଁ ସେ ଇଡ୍ଲି ସହ ଚା’ ବିକ୍ରି କରୁଛନ୍ତି।
ଏକଦା ସେ ଚନ୍ଦ୍ରଯାନ-୩ର ଲଞ୍ଚପ୍ୟାଡ ପ୍ରସ୍ତୁତ କରିଥିଲେ। ହେଲେ ଦରମା ଅଭାବରୁ ସେ ବାଧ୍ୟ ହୋଇ ରାସ୍ତା କଡ଼ରେ ଷ୍ଟଲ ଲଗାଇ ଇଡଲି ବିକ୍ରି କରୁଛନ୍ତି। ଏହି ବ୍ୟକ୍ତି ଜଣଙ୍କ ହେଲେ ଦୀପକ କୁମାର ଉପରାରିୟା। ସେ ହେଭି ଇଞ୍ଜନିୟରିଂ କର୍ପୋରେସନ ଲିଃ(HEC)ରେ ଟେକ୍ନିସିଆନ ଭାବେ କାମ କରନ୍ତି।
HECର ଟେକ୍ନିସିଆନ ଭାବେ ସେ ଚନ୍ଦ୍ରଯାନ-୩ ପାଇଁ ଲଞ୍ଚପ୍ୟାଡ ପ୍ରସ୍ତୁତ କରିଥିଲେ। ହେଲେ ଚନ୍ଦ୍ରଯାନ-୩ର ସଫଳତା ପରେ ତାଙ୍କୁ ସମସ୍ତେ ଭୁଲି ଯାଇଛନ୍ତି। ତାଙ୍କୁ ଠିକଣା ସମୟରେ ଦରମା ମଧ୍ୟ ମିଳିନି। ଏହି କାରଣ ପାଇଁ ସେ ରାଞ୍ଚିର ରାସ୍ତା କଡ଼ରେ ଷ୍ଟଲ ଖୋଲି ଇଡଲି ବିକ୍ରି କରୁଛନ୍ତି।
ବିବିସିରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଦୀପକ କୁମାର ରାଞ୍ଚିର ଧୁରୱା ଅଞ୍ଚଳରେ ଥିବା ପୁରୁଣା ବିଧାନସଭା ବିଲଡିଂର ବିପରୀତ ଦିଗରେ ନିଜର ଇଡ୍ଲି ଦୋକାନ ଖୋଲିଛନ୍ତି। ସେ HECରେ ଟେକ୍ନିସିଆନ ଭାବେ କାମ ବି କରୁଛନ୍ତି।
HEC ହେଉଛି ଭାରତ ସରକାରଙ୍କ ଗୋଟିଏ କମ୍ପାନୀ। ଏହି ସଂସ୍ଥା ଚନ୍ଦ୍ରଯାନ ୩ ପାଇଁ ଫୋଲଡିଂ ପ୍ଲାଟଫର୍ମ ଓ ସ୍ଲାଇଡିଂ ଡୋର ପ୍ରସ୍ତୁତ କରିଥିଲା। ଏଥିରେ ଦୀପକ କୁମାର ମଧ୍ୟ ରହିଥିଲେ। କିନ୍ତୁ ୧୮ ମାସ ହେଲା ଦୀପକ କୁମାରଙ୍କୁ କୌଣସି ପ୍ରକାରର ଦରମା ମିଳି ନାହିଁ। ବାରମ୍ବାର ଦରମା ମାଗି ବିଫଳ ହେବାରୁ ସେ ଏବେ ପରିବାର ଚଳାଇବା ପାଇଁ ଇଡ୍ଲି ଓ ଚା’ ବ୍ୟବସାୟ କରୁଛନ୍ତି।
ଚନ୍ଦ୍ରଯାନ-୩ ଅଗଷ୍ଟ ମାସରେ ଜହ୍ନରେ ସଫ୍ଟ ଲ୍ୟାଣ୍ଡିଂ କରିଥିଲା। ସେହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରୋର ବୈଜ୍ଞାନିକମାନଙ୍କୁ ପ୍ରଶଂସା କରିଥିଲେ। ଏପରି କି ସେ ଲଞ୍ଚପ୍ୟାଡ କର୍ମଚାରୀଙ୍କୁ ମଧ୍ୟ ସମ୍ବୋଧନ କରିଥିଲେ। ଏସବୁ ଭିତରେ ରାଞ୍ଚିରେ ଥିବା HECର କର୍ମଚାରୀମାନେ ୧୮ ମାସ ହେଲା ଦରମା ପାଇ ନଥିବାରୁ ବିକ୍ଷୋଭ କରୁଥିଲେ। କିନ୍ତୁ ଏକଥା କାହାକୁ ବି ଦେଖାଯାଇ ନଥିଲା। ସମସ୍ତେ ଇସ୍ରୋର ପ୍ରଶଂସାରେ ଶତମୁଖ ହୋଇ ଉଠିଥିଲେ।
ବିବିସି ରିପୋର୍ଟରେ କୁହାଯାଇଛି ଯେ HECର ପ୍ରାୟ ୨୮ଶହ କର୍ମଚାରୀ ୧୮ ମାସ ହେଲା କୌଣସି ପ୍ରକାରର ଦରମା ପାଇ ନାହାନ୍ତି। ଏହି କର୍ମଚାରୀଙ୍କ ମଧ୍ୟରୁ ଜଣେ ହେଲେ ଦୀପକ କୁମାର। ନିଜର କଷ୍ଟ ସମ୍ପର୍କରେ ଦୀପକ କୁମାର କହିଛନ୍ତି ଯେ ପରିବାର ଚଳାଇବାକୁ କଷ୍ଟ ହେବାରୁ ସେ ବେଶ କିଛି ଦିନ ହେବ ଷ୍ଟଲ ଖୋଲି ରାସ୍ତା କଡ଼ରେ ଇଡ୍ଲି ବିକୁଛନ୍ତି।
ସେ ଦୋକାନ କାମ କରିବା ସହ ଅଫିସ ମଧ୍ୟ ଯାଉଛନ୍ତି। ସକାଳୁ ସେ ଇଡ୍ଲି ଓ ଚା’ ବିକ୍ରି କରୁଛନ୍ତି। ଏହାପରେ ଅଫିସ ଯାଉଛନ୍ତି। ସେଠାରୁ ଫେରିବା ପରେ ସନ୍ଧ୍ୟାରେ ପୁଣି ଦୋକାନ ଖୋଲୁଛନ୍ତି। ରାତିରେ କାମ ସାରି ଘରକୁ ଯାଉଛନ୍ତି।
Meet Deepak Kumar Uprariya who sells Tea & Idli in Ranchi. He is a Technician, who worked for building ISRO's Chandrayaan-3 launchpad. For the last 18 months, he has not received any salary.
— Cow Momma (@Cow__Momma) September 17, 2023
"When I thought I would die of hunger, I opened an Idli shop" (BBC Reports) pic.twitter.com/cHqytJvtfj
ସେ କହିଛନ୍ତି, “ପ୍ରଥମେ କ୍ରେଡିଟ କାର୍ଡରେ ମୁଁ ମୋ ପରିବାର ଚଳାଉଥିଲେ। ମୁଁ ୨ ଲକ୍ଷ ଟଙ୍କାର ଋଣ ମଧ୍ୟ ଆଣିଥିଲି। ହେଲେ ଏହାକୁ ଶୁଝି ପାରି ନଥିଲି। ଏହାପରେ ବିଭିନ୍ନ ସମ୍ପର୍କୀୟମାନଙ୍କ ଠାରୁ ଟଙ୍କା ମାଗି ପରିବାର ଚଳାଇଥିଲି। ଏଯାଏ ବିଭିନ୍ନ ସୂତ୍ରରୁ ମୁଁ ୪ ଲକ୍ଷ ଟଙ୍କା ଋଣ କରି ସାରିଲିଣି। ମୁଁ ଟଙ୍କା ଫେରାଇବାକୁ ଅକ୍ଷମ ହେଉଥିବାରୁ କେହି ମୋତେ ଆଉ ଋଣ ଦେଉ ନାହାନ୍ତି।
ଉପାୟଶୂନ୍ୟ ହେବା ପରେ ମୁଁ ମୋର ପତ୍ନୀଙ୍କ ଅଳଙ୍କାର ବନ୍ଧା ରଖି ଟଙ୍କା ଆଣିଥିଲି। ଏହି ଟଙ୍କାରେ ମୋ ପରିବାର କିଛି ଦିନ ଚାଲିଥିଲା। ଟଙ୍କା ସରିବାକୁ ଯାଉଥିବାରୁ ମୁଁ ଇଡଲି ବିକ୍ରି କରିବାକୁ ବାଧ୍ୟ ହୋଇଥିଲି।
ମୋ ପତ୍ନୀ ଭଲ ଇଡ୍ଲି ତିଆରି କରନ୍ତି। ଏହାକୁ ବିକ୍ରି କରି ମୁଁ ପ୍ରତିଦିନ ୩୦୦ରୁ ୪୦୦ ଟଙ୍କା ଆୟ କରୁଛି। ମୋର ଲାଭ ୫୦ରୁ ୧୦୦ ଟଙ୍କା ରହୁଛି। ଏହି ଟଙ୍କାରେ ମୋ ଘର ଚଳୁଛି।”
ଦୀପକ କୁମାରଙ୍କ ଘର ମଧ୍ୟପ୍ରଦେଶର ହାରଦାରେ। ୨୦୧୨ରେ ସେ ଗୋଟିଏ ଘରୋଇ କମ୍ପାନୀରେ କରୁଥିବା କାମ ଛାଡ଼ି HECରେ ଯୋଗ ଦେଇଥିଲେ। ତାଙ୍କ ମାସିକ ଦରମା ଥିଲା ୮ ହଜାର। HEC ଗୋଟିଏ ସରକାରୀ ସଂସ୍ଥା ହୋଇଥିବାରୁ ତାଙ୍କ ଭବିଷ୍ୟତ ବେଶ ସୁରକ୍ଷିତ ରହିବ ବୋଲି ସେ ଆଶା କରିଥିଲେ। ହେଲେ ଏବେ ସବୁ କିଛି ଓଲଟ ପାଲଟ ହୋଇଯାଇଛି।
ଦୀପକ କୁମାର ଆହୁରି କହିଛନ୍ତି, “ମୋର ଦୁଇଟି ଝିଅ। ସେମାନେ ସ୍କୁଲ ଯାଉଛନ୍ତି। ଚଳିତ ବର୍ଷ ଏଯାଏ ମୁଁ ସେମାନଙ୍କ ସ୍କୁଲ ଫି’ ଦେବାକୁ ସକ୍ଷମ ହୋଇନି। ସ୍କୁଲରୁ ପ୍ରତିଦିନ ନୋଟିସ ଆସୁଛି। HECରେ କେଉଁମାନେ କାମ କରୁଛନ୍ତି, ସେମାନଙ୍କୁ କ୍ଲାସରୁମରେ ଶିକ୍ଷକମାନେ ଛିଡ଼ା କରି ସର୍ବସମ୍ମୁଖରେ ପ୍ରଶ୍ନ କରୁଛନ୍ତି। ମୋ ପିଲା ଅପମାନିତ ହୋଇ କାନ୍ଦି କାନ୍ଦି ସ୍କୁଲରୁ ଆସିବା ମୋତେ ବହୁତ କଷ୍ଟ ଦେଉଛି। ହେଲେ ମୁଁ ସେମାନଙ୍କ ଆଗରେ ମୋ କଷ୍ଟ କେବେ ହେଲେ ବୟାନ କରିନି।”
କେବଳ ଦୀପକ ନୁହନ୍ତି, HECରେ କାମ କରୁଥିବା ଅନେକ ଲୋକ ଏବେ ନିଜର ପରିବାର ଚଳାଇବାକୁ ଅନେକ ପ୍ରକାରର ସଂଘର୍ଷ କରୁଛନ୍ତି।