Advertisment

RJD Politics: ଲାଲୁଙ୍କ ଦଳରେ ନୂଆ ଯୁଗ ଆରମ୍ଭ; ରୋହିଣୀ ମାରିଲେ ବାଣ

ତେଜସ୍ୱୀଙ୍କୁ ଆରଜେଡିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯିବା ଘଟଣାକୁ ହଜମ କରିପାରି ନାହାନ୍ତି ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ। ସେ ଏକ ଟ୍ୱିଟ୍ କରି ତେଜସ୍ୱୀ ଓ ତାଙ୍କ ସହଯୋଗୀମାନଙ୍କୁ ସମାଲୋଚନା କରିଛନ୍ତି।

author-image
Jitendra Garnayak
RJD

ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ରାଷ୍ଟ୍ରୀୟ ଜନତା ଦଳ (RJD)ର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି। ରବିବାର ପାଟନାରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଏହି ଘୋଷଣା କରାଯାଇଛି। ଦଳର ମୁଖ୍ୟ ତଥା ତାଙ୍କ ବାପା ଲାଲୁ ପ୍ରସାଦ ଯାଦବ ତାଙ୍କୁ ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ଭାବେ ନିଯୁକ୍ତ କରାଯିବା ନେଇ ଆନୁଷ୍ଠାନିକ ଭାବେ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। ଏହି ଅବସରରେ ତେଜସ୍ୱୀଙ୍କ ମା’ ତଥା ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡୀ ଦେବୀ ଉପସ୍ଥିତ ରହିଥିଲେ। 

Advertisment

ତେଜସ୍ୱୀଙ୍କୁ ନୂଆ ଦାୟିତ୍ୱ ପ୍ରଦାନ ସଂପର୍କରେ ଆରଜେଡିର ଅଫିସିଆଲ ଏକ୍ସ ଏକାଉଣ୍ଟରେ ମଧ୍ୟ ସୂଚନା ଦିଆଯାଇଛି। ଏଥିରେ ଦଳ ପକ୍ଷରୁ କିଛି ଫଟୋ ଶେଆର କରାଯିବା ସହିତ କ୍ୟାପ୍‌ସନ୍‌ରେ ଲେଖାଯାଇଛି- ଏକ ନୂଆ ଯୁଗର ଶୁଭାରମ୍ଭ ହେଲା। ତେଜସ୍ୱୀ ଯାଦବଙ୍କୁ ରାଷ୍ଟ୍ରୀୟ ଜନତା ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଗଲା। 

ଏହି ପଦକ୍ଷେପ ଫଳରେ ଆନୁଷ୍ଠାନକ ଭାବେ ଦଳ ଉପରେ ୩୬ ବର୍ଷୀୟ ତେଜସ୍ୱୀ ଯାଦବଙ୍କ ନିୟନ୍ତ୍ରଣ ବଢ଼ିଛି ବୋଲି କୁହାଯାଉଛି। କାରଣ ବହୁପୂର୍ବରୁ ସେ ଦଳକୁ ସେ ଚଲାଉଛନ୍ତି ଓ ଲାଲୁ କେବଳ ନାମମାତ୍ର ମୁଖ୍ୟ ହୋଇ ରହିଛନ୍ତି ବୋଲି କୁହାଯାଉଛି।

Advertisment

ତେଜସ୍ୱୀଙ୍କୁ ଆରଜେଡିର କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯିବା ଘଟଣାକୁ ହଜମ କରିପାରି ନାହାନ୍ତି ତାଙ୍କ ଭଉଣୀ ରୋହିଣୀ ଆଚାର୍ଯ୍ୟ। ସେ ଏକ ଟ୍ୱିଟ୍ କରି ତେଜସ୍ୱୀ ଓ ତାଙ୍କ ସହଯୋଗୀମାନଙ୍କୁ ସମାଲୋଚନା କରିଛନ୍ତି। ତେବେ ସେ କାହା ନାଁ ନେଇ ନାହାନ୍ତି। ତାଙ୍କ ଟ୍ୱିଟ୍‌ର ଭାବାର୍ଥ ହେଉଛି ଯେ ଲାଲୁ ଯାଦବଙ୍କ ଗୌରବଶାଳୀ ରାଜନୀତିକ ଅଧ୍ୟାୟର ଏକ ପ୍ରକାରର ଅନ୍ତ ଘଟିଛି। ତେଜସ୍ୱୀଙ୍କ ଏହି ରାଜ୍ୟାଭିଷେକ ପାଇଁ ସେହି ଚାଟୁକାର ଓ ଅନୁପ୍ରବେଶକାରୀ ଗ୍ୟାଙ୍ଗକୁ ଅଭିନନ୍ଦନ ଯେଉଁମାନେ ତାଙ୍କୁ ସଖୀ କଣ୍ଢେଇ କରିସାରିଛନ୍ତି। 

ସୂଚନାଯୋଗ୍ୟ, ବିହାର ବିଧାନସଭାରେ ଆରଜେଡିର ପରାଜୟ ପରେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ ରୋହିଣୀ। ଏହି ପରାଜୟ ପାଇଁ ସେ ତେଜସ୍ୱୀ ଯାଦବଙ୍କ ଘନିଷ୍ଠ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ଯାଦବ ଓ ତାଙ୍କ ଟିମ୍‌କୁ ଦାୟୀ କରିଥିଲେ। କିନ୍ତୁ ତେଜସ୍ୱୀ ଏହାକୁ ଗ୍ରହଣ କରି ନଥିଲେ। ଫଳରେ ସେମାନଙ୍କ ମଧ୍ୟରେ ପ୍ରବଳ ଝଗଡ଼ା ହୋଇଥିଲା। ଏମିତିକି ସେତେବେଳେ ତେଜସ୍ୱୀ ତାଙ୍କ ଉପରକୁ ଚପଲ ଉଠାଇ ଥିଲେ ବୋଲି ରୋହିଣୀ ଅଭିଯୋଗ କରିଥିଲେ। ଫଳରେ ପରିବାର ସହିତ ତାଙ୍କ ସଂପର୍କ ଖରାପ ହୋଇଥିଲା। ସେ ରାଜନୀତି ଛାଡ଼ିବା ସହିତ ବାପଘରକୁ ମଧ୍ୟ ଛାଡ଼ି ଦେଇଛନ୍ତି।