Advertisment

ତେଲେଙ୍ଗାନା ନିର୍ବାଚନ ପୂର୍ବରୁ ଚେକିଂ କଡ଼ାକଡ଼ି, କାର୍‌ରୁ ମିଳିଲା ୭ କୋଟି

ହାଇଦ୍ରାବାଦର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଟି କାର୍‌ରୁ ଗତକାଲି ୭ କୋଟି କ୍ୟାସ୍‌ ଜବତ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ଗୋଟଏ କାର୍‌ରେ ୫ କୋଟି ଓ ଅନ୍ୟ ଏକ କାର୍‌ରୁ ମିଳିଛି ଦୁଇ କୋଟି ଟଙ୍କା।

author-image
Niharika Rout
Seized Money

Seized Money

ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଆସନ୍ତା ୩୦ ତାରିଖରେ ଭୋଟିଂ ହେବ । ଏହା ପୂର୍ବରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଜବତ ହେଉଛି ପୁଳା ପୁଳା ଟଙ୍କା । ହାଇଦ୍ରାବାଦର ଦୁଇଟି ଭିନ୍ନ ଭିନ୍ନ ସ୍ଥାନରୁ ଦୁଇଟି କାର୍‌ରୁ ଗତକାଲି ୭ କୋଟି କ୍ୟାସ୍‌ ଜବତ ହୋଇଥିବା ଜଣାଯାଇଛି। ସେଥିମଧ୍ୟରୁ ଗୋଟଏ କାର୍‌ରେ ୫ କୋଟି ଓ ଅନ୍ୟ ଏକ କାର୍‌ରୁ ମିଳିଛି ଦୁଇ କୋଟି ଟଙ୍କା। ଏହାଦେଖି ତଦନ୍ତକାରୀ ଅଧିକାରୀ ବି ତାଜୁବ ହୋଇ ଯାଇଛନ୍ତି।

Advertisment

ହାଇଦ୍ରାବାଦର ଗାଚିବୌଲି ଅଞ୍ଚଳରେ ଗତକାଲି ପୁଲିସ୍‌ ପାଟ୍ରୋଲିଂ ସହ ଗାଡ଼ି ଚେକିଂ କରୁଥିଲା। ଏହି ସମୟରେ ଗୋଟିଏ କାର୍‌କୁ ଯାଞ୍ଚ କରିବାରୁ ତା’ ଭିତରୁ ବାହାରିଲା ୫ କୋଟି କ୍ୟାସ୍‌। ଏହି ଘଟଣାରେ ପୁଲିସ୍‌ ଦୁଇଟି କାର୍‌କୁ ଜବତ କରିବା ସହ ୭ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି। ଏହାବାଦ ଗତକାଲି ହାଇଦ୍ରାବାଦ ପୁଲିସ୍‌ ଅନ୍ୟ ଏକ କାର୍‌ରୁ ୨ କୋଟି କ୍ୟାସ୍‌ ଜବତ କରିଛି।

୧୧୯ ଆସନ ବିଶିଷ୍ଟ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ନଭେମ୍ବର ୩୦ରେ ଭୋଟିଂ ହେବ । ଏନେଇ ତାରିଖ ଘୋଷଣା ହେବା ସହ ରାଜ୍ୟରେ ଗତ ୯ ତାରିଖରୁ ନିର୍ବାଚନ ଆଚରଣବିଧି ମଧ୍ୟ ଲାଗୁ ହୋଇଛି। ତେଣୁ ଏବେଠୁ ପୁଲିସ୍‌ ଯାଞ୍ଚକୁ କଡ଼ାକଡ଼ି କରିଛି। ଏପରି ସ୍ଥିତିରେ ଗତକାଲି ଗାଡ଼ି ଯାଞ୍ଚ ବେଳେ ଏତେ ପରିମାଣର ଟଙ୍କା ବାହାରିଛି। ଏହି ଟଙ୍କାକୁ ଆୟକର ବିଭାଗକୁ ହସ୍ତାନ୍ତର କରାଯାଇଥିବା ବେଳେ ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଏହା କାହା ଟଙ୍କା, କେଉଁଠୁ ଆସିଲା ଓ କୁଆଡ଼େ ଯାଉଥିଲା ତାହା ସ୍ପଷ୍ଟ ହୋଇ ପାରି ନାହିଁ। 

Advertisment

 ବିପୁଳ ପରିମାଣର ଟଙ୍କା  ଚାଲାଣ କରିବା ଏହା ଏକ ଧର୍ତ୍ତବ୍ୟ ଅପରାଧ ବୋଲି ନିର୍ବାଚନ କମିଶନର କହିଥିବା ବେଳେ ଏଥିରୁ ନିବୃତ୍ତ ରହିବାକୁ ତାଗିଦ କରିଛନ୍ତି। । ମାତ୍ର ତେଲେଙ୍ଗାନାରେ ନିର୍ବାଚନ ତାରିଖ ଘୋଷଣା ହେବା ଠାରୁ ୮ ଦିନ ମଧ୍ୟରେ ପୁଲିସ ୧୦୦ କୋଟିରୁ ଅଧିକ ଟଙ୍କା ଜବତ କରି ସାରିଛି।

୨୦୧୮ ମସିହା ବିଧାନସଭା ନିର୍ବାଚନ ବେଳେ ମୋଟ ୧୦୩.୮୯ କୋଟି ଟଙ୍କା ଜବତ କରାଯାଇଥିଲା। କିନ୍ତୁ ଚଳିତ ବର୍ଷ ଏହାର ସଂଖ୍ୟା ଆହୁରି ଅଧିକ ହେବ ବୋଲି ଅଧିକାରୀମାନେ କହିଛନ୍ତି।

Raid Election Telengana Illegal Money