Advertisment

କେଜ୍ରିୱାଲଙ୍କୁ ସମର୍ଥନ କଲେ, ମୋଦିଙ୍କୁ ଅଧ୍ୟାଦେଶ ପ୍ରତ୍ୟାହାର ପାଇଁ କହିଲେ କେସିଆର

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ଆଜି କେଜ୍ରିୱାଲ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗୱନ୍ତ ମାନଙ୍କୁ ସାଥୀରେ ଧରି ହାଇଦ୍ରାବାଦରେ କେସିଆରଙ୍କୁ ଭେଟିଥିଲେ।

author-image
Hemant Lenka
KCR

KCR

ଦିଲ୍ଲୀର ପ୍ରଶାସନିକ ପୋଷ୍ଟିଂ ଓ ବଦଳିକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶ ବିରୋଧରେ ଗର୍ଜିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ। ଏହି ପ୍ରସଙ୍ଗରେ ସେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମର୍ଥନ କରିଥିବା ବେଳେ ଭାରତ ସରକାର ନିଦର ଉଠନ୍ତୁ ଓ ତୁରନ୍ତ ଜାରି କରିଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରନ୍ତୁ ବୋଲି ଦାବି କରିଛନ୍ତି।

Advertisment

କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ସମର୍ଥନ ହାସଲ କରିବା ପାଇଁ ଆଜି କେଜ୍ରିୱାଲ ତାଙ୍କ ପଞ୍ଜାବ ପ୍ରତିପକ୍ଷ ଭଗୱନ୍ତ ମାନଙ୍କୁ ସାଥୀରେ ଧରି ହାଇଦ୍ରାବାଦରେ କେସିଆରଙ୍କୁ ଭେଟିଥିଲେ। ଉଭୟଙ୍କ ସହ ଆଲୋଚନା କରିବା ପରେ କେସିଆର ଲୋକସଭା ଓ ରାଜ୍ୟସଭାରେ ତାଙ୍କ ଦଳର ସାଂସଦମାନେ ଅଧ୍ୟାଦେଶକୁ ମାତ୍‌ ଦେବା ପାଇଁ ସବୁ ପ୍ରକାରର ଉଦ୍ୟମ କରିବେ ବୋଲି କହିଛନ୍ତି।

ଭେଟଘାଟ ପରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କେସିଆର ବର୍ତ୍ତମାନର ସ୍ଥିତିକୁ ଏମର୍ଜେନ୍ସି ସହ ତୁଳନା କରିଛନ୍ତି ଓ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତୁରନ୍ତ ସମସ୍ତଙ୍କ ମଙ୍ଗଳ ପାଇଁ ଅଧ୍ୟାଦେଶକୁ ପ୍ରତ୍ୟାହାର କରିବା ପାଇଁ କହିଛନ୍ତି।

Advertisment

ସେ କହିଛନ୍ତି, “ମୋଦି ସରକାର ଆଜି ଦିଲ୍ଲୀବାସୀଙ୍କୁ ଅପମାନିତ କରିଛନ୍ତି। ମିଷ୍ଟର ମୋଦି ଆମେ ଆପଣଙ୍କୁ ଅଧ୍ୟାଦେଶ ପ୍ରତ୍ୟାହାର କରିବାକୁ ଅନୁରୋଧ କରୁଛୁ। ଏପରି ଅଧ୍ୟାଦେଶ ଆଦୌ ଭଲ ନୁହଁ। ଆପଣ ଏମର୍ଜେନ୍ସି ଫେରାଇ ଆଣିଛନ୍ତି। ଏମରର୍ଜେନ୍ସି ଲାଗୁ ହେବା ପୂର୍ବରୁ ଦେଶର ଯେଉଁଭଳି ସ୍ଥିତି ଦେଖାଯାଇଥିଲା, ଏବେ ସେଭଳି ସ୍ଥିତି ସୃଷ୍ଟି ହୋଇଛି।

ଆହ୍ଲାବାଦ ହାଇକୋର୍ଟ ଗୋଟିଏ ରାୟ ଦେଇଥିଲେ ଓ ସେମାନେ ଗୋଟିଏ ସାମ୍ବିଧାନି ସଂଶୋଧନ ବଳରେ ଅଧ୍ୟାଦେଶ ଆଣିଥିଲେ। ଆପଣ ଏବେ ସମାନ ରାସ୍ତାରେ ଅଛନ୍ତି। ବିଜେପି ନେତାମାନେ ଏମର୍ଜେନ୍ସିର କଳା ଦିନ କଥା ଚିତ୍କାର କରି କହୁଛନ୍ତି। ତେବେ ବର୍ତ୍ତମାନ କ’ଣ ଚାଲିଛି ? ଏହା କ’ଣ ଆଚ୍ଛାଦିନ? ଏହା ଏମର୍ଜେନ୍ସି ଠାରୁ ଆହୁରି ଭୟଙ୍କର।”

ପ୍ରଚଣ୍ଡ ଜନମତ ସହ ନିର୍ବାଚିତ ହୋଇଥିବା ଗୋଟିଏ ଲୋକପ୍ରିୟ ସରକାରଙ୍କୁ ମୋଦିଙ୍କ ନେତୃତ୍ୱାଧୀନ ସରକାର କାମ କରିବାକୁ ଦେଉ ନଥିବା ଭାରତ ରାଷ୍ଟ୍ର ସମିତି ମୁଖ୍ୟ କେସିଆର କହିଛନ୍ତି। ସେ କହିଛନ୍ତି ଯେ “ଆପଣ ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ମଧ୍ୟ ସମ୍ମାନ କରୁ ନାହାନ୍ତି। ଆପଣ ସୁପ୍ରିମକୋର୍ଟଙ୍କ ବୃହତ୍ତର ବେଞ୍ଚକୁ ସମ୍ମାନ ନ କରିବାର ଅର୍ଥ ଆପଣ ଏମର୍ଜେନ୍ସି ଆଡ଼କୁ ଯାଉଛନ୍ତି।”

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସିଧାସଳଖ ତାଚ୍ଛ୍ୟ କରି କେସିଆର ତାଙ୍କୁ ‘କ୍ଷମାର ସୌଦାଗର’ ବୋଲି ସମ୍ବୋଧନ କରିଛନ୍ତି। ଏଥିସହ କୃଷି ଆଇନ ଓ ଜମି ଅଧିଗ୍ରହଣ ଆଇନ ଭଳି ଦିଲ୍ଲୀ ପାଇଁ ଜାରି ହୋଇଥିବା ଅଧ୍ୟାଦେଶକୁ ପ୍ରତ୍ୟାହାର କରି ନେବାକୁ ପରାମର୍ଶ ଦେଇଛନ୍ତି। 

କେସିଆର ଆହୁରି କହିଛନ୍ତି, “ପ୍ରଧାନମନ୍ତ୍ରୀ ନିଜ ଆଡ଼ୁ ଅଧ୍ୟାଦେଶକୁ ପ୍ରତ୍ୟାହାର କରି ନିଅନ୍ତୁ ବୋଲି ଆମେ ଦାବି କରୁଛୁ। ନଚେତ ଆମେ ସମସ୍ତେ କେଜ୍ରିୱାଲଙ୍କୁ ସମର୍ଥନ କରିବୁ। ଆମେ ତାଙ୍କ ସହ ଛିଡ଼ା ହେବୁ। ଅଧ୍ୟାଦେଶକୁ ପରାସ୍ତ କରିବା ପାଇଁ ଲୋକସଭା ଓ ରାଜ୍ୟସଭାରେ ଆମେ ସବୁ ପ୍ରକାରର ଶକ୍ତି ବ୍ୟବହାର କରିବୁ। ଅଯଥାରେ ଏହାକୁ ଗୋଟିଏ ବଡ଼ ପ୍ରସଙ୍ଗ କରନ୍ତୁ ନାହିଁ। ସରକାରଙ୍କୁ କାମ କରିବାକୁ ଛାଡ଼ନ୍ତୁ।”

କେଜ୍ରିୱାଲ ଓ ମାନଙ୍କ ବ୍ୟତୀତ ଆପ୍ ସାଂସଦ ରାଘବ ଜଡ୍ଡା ଏବଂ ସଞ୍ଜୟ ସିଂହ ମଧ୍ୟ କେସିଆରଙ୍କ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।

କେସିଆରଙ୍କ ପୂର୍ବରୁ କେଜ୍ରିୱାଲ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଏନସିପି ସୁପ୍ରିମୋ ଶରଦ ପାୱାର, ଉଦ୍ଧବ ଠାକରେ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଉପ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଭେଟି ସମର୍ଥନ ଯୋଗାଡ଼ କରିଛନ୍ତି।

Bjp Arvind Kejriwal AAP Brs KCR