Temple Found after 46 years
ଉତ୍ତରପ୍ରଦେଶର ସମ୍ଭଲ ବିବାଦ ମଧ୍ୟରେ ସ୍ଥାନୀୟ ଏକ ଅଞ୍ଚଳରୁ ଏକ ବହୁ ପୁରାତନ ଶିବ-ହନୁମାନ ମନ୍ଦିରର ସନ୍ଧାନ ମିଳିଛି। ଦୀର୍ଘ ବର୍ଷ ଧରି ଏହି ମନ୍ଦିରରେ ପୂଜାପାଠ ହୋଇନାହିଁ। ସାମ୍ପ୍ରଦାୟିକ କାରଣରୁ ଏହି ମନ୍ଦିର ବନ୍ଦ ହୋଇ ରହିଥିବା କୁହାଯାଉଛି। ବିଦ୍ୟୁତ୍ ଚୋରି ନେଇ ସ୍ଥାନୀୟ ପ୍ରଶାସନ ଏବଂ ପୁଲିସର ମିଳିତ ଚଢ଼ାଉବେଳେ ଶନିବାର ଏହି ମନ୍ଦିର ଦେଖିବାକୁ ମିଳିଥିଲା। ଏହାପରେ ପ୍ରଶାସନ ଉପସ୍ଥିତିରେ ପୁଲିସ ମନ୍ଦିର ଦ୍ୱାର ଖୋଲିଥିଲା।
କୁହାଯାଉଛି ଯେ ୧୯୭୮ ମସିହାରେ ସାମ୍ପ୍ରଦାୟିକ ବିବାଦ ପରେ ଏହି ମନ୍ଦିର ବନ୍ଦ ହୋଇଯାଇଥିଲା। ଯେତେବେଳେ ପୁଲିସ କର୍ମଚାରୀମାନେ ମନ୍ଦିରର ଭିତର ସଫା କରିଥିଲେ, ମନ୍ଦିରର ଗର୍ଭ ଗୃହରେ ଶିବଲିଙ୍ଗ ଏବଂ ହନୁମାନଙ୍କ ମୂର୍ତ୍ତି ରହିଥିବା ଦେଖିବାକୁ ମିଳିଥିଲା। ଏହି ମନ୍ଦିର ନଖାସା ଥାନା ଅଞ୍ଚଳର ଖଗୁ ସରାଇ ଅଞ୍ଚଳରେ ରହିଛି। ଜଣେ ପୂଜକଙ୍କ କହିବା ଅନୁଯାୟୀ ଏହି ମନ୍ଦିରରେ ପୂଜା କରିବା ପାଇଁ କାହାର ସାହସ ନଥିଲା। ପୂଜକମାନେ ନିଜ ନିଜର ଘର ବିକ୍ରି କରି ମନ୍ଦିର ବନ୍ଦ କରି ଚାଲିଯାଇଥିଲେ। ପୂର୍ବରୁ ଜଣେ ପୂଜକ ଏହି ମନ୍ଦିରରେ ରହୁଥିଲେ, କିନ୍ତୁ ଭୟରେ ସେ ମଧ୍ୟ ମନ୍ଦିର ଏବଂ ଅଞ୍ଚଳ ଛାଡି ଚାଲିଯାଇଥିଲେ।
ଅନ୍ୟପଟେ ପୁଲିସ ଅଧିକ୍ଷକ କୃଷ୍ଣ କୁମାର କହିଛନ୍ତି ଯେ ଶନିବାର ସକାଳେ ସମ୍ଭଲରେ ଲାଉଡ ସ୍ପିକର ଯାଞ୍ଚ କରାଯାଉଥିବାବେଳେ ବେଆଇନ ବିଦ୍ୟୁତ ସଂଯୋଗ ମାଧ୍ୟମରେ ସମଗ୍ର ଅଞ୍ଚଳକୁ ବିଦ୍ୟୁତ ଯୋଗାଣ କରାଯାଉଥିବା ଜଣାପଡିଥିଲା। ଯେତେବେଳେ ବିଦ୍ୟୁତ୍ ବିଭାଗ ଯାଞ୍ଚ କଲେ, ସେଠାରେ ଶତାଧିକ ବେଆଇନ ସଂଯୋଗ ଥିବା ଜାଣିବାକୁ ପାଇଥିଲେ। ବର୍ତ୍ତମାନ ଚାରୋଟି ମସଜିଦରୁ ବିଭିନ୍ନ ପ୍ରକାରର ତାର ବାହାରିଛି। ଏଠାରେ ଏକ ପାୱାର ହାଉସ୍ ନିର୍ମାଣ କରି ବେଆଇନ ଭାବେ ଲୋକଙ୍କୁ ବିଦ୍ୟୁତ୍ ଯୋଗାଇ ଦିଆଯାଉଥିଲା ବୋଲି ଜଣାପଡ଼ିଛି।
ଏହାପରେ ଜିଲ୍ଲାପାଳ ଓ ଏସପିଙ୍କ ଉପସ୍ଥିତିରେ ବିଜୁଳି ବିଭାଗ ଓ ପୁଲିସ ମିଳିତ ଭାବେ ସେଠାରେ ଥିବା ସମସ୍ତ ଘର ଓ ମସଜିଦ ଉପରେ ଚଢ଼ାଉ କରିଥିଲେ। ବିଜୁଳି ଚୋରି ଧରିବାକୁ ହୋଇଥିବା ଏହି ଚଢ଼ାଉ ସମୟରେ ଏହି ବହୁ ପୁରାତନ ମନ୍ଦିର ଦେଖିବାକୁ ମିଳିଥିଲା। ମନ୍ଦିର ଭିତରେ ଜରାଜୀର୍ଣ୍ଣ ଅବସ୍ଥାରେ ରହିଥିବା ଭଗବାନଙ୍କ ମୂର୍ତ୍ତି ଗୁଡ଼ିକୁ ନିଜେ ସେଠାକାର ସର୍କଲ ଅଫିସର ଅନୁଜ ଚୌଧୁରୀ ଓ ଅନ୍ୟ ପୁଲିସ କର୍ମଚାରୀମାନେ ସଫା କରିଥିଲେ। ଏହି ସମୟର ଫଟୋ ଏବେ ସୋଶାଲ ମିଡିଆରେ ବେଶ ଭାଇରାଲ ହେଉଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us