Advertisment

ଭାରତକୁ ଦୋହଲାଇ ଦେଇଥିବା ୧୦ଟି ବିମାନ ଦୁର୍ଘଟଣା

ଆଜି ଅହମଦାବାଦରେ ହୋଇଥିବା ବିମାନ କ୍ରାଶରେ ୨୪୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୨୩୦ ଜଣ ଯାତ୍ରୀ ଓ ୧୨ ଜଣ କ୍ରୁ ସଦସ୍ୟ ଥିଲେ।

author-image
Jitendra Garnayak
ଅଦ୍ୟତନ ହୋଇଛି
Air India Plane Crash

Air India Plane Crash

ଗୁଜରାଟର ଅହମଦାବାଦରେ ଆଜି ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତ ଇତିହାସରେ ଏହା ଅନ୍ୟତମ ଭୟଙ୍କର ତଥା ବଡ଼ ବିମାନ ଦୁର୍ଘଟଣା। ଉଡ଼ାଣ ଭରିବାର ମାତ୍ର ୫ ମିନିଟ ପରେ ବିମାନଟି ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦର ନିକଟ ମେଘାନୀ ନଗରର ଏକ ମେଡିକାଲ କଲେଜର ହଷ୍ଟେଲ ପରିସରରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ବିମାନରେ ଥିବା ସମସ୍ତ ୨୪୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ତେବେ ସରକାରୀ ଭାବେ ଏଯାବତ୍ ମୋଟ ମୃତ୍ୟୁ ସଂଖ୍ୟା ନେଇ କିଛି ଘୋଷଣା କରାଯାଇନି। ସେହିପରି ୫ ଜଣ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଏହି ସଂଖ୍ୟା ବଢ଼ିପାରେ ବୋଲି ମଧ୍ୟ କୁହାଯାଉଛି। 

Advertisment
Air India Plane Crashଅହମଦାବାଦରେ ଆଜି ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ

ଅପରାହ୍ନ ୧ଟା ୩୯ ମିନିଟରେ ଲଣ୍ଡନ ଅଭିମୁଖେ ଉଡ଼ାଣ ଭରିଥିବା ଏହି ବିମାନରେ ୨୩୦ ଜଣ ଯାତ୍ରୀଙ୍କ ସହିତ ୨ ଜଣ ପାଇଲଟ ଓ ୧୦ ଜଣ କ୍ରୁ ସଦସ୍ୟ ଥିଲେ। ୨୩୦ ଜଣ ଯାତ୍ରୀଙ୍କ ମଧ୍ୟରେ ୧୬୯ ଜଣ ଭାରତୀୟ ନାଗରିକ ଥିଲେ। ସେହିପରି ୫୩ ଜଣ ବ୍ରିଟିଶ ନାଗରିକଙ୍କ ସହିତ ୭ ପର୍ତ୍ତୁଗୀଜ ଓ ଜଣେ କାନାଡୀୟ ନାଗରିକ ଏହି ବିମାନରେ ଯାତ୍ରା କରୁଥିଲେ। ତେବେ ଭାରତରେ ପ୍ରଥମ ଥର ପାଇଁ ଏଭଳି ଭୟାନକ ବିମାନ ଦୁର୍ଘଟଣା ଘଟିନାହିଁ। ଏହା ପୂର୍ବରୁ ମଧ୍ୟ ଭାରତରେ ଏକାଧିକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି ଓ ବହୁମାତ୍ରାରେ ଧନଜୀବନ ନଷ୍ଟ ହୋଇଛି। ଆସନ୍ତୁ ନଜର ପକାଇବା ଅତୀତରେ ଭାରତରେ ଘଟିଥିବା ୧୦ଟି ବଡ଼ ଯାତ୍ରୀବାହୀ ବିମାନ ଦୁର୍ଘଟଣା ଉପରେ।

୨୦୨୦ ଅଗଷ୍ଟ ୭ କାଲିକଟ ବିମାନ ଦୁର୍ଘଟଣା: ଆଜିର ଘଟଣା ପୂର୍ବରୁ ଦେଶରେ ଶେଷ ଥର ପାଇଁ ୨୦୨୦ ଅଗଷ୍ଟ ୭ ତାରିଖରେ କେରଳର କାଲିକଟରେ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା। ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଫ୍ଲାଇଟ ୧୩୪୪ ଦୁବାଇରୁ ଆସି କାଲିକଟ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଅବତରଣ କରୁଥିବା ବେଳେ ଖରାପ ପାଗ ଯୋଗୁ ଓଦା ହୋଇଯାଇଥିବା ରନ୍‌ୱେରୁ ବାହାରି ଖାଇରେ ଖସି ପଡ଼ିଯାଇଥିଲା ଓ ଦୁଇ ଖଣ୍ଡ ହୋଇଯାଇଥିଲା। ଏଥିରେ ୨୧ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ବାକି ୧୬୫ ଯାତ୍ରୀ ଓ ୪ କ୍ରୁ ମେମ୍ବରଙ୍କ ଜୀବନ ବଞ୍ଚି ଯାଇଥିଲା। ଯାତ୍ରୀଙ୍କ ମଧ୍ୟରୁ ୧୧୦ ଆହତ ହୋଇଥିଲେ।

Advertisment

୨୦୧୦ ମେ’ ୨୨ ମେଙ୍ଗାଲୁରୁ ବିମାନ ଦୁର୍ଘଟଣା: ଏୟାର ଇଣ୍ଡିଆ ଏକ୍ସପ୍ରେସ ଫ୍ଲାଇଟ ୮୧୨ ରନ୍‌ୱେ ଅତିକ୍ରମ କରି ଖାଲରେ ପଡ଼ି ଯାଇଥିଲା ଏବଂ ଏକାଧିକ ଖଣ୍ଡ ହୋଇଯାଇଥିଲା। ଏଥିରେ ନିଆଁ ମଧ୍ୟ ଲାଗିଯାଇଥିଲା। ଫଳରେ ବିମାନରେ ଥିବା ସମସ୍ତ ୧୫୮ ଜଣଙ୍କର ମୃତ୍ୟୁ ଘଟିଥିଲା।

Mangalore Plane Crash 2010୨୦୧୦ରେ ମେଙ୍ଗାଲୁରୁରେ ହୋଇଥିବା ବିମାନ କ୍ରାଶର ଦୃଶ୍ୟ

୨୦୦୦ ଜୁଲାଇ ୧୭ ପାଟନା ବିମାନ ଦୁର୍ଘଟଣା: ଏଲାଇନ୍ସ ଏୟାର ଫ୍ଲାଇଟ ୭୪୧୨ର ଏକ ବୋଇଂ ୭୩୭ ବିମାନ ପାଟନାରେ କ୍ରାଶ ହେବାରୁ ୬୦ ଜଣଙ୍କ ମୃତ୍ୟୁ ଘଟିଥିଲା। ସେମାନଙ୍କ ମଧ୍ୟରୁ ୫୫ ଜଣ ବିମାନ ଯାତ୍ରୀ ଥିବା ବେଳେ ଆଉ ୫ ଜଣ ବାହାର ଲୋକ ଥିଲେ। କାରଣ ବିମାନଟି ଜନବସତିରେ କ୍ରାଶ ହୋଇଥିଲା। ବିମାନଟି କୋଲକାତାରୁ ପାଟନା ଓ ଲକ୍ଷ୍ନୌ ଦେଇ ଦିଲ୍ଲୀ ଅଭିମୁଖେ ଯାଉଥିଲା। ପାଟନାରେ ଏହା ଅବତରଣ କରିବା ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନଟିରେ ୫୨ ଜଣ ଯାତ୍ରୀ ଓ ୬ ଜଣ କ୍ରୁ ମେମ୍ବର ଥିଲେ। ପାଇଲଟଙ୍କ ଭୁଲ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା।

୧୯୯୯ ନଭେମ୍ବର ୧୨ ଚରଖୀ ଦାଦରୀ ବିମାନ ଦୁର୍ଘଟଣା: ଏହା ହେଉଛି ଭାରତ ଇତିହାସର ସବୁଠୁ ବଡ଼ ବିମାନ ଦୁର୍ଘଟଣା। ମଝି ଆକାଶରେ ଦୁଇଟି ବିମାନ ମଧ୍ୟରେ ଧକ୍କା ହୋଇଯାଇଥିଲା। ଏଥିରେ ୩୪୯ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ସାଉଦି ଆରବ ଏୟାରଲାଇନ୍ସର ବୋଇଂ ୭୪୭ ଓ କାଜାଖାସ୍ତାନ ଏୟାରଲାଇନ୍ସ ଫ୍ଲାଇଟ ୧୯୦୭ ( Ilyushin Il-76) ମଧ୍ୟରେ ଏହି ଧକ୍କା ହୋଇଥିଲା। ପାଇଲଟଙ୍କ ତ୍ରୁଟି ଓ ଏୟାର ଟ୍ରାଫିକ କଣ୍ଟ୍ରୋଲ ସହିତ ଭୁଲ ବୁଝାମଣା ଯୋଗୁ ଏହି ଦୁର୍ଘଟଣା ଘଟିଥିଲା।

୧୯୯୩ ଏପ୍ରିଲ ୨୬ ଔରାଙ୍ଗାବାଦ ବିମାନ ଦୁର୍ଘଟଣା: ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ୪୯୧ର ବୋଇଂ ୭୩୭ ବିମାନ ମହାରାଷ୍ଟର ଔରାଙ୍ଗାବାଦରୁ ଉଡ଼ାଣ ଭରୁଥିବା ବେଳେ ଏକ ଟ୍ରକ ଓ ବିଦ୍ୟୁତ୍ ତାରରେ ପିଟି ହୋଇଥିଲା। ଏଥିରେ ୫୫ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

୧୯୯୧ ଅଗଷ୍ଟ ୧୬ ଇମ୍ଫାଲ ବିମାନ ଦୁର୍ଘଟଣା: ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ୨୫୭ ଇମ୍ଫାଲରେ କ୍ରାଶ ହେବାରୁ ସେଥିରେ ଥିବା ସମସ୍ତ ୬୯ ଜଣଙ୍କର ମୃତ୍ୟୁ ଘଟିଥିଲା।

୧୯୯୦ ଫେବ୍ରୁଆରୀ ୧୪ ବେଙ୍ଗାଲୁରୁ ବିମାନ ଦୁର୍ଘଟଣା: ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ ୬୦୫ର ଏୟାର ବସ୍ ଏ୩୨୦ ବେଙ୍ଗାଲୁରୁ ବା ତତ୍‌କାଳୀନ ବାଙ୍ଗାଲୋରରେ ଅବତରଣ କରିବା ପାଇଁ ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ୯୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ପାଇଲଟଙ୍କ ଭୁଲ ଯୋଗୁ ଏହି ଦୁର୍ଘଟଣା ଘଟିଥିଲା।

୧୯୮୮ ଅକ୍ଟୋବର ୧୯ ଅହମଦାବାଦ ବିମାନ ଦୁର୍ଘଟଣା: ଇଣ୍ଡିଆନ ଏୟାର ଲାଇନ୍ସ ଫ୍ଲାଇଟ ୧୧୩ ଅହମଦାବାଦରେ କ୍ରାଶ ହୋଇଯାଇଥିଲା। ଏଥିରେ ୧୩୩ ଜଣଙ୍କ ଜୀବନ ଯାଇଥିଲା। ଏହା ମୁମ୍ବାଇରୁ ଆସି ଅହମଦାବାଦରେ ଅବତରଣ କରୁଥିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ବିମାନଟିରେ ୧୩୫ ଜଣ ସବାର ହୋଇଥିବା ବେଳେ ୧୩୩ ଜଣଙ୍କ ମୃତ୍ୟୁ ଘଟିଥିଲା।

୧୯୮୨ ଜୁନ ୨୧ ବମ୍ବେ ବିମାନ ଦୁର୍ଘଟଣା: ଏବର ମୁମ୍ବାଇ ତଥା ସେବର ବମ୍ବେରେ କ୍ରାଶ ହୋଇଥିଲା ଏୟାର ଇଣ୍ଡିଆ ଫ୍ଲାଇଟ ୪୦୩। ଅତ୍ୟନ୍ତ ଖରାପ ପାଗ ଯୋଗୁ ବମ୍ବେ ଏୟାର ପୋର୍ଟରେ ଏହି ଦୁର୍ଘଟଣା ଘଟିଥିଲା। ଏଥିରେ ୧୭ ଜଣଙ୍କ ମୃତ୍ୟୁ ଘଟିଥିଲା। ତେବେ ବାକି ୯୪ ଜଣଙ୍କ ଜୀବନ ବଞ୍ଚି ଯାଇଥିଲା।  

୧୯୭୮ ଜାନୁଆରୀ ୧ ବମ୍ବେ ବିମାନ ଦୁର୍ଘଟଣା: ଏୟାର ଇଣ୍ଡିଆ ଫ୍ଲାଇଟ ୮୫୫ର ବୋଇଂ ୭୪୭ ଆରବ ସାଗରରେ ପଡ଼ି ଯାଇଥିଲା। ଏହା ବମ୍ବେ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବା ପରେ ଆରବ ସାଗରରେ ପଡ଼ି ଯାଇଥିଲା। ଏଥିରେ ବିମାନରେ ଥିବା ସମସ୍ତ ୧୩୨ ଜଣଙ୍କ ମୃତ୍ୟୁ ଘଟିଥିଲା।

Plane Crash