Advertisment

ଝିଅକୁ ବାପା ଗୁଳି କରି ମାରିଦେବା ପଛର କାରଣ ଟେନିସ ଏକାଡେମୀ

ପୁଲିସ କହିଛି ଯେ ମାମଲାଟିର ତଦନ୍ତ ଏବେ ପ୍ରାଥମିକ ସ୍ତରରେ ରହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସମସ୍ତ ପ୍ରମାଣ କହୁଛି ଯେ ଏହି ହତ୍ୟାକାଣ୍ଡ ପଛର ଏକମାତ୍ର କାରଣ ହେଉଛି ରାଧିକାଙ୍କ ଟେନିସ ଏକାଡେମୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Radhika Yadav and Deepak Yadav

Radhika Yadav and Deepak Yadav

ହରିୟାଣାର ଜାତୀୟ ସ୍ତରୀୟ ଟେନିସ ଖେଳାଳି ରାଧିକା ଯାଦବଙ୍କ ହତ୍ୟାକାଣ୍ଡ ପଛର କାରଣ ହେଉଛି ତାଙ୍କର ଟେନିସ ଏକାଡେମୀ। ସେ ଏହି ଟେନିସ୍ ଏକାଡେମୀ ଚଲାଉଥିବା ବେଳେ ତାଙ୍କ ବାପା ଦୀପକ ଯାଦବ ଏହାକୁ ବିରୋଧ କରିଥିଲେ ଓ ବନ୍ଦ କରି ଦେବା ପାଇଁ କହିଥିଲେ। ସେ ବାରମ୍ବାର ତାଗିଦ କରିବା ସତ୍ତ୍ୱେ ରାଧିକା ଟେନିସ ଏକାଡେମୀ ବନ୍ଦ କରିବାକୁ ମନା କରି ଦେଇଥିଲେ। ଶେଷରେ ଦୀପକ ଯାଦବ ରାଗି ଯାଇ ଗତକାଲି ଗୁରୁଗ୍ରାମ ସ୍ଥିତ ଝିଅ ରାଧିକାଙ୍କୁ ଗୁଳି କରି ହତ୍ୟା କରିଥିଲେ। ପ୍ରାଥମିକ ତଦନ୍ତରୁ ପୁଲିସ ଏହା ଜାଣିବାକୁ ପାଇଛି। ଏହା ବାଦ୍‌ ରାଧିକାଙ୍କ ହତ୍ୟା ପଛରେ ଅନ୍ୟ ଯେଉଁ କାରଣ ଗୁଡ଼ିକ (ରିଲ୍‌ସ ନିଶା, ମ୍ୟୁଜିକ ଭିଡିଓ) ବିଷୟରେ ଚର୍ଚ୍ଚା ହେଉଛି, ସେଗୁଡ଼ିକ ଗୁଜବ ବୋଲି ପୁଲିସ କହିଛି। ସେଗୁଡ଼ିକ ଉପରେ ବିଶ୍ୱାସ ନ କରିବାକୁ ପୁଲିସ କହିଛି। ତଦନ୍ତ ବେଳେ ସେମିତି କିଛି କଥା ସାମ୍ନାକୁ ଆସି ନାହିଁ ବୋଲି ପୁଲିସ ପକ୍ଷରୁ କୁହାଯାଇଛି। 

Advertisment

ଗୁରୁଗ୍ରାମ ପୁଲିସର ପିଆରଓ ସନ୍ଦୀପ କୁମାର ନ୍ୟୁଜ୍ ଏଜେନ୍ସୀ ଏଏନ୍‌ଆଇକୁ କହିଛନ୍ତି ଯେ ରାଧିକ ଟେନିସ ଏକାଡେମୀ ଚଲାଉଥିବା ଯୋଗୁ ଏହି ହତ୍ୟାକାଣ୍ଡ ଘଟିଛି। ତାଙ୍କ ବାପା ଦୀପକ ଯାଦବ ଏହି ହତ୍ୟାକାଣ୍ଡ ଭିଆଇଥିବା ସ୍ୱୀକାର କରିସାରିଛନ୍ତି। ସେ (ଦୀପକ ଯାଦବ) ଜଣେ ଧନୀ ବ୍ୟକ୍ତି। ଭଡ଼ାରୁ ସେ ବହୁତ ଆୟ କରୁଥିଲେ। ପରିବାରର ଆର୍ଥିକ ସ୍ଥିତି ସମୃଦ୍ଧ ଥିବା ବେଳେ ଝିଅ ଟେନିସ ଏକାଡେମୀ ଚଲାଇବା ତାଙ୍କୁ ଭଲ ଲାଗୁ ନଥିଲା। ତେଣୁ ଟେନିସ ଏକାଡେମୀ ବନ୍ଦ କରିବାକୁ ସେ ରାଧିକାଙ୍କୁ କହିଥିଲେ। କିନ୍ତୁ ରାଧିକା ନମାନିବାରୁ ସେ ତାଙ୍କୁ ହତ୍ୟା କରିଥିଲେ ବୋଲି କହିଛନ୍ତି।

ସେ କହିଛନ୍ତି, ଦୀପକ ଯେଉଁ ଲାଇସେନ୍ସପ୍ରାପ୍ତ ପିସ୍ତଲରେ ରାଧିକାଙ୍କୁ ହତ୍ୟା କରିଥିଲେ, ତାକୁ ଜବତ କରାଯାଇଛି। ୨୦୦୪ରୁ ସେ ଏହି ପିସ୍ତଲକୁ ନିଜ ପାଖରେ ରଖିଥିଲେ। ଦୀପକଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିଲା। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। କୋର୍ଟ ତାଙ୍କୁ ଦିନିକିଆ ପୁଲିସ ହେପାଜତକୁ ପଠାଇଛନ୍ତି। ଦୀପକଙ୍କ ନିଜ ଗାଁ ରେୱାରୀ ନିକଟସ୍ଥ କସମରେ ଥିବା ଘରେ ପୁଲିସ ଚଢ଼ାଉ କରିବାର ଯୋଜନା କରିଛି। 

Advertisment

ପୁଲିସ ଏହା ସ୍ପଷ୍ଟ କରିଛି ଯେ ଏହି ହତ୍ୟାକାଣ୍ଡ ଘଟିବା ବେଳେ ରାଧିକାଙ୍କ ମାଆ ଘରର ପ୍ରଥମ ମହଲାରେ ଥିଲେ। ସେ ଗୁଳି ଫୁଟିବା ଶବ୍ଦ ଶୁଣିଥିଲେ। 

ପୁଲିସ ଆହୁରି କହିଛି ଯେ ମାମଲାଟିର ତଦନ୍ତ ଏବେ ପ୍ରାଥମିକ ସ୍ତରରେ ରହିଛି। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ମିଳିଥିବା ସମସ୍ତ ପ୍ରମାଣ କହୁଛି ଯେ ଏହି ହତ୍ୟାକାଣ୍ଡ ପଛର ଏକମାତ୍ର କାରଣ ହେଉଛି ରାଧିକାଙ୍କ ଟେନିସ ଏକାଡେମୀ।  

ଗାଁ ଲୋକଙ୍କ କଥା ଦୀପକଙ୍କୁ ବାଧିଲା କି?

କିଛି ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ଦୀପକ ଓ ତାଙ୍କ ପରିବାରକୁ ଅତି ନିକଟରୁ ଜାଣିଥିବା ଲୋକମାନେ ପୁଲିସ ଦର୍ଶାଇଥିବା କାରଣ ଉପରେ ଆଦୌ ବିଶ୍ୱାସ କରିପାରୁ ନାହାନ୍ତି। ସେମାନଙ୍କ କହିବା କଥା ହେଲା, ରାଧିକାଙ୍କୁ ସବୁକ୍ଷେତ୍ରରେ ସମର୍ଥନ କରୁଥିଲେ ତାଙ୍କ ବାପା ଦୀପକ ଯାଦବ। କାନ୍ଧରେ ଆଘାତ ଲାଗିବାରୁ ୨ ବର୍ଷ ତଳେ ଟେନିସ ଖେଳିବା ଛାଡ଼ି ଦେଇଥିଲେ ରାଧିକା। ତା’ପରେ ସେ ଏକ ଟେନିସ ଏକାଡେମୀ ଖୋଲିବାକୁ ଆଗ୍ରହ ଦେଖାଇଥିଲେ। ତାଙ୍କ ବାପା ଏଥିରେ ରାଜି ହୋଇଥିଲେ ଓ ସେଥିପାଇଁ ପ୍ରାୟ ୨ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ସେତେବେଳେ ସେ ଚାହିଁଥିଲେ ଝିଅକୁ ମନା କରି ଦେଇଥା’ନ୍ତେ। ସେତେବେଳେ ବି ତାଙ୍କ ଆର୍ଥିକ ସ୍ଥିତି ସମୃଦ୍ଧ ଥିଲା। ଟେନିସ ଏକାଡେମୀ ଖୋଲିବାକୁ ଦେଇ ନଥା’ନ୍ତେ।   

ମିଳିଥିବା ସୂଚନା ଅନୁଯାୟୀ, ସବୁ ଠିକଠାକ ଚାଲିଥିବା ବେଳେ ନିକଟରେ ଦୀପକ ତାଙ୍କ ନିଜ ଗାଁକୁ ଯାଇଥିଲେ। ସେଠାରେ କିଛି ଲୋକ ତାଙ୍କୁ ‘ଖରାପ ବାପା’ ବୋଲି କହିଥିଲେ। ଝିଅକୁ ସବୁ କ୍ଷେତ୍ରରେ ସମର୍ଥନ କରୁଥିବାରୁ ସେମାନେ ଏମିତି କହିଥିଲେ। ଏହା ଦୀପକଙ୍କୁ ବାଧି ଥିଲା। ଗାଁରୁ ଫେରିବା ପରେ ସେ ରାଧିକାଙ୍କୁ ଟେନିସ ଏକାଡେମୀ ବନ୍ଦ କରି ଦେବାକୁ କହିଥିଲେ। କିନ୍ତୁ ରାଧିକା ରାଜି ହୋଇ ନଥିଲେ। ରାଧିକା ଯୁକ୍ତି କରିଥିଲେ ଯେ ଯେଉଁଥିରେ ସେ (ଦୀପକ) ନିଜେ ୨ କୋଟି ଟଙ୍କା ନିବେଶ କରିଛନ୍ତି, ତାହାକୁ କାହିଁକି ବନ୍ଦ କରିଦେବା? ଫଳରେ ବାପ-ଝିଅଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ଝିଅକୁ ଗତକାଲି ହତ୍ୟା କରିବା ପୂର୍ବରୁ ୩ ଦିନ ଧରି ଦୀପକ ଯାଦବ ପୂରା ଗମ୍ଭୀର ଥିଲେ। ନିଜ ଭିତରେ ଥିବା ରାଗ ଓ ଲଜ୍ଜାକୁ ଦବାଇ ରଖିଥିଲେ। ଗତକାଲି ଦିନ ପ୍ରାୟ ସାଢ଼େ ୧୦ଟା ବେଳେ ଯେତେବେଳେ ରାଧିକା ରୋଷେଇ ଘରେ ଜଳଖିଆ ପ୍ରସ୍ତୁତ କରୁଥିଲେ, ସେତେବେଳେ ଦୀପକ ତାଙ୍କ ଉପରକୁ ଗୁଳି କରିଥିଲେ। ସେ ୫ ରାଉଣ୍ଡ ଗୁଳି କରିଥିବା ବେଳେ ସେଥିରୁ ୪ଟି ରାଧିକାଙ୍କ ଶରୀରରେ ବାଜିଥିଲା। ସ୍ଥାନୀୟ ଏକ ଘରୋଇ ହସ୍‌ପିଟାଲରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। 

କିଛି ରିପୋର୍ଟ ଅନୁଯାୟୀ, ରାଧିକାଙ୍କ ରିଲ୍‌ସ ନିଶା ଥିଲା। ସେ ରିଲ୍‌ସ କରୁଥିଲେ। ସେଥିରେ ଦୀପକ କେବେ ବାଧା ଦେଇ ନଥିଲେ। ଏମିତିକି ଏକ ମ୍ୟୁଜିକ ଭିଡିଓରେ ମଧ୍ୟ କାମ କରିବା ପାଇଁ ସେ ଝିଅକୁ ଅନୁମତି ଦେଇଥିଲେ। ହୁଏତ ଏହାକୁ ନେଇ ବି ଗାଁ ଲୋକେ ଦୀପକଙ୍କୁ କିଛି କଥା ଶୁଣାଇ ଥିବେ। ହୁଏତ ଈର୍ଷ୍ୟାନ୍ୱିତ ହୋଇ ସେମାନେ ସେମିତି କହିଥିବେ। କିନ୍ତୁ କ୍ଷଣକୋପୀ ଦୀପକ ଯାଦବ ଏହି କଥା ବାଧିଥିବା ଓ ସେ ଏମିତି ଏକ ପଦକ୍ଷେପ ନେଇଥିବେ।